Space Mission: ଅନ୍ତରୀକ୍ଷକୁ ଉଡ଼ିଲେ ଭାରତୀୟ ବଂଶୋଦ୍ଭବ ଅନିଲ ମେନନ
"ୱାସିଂଟନ: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ଅନିଲ ମେନନ ମଙ୍ଗଳବାର ତାଙ୍କର ପ୍ରଥମ ଅନ୍ତରୀକ୍ଷ ଯାତ୍ରା ଆରମ୍ଭ କରିଛନ୍ତି।
କାଜାଖସ୍ତାନର ବାଇକୋନୁର କସ୍ମୋଡ୍ରୋମରୁ ରୁଷ୍ର ସୋୟୁଜ୍ ଏମ୍ଏସ୍-୨୯ ମହାକାଶଯାନରେ ସେ ଦୁଇ ରୁଷୀୟ ମହାକାଶଚାରୀ ପ୍ୟୋତ୍ର ଡୁବ୍ରୋଭ ଓ ଆନ୍ନା କିକିନାଙ୍କ ସହ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।
ପ୍ରାୟ ୮ ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ସେମାନେ ବୈଜ୍ଞାନିକ ଗବେଷଣା ଓ ପ୍ରଯୁକ୍ତି ପରୀକ୍ଷଣ କରିବେ।Advertisment ଉତ୍କ୍ଷେପଣ ପରେ ସୋୟୁଜ୍ ମହାକାଶଯାନ ନିର୍ଦ୍ଧାରିତ ପଥରେ ଆଇଏସ୍ଏସ୍ ଅଭିମୁଖେ ଗତି କରିଛି।
ଯାତ୍ରାର ପ୍ରାୟ ତିନି ଘଣ୍ଟା ପରେ ଏହା ମହାକାଶ କେନ୍ଦ୍ରରେ ପହଞ୍ଚିବ ବୋଲି ନାସା ପକ୍ଷରୁ କୁହାଯାଇଛି।
ସେଠାରେ ପହଞ୍ଚିବା ପରେ ଅନିଲ ମେନନ ଓ ତାଙ୍କ ସହଯାତ୍ରୀମାନେ ଏକ୍ସପେଡିସନ୍-୭୪ ଓ ଏକ୍ସପେଡିସନ୍-୭୫ ଅଭିଯାନର ଅଂଶ ଭାବେ କାର୍ଯ୍ୟ କରିବେ।
ଏହି ଅଭିଯାନରେ ମେନନ ମାନବ ଶରୀର ଉପରେ ଦୀର୍ଘ ସମୟ ମହାକାଶରେ ରହିବାର ପ୍ରଭାବ, ମାଧ୍ୟାକର୍ଷଣହୀନ ପରିବେଶରେ ଜୀବବିଜ୍ଞାନ ଓ ଚିକିତ୍ସା ସମ୍ବନ୍ଧୀୟ ଗବେଷଣା ଏବଂ ଭବିଷ୍ୟତର ଦୀର୍ଘ ମହାକାଶ ଯାତ୍ରା ପାଇଁ ଆବଶ୍ୟକ ନୂତନ ପ୍ରଯୁକ୍ତିର ପରୀକ୍ଷଣରେ ଅଂଶ ନେବେ।
Astronauts: ସୁଖନିଦ୍ରା ପାଇଁ ମହାକାଶଚାରୀଙ୍କ ଶୟନ ଶୈଳୀ ଅନିଲ ମେନନ ଜଣେ ଜରୁରିକାଳୀନ ଚିକିତ୍ସକ, ନାସା ମହାକାଶଚାରୀ ଓ ଆମେରିକୀୟ ସ୍ପେସ୍ ଫୋର୍ସର କର୍ଣ୍ଣେଲ।
ସେ ପୂର୍ବରୁ ସ୍ପେସ୍ଏକ୍ସର ପ୍ରଥମ ଫ୍ଲାଇଟ୍ ସର୍ଜନ୍ ଭାବେ କାମ କରିଥିଲେ ଏବଂ ମାନବ ମହାକାଶ ଉଡ଼ାଣ ସମ୍ବନ୍ଧୀୟ ଚିକିତ୍ସା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।
୨୦୨୧ରେ ସେ ନାସାର ମହାକାଶଚାରୀ ଦଳରେ ନିଯୁକ୍ତ ହୋଇଥିଲେ।
ବର୍ତ୍ତମାନର ଏହି ମିସନ୍ ତାଙ୍କର ପ୍ରଥମ ମହାକାଶ ଯାତ୍ରା।
ତାଙ୍କ ସଫଳତାକୁ ଭାରତୀୟ ବଂଶୋଦ୍ଭବ ସମୁଦାୟ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଭାବେ ଦେଖାଯାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।