Pakistan blast : ଖୈବର ପଖତୁନଖ୍ୱାରେ ଶାନ୍ତି ରାଲି ବେଳେ ବିସ୍ଫୋରଣ : ୧୪ ଜଣଙ୍କ ମୃତ୍ୟୁ , ଅନେକ ଆହତ
ନୂଆଦିଲ୍ଲୀ : ପାକିସ୍ତାନର ଉତ୍ତର –ପଶ୍ଚିମ ପ୍ରାନ୍ତ ଖୈବର ପଖତୁନଖ୍ୱାରୁ ରବିବାର ଆସିଛି ଏକ ବଡ଼ ଖବର । ସ୍ୱାତ ଜିଲ୍ଲାର କବାଲ ସହରରେ ଚାଲି ଥିବା ଶାନ୍ତି ରାଲି ବେଳେ ହୋଇଥିଲା ଶକ୍ତିଶାଳୀ ବିସ୍ଫୋରଣ। ଯେଉଁଥିରେ ଅତି କମରେ ୧୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି , ୨୨ ଜଣ ଗୁରୁତର ହୋଇଛନ୍ତି। ଅଧିକାରୀଙ୍କ ଅନୁସାରେ , ଉକ୍ତ ଆକ୍ରମଣରେ ପାକିସ୍ତାନୀ ପୁଲିସକୁ ମୁଖ୍ୟ ଟାର୍ଗେଟ୍ କରାଯାଇ ଥିଲା।
ସ୍ୱାତ ପୁଲିସ ଓ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ କହିଛନ୍ତି ଯେ, ବିସ୍ଫୋରଣ ରାଲି ମଝିରେ ହୋଇଥିଲା। ଘଟଣା ସ୍ଥଳରେ ଉପସ୍ଥିତ ଲୋକଙ୍କ କହିବାନୁସାରେ , ହଠାତ୍ ଜୋରଦାର ଶବ୍ଦ ସହ ବିସ୍ଫୋରଣ ହୋଇଥିଲା, ଯାହାପରେ ଅଞ୍ଚଳରେ ଆତଙ୍କ ଖେଳିଯାଇ ଥିଲା। ପ୍ରାରମ୍ଭିକ ଯାଞ୍ଚରେ ଏହି ବିସ୍ଫୋରଣ ଆତ୍ମଘାତୀ ଆକ୍ରମଣ ଭଳି ମନେହେଉଛି। ହେଲେ ସୁରକ୍ଷା ଏଜେନ୍ସିମାନେ ଏବେସୁଦ୍ଧା ଏହାର ଅଫିସିଆଲି ସୁନିଶ୍ଚିତ କରି ନାହାନ୍ତି। ବର୍ତ୍ତମାନ ମାମଲାର ଯାଞ୍ଚ ଜାରି ରହିଛି।
ଅନ୍ୟପଟେ , ବିସ୍ଫୋରଣର ତୁରନ୍ତ ପରେ ଉଦ୍ଧାରକାରୀ ଟିମ୍ ଓ ଆମ୍ୱୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସିଫ୍ଟ କରାଯାଇ ଥିଲା, ସେଠାରେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୁଲିସ , ରେଞ୍ଜର୍ସ ଓ ଅନ୍ୟ ଆଇନ ପ୍ରବର୍ତ୍ତନ ଏଜେନ୍ସି ମାନେ ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ଦେଇଛନ୍ତି। ସୁରକ୍ଷା ବାହିନୀମାନେ କ୍ଷେତ୍ରକୁ ସିଲ କରି ଦେଇଛନ୍ତି। ଘଟଣା ସ୍ଥଳକୁ ପ୍ରମାଣ ସଂଗ୍ରହ କରିବା କାମ ଆରମ୍ଭ ହୋଇଯାଇଛି। ଆଗାମୀ ଯାଞ୍ଚ ପାଇଁ ଫରେନ୍ସିକ୍ ଟିମ ଗୁଡ଼ିକୁ ମଧ୍ୟ ଡକାଯାଇଛି।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ , ଏହି ବିସ୍ଫୋରଣ ସ୍ୱାତ ଜିଲ୍ଲାର କବାଲ ସହରରେ ଶାନ୍ତି ରାଲି ବେଳେ ହୋଇଥିଲା। ରାଲିର ଆୟୋଜନ ସ୍ଥାନୀୟ ଜନଜାତୀୟ ପରିଷଦ ସ୍ୱାତ ଅମନ ଜିରଗା କରିଥିଲା। ଏହି ଜିରଗାର ଆହ୍ୱାନରେ ଶହ ଶହ ଲୋକ ଅଞ୍ଚଳରେ ଶାନ୍ତିର ଦାବିକୁ ନେଇ ରାସ୍ତାକୁ ଓହ୍ଲାଇ ଥିଲେ।
ଆହୁରି ମଧ୍ୟ ପଢନ୍ତୁ - ୮୪ ହଜାର ଜନସଂଖ୍ୟା ବିଶିଷ୍ଟ ସହରରେ ୬୦ ହଜାର ଅନୁପ୍ରବେଶକାରୀ ! ସ୍ପେନ-ମରକ୍କୋ ବିବାଦରେ ଏବେସୁଦ୍ଧା ୬୭ ମୃତ୍ୟୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।