Puri hotel prices soar before Rath Yatra: ରଥଯାତ୍ରା ପୂର୍ବରୁ ପୁରୀରେ ଆକାଶଛୁଆଁ ହୋଟେଲ୍ ଭାଉ, ମିଳୁନି ରୁମ୍

Jul 11, 2026 - 20:48
Puri hotel prices soar before Rath Yatra: ରଥଯାତ୍ରା ପୂର୍ବରୁ ପୁରୀରେ ଆକାଶଛୁଆଁ ହୋଟେଲ୍ ଭାଉ, ମିଳୁନି ରୁମ୍

ରଥ ପାଇଁ ପୁରୀ ମୁହାଁ ପର୍ଯ୍ୟଟକ। ଏପଟେ ଶ୍ରୀକ୍ଷେତ୍ରରେ ହୋଟେଲର ଭାଉ ଆକାଶ ଛୁଆଁ। ବଡ଼ଦାଣ୍ଡରେ ଏବେଠୁ ଆଦୌ ମିଳୁନି, ଆଉ ଅନ୍ୟ ସ୍ଥାନରେ ରେଟ ଦେଖି ଗ୍ରାହକଙ୍କ ମୁଣ୍ଡ ଗୋଲ। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଲାଗି ଏବେ ପୁରୀରେ ହୋଟେଲ ରହଣୀ ଭଡ଼ା ସିଧା ଦୁଇ ଗୁଣା ତ ଆଉ କେଉଁଠି ୩ ଗୁଣାରୁ ବି ଅଧିକ। ସାଧାରଣ ସମୟରେ ଦର ଯେତିକି ଥିଲା, ଏବେ କିନ୍ତୁ ତାଠାରୁ ପ୍ରାୟ ଡବଲ ଆଉ ଟ୍ରିପଲ। ଗ୍ରାହକ ଦେଖି ମନ ଇଛା ରେଟ୍ ଫିକ୍ସ୍ କରୁଛନ୍ତି ହୋଟେଲ କର୍ତ୍ତୃପକ୍ଷ। 

ଆଗରୁ ସହରରେ ଏକ ସାଧାରଣ ନନ୍ ଏସି ରୁମ୍ ବୁକ୍ କରୁଥିଲେ ଦିନକର ଭଡ଼ା ପଡୁଥଲା ପ୍ରାୟ ୧୫ ଶହରୁ ଅଢେଇ ହଜାର ଟଙ୍କା। କିନ୍ତୁ ଏବେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ଓ ଚାହିଦାକୁ ଦେଖି ହୋଟେଲ ବ୍ୟବସାୟୀ ଆପଣାଇଛନ୍ତି ନୂଆ ବ୍ୟବସାୟ ତରିକା। ସହରର ପ୍ରାୟ ଅଧିକାଂଶ ବଡ଼ ଆଉ ମଧ୍ୟମ ଧରଣରେ ହୋଟେଲରେ ଏବେ ୩ ଦିନିଆ ଟୁର୍ ପାକେଜର ଫିକ୍ସ ରେଟ୍। କୁହାଯାଉଛି ପୁରୀରେ ଥିବା ଷ୍ଟାଣ୍ଡାର୍ଡ ହୋଟେଲରେ ୩ ଦିନିଆ ଟୁର୍ ପ୍ୟାକେଜ୍ ଏବେ ପ୍ରାୟ ପାଖାପାଖି ଲକ୍ଷେ ଟଙ୍କା। ଯାହାକି ସାଧାରଣ ଲୋକଙ୍କ ବଜେଟ୍ ବାହାରେ। ସେପଟେ ଶ୍ରୀଗୁଣ୍ଡିଚା ଓ ବାହୁଡା ବେଳେ ବଡ଼ଦାଣ୍ଡରେ ଥିବା ହୋଟେଲଗୁଡ଼ିକରେ ଚାହିଦା ସବୁଠୁ ଅଧିକ ଥିବାରୁ, ଏଠିକାର ସ୍ପଟ୍ ବୁକିଂ ରେଟ୍ ଶୁଣିଲେ ବେହୋସ ହୋଇଯିବ ସାଧାରଣ ଗ୍ରାହକ। 

ତେବେ ବଡ଼ଦାଣ୍ଡରେ ଥିବା ହୋଟେଲ ଗୁଡ଼ିକର ବୁକିଂ ପ୍ରାୟ ୨ ମାସ ଆଗରୁ ସରିଥିବାରୁ ଏଠାରେ ଏବେ ହୋଟେଲ ମିଳିବା ବି ମୁସ୍କିଲ। ତେଣୁ ଜିଲ୍ଲା, ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ଗ୍ରାହକ ବାଧ୍ୟ ହୋଇ ସହରରେ ଅନ୍ୟ ସ୍ଥାନରେ ହୋଟେଲ ଖୋଜୁଥିଲେ ବି ଚଢ଼ା ଦରରୁ ନିସ୍ତାର ନାହିଁ। ସେପଟେ ଏପରିସ୍ଥଳେ ଗ୍ରାହକଙ୍କ ପକଟେକୁ ସୁହାଇବା ଭଳି ଭଲ ଦାମରେ ଷ୍ଟେ ହୋମ୍ ର ସୁବିଧା ଯୋଗାଇ ଦେଉଛନ୍ତି ଆଉ କିଛି ବ୍ୟବସାୟୀ।

ଏଣେ ଘୋଷଯାତ୍ରା ବେଳେ ପୁରୀରେ ହୋଟେଲ ଡିମାଣ୍ଡକୁ ଦେଖି କିଛି ଦିନ ଆଗରୁ ଜାଲ ବିଛାଇ ବସିଛନ୍ତି କିଛି ଠକ ଆଉ ସାଇବର ଲୁଟେରା। ପୁରୀ ବାହାରେ ଥାଇ ଅନଲାଇନ ହୋଟେଲ ବୁକିଂ କରିବାକୁ ଚାହୁଁଥିବା ଲୋକଙ୍କୁ ଏମାନେ ମୋହରା ବନାଉଛନ୍ତି। ଇଣ୍ଟରନେଟରେ ଲୋଭନୀୟ ସ୍କିମ୍ ଓ ମିଛ ପ୍ରତିଶ୍ରୁତି ଦେଇ ଫେକ୍ ସାଇଟ ଜରିଆରେ ଭକ୍ତଙ୍କୁ ଲୁଟ୍ କରୁଥିବା କଥା ଅନେକ ଥର ନଜରକୁ ଆସିଛି। ତେଣୁ ଏଭଳି କ୍ଷେତ୍ରରେ କେବଳ ନାଁ କରା, ବ୍ରାଣ୍ଡେଡ୍ ହୋଟେଲ କିମ୍ବା ଟୁର ଅପରେଟ ସାଇଟ୍ ଜରିଆରେ ହୋଟେଲ ବୁକିଂ କରିବାକୁ ପରାମର୍ଶ ଦେଇଛନ୍ତି ବିଭିନ୍ନ ଟୁର୍ ଅପରେଟର ସଂସ୍ଥା। 

ସେପଟେ ଖାଲି ପୁରୀ ସହର ନୁହେଁ, ପୁରା ଜିଲ୍ଲାରେ ହୋଟେଲରେ ଗ୍ରାହକଙ୍କ ସୁବିଧା ଓ ସୁରକ୍ଷା ପାଇଁ ବିଭିନ୍ନ ହୋଟେଲକୁ ବୁଲି ବୁଲି ଯାଞ୍ଚ କରୁଛି ପୁରୀ ପୋଲିସ। ହୋଟଲକୁ ଆସୁଥିବା ଯାତ୍ରୀଙ୍କ ରେକର୍ଡ ଯାଞ୍ଚ୍ ସହ ଯେପରି କୌଣସି ଆଇନ ଶୃଙ୍ଖଳା ସ୍ଥିତିକୁ ନ ଉପୁଜିବ, ସେଥିପାଇଁ ଖାନତଲାସୀ ଜାରି ରଖିଛି ପୋଲିସ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।