Panchayat elections: ପଞ୍ଚାୟତ ନିର୍ବାଚନ ପାଇଁ ହାତ ଖୋଲିଲେ: ରାସ୍ତା, ସେତୁ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୩୨ ହଜାର କୋଟି
ଭୁବନେଶ୍ବର: ଆସନ୍ତାବର୍ଷ ଏପ୍ରିଲ, ମେ’ରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏହା ପୂର୍ବରୁ ଗ୍ରାମାଞ୍ଚଳର ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଆସନ୍ତା ନିର୍ବାଚନରେ ଯେପରି ରାସ୍ତା ନାହିଁ, ରାସ୍ତା ନଥିବାରୁ ରୋଗୀ ହସ୍ପିଟାଲ ଯାଇପାରିଲେନି, ସେତୁ ନଥିବାରୁ ଲୋକ ନଦୀନାଳରେ ପଶିକି ଯାତାୟାତ କରୁଛନ୍ତି ଭଳି ଅଭିଯୋଗ ଆସିବନି ତା’ର ବ୍ୟବସ୍ଥା ଏବେଠୁ କରିଛନ୍ତି। ଗ୍ରାମାଞ୍ଚଳରେ ନୂଆ ରାସ୍ତା ନିର୍ମାଣଠୁ ଆରମ୍ଭ କରି ଅଧାପନ୍ତରିଆ ରାସ୍ତା କାମ ତୁରନ୍ତ ଶେଷ କରିବା, ନୂଆ ସେତୁ ନିର୍ମାଣ, ଅର୍ଥାଭାବରୁ ସରିପାରୁନଥିବା ସେତୁ କାମ ଶୀଘ୍ର ଶେଷ କରିବା, ସେତୁ ସହ ଜଳ ସଂରକ୍ଷଣ ବ୍ୟବସ୍ଥା ଭଳି ପ୍ରକଳ୍ପକୁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ୫ ବର୍ଷରେ ଗ୍ରାମାଞ୍ଚଳର ରାସ୍ତା ଓ ସେତୁ ନିର୍ମାଣ ବାବଦକୁ ୩୨,୦୬୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି।
Plantation: ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଏଥିପାଇଁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୭ଟି ବିଭାଗର ମୋଟ୍ ୧୩ଟି ପ୍ରସ୍ତାବରେ ମୋହର ବାଜିଛି। ଏଥିରେ ରାସ୍ତା ସମ୍ପର୍କିତ ୫ଟି ଯୋଜନା ଓ ସେତୁ ସମ୍ପର୍କିତ ୨ଟି ଯୋଜନା ରହିଛି। ୫ ବର୍ଷରେ ୫୩୬୭୧.୨୧ କିମି ନୂତନ ରାସ୍ତା ନିର୍ମାଣ ଏବଂ ଚାଲୁଥିବା ରାସ୍ତା କାମକୁ ଶେଷ କରିବା ଲାଗି ରାଜ୍ୟ ସରକାର ୫ଟି ଯୋଜନାରେ ୧୯,୬୬୭ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହାବାଦ୍ ୨୨୫୮ଟି ନୂଆ ସେତୁ ଏବଂ କାମ ଚାଲୁଥିବା ୧୫୭୯ଟି ସେତୁର ନିର୍ମାଣ କାମ ସାରିବାକୁ ୧୨୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସମସ୍ତ ପ୍ରକଳ୍ପ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ହେବ। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟର ଦୁର୍ଗମ ତଥା ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ଅସଂଯୁକ୍ତ ଗ୍ରାମଗୁଡ଼ିକୁ ସବୁଦିନିଆ ଭଲ ରାସ୍ତା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ଏମ୍ଏମ୍ଏସ୍ୱାଇ-ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ (ସିୟୁଭିଡିଏ)’ ଯୋଜନାର ଶୁଭାରମ୍ଭ କରିଛନ୍ତି। ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ୫ ବର୍ଷ ଅବଧିରେ ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଅବଧି ମଧ୍ୟରେ ୧୧୫୦ କିମି ନୂତନ ରାସ୍ତା, ୯୪୯ କିମିର କାମ ଚାଲୁ ରହିଥିବା ରାସ୍ତା ଏବଂ ଆବଶ୍ୟକ ପୋଲ ନିର୍ମାଣ କରାଯିବ।
ସେହିପରି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ଆନ୍ତଃରାଜ୍ୟ, ଆନ୍ତଃଜିଲ୍ଲା ଓ ଆନ୍ତଃବ୍ଲକ୍ ମଧ୍ୟରେ ଅସଂଯୋଜିତ ରାସ୍ତାଗୁଡ଼ିକୁ ମୁଖ୍ୟରାସ୍ତା ସହ ସଂଯୋଗୀକରଣ ପାଇଁ ୫ବର୍ଷିଆ ଯୋଜନା ପ୍ରସ୍ତୁତ ହୋଇଛି। ଏଥିରେ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ୧୯୧୭ କୋଟି ଟଙ୍କା ବ୍ୟୟରେ ପ୍ରାୟ ୩୮୫୦ କିମି ନୂତନ ରାସ୍ତା ତଥା ସେତୁ ନିର୍ମାଣ ଓ ଚାଲୁ ରହିଥିବା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ଏହାସହ ଗ୍ରାମାଞ୍ଚଳରେ ଥିବା ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ, ମୁଖ୍ୟବଜାର, ପର୍ଯ୍ୟଟନସ୍ଥଳ, ବ୍ୟବସାୟ କେନ୍ଦ୍ର ଓ ପଞ୍ଚାୟତ କାର୍ଯ୍ୟାଳୟ ଇତ୍ୟାଦିକୁ ଉନ୍ନତମାନର ସବୁଦିନିଆ ରାସ୍ତା ଯୋଗାଇ ଦେବାକୁ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ଗ୍ରାମ୍ୟ ଉନ୍ନୟନ ଅଧୀନସ୍ଥ ରାସ୍ତାର ଉନ୍ନତୀକରଣ’ ଯୋଜନାରେ ୫ବର୍ଷରେ (୨୦୨୫-୨୬ରୁ ୨୦୨୯-୩୦) ୫୭୫୦କୋଟି ଖର୍ଚ୍ଚ ହେବ। ଏଥିରେ ୧୭୫୦୦ କିମି ନୂତନ ରାସ୍ତା ନିର୍ମାଣ ଓ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ ହେବ।
୫୩୬୭୧ କିମି ରାସ୍ତା ପାଇଁ ୧୯୬୬୭ କୋଟି
୩୮୩୭ଟି ସେତୁ ପାଇଁ ୧୨୪୦୦ କୋଟି ବରାଦ
ବଲାଙ୍ଗୀରରେ ଜଳସେଚନ ପାଇଁ ୧୩୧.୫୫ କୋଟି
ଗ୍ରାମାଞ୍ଚଳର ଅସଂଯୁକ୍ତ ବସତିଗୁଡ଼ିକୁ ସବୁଦିନିଆ ରାସ୍ତା ଯୋଗାଇବା, ରାସ୍ତା ପ୍ରଶସ୍ତକୀକରଣ ପାଇଁ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ଥିବା ୧୧୫କିମି ରାସ୍ତା କାମ େଶଷ କରିବା ସହ ପ୍ରାୟ ୪୬୦୭କିମି ନୂତନ ସଡ଼କ ନିର୍ମାଣ କରାଯିବ। ଏହି ଯୋଜନାରେ ଆସନ୍ତା ୫ବର୍ଷରେ (୨୦୨୬-୨୭ରୁ ୨୦୩୦-୩୧ ମଧ୍ୟରେ) ୪ହଜାର କୋଟି ଖର୍ଚ୍ଚ ହେବ। ପଞ୍ଚାୟତିରାଜ ଏବଂ ଅନ୍ୟ ସରକାରୀ ବିଭାଗଗୁଡ଼ିକରୁ ହସ୍ତାନ୍ତରିତ ହୋଇଥିବା ରାସ୍ତାଗୁଡ଼ିକର ଉନ୍ନତୀକରଣ କରିବା ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ହସ୍ତାନ୍ତରିତ ରାସ୍ତାଗୁଡ଼ିକର ଉନ୍ନତୀକରଣ’ ଯୋଜନା ପ୍ରଣୟନ କରିଛନ୍ତି। ଏଥିରେ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ୫ବର୍ଷରେ ୬୭୦୦କୋଟି ବରାଦରେ ୨୫,୫୦୦କିମି ନୂତନ ରାସ୍ତା ନିର୍ମାଣ ଓ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରାଯିବ।
Judgement: ମାନବ ଚାଲାଣକାରୀଙ୍କୁ ବଡ଼ ଝଟକା; ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ
ସେହିପରି ଗ୍ରାମାଞ୍ଚଳରେ ଯୋଗାଯୋଗର ଉନ୍ନତି ଏବଂ ସେହି ଅନୁଯାୟୀ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ଆର୍ଥିକ-ସାମାଜିକ ସ୍ଥିତିର ସୁଧାର ପାଇଁ ‘ସେତୁ ବନ୍ଧ ଯୋଜନା’ରେ ୫ବର୍ଷରେ ୧୭୫୦ଟି ନୂତନ ସେତୁ ଏବଂ ୧୪୧୭ଟି ଚାଲୁ ରହିଥିବା ସେତୁ ପାଇଁ ୧୧,୮୦୦କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହାସହ ରାଜ୍ୟରେ ନଦୀ ଗର୍ଭ ଏବଂ ସେତୁର ଉପର ମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷିତ କରି କ୍ଷୁଦ୍ର ଜଳସେଚନ, ପାନୀୟ ଜଳ ଏବଂ ଗୃହପାଳିତ ପଶୁଙ୍କ ବ୍ୟବହାର ପାଇଁ ଜଳ ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ବ୍ରିଜ୍ କମ୍ ୱେୟାର’ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ୨୦୨୬-୨୭ରୁ ୨୦୩୦-୩୧ ମଧ୍ୟରେ ୫ବର୍ଷରେ ୬୦୦କୋଟି ଖର୍ଚ୍ଚ ହେବ।
‘ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନା’ ଅନ୍ତର୍ଗତ ପ୍ରସ୍ତାବିତ କ୍ଲଷ୍ଟର-୩୬ ମାଧ୍ୟମରେ ୩ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବକ ତେଲ୍ ନଦୀ ଓ ଉନ୍ଦେର ନଦୀର ପଥରଲା ଆଇଏସ୍ଏସ୍ ପାଖରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା ମାଧ୍ୟମରେ ବଲାଙ୍ଗୀର ଜିଲ୍ଲାର ୪୩୩୦ହେକ୍ଟର ଚାଷ ଜମିକୁ ଜଳସେଚନ କରାଯିବ। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୨୧,୮୦,୭୮,୬୬୧ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୧୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୯,୭୪,୪୬,୨୯୩ଟଙ୍କା ଖର୍ଚ୍ଚ ହେବ। ୩ବର୍ଷରେ ଏହି ପ୍ରକଳ୍ପ ଶେଷ ହେବ। ଏହି ପ୍ରକଳ୍ପର ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।