OUHS PG Exam Paper Leak: କିଏ ଲିକ୍ କଲା ମେଡିକାଲ୍ ପିଜି ପ୍ରଶ୍ନପତ୍ର ? ହ୍ବାଟ୍ସଆପରେ ଭାଇରାଲ୍
ମେଡିକାଲ୍ ପିଜି ପରୀକ୍ଷାକୁ ନେଇ ସାଘାଂତିକ ଅଭିଯୋଗ। ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଘୁରି ବୁଲିଲା ପ୍ରଶ୍ନପତ୍ର। ହ୍ବାଟସ୍ ଆପ୍ ଗ୍ରୁପ୍ ରେ ହେଲା ସେୟାର। ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍ ବା OUHS ପକ୍ଷରୁ ଚାଲିଥିବା ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍। ଖାଲି ଲିକ୍ ନୁହେଁ ପରୀକ୍ଷା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ଏବଂ ଅର୍ଥ କାରବାର ଭଳି ଅଭିଯୋଗ ଆଣି OUHSକୁ ଚିଠି ଲେଖିଛନ୍ତି ବୁର୍ଲା ଭିମସାର ଓ ଅନ୍ୟ ମେଡିକାଲ୍ କଲେଜର ରେସିଡେଣ୍ଟ ଡାକ୍ତର। ଘଟଣାର ନିରପେକ୍ଷ ତଦନ୍ତ ସହ ସିସିଟିଭି ଫୁଟେଜ୍ ଯାଞ୍ଚ ଦାବି କରି କୁଳପତିଙ୍କୁ ଦିଆଯାଇଛି ଅଭିଯୋଗ ପତ୍ର। ଏଥିରେ ଦର୍ଶାଯାଇଛି, SCB ଓ MKCG ମେଡିକାଲ୍ କଲେଜରେ ଚାଲିଥିବା ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଛି। ପରୀକ୍ଷା ସମୟରେ ଇଲେକ୍ଟ୍ରୋନିକ୍ ଡିଭାଇସ୍ ବ୍ୟବହାର କରାଯାଉଛି। ତେଣୁ ପରୀକ୍ଷା ହଲ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ କରାଯାଉ।
ବାକି ପରୀକ୍ଷା ପାଇଁ ନିରପେକ୍ଷ ପର୍ଯ୍ୟବେକ୍ଷକ ନିଯୁକ୍ତି ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ଅଭିଯୋଗ ପତ୍ରରେ ଏକ ମୋବାଇଲ୍ ଫୋନ୍ ନମ୍ବର ଉଲ୍ଲେଖ କରାଯାଇ ଦର୍ଶାଯାଇଛି ଯେ, ଏହି ଫୋନ୍ ବ୍ୟବହାର କରି ପ୍ରଶ୍ନପତ୍ର ଲିକ୍ ଏବଂ ଅର୍ଥ ଆଦାୟ ହେଉଛି। ଏହାର ଡିଜିଟାଲ୍ ପ୍ରମାଣ ଯାଞ୍ଚ କରିବା ସହ ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବାକୁ ଦାବି କରାଯାଇଛି। ଅନ୍ୟପଟେ ଅଭିଯୋଗର ସତ୍ୟତା ସଂପର୍କରେ OUHSର କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ଭିମସାର୍ ଜୁନିୟର ଡାକ୍ତର ସଂଘ ସଭାପତି କହିଛନ୍ତି, ସେମାନେ କୌଣସି ଚିଠି କାହାକୁ ଦେଇ ନାହାନ୍ତି। କିନ୍ତୁ ଅଭିଯୋଗର ତଦନ୍ତ ହେବା ଆବଶ୍ୟକ।
ସେପଟେ MKCG ମେଡିକାଲ୍ କଲେଜ ଅଧ୍ୟକ୍ଷ କହିଛନ୍ତି, ପ୍ରଶ୍ନପତ୍ର ଲିକ୍ ନୁହେଁ ବରଂ ପ୍ରଶ୍ନପତ୍ର ବାହାରକୁ ହ୍ବାଟ୍ସ ଆପ୍ ଯୋଗେ ପଠାଯାଇଛି। ଜୁଲାଇ ୨୧ରେ ୨୦୨୩-୨୬ ବ୍ୟାଚ୍ ପିଜି ପ୍ରଶ୍ନପତ୍ର ଲିକ୍ ହୋଇଥିଲା। OUHS ଓ ଏମକେସିଜି କର୍ତ୍ତୃପକ୍ଷ ଏନେଇ ଅବଗତ ହେବା ପରେ ସବୁ ମେଡିକାଲ୍ କଲେଜ ସହ ଜରୁରୀ ବୈଠକ ଡାକିଥିଲେ। ସୂଚନା ଅନୁଯାୟୀ ହ୍ବାଟସ୍ ଆପ୍ ଗ୍ରୁପ୍ ତିଆରି କରିଥିବା ଜଣେ ପିଜି ଛାତ୍ରଙ୍କ ମୋବାଇଲ୍ ସିଜ୍ ମଧ୍ୟ କରାଯାଇଛି। ଏଠି ପ୍ରଶ୍ନ, ହ୍ବାଟ୍ସ ଆପ୍ ଯୋଗେ କେମିତି ପ୍ରଶ୍ନପତ୍ର ବାହାରକୁ ଗଲା? କେମିତି କର୍ତ୍ତୃପକ୍ଷ ଏନେଇ ଜାଣିପାରିଲେନି? ଅପରପକ୍ଷେ ଭିମସାର ଡିନ୍ କହିଛନ୍ତି ଆମ କଲେଜରେ କୌଣସି ପରୀକ୍ଷା ଚାଲିନାହିଁ। ଆମ ପିଜି ପରୀକ୍ଷା OUHS ନୁହେଁ ସମ୍ବଲପୁର ବିଶ୍ବବିଦ୍ୟାଳୟ କରେ।
ନିଟ୍ ପେପର୍ ଲିକ୍ କୁ ନେଇ ସାରା ଦେଶରେ ହଡ଼କଂପ ଦେଖାଦେଲା। ଯେଉଁଥି ପାଇଁ ଆଣ୍ଟି ପେପର୍ ଲିକ୍ ବିଲ୍ ଆସିଲା। ଏହାରି ଭିତରେ ଓଡ଼ିଶା ମେଡିକାଲ୍ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା ଆଲୋଡନ ସୃଷ୍ଟି କରିଛି। ଦେଖିବାର କଥା ଏଦିଗରେ OUHS କି ପଦକ୍ଷେପ ନେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।