Parachute: ପାରାସୁଟ୍ ପିନ୍ଧି ବିମାନରୁ ଡେଇଁଥିବା ପ୍ରଥମ ମହିଳା
୧୯୧୩ ମସିହା ଜୁନ୍ ୨୧ ତାରିଖ। ସେଦିନ ଲସ୍ ଏଞ୍ଜେଲେସ୍ରେ ଜଣେ ବାମନ ମହିଳା ଏକ ବିମାନ ମଧ୍ୟକୁ ଚଢ଼ିଗଲେ। ସେ ବିମାନ ଭିତରେ ନ ବସି, ବସିଲେ ବିମାନ ବାହାରେ ଦୋଳିଭଳି ଝୁଲୁଥିବା ସିଟ୍ରେ। ବିମାନ ଉଡ଼ିଲା। ସେ ମହିଳା ଏକ ରିଲିଜ୍ ଲିଭର୍ ଟାଣିଦେବାରୁ ବିମାନରୁ ଅଲଗା ହୋଇ ତଳକୁ ଖସିବା ଆରମ୍ଭ କଲେ। ଅଳ୍ପ ସମୟ ପରେ ପାରାସୁଟ୍ ଖୋଲିଗଲା। ସେ ମହିଳା ଧୀରେ ଧୀରେ ନିରାପଦରେ ପୃଥିବୀପୃଷ୍ଠକୁ ଓହ୍ଲାଇଲେ। ସେ ହେଲେ ପାରାସୁଟ୍ ଯୋଗେ ବିମାନରୁ ଓହ୍ଲାଇଥିବା ପ୍ରଥମ ମହିଳା। ଏହି ଘଟଣାର ବର୍ଷେ ପରେ ତାଙ୍କରି ସହାୟତାରେ ତିଆରି ହେଲା ଆଧୁନିକ ରିପ୍କଡ୍। ଏହି ରିପ୍କଡ୍ ଯୋଗୁଁ ସବୁଦିନ ପାଇଁ ବଦଳିଗଲା ପାରାସୁଟ୍ ଯୋଗେ ବିମାନରୁ ଓହ୍ଲାଇବାର ଉପାୟ।
ସେ ବାମନ ମହିଳାଙ୍କ ନାଁ ଜର୍ଜିଆ ଆନ୍ ଟମ୍ପସନ୍। ନର୍ଥ କାରୋଲିନାର ଅକ୍ସଫୋର୍ଡ ପାଖରେ ସେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମବେଳେ ତାଙ୍କ ଓଜନ ଥିଲା ମାତ୍ର ୧ କିଲୋ ୩୬୦ ଗ୍ରାମ୍। ତେଣୁ ଲୋକେ ତାଙ୍କୁ ଖୁସିରେ ‘ଟାଇନି’ ବୋଲି ଡାକୁଥିଲେ। ବଡ଼ ହେଲା ବେଳକୁ ତାଙ୍କର ଉଚ୍ଚତା ଥିଲା ୪ ଫୁଟ୍ରୁ ଟିକିଏ ଅଧିକ। ଓଜନ ଥିଲା ପ୍ରାୟ ୩୬ କିଲୋ।
ଟାଇନିଙ୍କ ପିଲାଦିନ ଭାରି ଦୁଃଖରେ କଟିଥିଲା। ଚଳିବା ପାଇଁ ସେ ସୂତାକଳରେ କାମ କରୁଥିଲେ। ୧୨ ବର୍ଷରେ ବିବାହ କରି ୧୩ ବର୍ଷରେ ମାଆ ହୋଇଥିଲେ। ତା’ପରେ ସ୍ବାମୀ ତାଙ୍କୁ ଘରୁ ବାହାର କରିଦେଇଥିଲେ। ୧୫ ବର୍ଷ ବୟସରେ ସେ ଏକ ମେଳା ବୁଲିଯାଇଥିଲେ। ଦେଖିଲେ ଚାର୍ଲସ୍ ବ୍ରୋଡ୍ୱିକ୍ ପାରାସୁଟ୍ ପିନ୍ଧି ହଟ୍-ଏୟାର୍ ବେଲୁନ୍ରୁ ତଳକୁ ଡେଉଁଛନ୍ତି। ଟାଇନିଙ୍କର ମଧ୍ୟ ସେଭଳି କରିବାକୁ ମନ ହେଲା। ସେ ଚାର୍ଲସ୍ଙ୍କ ଦଳରେ ମିଶିଲେ। ଅଳ୍ପଦିନରେ ସେ ବିଭିନ୍ନ ମେଳାରେ ଚମତ୍କାର ବେଲୁନ୍ଡିଆଁ ଖେଳ ଦେଖାଇଲେ। ଦର୍ଶମାନେ ତାଙ୍କୁ ନିର୍ଭୀକା ‘ଡଲ୍ ଗାର୍ଲ’ ବୋଲି ଡାକିଲେ। ଚାର୍ଲସ୍ ତାଙ୍କୁ ଝିଅ କରିନେଲେ। ସେବେଠୁ ସେ ହୋଇଗଲେ ଟାଇନି ବ୍ରୋଡ୍ୱିକ୍। ନିଜ କ୍ୟାରିଅର୍ରେ ସେ ୧୧୦୦ରୁ ଅଧିକ ଥର ପାରାସୁଟ୍ ପିନ୍ଧି ଡେଇଁଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
