Odisha Textbook Controversy: ଖୋଲିବ ଖଳନାୟକଙ୍କ ମୁଖା, ଧରାପଡ଼ିବ ଷଡ଼ଯନ୍ତ୍ର

Jul 11, 2026 - 20:09
Odisha Textbook Controversy: ଖୋଲିବ ଖଳନାୟକଙ୍କ ମୁଖା, ଧରାପଡ଼ିବ ଷଡ଼ଯନ୍ତ୍ର

ବୈଜ୍ଞାନିକ ଆଇଜାକ୍ ନିଉଟନଙ୍କୁ ପାଇଲଟ୍, ଓଡ଼ିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଫଟୋ ଏବଂ ନିୟମଗିରି ପାହାଡ଼କୁ ଝାଡ଼ଖଣ୍ଡରେ ଦେଖାଯିବା। ପିଲାଙ୍କ ପାଠ୍ୟବହିରେ ଏଭଳି ମାଳ ମାଳ ସାଙ୍ଘାତିକ ତ୍ରୁଟି ପାଇଁ ଦାୟୀ କିଏ, ଏହାପଛରେ ରହିଛି କି ବଡ଼ ଷଡଯନ୍ତ୍ର? ଏହାକୁ ଖୋଜି ବାହାର କରିବା ଲାଗି ପାଠ୍ୟପୁସ୍ତକ ତ୍ରୁଟି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

ପିଲାଙ୍କ ପାଠ୍ୟବହି ତ୍ରୁଟି ମାମଲାରେ ଏଣ୍ଟ୍ରି ମାରିବ କ୍ରାଇମବ୍ରାଞ୍ଚ। ବହି ଲେଖାରୁ ଛପା ଯାଏଁ ପୁରା ଘଟଣାକୁ ଘାଣ୍ଟିବ, ଦୁର୍ନୀତିର ଖିଅ ବାହାର କରିବ। ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। SCERT ନିର୍ଦ୍ଦେଶକଙ୍କ ପକ୍ଷରୁ ପ୍ରଥମେ କ୍ରାଇମବ୍ରାଂଚ ନିକଟରେ ଏତଲା ଦିଆଯିବ। ଏହାପରେ ଅପରାଧିକ ମାମଲା ରୁଜୁ କରି ସ୍ବତନ୍ତ୍ର ଟିମ୍ ଗଠନ ସହ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବ କ୍ରାଇମବ୍ରାଞ୍ଚ। 

ପାଠ୍ୟପୁସ୍ତକ ତ୍ରୁଟିର କେଉଁ ଦିଗରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ? କାହା ଉପରେ ଆକ୍ସନ ନେବ ତଦନ୍ତକାରୀ ସଂସ୍ଥା ? ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ତ୍ରୁଟିପୂର୍ଣ୍ଣ ସ୍କୁଲ ବହି ଛପାରେ ଷଡ଼ଯନ୍ତ୍ର ଥିବା ପୂର୍ବରୁ କହି ସାରିଛନ୍ତି ମୁଖ୍ୟମନ୍ତ୍ରୀ। 

ଏବେ ତଦନ୍ତକାରୀ ସଂସ୍ଥାର ପ୍ରଥମ କାମ ହେବ ପୁରା ଘଟଣା ପଛରେ ରହିଥିବା ଷଡ଼ଯନ୍ତ୍ର ଓ ଷଡ଼ଯନ୍ତ୍ରକାରୀଙ୍କୁ ଖୋଜିବା। ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଜଡ଼ିତ ଲେଖକ, ସମ୍ପାଦକ ଓ ବିଶେଷଜ୍ଞ ସ୍ତରରେ କିଭଳି ଭୁଲ୍ ରହିଲା ? ପୁସ୍ତକ ଛପା ପାଇଁ ଗଠନ ହୋଇଥିବା କମିଟି କରୁଥିଲା କଣ ? କମିଟିର କେଉଁ ସଦସ୍ୟ ଏହି ଦୁର୍ନୀତିରେ ଲିପ୍ତ ରହିଛନ୍ତି ? କେଉଁ ବଡ଼ ସରକାରୀ ଅଫିସର ଥିଲେ ଦାୟିତ୍ବରେ ? କେତେ ଟଙ୍କାର ବହିଛପା ହୋଇଛି, ଦୁର୍ନୀତି ହୋଇଛି କେତେ ?  ଟେଣ୍ଡର ପ୍ରକ୍ରିୟାରେ କିଛି ଦୁର୍ନୀତି ହୋଇନାହିଁ ତ ? ଜାଣିଶୁଣି ତଥ୍ୟକୁ ବିକୃତ କରାଯାଇଛି କି ? 

ସେପଟେ ଶିକ୍ଷାବିତ୍ କହିଛନ୍ତି, ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟିନେଇ ମୁଖ୍ୟମନ୍ତ୍ରୀ ଦେଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ସ୍ୱାଗତଯୋଗ୍ୟ। କିନ୍ତୁ କେଉଁ କେଉଁମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ, ତାର ଫ୍ରେମୱର୍କ କଣ ? ଯେଉଁମାନେ ବହିପାଇଁ ବିଷୟବସ୍ତୁ ସ୍ଥିର କରିଥିଲେ, ତାକୁ ଯାଞ୍ଚ କରିଥିଲେ, ସେମାନଙ୍କୁ କିଏ ଚୟନ କରିଥିଲା, ତାହା ପ୍ରଥମେ ଖୋଜାଯିବା ଦରକାର। କିଛି ଜଣଙ୍କ ବଦଳରେ ତଦନ୍ତ ବ୍ୟାପକ ଏବଂ ସଠିକ୍ ଭାବେ କରାଗଲେ ପ୍ରକୃତ ଅପରାଧୀ ଧରାପଡ଼ିବେ ବୋଲି କହିଛନ୍ତି ଶିକ୍ଷାବିତ୍।

ବହିରେ ଭାଷା ଓ ତଥ୍ୟ ନେଇ ବାହାରିଥିଲା ମାଳ ମାଳ ଭୁଲ୍। ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ଚିହ୍ନଟ ହୋଇଛି ପ୍ରାୟ ଦୁଇ ହଜାର ତ୍ରୁଟି। ଏନେଇ ପ୍ରବଳ ସମାଲୋଚନାର ଶିକାର ହୋଇଥିଲେ ସରକାର। ଏହାପରେ ପାଠ୍ୟ ପୁସ୍ତକ ତ୍ରୁଟିର କାରଣ ଅନୁସନ୍ଧାନ କରିବାକୁ ମୁଖ୍ୟମନ୍ତ୍ରୀ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରିଥିଲେ। ଏହି କମିଟିର ରିପୋର୍ଟ ଅନୁଯାୟୀ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କ ସମେତ ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ସେହିପରି ୬ ଜଣ ଅଧିକାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।.. ଏବେ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ନିର୍ଦ୍ଦେଶ ପରେ ପୁରା ସତ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।