Odisha Climate Change: ଦୁର୍ବଳ ମୌସୁମୀ ଯୋଗୁଁ ଆକାଶରୁ ମେଘ ଗାଏବ, ଚାଷୀଙ୍କୁ ଘାରିଲାଣି ସ୍ୱଳ୍ପ ବର୍ଷା ଚିନ୍ତା, ୧୪ ଜିଲ୍ଲାର ୩୫%ରୁ କମ୍ ଜଳସେଚନ
ଭୁବନେଶ୍ୱର,୩୦/୦୭: ଦୁର୍ବଳ ମୌସୁମୀ ଯୋଗୁଁ ଆକାଶରୁ ମେଘ ଗାଏବ । ସ୍ୱାଭାବିକ ବର୍ଷା ନ ହେବାରୁ ଗଜା ମରୁଡି ଆଶଙ୍କାରେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଛନ୍ତି ଚାଷୀ । ବର୍ଷା ବଦଳରେ ଆଷାଢ଼ରେ ଢୁ ଢୁ ଖରା । ଧାନ ବୁଣି ଆକାଶକୁ ଚାହିଁ ରହିଛି ଚାଷୀ । ନିଅଣ୍ଟିଆ ବର୍ଷା ଗଜା ମରୁଡ଼ି ଆଣିବା ଆଶଙ୍କା ସୃଷ୍ଟି କରିଛି । ଚଳିତ ବର୍ଷ ବର୍ଷାରେ ବିଳମ୍ୱ ହେଉଥିବାରୁ ଖରିଫ ଚାଷ ପଛେଇ ଯାଇଛି । ଚାଷୀ ବିଲରେ ହଳ କରିବା ସହ ଧାନ ବୁଣି ବର୍ଷା ପାଇଁ ଆକାଶକୁ ଅନାଇ ରହିଛି । ପ୍ରତି ବର୍ଷ ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଥାଏ । ହେଲେ ଚଳିତ ବର୍ଷ ଜୁନ୍ ଶେଷ ହେବା ପରେ ବି ଆକାଶରେ ମେଘ ଦେଖୁବାକୁ ମିଳୁନାହିଁ । ଏଭଳି ପରିସ୍ଥିତିରେ ଖରିଫ ଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ସେପଟେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ କମ୍ ବର୍ଷା ଏବଂ ଅପର୍ଯ୍ୟାପ୍ତ ଜଳସେଚନ ପାଇଁ ସମ୍ଭାବ୍ୟ ମରୁଡ଼ି ଜିଲ୍ଲା ଚିହ୍ନଟ କରିଛନ୍ତି । ସାରା ଦେଶରେ ପ୍ରାୟ ୩୧୫ ଜିଲ୍ଲା ଦୁର୍ବଳ ମୌସୁମୀ ପରିସ୍ଥିତି ଦ୍ୱାରା ପ୍ରଭାବିତ ହେବା ନେଇ ଆଶଙ୍କା ଦେଖା ଦେଇଛି । ଏଥିମଧ୍ୟରୁ ୧୧୧ ଜିଲ୍ଲାକୁ ଉଚ୍ଚ ପ୍ରାଥମିକତା ବର୍ଗରେ ବର୍ଗୀକୃତ କରାଯାଇଛି, ଯେଉଁଠାରେ ଜଳସେଚ ୨୫ ପ୍ରତିଶତରୁ କମ୍ ରହିଛି । ଅନ୍ୟ ୭୬ ଜିଲ୍ଲା ମଧ୍ୟମ ଜଳସେଚନ ବର୍ଗରେ ରହିଛି । ଏଠାରେ ୨୫ରୁ ୫୦ ପ୍ରତିଶତ ମଧ୍ୟରେ ଜଳସେଚନ ସ୍ଥିତି ରହିଛି । ଏହି ଜିଲ୍ଲାଗୁଡ଼ିକ ଓଡ଼ିଶା ସମେତ ୧୨ଟି ରାଜ୍ୟରେ ରହିଛି ।
ରାଜ୍ୟ କୃଷି ବିଭାଗର ସୂଚନା ଅନୁସାରେ ଆମ ରାଜ୍ୟର ୧୪ଟି ଜିଲ୍ଲାର ୨୫ ବ୍ଲକରେ ୩୫%ରୁ କମ ଜଳସେଚନ ହୋଇଛି । ଫଳରେ ଚଳିତବର୍ଷ ଯଦି ଏଲନିନୋ ପ୍ରଭାବରେ ସ୍ୱଳ୍ପ ବର୍ଷା ହୁଏ, ତେବେ ଏହି ବ୍ଲକଗୁଡିକରେ ଚାଷ ନଷ୍ଟ ହେବାର ସମ୍ଭାବନା ଦେଖା ଦେଇଛି । ଜଗତସିଂହପୁର ଜିଲ୍ଲାର ଏରସମା ଓ ନୂଆଗାଁ ବ୍ଲକରେ ୩୫%ରୁ କମ୍ ଜଳସେଚନ ହୋଇଛି । ସେହିପରି କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର, କନ୍ଧମାଳର ଜି ଉଦୟଗିରି, ଦାରିଙ୍ଗବାଡ଼ି ଓ କୋଟଗଡ଼, କେନ୍ଦ୍ରାପଡ଼ାର ରାଜନଗର, କେନ୍ଦୁଝରର ବାଂଶପାଳ ଓ ଆନନ୍ଦପୁର, ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ବ୍ଲକ, କୋରାପୁଟର ବୈପାରୀଗୁଡ଼ା, ନନ୍ଦପୁର, ଲମତାପୁଟ ଓ ଦଶମନ୍ତପୁର, ମାଲକାନଗିରିର ଖଇରପୁଟ, ମୟୂରଭଞ୍ଜର ବିଶୋୟୀ ଓ ବହଳଦା, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି ଓ ପାପଡ଼ାହାଣ୍ଡି, ନୟାଗଡ଼ର ଭାପୁର ଓ ନୂଆଗାଁ, ପୁରୀର କୃଷ୍ଣପ୍ରସାଦ ଓ ଅସ୍ତରଙ୍ଗ, ରାୟଗଡ଼ାର କାଶିପୁର ଓ ସୁନ୍ଦରଗଡ଼ର କୋଇଡ଼ା ବ୍ଲକରେ ଏବେ ବି ୩୫%ରୁ କମ୍ ଜଳସେଚନ ହୋଇଛି ।
ଚଳିତବର୍ଷ ମାର୍ଚ୍ଚ ୧୯ ତାରିଖରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ଯଦି ବର୍ଷା ପରିମାଣ କମ ରହେ, ତେବେ ବିଭିନ୍ନ ସ୍ଥାନରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି । ଲୋକମାନଙ୍କୁ ପିଇବା ପାଣିଠୁ ଆରମ୍ଭ କରି ଚାଷ କାର୍ଯ୍ୟରେ ସହାୟତା ପାଇଁ ଆବଶ୍ୟକ ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୨୦୨୫ ଡିସେମ୍ବର ସୁଦ୍ଧା ପ୍ରାୟ ୫୨ ଲକ୍ଷ ୧୦ ହଜାର ୫୭୦ ହେକ୍ଟର ଜମିରେ ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇଛି । ବରଗଡ଼ରେ ସର୍ବାଧିକ ୪୧୭.୪୯୮ ହେକ୍ଟର ଜମିରେ ଜଳସେଚନ ସୁବିଧା ଥିବା ବେଳେ ଗଜପତିରେ ସର୍ବନିମ୍ନ ୫୦.୦୬୬ ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଛି ।