Floodwaters Destroy Crops: ବନ୍ୟା ଉଜାଡ଼ିଲାଣି ବର୍ଷକର ଦାନାପାଣି, ୫ ଜିଲ୍ଲାରେ ୬ ଲକ୍ଷ ଲୋକ ପ୍ରଭାବିତ

Jul 30, 2026 - 20:29
Floodwaters Destroy Crops: ବନ୍ୟା ଉଜାଡ଼ିଲାଣି ବର୍ଷକର ଦାନାପାଣି, ୫ ଜିଲ୍ଲାରେ ୬ ଲକ୍ଷ ଲୋକ ପ୍ରଭାବିତ

ଅବପାତଜନିତ ଲଗାଣ ବର୍ଷା ଖାଲି ରାସ୍ତାଘାଟ କି ଘରଦ୍ବାରକୁ ଭସାଇନି। କ୍ଷେତରେ ଖଟି ପେଟ ପୋଷୁଥିବା ଚଷା ପୁଅଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। କାହାର ଧାନ ତ ଆଉ କାହା ପରିବା ଫସଲକୁ ଉଜାଡ଼ି ଚାଷୀ ପେଟକୁ ଲାତ ମାରିଛି। ବିଶେଷ କରି ପୂର୍ବ ଓଡ଼ିଶାର ଅଧିକାଂଶ ଜିଲ୍ଲାର ଚାଷୀ ଏବେ କାନ୍ଦୁଛନ୍ତି ଉଜୁଡ଼ା ଫସଲକୁ ଦେଖି। ଯେପର୍ଯ୍ୟନ୍ତ ଦେଖିବେ, ସେ ପର୍ଯ୍ୟନ୍ତ କେବଳ ପାଣି ଆଉ ପାଣି। ୩ ଦିନ ବିତିଗଲା ସେହି ପାଣିରେ ବତୁରିଯାଇଛି ଚଷାପୁଅର ସ୍ବପ୍ନ, ବର୍ବାଦ ହୋଇଯାଇଛି ବର୍ଷକର ଦାନାପାଣି। ନା ପୋଟଳ ରକ୍ଷା ପାଇଛି ନା ବାଇଗଣ, ନା ଝୁଡ଼ଙ୍ଗ ବଞ୍ଚିଛି ନା କାଙ୍କଡ଼। ବର୍ଷର ପ୍ରଥମ ବନ୍ୟାଜଳ ଏବେ ପୁରୀ ଜିଲ୍ଲା କଣାସ ଅଞ୍ଚଳର କ୍ଷେତବାଡ଼ିର ପରିବା ଫସଲକୁ ଉଜାଡ଼ି ଦେଇଛି। ରାଜୁଆ, ଲୁଣା ଓ ମକରା ନଦୀର ପାଣି ପଶିଯିବାରୁ ପାଣ୍ଡିଆକେରା, ବଡାଶ, ଦୋକନ୍ଦା, ଗଡ଼ ବଳଭଦ୍ରପୁର ପଞ୍ଚାୟତରେ ଏବେ ଦେଖିବାକୁ ମିଳିଛି ଏଭଳି ଚିତ୍ର। 

 କଟକ ଜିଲ୍ଲା ଆଠଗଡ଼ ବ୍ଲକ କରିକୋଲ। ସାପୁଆ ନଦୀର ପାଣି ମାଡ଼ି ଆସି ୨୦ ଫୁଟର ଘାଇ ସୃଷ୍ଟି କରିବା ସହ ଶହ ଶହ ଏକର ଚାଷ ଜମିକୁ ଜଳମଗ୍ନ କରିଦେଇଛି। ଫଳରେ ପ୍ରାୟ ୬ଟି ଗାଁର ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଛି ଏହି ବନ୍ୟା ପାଣିରେ। ଯାହା କିଛି ଧାନ ତଳି ବଞ୍ଚି ଯାଇଥିଲା ତାହା ପଚି ସଢି ନଷ୍ଟ ହୋଇଯାଇଛି। 

ଆଠଗଡ଼ ଅଂଚଳରେ ଖରିଫ୍ ୠତୁରେ ଏବେ ମୁଖ୍ୟତଃ ଧାନଚାଷର ସମୟ। ତେଣୁ ଯୁଆଡ଼େ ଯିବେ, ଆଖି ସାମ୍ନାରେ ଚାଲି ଆସିବ ଧାନ ଫସଲର ଉଜୁଡ଼ା ଚିତ୍ର। ପୁରୀ ନିମାପଡ଼ାର ଚିତ୍ରକୁ ଥରେ ଦେଖନ୍ତୁ। ଶହ ଶହ ଏକର ଜମିରେ ସଢ଼ିଯାଇଛି ରୁଆ ଧାନ ତଳି। ଆଜିକାଲି ଭିତରେ ପାଣି ଛାଡ଼ିବାର ସମ୍ଭାବନା ହିଁ ନାହିଁ। କାରଣ ଧନୁଆ ନଦୀର ଜଳସ୍ତର ଏବେ ଯେତିକି ବଢିଛି, ଆଗକୁ ଆହୁରି ବଢ଼ିବାର ଆଶଙ୍କା ରହିଛି। ତେଣୁ ଏବର୍ଷ ପାଇଁ ଚାଷବାସର ଆଶା ଛାଡ଼ିଦେଇଛନ୍ତି ଚାଷୀ। ଚାଷ ଜମି ପାଲଟିଯାଇଛି ପୋଖରୀ। କିଛି ବି ଆଉ ବାକି ନାହିଁ। ବାଲେଶ୍ବର ଜିଲ୍ଲାର ସେ ଭୋଗରାଇ ହେଉ କିମ୍ବା ଜଳେଶ୍ବର କି ବସ୍ତା। ଲଗାଣ ବର୍ଷା ଯୋଗୁ ରୁଆ ହୋଇଥିବା ଧାନ ତଳି ପାଣିରେ ବୁଡ଼ି ବର୍ବାଦ ହୋଇଯାଇଛି। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବସ୍ତା ବ୍ଲକର ୧୦ ପଂଚାୟତ ଏବଂ ଭୋଗରାଇ ବ୍ଲକର ୮ଟି ପଞ୍ଚାୟତରେ। ବସ୍ତାରେ ଜଳକା ବନ୍ୟା ଏବଂ ଭୋଗରାଇରେ ନିଷ୍କାସନ ବ୍ୟବସ୍ଥା ଠିକ୍ ନଥିବାରୁ ବର୍ଷା ପାଣି ଫସଲ ନଷ୍ଟ କରିଛି।  

ବ୍ରାହ୍ମଣୀର ଶାଖାନଦୀ ଖରସ୍ରୋତାର ପ୍ରଥମ ବନ୍ୟା ତ ଭାଙ୍ଗିସାରିଛି ଚାଷୀଙ୍କ ମେରୁଦଣ୍ଡ। ଯାଜପୁର କୋରେଇ ବ୍ଲକର ୩ଟି ପଞ୍ଚାୟତ, ରସୁଲପୁର ବ୍ଲକର ୪ଟି ପଞ୍ଚାୟତରେ ସାଂଘାତିକ ପ୍ରଭାବିତ ହୋଇଛନ୍ତି ଚାଷୀ। କାରଣ ଗାଁ ଦାଣ୍ଡରେ ଯେତେବେଳେ ପାଣି ସୁଅ କାଟି ଛୁଟୁଛି, ଚାଷଜମିର ଅବସ୍ଥା ନକହିବା ଭଲ। ଧାନ ଓ ପରିବା ଏଠି ଭାସିଯାଇଛି ମୂଳ ସହ। 

ବର୍ଷା ଛାଡ଼ିଛି ସତ, କିନ୍ତୁ ଦୁର୍ଦ୍ଦଶା ବଢ଼ିଛି। ଜଳବନ୍ଦୀ ଚାଷ ଜମିରେ ବାରି ହେଉଥିବା ଉଜୁଡ଼ା ଚିତ୍ର ବନ୍ୟା ପାଣି ଛାଡ଼ିବା ପରେ ଆହୁରି ସ୍ପଷ୍ଟ ହେବ। ତେବେ ରାଜ୍ୟ ସରକାର କହିସାରିଛନ୍ତି, ବର୍ଷା ପାଣି କମିଲେ ହିଁ କ୍ଷୟକ୍ଷତି ଆକଳନ କରାଯିବ ଏବଂ ସେହି ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।