ସୋନୁ ନିଗମଙ୍କ ବଡ଼ ଦାବି, କହିଲେ କପିରାଇଟ ବିବାଦ ପରେ ଟି-ସିରିଜ ଏବଂ ଜି ମ୍ୟୁଜିକ୍ କରିଦେଲେ ବ୍ୟାନ୍
ମୁମ୍ବାଇ,୨/୮ : ସୋନୁ ନିଗମ । ଏ ନାମ ହିଁ କାଫି । ସୋନୁ ନିଗମ ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ । ଘରେ ଘରେ ପରିଚିତ । ଭାରତୀୟ ସଙ୍ଗୀତ ଜଗତର ଏକ ଉଜ୍ବଳ ତାରକା । ମାତ୍ର ତାଙ୍କ ଜୀବନ ବି ବହୁ ଉତଥାନ ଓ ପତନ ଦେଇ ଗତି କରିଛି । ବିଶ୍ବାସ ହେଉନଥିଲେ ବି ସତ । ତାଙ୍କୁ ବି କେବେ ବ୍ୟାନ୍ କରିଥିଲେ ମ୍ୟୁଜିକ କମ୍ପାନୀ । ଯାହାର ଖୁଲାସା ସେ ନିଜେ ହିଁ କରିଛନ୍ତି । ଏକ ସାକ୍ଷାତକାର ସମୟରେ ସେ ଏହା କହିଛନ୍ତି । ସୋନୁ ବଲିଉଡ଼ରେ କେତେକ ଶାନଦାର୍ ଗୀତ ଗାଇଛନ୍ତି ଏବଂ ନିଜ ସ୍ବରରେ ଦର୍ଶକଙ୍କ ହୃଦୟରେ ରାଜ୍ କରିଛନ୍ତି । ନିକଟରେ ଗାୟକ ତାଙ୍କ କ୍ୟାରିୟରର ଉତଥାନ-ପତନ ବିଷୟରେ କହିଛନ୍ତି । ଯେତେବେଳେ କପିରାଇଟ୍ ଏବଂ ରୟାଲ୍ଟି ଅଧିକାର ସମ୍ପର୍କରେ ସ୍ୱର ଉଠାଇଥିଲେ ଏହାପରେ ବଡ଼ ମ୍ୟୁଜିକ୍ ଲେବଲ୍ସ ତାଙ୍କ ସହ କାମ କରିବା ବନ୍ଦ କରିଦେଇଥିଲେ।
ଏକ ସାକ୍ଷାତକାରରେ ସେ କହିଛନ୍ତି, "ମୋ ସମୟ ଆସିଲା, ପରେ ଚାଲିଗଲା ଏବଂ ଏବେ ପୁଣି ଥରେ ଫେରିଛି । ଏହା ସବୁ ସମୟର ଖେଳ । ଯେତେବେଳେ ମୁଁ ମୋ କ୍ୟାରିୟରର ଶୀର୍ଷରେ ଥିଲି, ଲୋକମାନେ ମୋତେ ବହୁତ ଭଲପାଇବା ଦେଇଥିଲେ । ମୋର ଆଲବମ୍ ରିଲିଜ୍ ହେଉଥିଲା, ଲୋକମାନେ ପାଗଳ ହୋଇଯାଉଥିଲେ ଏବଂ ମୋର ପୋଷ୍ଟର ଗୁଡ଼ିକ ମଧ୍ୟ ବିକ୍ରି ହେଉଥିଲା। ତା'ପରେ ମୁଁ କପିରାଇଟ୍ ପ୍ରସଙ୍ଗ ଉଠାଇଥିଲି। ଏହାପରେ ଟି-ସିରିଜ୍ ମୋତେ ବ୍ୟାନ୍ କରିଥିଲା । ଜି ମ୍ୟୁଜିକ୍ ମଧ୍ୟ ମୋ ସହ କାମ କରିବା ବନ୍ଦ କରିଦେଇଥିଲା। ସେମାନଙ୍କ କହିବା ଥିଲା କି 'ଏ ତ ଆକ୍ଟିଭିଷ୍ଟ ହୋଇଯାଇଛନ୍ତି।"
ମୁଁ କେବେ ବି ଭାବିନଥିଲି ମୋତେ ବ୍ୟାନ୍ କରିଦିଆଯିବ । ମୋତେ ଲାଗୁଥିଲା କି ଶେଷରେ ଏହି ସମସ୍ୟାର ସମାଧାନ ହୋଇଯିବ, କିନ୍ତୁ ପରିସ୍ଥିତି ଆହୁରି ଖରାପ ହେବାକୁ ଲାଗିଲା। ଯେତେବେଳେ ମୁଁ ଦେଖିଲି ଯେ, ମୋର ଦ୍ୱାର ଗୋଟିଏ ପରେ ଗୋଟିଏ ବନ୍ଦ ହେଉଛି, ମୁଁ ଅନୁଭବ କଲି ଯେ ସେମାନେ ମୋତେ ଗୀତ ଗାଇବାରୁ ଅଟକାଇପାରିବେ, କିନ୍ତୁ ସେମାନେ ମୋତେ ମଞ୍ଚରେ ପ୍ରଦର୍ଶନ କରିବାରୁ ଅଟକାଇପାରିବେ ନାହିଁ।"
ସେ ଆହୁରି ମଧ୍ୟ କହିଛନ୍ତି, ଆଜି ସମୟ ବଦଳିଛି । ସେହି ମ୍ୟୁଜିକ୍ କମ୍ପାନୀ ଗୁଡ଼ିକ ଏବେ କଣ୍ଠଶିଳ୍ପୀମାନଙ୍କୁ ରୟାଲ୍ଟି ଦେଉଛନ୍ତି । ଆଜି ଆମେ ବହୁତ ଭଲରେ ଭେଟୁଛୁ , ଏକାଠି ବସୁଛୁ ଏବଂ ଖାଦ୍ୟ ମଧ୍ୟ ଖାଉଛୁ । ଏହି ପ୍ରସଙ୍ଗରେ କାହାକୁ ନା କାହାକୁ ଆଗକୁ ଆସିବାରେ ଥିଲା ।" ତାଙ୍କୁ ସର୍ବଦା ଅନୁଭବ ହେଉଥିଲା କି କପିରାଇଟ୍ ଏବଂ ରୟାଲ୍ଟି ପାଇଁ ତାଙ୍କର ଲଢ଼େଇ ତାଙ୍କ ଜୀବନର ଏକ ବୃହତ ଉଦ୍ଦେଶ୍ୟର ଅଂଶ ଥିଲା । ସେ ବିଶ୍ୱାସ କରୁଥିଲେ ଯେ, ଭଗବାନ ତାଙ୍କୁ ସେହି ଦାୟିତ୍ୱ ଦେଇଛନ୍ତି ଯାହା ଲତା ମଙ୍ଗେସକର ଆରମ୍ଭ କରିଥିଲେ, କିନ୍ତୁ ସମ୍ପୂର୍ଣ୍ଣ କରିବାରେ ବିଫଳ ହୋଇଥିଲେ। ସୋନୁ କହିଛନ୍ତି ଯେ, ସେ ଏହି ଲଢ଼େଇ ପାଇଁ ତାଙ୍କ କ୍ୟାରିୟରକୁ ବିପଦରେ ପକାଇବାକୁ ପ୍ରସ୍ତୁତ ଥିଲେ, କାରଣ ସେ ଅନୁଭବ କରୁଥିଲେ ଯେ ହୁଏତ ଅନ୍ୟ କେହି ଏପରି କରିବାକୁ ସାହସ କରିବେ ନାହିଁ।
ସେ ଆହୁରି କହିଛନ୍ତି ଯେ, ଆଇନ ପରିବର୍ତ୍ତନ ହେବା ପରେ ମ୍ୟୁଜିକ କମ୍ପାନୀଗୁଡ଼ିକ ଅନୁଭବ କଲେ ଯେ ତାଙ୍କର ଦାବି କେବେ ଭୁଲ ନୁହେଁ। ସମୟ ସହ ଇଣ୍ଡଷ୍ଟ୍ରିର ନଜର ପରିବର୍ତ୍ତନ ହେଲା ଏବଂ ସେହି ମ୍ୟୁଜିକ୍ କମ୍ପାନୀଗୁଡ଼ିକ ପୁଣି ତାଙ୍କ ସହ କାମ କରିବା ଆରମ୍ଭ କଲେ । ଏବେ ତାଙ୍କର ଏବଂ ମ୍ୟୁଜିକ ଲେବଲ୍ସ ମଧ୍ୟରେ ଭଲ ସମ୍ପର୍କ ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।