Odisha Focuses on Local Employment: ଦାଦନ ଟ୍ରାଜେଡିରେ ରୋକ୍ ଲଗାଇବାକୁ ଉଦ୍ୟମ, ନିଜ ଜିଲ୍ଲାରେ ରୋଜଗାର ଦେବେ ସରକାର
ଜୁଆଙ୍ଗ ଯାତନା। ଦାଦନର ଦୁଃଖ। ଅଘଟଣ ଘଟୁଛି, ଜୀବନ ଯାଉଛି। ରୋଜଗାର ପାଇଁ ଭିଟା ମାଟି ଛାଡ଼ି ବିଦେଶ ମାଟିକୁ ଯାଉଛି ଦାଦନ ଖଟିବାକୁ। ହେଲେ କେତେବେଳେ ଶୋଷଣର ଶିକାର ତ ଆଉ କେତେବେଳେ ମୃତ୍ୟୁର ଫାଶରେ ପଡୁଛି। ଆଶ୍ଚର୍ଯ୍ୟର କଥା ହେଲା ସାରା ରାଜ୍ୟରେ ଦାଦନ ଶ୍ରମିକ ପାଇଁ ଏକ ବଡ଼ ରାକେଟ୍ କାମ କରୁଛି। ନିକଟରେ ତାମିଲନାଡୁ ଚିଙ୍ଗୁଡି ଫାକ୍ଟ୍ରିରେ ଘଟିଥିବା ଆମୋନିଆ ଗ୍ୟାସ ଅଘଟଣରେ କେନ୍ଦୁଝରର ଜୁଆଙ୍ଗ ସମ୍ପ୍ରଦାୟର ୧୫ ଜଣଙ୍କ ପ୍ରାଣହାନୀ ଘଟିଛି। ମୃତ୍ୟୁ ପରେ ସାମ୍ନାକୁ ଆସିଥିବା ସାଂଘାତିକ ତଥ୍ୟ କହୁଛି, ଏମାନଙ୍କ ଭିତରୁ କିଛି ଜଣଙ୍କ ଆଧାର କାର୍ଡକୁ ଟ୍ୟାଂପରିଂ କରି ଦାଦନ ଶ୍ରମିକ ଭାବେ ପଠାଯାଇଥିଲା। ଖାଲି କେନ୍ଦୁଝର କାହିଁକି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦାଦନ ସମସ୍ୟା ବଡ଼ ଉତ୍କଟ। ନିରୀହ ଶ୍ରେଣୀର ଲୋକଙ୍କୁ ଲୋଭ ଦେଖାଇ ଦଲାଲ କେତେବେଳେ ତାମିଲନାଡୁ ତ ଆଉ କେତେବେଳେ ସୁରତ ଭଳି ସ୍ଥାନକୁ ଚାଲାଣ କରିଥାଏ। ଆଉ ବାହାର ରାଜ୍ୟରେ କେତେବେଳେ ଜୀବନ ଯାଉଛି ତ ଆଉ କେତେବେଳେ ପତ୍ତା ହଜିଯାଉଛି। ଏଠି ପ୍ରଶ୍ନ ଦାଦନ ଚାଲାଣ ପାଇଁ କଣ ଚାଲିଛି କି ଦାଦନ ସିଣ୍ଡିକେଟ ?
ସେପଟେ ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ପରେ ଆକ଼୍ସନ ମୋଡ୍ ରେ ସରକାର। ଶ୍ରମମନ୍ତ୍ରୀଙ୍କ କଡ଼ା ଚେତାବନୀ। ଲୋଭ ଦେଖାଇ ନାବାଳିକା ଓ ଶ୍ରମିକଙ୍କୁ ବାହାର ରାଜ୍ୟକୁ ପଠାଇଲେ ଆଉ ନିସ୍ତାର ନାହିଁ। ବିନା ପଞ୍ଜୀକରଣରେ ଶ୍ରମିକ ପଠାଉଥିବା ଦଲାଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଯେଉଁଥି ପାଇଁ ଦାଦନ ଦଲାଲଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରମ ବିଭାଗ। ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଶ୍ରମ ବିଭାଗ ଦେଇଛି କଡ଼ା ନିର୍ଦ୍ଦେଶ। ବାହାରକୁ ଯାଉଥିବା ପ୍ରତ୍ୟେକ ଶ୍ରମିକଙ୍କ ସଂପୂର୍ଣ୍ଣ ତଥ୍ୟ ଦେବେ ପଞ୍ଚାୟତ କର୍ତ୍ତୃପକ୍ଷ। କିଏ, କେଉଁଠି ଏବଂ କେଉଁ ପରିସ୍ଥିତିରେ କାମ କରୁଛି ସବୁ ଉପରେ ରହିବ ସରକାରଙ୍କ ନଜର। ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ଫେରାଇ ଆଣି କାର୍ଯ୍ୟଦକ୍ଷତା ଅନୁଯାୟୀ ନିଜ ଜିଲ୍ଲାରେ ରୋଜଗାର ଦେବାକୁ ବିଭାଗ ଯୋଜନା କରିଛି। ଏହାସହ ଦାଦନ ସମସ୍ୟା ପାଇଁ ବ୍ୟାପକ ଗ୍ରାଉଣ୍ଡ ସର୍ଭେ ମଧ୍ୟ ହେବ। ବିଡିଓମାନଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ସର୍ଭେ ଫର୍ମ, ଯେଉଁଥିରେ ଆରମ୍ଭ ହେବ ତଥ୍ୟ ସଂଗ୍ରହ ଅଭିଯାନ।
ବିଧାନସଭା ତଥ୍ୟ କହୁଛି ବଲାଙ୍ଗୀରରୁ ସର୍ବାଧିକ ପ୍ରାୟ ୫୦ ହଜାର ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଇଛନ୍ତି। ସେହିପରି ଗତ ତିନି ବର୍ଷ ଭିତରେ ୨୬୨ ଜଣ ଦାଦନ ଶ୍ରମିକଙ୍କ ବିଭିନ୍ନ ରାଜ୍ୟରେ ମୃତ୍ୟୁ ଘଟିଛି। ଏବେ ଦେଖିବାର କଥା ତାମିଲନାଡୁ ଘଟଣା ପରେ ସରକାରଙ୍କ ଦାଦନ ଚିହ୍ନଟ ପ୍ରକ୍ରିୟା କେତେ ସୁରକ୍ଷା ଯୋଗାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।