Panchayat Elections Become Litmus Test: ଜନ ସମର୍ଥନ ଓ ପାରଦର୍ଶିତାର ମାପକାଠି ହେବ ପଞ୍ଚାୟତ ନିର୍ବାଚନ, କିଏ ହେବ ବାଜିଗର ?
ଆଉ ମାସ କେଇଟା ରହିଲା, ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବା ପାଇଁ । ସେ ନେଇ ରାଜନୈତିକ ଦଳଗୁଡିକ ଏବେ ଚଳଚଞ୍ଚଳ ହୋଇଉଠିଲେଣି । ସମୟ ଯେତେ ପାଖେଇ ଆସୁଛି, ସେହି ହିସାବରେ ରାଜ୍ୟର ପ୍ରମୂଖ ରାଜନୈତିକ ଦଳମାନଙ୍କର ମୁଖିଆମାନଙ୍କର ରକ୍ତଚାପ ବଢିଚାଲିଛି । ନିଜ ନିଜ ଦଳକୁ ଏବେ ଠାରୁ କେମିତି ଏହି ସମ୍ମାନଜନକ ଲଢ଼େଇ ପାଇଁ ପ୍ରସ୍ତୁତ କରିବେ, ସେହି ଲକ୍ଷ୍ୟରେ ଏବେ ସବୁ ଦଳ ଲାଗିପଡ଼ିଛନ୍ତି । ଏହି ଲଢ଼େଇରେ ଓଡ଼ିଶା ଶାସନରେ ରହିଥିବା ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ବିରୋଧୀ ବିଜୁ ଜନତା ଦଳ (ବିଜେଡ଼ି) ଓ ଭାରତୀୟ ଜାତୀୟ କଂଗ୍ରେସ ଦଳ କେହି କାହାକୁ ଆଗକୁ ନଛାଡ଼ିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି ।
ଏକଥା ଅନସ୍ୱୀକାର୍ଯ୍ୟ ଯେ ୨୦୨୭ ନିର୍ବାଚନ ହେବାକୁ ଆହୁରି କିଛି ମାସର ସମୟ ଥିଲେ ମଧ୍ୟ ସଚିବାଳୟ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ ଏବେ ଏ ନେଇ ଆଲୋଚନା ଜୋର ଧରିଛି ।
ନିର୍ବାଚନ ପ୍ରସ୍ତୁତିରେ ଶାସକ ବିଜେପି ଢେର ଆଗରେ ରହିଥିବା ବେଳେ ଏହା ପଛକୁ ରହିଛି ମୁଖ୍ୟ ବିରୋଧୀ ଦଳ ବିଜେଡି । ଏହା ପଛରେ ରହିଛି ଦୀର୍ଘ ତିନି ଦଶନ୍ଧି ଧରି କ୍ଷମତା ବାହାରେ ରହିଥିବା କଂଗ୍ରେସ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତରୁଣ ଚୁଘ୍ଙ୍କ ଭଳି କେନ୍ଦ୍ରୀୟ ନେତାମାନଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ତୁହାକୁ ତୁହା ବୈଠକ ବସି ରଣନୀତି ତିଆରି କରାଯାଉଛି ।
ସେହିପରି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଖୋଦ୍ ଦଳର ରଣନୀତି ତିଆରି କରୁଛନ୍ତି । ତାଙ୍କୁ ଏବେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ଧର୍ମପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ସହାୟତା ଦେବା ଆରମ୍ଭ କରିଛନ୍ତି । କଂଗ୍ରେସର ନୂତନ ପ୍ରଭାରୀ ଲାଲଜୀ ଦେଶାଇଙ୍କ ନେତୃତ୍ୱରେ ଭକ୍ତ ଦାସ ତାଙ୍କ ରଣନୀତି ପୁନଃଅଙ୍କନ କରୁଛନ୍ତି ।
ସମୀକ୍ଷକମାନଙ୍କ କହିବା କଥା, ୨୦୨୭ର ପଞ୍ଚାୟତ ନିର୍ବାଚନ କେବଳ ସ୍ଥାନୀୟ ସ୍ୱଶାସନ ପ୍ରତିଷ୍ଠାନ ପାଇଁ ନୁହେଁ; ଏହା ୨୦୨୯ ବିଧାନସଭା ନିର୍ବାଚନ ପୂର୍ବରୁ ଜନମତର ପ୍ରଥମ ବଡ଼ ପରୀକ୍ଷା ।
୨୦୨୪ରେ ୨୪ ବର୍ଷର ବିଜେଡି ଶାସନର ଅବସାନ ଘଟାଇ ବିଜେପି କ୍ଷମତାକୁ ଆସିଥିଲା। ଏବେ ଏହି ଦଳ ପାଇଁ ସବୁଠୁ ବଡ଼ ଆହ୍ୱାନ ହେଉଛି—ଏହି ବିଜୟ କେବଳ କ୍ଷମତାବିରୋଧୀ ହାୱାର ଫଳ ନୁହେଁ, ବରଂ ରାଜ୍ୟରେ ଏକ ଦୀର୍ଘସ୍ଥାୟୀ ରାଜନୈତିକ ପରିବର୍ତ୍ତନ ର ଆରମ୍ଭ ବୋଲି ପ୍ରମାଣ କରିବା। ସେଥିପାଇଁ ବୁଥ୍ ସ୍ତରରୁ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ସଂଗଠନ ସଜାଡ଼ିବା ସହ ବିରୋଧୀ ଦଳର ପ୍ରଭାବଶାଳୀ ନେତାଙ୍କୁ ଦଳରେ ସାମିଲ କରିବାର କୌଶଳ ଅବଲମ୍ବନ କରୁଛି। ତେବେ କ୍ଷମତାରେ ଥିଲେ ମଧ୍ୟ ବିଜେପି ପାଇଁ ଆହୁରି ହିମାଳୟ ପରି କିଛି ବିଶାଳ ଆହ୍ୱାନର ସାମ୍ନା କରିବାକୁ ପଡ଼ିବ ।
ରାଜ୍ୟର ୩୦ଟି ଜିଲ୍ଲା ପରିଷଦ ବିଜେଡି ହାତରେ ରହିଛି । ଏହା ବ୍ୟତୀତ ଅନେକ ପୌର ସଂସ୍ଥା ଉପରେ ଏବେ ବି ବିଜେଡିର ଗଭୀର ପ୍ରଭାବ ରହିଛି। ଏହି ତୃଣମୂଳ ସଂଗଠନ ହିଁ ବିଜେଡିର ସବୁଠୁ ବଡ଼ ଶକ୍ତି। ଅନ୍ୟପକ୍ଷରେ, ପାଠ୍ୟପୁସ୍ତକ ମୁଦ୍ରଣ ତ୍ରୁଟି, ଆଇନ ଶୃଙ୍ଖଳା ପ୍ରସଙ୍ଗ, ଭିଡ଼ ହିଂସା ଓ ଅନେକଗୁଡ଼ିଏ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଭଳି ଘଟଣା ସରକାରଙ୍କ ଭାବମୂର୍ତ୍ତିକୁ ଭୀଷଣ ଭାବେ ପ୍ରଭାବିତ କରିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରଶାସନିକ ଦକ୍ଷତା ପ୍ରଦର୍ଶନ କରିବା ବିଜେପି ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।
ବିଜେଡି ପାଇଁ ଏହି ନିର୍ବାଚନ ହେଉଛି ପ୍ରତ୍ୟାବର୍ତ୍ତନର ଏକ ଉତ୍ତମ ସୁଯୋଗ। କ୍ଷମତା ହରାଇଥିଲେ ମଧ୍ୟ ଦଳର ସଂଗଠନ ଗାଁ ସ୍ତରରେ ଏବେ ବି ସୁଦୃଢ଼। ସୁଜାତା ରାଉତ କାର୍ତ୍ତିକେୟନଙ୍କ ସକ୍ରିୟ ରାଜନୀତି ପ୍ରବେଶ ଦଳ ଭିତରେ ନୂଆ ଚର୍ଚ୍ଚା ଓ ଉତ୍ସାହ ସୃଷ୍ଟି କରିଛି। ଏହା ସହ ଦଳୀୟ ଶୃଙ୍ଖଳା ଓ ଏକତା ଉପରେ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱ ଆଗାମୀ ନିର୍ବାଚନରେ ବିଜେଡିର ରଣନୀତିର ମୁଖ୍ୟ ଅଂଶ ହୋଇପାରେ ବୋଲି ସମୀକ୍ଷକମାନେ ଆକଳନ କରୁଛନ୍ତି।
ଏବେ ବିଜେଡି ପାଇଁ ସବୁଠୁ ବଡ଼ ପ୍ରଶ୍ନ ହେଉଛି—୨୦୨୪ର ପରାଜୟ ପରେ ମଧ୍ୟ ତା'ର ଭୋଟ୍ ବ୍ୟାଙ୍କ ଅକ୍ଷୁଣ୍ଣ ରହିଛି କି ନାହିଁ?
କଂଗ୍ରେସ ଏବେ ବି ରାଜ୍ୟର ତୃତୀୟ ରାଜନୈତିକ ଶକ୍ତି । ଦଳର ଏହି ନିର୍ବାଚନକୁ ସଂଗଠନ ପୁନର୍ଗଠନର ସୁଯୋଗ ଭାବେ ଦେଖୁଛି। ଦଳର ନୂଆ ରାଜ୍ୟ ପ୍ରଭାରୀ ଲାଲଜୀ ଦେଶାଇ ଜିଲ୍ଲା ସଭାପତିମାନଙ୍କର ଏକ ବୈଠକ ଡକାଇ ଦଳକୁ କିପରି ଶକ୍ତିଶାଳୀ କରିହେବ, ସେ ନେଇ ମତାମତ ସଂଗ୍ରହ କରିଛନ୍ତି । ଶ୍ରୀ ଦେଶାଇ ଏବଂ ଦଳର ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଜିଲ୍ଲାସ୍ତରରେ ସଂଗଠନ ସମୀକ୍ଷା ଓ ଯୁବ କର୍ମୀଙ୍କୁ ଦଳ ସହ ଯୋଡ଼ିବା ଉଦ୍ୟମ କଂଗ୍ରେସକୁ କିଛି ଅଞ୍ଚଳରେ ପୁଣି ଲଢ଼େଇକୁ ଫେରାଇ ଆଣିପାରେ।
ଦକ୍ଷିଣ ଓଡ଼ିଶାରେ ଦଳର ସ୍ଥିତି ବେଶ୍ ଭଲ ଅଛି । ଆଗାମୀ ଦିନରେ ଦଳ ଏଠାରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିବା ଲାଗି ଚେଷ୍ଟା କରିବ ବୋଲି ଅନୁମାନ କରାଯାଉଛି । ଏହାଛଡ଼ା କନ୍ଧମାଳ ଓ ଅନୁଗୁଳ ଭଳି ସ୍ଥାନରେ ମଧ୍ୟ ଦଳ ବେଶ୍ ଗୁରତ୍ୱ ପ୍ରଦାନ କରୁଛି ।
ସମୀକ୍ଷକମାନଙ୍କ ମତରେ ୨୦୨୭ ସବୁଠାରୁ ନିର୍ବାଚନ ତିନୋଟି ଦଳ ପାଇଁ ଭିନ୍ନ ଭିନ୍ନ ଅର୍ଥ ଓ ସଙ୍କେତ ବହନ କରୁଛି। ବିଜେପି ପାଇଁ ଏହା କ୍ଷମତା ପ୍ରତି ଜନସମର୍ଥନର ପୁନଃ ପ୍ରମାଣ, ବିଜେଡି ପାଇଁ ନିଜ ସଂଗଠନର ଶକ୍ତିର ପରୀକ୍ଷା ଏବଂ କଂଗ୍ରେସ ପାଇଁ ପୁନର୍ଜୀବନର ସୁଯୋଗ।
ଓଡ଼ିଶା ରାଜନୀତିରେ ଗାଁ ସ୍ତରର ଜନମତ ସବୁବେଳେ ବଡ଼ ନିର୍ବାଚନର ଦିଗ ନିର୍ଣ୍ଣୟ କରିଆସିଛି। ସେହି ଦୃଷ୍ଟିରୁ ୨୦୨୭ ନିର୍ବାଚନକୁ ୨୦୨୯ ବିଧାନସଭା ନିର୍ବାଚନର ‘ସେମି ଫାଇନାଲ' କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ନିର୍ବାଚନର ଫଳାଫଳ କେବଳ ଗ୍ରାମାଞ୍ଚଳର କ୍ଷମତା ସମୀକରଣକୁ ନୁହେଁ, ବରଂ ରାଜ୍ୟର ପରବର୍ତ୍ତିତ ରାଜନୈତିକ ଅଧ୍ୟାୟର ଦିଗ ମଧ୍ୟ ନିର୍ଦ୍ଧାରଣ କରିପାରେ ବୋଲି ଅନେକ ମତବ୍ୟକ୍ତ କରନ୍ତି ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୋଡ଼ି ଯଦି ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ଅପେକ୍ଷା ଅଧିକ ଆସନ ଲାଭ କରନ୍ତି, ତେବେ ସେମାନେ ଆଗାମୀ ଦିନରେ କେନ୍ଦ୍ରୀୟ ନେତାଙ୍କର ଅଧିକ ଶ୍ରଦ୍ଧାଭାଜନ ହେବା ସହିତ ସେମାନଙ୍କ ଦ୍ୱାରା ଅଧିକ ପୁରସ୍କୃତ ହୋଇପାରନ୍ତି । ଏହା ମଧ୍ୟରେ ଦଳର ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଏବଂ ବରିଷ୍ଠ ନେତା ତରୁଣ ଚୁଘ୍ ଓଡ଼ିଶା ଗସ୍ତ କରି ବରିଷ୍ଠ ଏବଂ କନିଷ୍ଠ ନେତାମାନଙ୍କୁ ସେମାନଙ୍କର ନିର୍ବାଚନ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇ ସାରିଛନ୍ତି । ଏବେ ଦେଖିବାର କଥା ଦଳ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ଠାରୁ ଅଧିକ ଜିଳ୍ଲା ପରିଷଦ ଆସନ ପାଉଛି କି ନାହିଁ ?
ଶେଷରେ କୁହାଯାଇପାରେ ଯେ ମୋହନ-ମନମୋହନଙ୍କ ଯୋଡ଼ି ଏବେ ପଞ୍ଚାୟତ ନିର୍ବାଚନ କଷଟି ପଥରରେ ପରଖି ହେବାକୁ ଯାଉଛନ୍ତି । ସେହିପରି ବିଜେଡ଼ି ସଭାପତି ନବୀନଙ୍କୁ ପୁଣି ଥିରେ ତାଙ୍କର ନେତୃତ୍ୱର ବଳିଷ୍ଠତାକୁ ପ୍ରମାଣ କରିବାକୁ ପଡ଼ିବ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ ତାଙ୍କ ଦଳ 'ହାରିଲେ କେତେ ବା ଜିତିଲେ କେତେ' ପରିସ୍ଥିତିରୁ ବାହାରି ବିଜେପି-ବିଜେଡ଼ି ବିରୋଧରେ ଥିବା ଅସନ୍ତୋଷରୁ ଲାଭ ଉଠାଇ ଦଳକୁ ଏକ ସଶକ୍ତ ଶକ୍ତି ଭାବରେ ପ୍ରତିଷ୍ଠା କରିବାକୁ ପଡ଼ିବ । ଏହା ନକରିପାରିଲେ, ଭକ୍ତଙ୍କ ନିଜ ଆସନ ଅସୁରକ୍ଷିତ ହୋଇପଡ଼ିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ନବୀନଙ୍କ ସାମ୍ନାରେ ଲୋକପ୍ରିୟତାର ଅଗ୍ନିପରୀକ୍ଷା ଓ ଭକ୍ତଙ୍କ ନେତୃତ୍ୱ ପ୍ରମାଣ ଦେବାର ଅବକାଶ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ।
ବି.ଦ୍ର. - ଏହା ଲେଖକଙ୍କ ନିଜସ୍ୱ ମତ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।