22 AUGUST 2026

Welcome!

Unlock your personalized experience.
Sign Up
block-728

Odia music: ଅଫେରା ରାଇଜରେ ଗୀତନଇର ମାଝୀ

Aug 22, 2026 - 04:01
Odia music: ଅଫେରା ରାଇଜରେ ଗୀତନଇର ମାଝୀ

ଶେଷ ହୋଇ ନ ଥିଲା ଶ୍ରାବଣ, ଥମି ବି ନଥିଲା ପୂବେଇ ପବନ। ସଙ୍ଗୀତ ନାମକ ସାଗରରେ ନିଜ ଡଙ୍ଗା ସଜିଲ୍‌ କରି, ସରଗମ ଲହରେଇ ଲହରେଇ ଆମକୁ କିମିଆଁ କରିଥିବା ସେହି ମାଝୀ କିନ୍ତୁ ଫେରାର୍। ସେହି କାତ ଅଛି, ହେଲେ ମାଝୀ କେଉଁ ଅକାତ କାତ ଦରିଆକୁ ଆଦରି ନେଇଛନ୍ତି, ଯେଉଁଠାରୁ କେହି ଫେରନ୍ତିନି। ଏବେ କେବଳ ଅଶ୍ରୁଝରାର ବେଳ। ସେହି ମାଝୀ ପ୍ରଣବ କିଶୋର ପଟ୍ଟନାୟକ। ଓଡ଼ିଆ ସଙ୍ଗୀତର ପ୍ରଣବ ସ୍ବର। ଯେଉଁ ସ୍ବର ଦଶନ୍ଧି ଦଶନ୍ଧି ଧରି ଓଡ଼ିଆଙ୍କୁ ବାନ୍ଧି ରଖିଥିଲା କିମିଆଁରେ, ଯେଉଁ ସ୍ବରରେ ଜୀବନ ଥିଲା, ଗଭୀର ଓ ଗମ୍ଭୀର ଆତ୍ମାର ସ୍ବର ସହ ଯାହା ଅବିକଳ ମିଶି ଯାଉଥିଲା। ସେହି ସ୍ବର କେବଳ ସେହି ସ୍ବର ହିଁ ଥିଲା, ଯାହାର ବିକଳ୍ପ ଅସମ୍ଭବ। ସେମିତି ପ୍ରଣବ କେବଳ ପ୍ରଣବ ହିଁ ଥିଲେ। ନିଜର ଉଦାହରଣ ନିଜେ, ନିଜର ପ୍ରମାଣ ବି ନିଜେ। ତାଙ୍କ ଅବର୍ତ୍ତମାନରେ ‘ସମ୍ବାଦ’ର ଅଶ୍ରୁଭିଜା ଶବ୍ଦାଞ୍ଜଳି। ପିଲାଦିନେ ବଡ଼ ଭଉଣୀ ସଙ୍ଗୀତ ଶିଖୁଥିଲେ। ଶିଖାଇବା ପାଇଁ ତାଙ୍କ ଘରକୁ ଜଣେ ବିଶିଷ୍ଟ ସଙ୍ଗୀତଜ୍ଞ ଆସୁଥିଲେ। ବଡ଼ ଭଉଣୀଙ୍କର ସଙ୍ଗୀତ ଶିକ୍ଷା ଚାଲିଥିବାବେଳେ ପିଲାଟି ପାଖରେ ବସି ସବୁ ଶୁଣେ। ଶୁଣି ଶୁଣି ତା’ର ବି ଗାଇବାକୁ ଇଚ୍ଛାହୁଏ। କିନ୍ତୁ ସମସ୍ତଙ୍କ ଆଗରେ ଗାଇବାଲାଗି ମନରେ ସଙ୍କୋଚ। କାଳେ କିଏ ହସିଦେବ! କ’ଣ କହିବ! 

Father's teachings: କଥାଟିଏ-ଯାଯାବର: ବାପାଙ୍କ ଶିକ୍ଷା

ତେବେ ଗୀତର ନିଶା ତ ଲାଗି ଯାଇଥାଏ। ପିଲାଟି ସେଥିପାଇଁ ଲୁଚିଲୁଚି ଦର୍ପଣ ଆଗରେ ଠିଆହୋଇ ଗାଇବା ଆରମ୍ଭ କରେ- ଯୋଉଠି ଗାୟକ ଓ ଶ୍ରୋତା ଉଭୟ ସେ ନିଜେ। ଏମିତି ବଡ଼ ଭଉଣୀଙ୍କ ପାଖରେ ବସି ଶୁଣିବା ଓ ପରେ ଦର୍ପଣ ଆଗରେ ଠିଆହୋଇ ଗାଇବାରେ ଅନେକ ଦିନ ବିତିଗଲା। ତେବେ ଦିନେ ତାଙ୍କର ଏ ଗୋପନ ଗାୟନ କଥା ଜଣା ପଡ଼ିଯାଏ। ସେକଥା ଶୁଣି ସଙ୍ଗୀତଜ୍ଞ ଗୁରୁ ତାଙ୍କୁ ଦୁଇ ତିନିଟି ହିନ୍ଦୀ ଭଜନ ଶିଖାଇଦେଲେ। ଏବେ ପିଲାଟିର ମନରୁ ସଙ୍କୋଚଭାବ କଟିବା ଆରମ୍ଭ କଲା। ସେ ଏମିତି ଗାଇଲା ଯେ ମାତ୍ର ପାଞ୍ଚ ବର୍ଷ ବୟସରେ ତା’କୁ ମଞ୍ଚ ଉପରେ ଗାଇବାର ସୁଯୋଗ ମିଳିଲ। ଅନ୍ନପୂର୍ଣ୍ଣା ଥିଏଟରରେ ମଞ୍ଚସ୍ଥ ହେଉଥିବା ଏକ ନାଟକରେ ଗୀତଟିଏ ଗାଇବାକୁ ପ୍ରସ୍ତାବ ଆସିଲା। ନାଟକ ଆରମ୍ଭରେ ବାଳକ ଗାୟକ ଗାଇଥିଲା ଗୋଟିଏ ଭଜନ- ‘‘ଭଗବାନ ତୁମେ ଭକତ ବାନ୍ଧବ ବୋଲାଉଛ ଭବେ କାହିଁ...’’। ଏ ଗୀତଟିକୁ ଗୁରୁ ବିନୋଦବିହାରୀ ଶ୍ରୀଚନ୍ଦନ ତା’କୁ ଶିଖାଇଥିଲେ। ଗୀତଟିକୁ ଶୁଣି ସେଦିନ ଅନେକ ଲୋକ ଖୁସିରେ ତା’କୁ କୋଳକରି ଆଦର କରିଥିଲେ।

ତେବେ ପରବର୍ତ୍ତୀ ସମୟରେ ସେ ପିଲାଟି ବଡ଼ହୋଇ ଓଡ଼ିଆ ସଙ୍ଗୀତ ଜଗତର ଜଣେ ଯୁଗପୁରୁଷ ହେବ, କ୍ବଚିତ୍‌ ଲୋକ ସେତେବେଳେ ଭାବିଥିବେ। ପ୍ରଣବ କିଶୋର ପଟ୍ଟନାୟକ। ଏକାଧିକ ପିଢ଼ି ଓଡ଼ିଆ ଶ୍ରୋତାଙ୍କୁ ନିଜ ନିଆରା ସ୍ବରର ଯାଦୁରେ ବାନ୍ଧି ରଖିଥିବା ଦରଦୀ ଗାୟକ ପ୍ରଣବ ପଟ୍ଟନାୟକ। ଭଉଣୀଙ୍କ ନାଁ ସୁକୃତୀ ପଟ୍ଟନାୟକ। ଆଉ ତାଙ୍କୁ ସଙ୍ଗୀତ ଶିଖାଇବା ପାଇଁ ଯିଏ ଆସୁଥିଲେ, ସେ ପ୍ରଖ୍ୟାତ ସଙ୍ଗୀତଜ୍ଞ ବାଳକୃଷ୍ଣ ଦାଶ। ପ୍ରଣବଙ୍କର ଜନ୍ମ କଟକରେ, ୧୯୩୮ ମସିହା, ଜାନୁଆରି ୨୦ ତାରିଖରେ, ଏକ ବିଖ୍ୟାତ ରାଜନୈତିକ ପରିବାରରେ। ବାପା ଲାଲ ମୋହନ ପଟ୍ଟନାୟକ ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ପରେ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ମଧ୍ୟ ହୋଇଥିଲେ। ଏହାସହିତ ସେ ଥିଲେ ଜଣେ କବି। ମାଆଙ୍କ ନାଁ ହେମମାଳିନୀ ଦେବୀ। ଉଭୟଙ୍କର କଳା, ବିଶେଷ କରି ସଙ୍ଗୀତ ପ୍ରତି ବହୁ ଆକର୍ଷଣ ଥିଲା। ସେହି ପରିବେଶରେ ବଢ଼ିଥିବାରୁ ପ୍ରଣବଙ୍କ ଭିତରେ ସଙ୍ଗୀତ ପ୍ରତି ଆଗ୍ରହ ସୃଷ୍ଟିହେବା ସ୍ବାଭାବିକ ଥିଲା। 

ପ୍ରଣବଙ୍କର ସ୍କୁଲ ପଢ଼ା ହୋଇଥିଲା କଟକର ଷ୍ଟୁଆର୍ଟ ସ୍କୁଲ ଓ ପ୍ୟାରୀମୋହନ ଏକାଡେମିରେ।  ସମୟକ୍ରମେ ସେହି ଭଉଣୀଙ୍କର ବାହାଘର ହେଲା, ସେ ହାଇଦ୍ରାବାଦ ଚାଲିଗଲେ। ପ୍ରଣବ ମଧ୍ୟ ତାଙ୍କ ସହିତ ଯାଇଥିଲେ। ସେହି ହାଇଦ୍ରାବାଦରେ ହିଁ ତାଙ୍କର ବିଧିବଦ୍ଧ ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇଥିଲା। ଉସ୍ତାଦ ସରାଫତ୍‌ ଅଲ୍ଲୀ ଖାଁଙ୍କଠାରୁ ସେ ଗୀତ୍ ଓ ଗଜଲ ଶିଖିବାର ସୁଯୋଗ ପାଇଲେ। ଉର୍ଦ୍ଦୁଭାଷା ମଧ୍ୟ ଶିଖିଲେ। ହାଇଦ୍ରାବାଦରୁ ପରେ ସେ ପୁଣି କଟକ ଫେରିଆସିଥିଲେ ଏବଂ ରେଭେନ୍ସା କଲେଜରେ ନାଁ ଲେଖାଇଲେ। ସେଇଠି ପଢ଼ିବା ସମୟରେ ବିଶିଷ୍ଟ ସଙ୍ଗୀତ ଗୁରୁ କୁଣ୍ଡଳ ଆଦିନାରାୟଣଙ୍କଠାରୁ ସେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ। ବାଳକୃଷ୍ଣ ଦାଶ, ବିନୋଦବିହାରୀ ଶ୍ରୀଚନ୍ଦନ ଓ କୁଣ୍ଡଳ ଆଦିନାରାୟଣଙ୍କ ସମେତ ସେ ଭୁବନେଶ୍ବର ମିଶ୍ରଙ୍କଠାରୁ ମଧ୍ୟ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ।

Women entrepreneurs Odisha: ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’

ବିନା ଅଡିସନ୍‌ରେ ଆକାଶବାଣୀ କଣ୍ଠଶିଳ୍ପୀ
୧୯୫୫ ମସିହାରେ ଦିଲ୍ଲୀଠାରେ ଅନୁଷ୍ଠିତ ସର୍ବଭାରତୀୟ ସୌଖୀନ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଣବ ପ୍ରଥମ ପୁରସ୍କାର ପାଇଥିଲେ। ଏକଥା ଶୁଣି ଆକାଶବାଣୀ କଟକ କେନ୍ଦ୍ରର ତତ୍କାଳୀନ ନିର୍ଦ୍ଦେଶକ ପି. ଭି. କୃଷ୍ଣମୂର୍ତ୍ତି ତାଙ୍କୁ ବିନା ଅଡିସନ୍‌ରେ ଆକାଶବାଣୀର କଣ୍ଠଶିଳ୍ପୀ ରୂପେ ସ୍ବୀକୃତି ପ୍ରଦାନ କରିଥିଲେ। ଏଭଳି ମାନ୍ୟତା ପାଇବାରେ ପ୍ରଣବ ବୋଧହୁଏ ଏକମାତ୍ର କଣ୍ଠଶିଳ୍ପୀ! 

ପ୍ରଥମ ସୁଯୋଗ ‘ମା’
ସେତେବେଳକୁ ପ୍ରଣବ ଆକାଶବାଣୀର ଜଣେ ପରିଚିତ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ। ତେବେ ଚଳଚ୍ଚିତ୍ରରେ ଗାଇବାଲାଗି ତାଙ୍କୁ ଆହୁରି ଦୁଇ ତିନିବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ସେ ସୁଯୋଗ ଆସିଥିଲା ୧୯୫୮ ମସିହାରେ, ଫିଲ୍ମର ନାଁ ଥିଲା ‘ମା’। ସେଥିରେ ଭୁବନେଶ୍ବର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିବାର ସୁଯୋଗ ମିଳିଥିଲା ତାଙ୍କୁ। ‌ ଗାୟକ ଭାବେ ଅକ୍ଷୟ ମହାନ୍ତିଙ୍କର ମଧ୍ୟ ପ୍ରଥମ ଫିଲ୍ମ ଥିଲା ‘ମା’। ପରବର୍ଷ, ଅର୍ଥାତ୍‌ ୧୯୫୯ରେ ଆଉ ଗୋଟିଏ ଓଡ଼ିଆ ଫିଲ୍ମ ‘ମହାଲକ୍ଷ୍ମୀ ପୂଜା’ରେ ମଧ୍ୟ ଗାଇବାର ସୁଯୋଗ ପାଆନ୍ତି ପ୍ରଣବ। ତେବେ ସେ ଫିଲ୍ମର ଗୀତ ବିଶେଷ ସଫଳ ହୋଇ ନ ଥିଲା। ଅସଲ ସଫଳତା ଆସିଥିଲା ତା’ପର ବର୍ଷ, ଅର୍ଥାତ୍‌ ୧୯୬୦ ମସିହାରେ। ଫିଲ୍ମର ନାଁ ‘ଶ୍ରୀଲୋକନାଥ’। ସଙ୍ଗୀତ ନିର୍ଦ୍ଦେଶକ ତାଙ୍କର ବାଲ୍ୟ ସଙ୍ଗୀତ ଗୁରୁ ବାଳକୃଷ୍ଣ ଦାଶ। ଉଲ୍ଲେଖନୀୟ ଯେ ସେ ଫିଲ୍ମର ଗୀତ ରେକର୍ଡିଂ ପାଇଁ କଲିକତା ଯିବାର ପୂର୍ବଦିନ ହିଁ ତାଙ୍କୁ ଖବର ମିଳିଥିଲା ଯେ ସେ ଗୀତ ଗାଇବେ। କ’ଣ ଗାଇବେ, କେମିତି ଗାଇବେ- କିଛି ତାଙ୍କୁ ଜଣା ନଥିଲା। ତେବେ ସାଥିହୋଇ ଟ୍ରେନ୍‌ରେ କଲିକତା ଯିବା ଭିତରେ ହିଁ ସଙ୍ଗୀତ ନିର୍ଦ୍ଦେଶକ ବାଳକୃଷ୍ଣ ତାଙ୍କୁ ‘ମିଛ ଏ ବନ୍ଧନ ଚାହେଁନା’ ଓ ‘ତୁ କି ପରିଦେଶୀ ନିଜ ଦେଶେ’ ଗୀତଦୁଇଟିକୁ ଶିଖାଇ ଦେଇଥିଲେ। ସେ ଗୀତ ଦୁଇଟି ଗାୟକ ଭାବେ ପ୍ରଣବଙ୍କ ପରିଚୟକୁ ଏକ ବଡ଼ ସ୍ବୀକୃତି ଦେଇଥିଲା। ତାଙ୍କ ଯାତ୍ରାର ବାକିସବୁ ଇତିହାସ।

ରେଭେନ୍ସା ପରେ ଅଲିଗଡ଼ ମୁସଲିମ୍‌ ବିଶ୍ବବିଦ୍ୟାଳୟ, ତା’ପରେ ଚାକିରି
ରେଭେନ୍ସା କଲେଜରେ ପଢ଼ିବା ପରେ ଆହୁରି ଉଚ୍ଚଶିକ୍ଷା ପାଇଁ ପ୍ରଣବ ଅଲିଗଡ଼ ମୁସ୍‌ଲିମ୍‌ ବିଶ୍ବବିଦ୍ୟାଳୟକୁ ଯାଇଥିଲେ। ସେଠାରେ ପଢ଼ିବା ସମୟରେ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ମିର୍ଜା ଗାଲିବ୍‌ଙ୍କର ଏକ ଗଜଲ ଗାଇ ସେ ସେଠାକାର ତତ୍କାଳୀନ ଭାଇସ୍‌ ଚାନ୍‌ସେଲର୍‌ ଡ. ଜାକିର୍‌ ହୁସେନ୍‌ଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ଅଲିଗଡ଼ରୁ ଫେରିବାପରେ ପ୍ରଣବ ଚୌଦ୍ବାରସ୍ଥିତ କଳିଙ୍ଗ ଟ୍ୟୁବ୍‌ସରେ କମର୍ସିଆଲ ଅଫିସର ଭାବେ ୧୯୬୮ ମସିହା ପର୍ଯ୍ୟନ୍ତ ଚାକିରି କରିଥିଲେ। ତା’ପରେ ୧୯୭୧ ମସିହାରେ ଭଦ୍ରକ ନିକଟସ୍ଥ ଫାକର୍‌ କମ୍ପାନିର ଭୁବନେଶ୍ବର ଶାଖାରେ ଲିଆସନ୍‌ ଅଫିସର୍ ଭାବେ କାମକରି ୧୯୯୨ ମସିହାରେ ଚାକିରିରୁ ଅବସର ଗ୍ରହଣ କରିଥିଲେ।

Women entrepreneurs Odisha: ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’

୭୦ ବର୍ଷ, ୨୦୦ରୁ ଅଧିକ ଫିଲ୍ମ ଗୀତ
୭୦ ବର୍ଷରୁ ଅଧିକ ନିଜ ଗାୟକ ଜୀବନରେ ପ୍ରଣବ ୨୦୦ରୁ ଅଧିକ ଓଡ଼ିଆ ଫିଲ୍ମ ଗୀତ ଗାଇଛନ୍ତି। ତା’ଭିତରୁ ଅନେକ କେବଳ ସୁପର୍‌ହିଟ୍‌ ହୋଇନାହିଁ, କ୍ଲାସିକ୍‌ ପର୍ଯ୍ୟାୟଭୁକ୍ତ ମଧ୍ୟ ହୋଇଛି। ସେ ଗୀତଗୁଡ଼ିକ ବିନା ଓଡ଼ିଆ ଫିଲ୍ମ ସଙ୍ଗୀତର ଇତିହାସ ଲେଖିବା ଅସମ୍ଭବ। ପ୍ରଣବ ନିଜ ସମୟର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ଯେମିତି ବାଳକୃଷ୍ଣ ଦାଶ, ପ୍ରଫୁଲ୍ଲ କର, ଅକ୍ଷୟ ମହାନ୍ତି, ଶାନ୍ତନୁ ମହାପାତ୍ର ଓ ଅନ୍ୟ ଅନେକଙ୍କ ସହିତ କାମ କରିଛନ୍ତି। ଓଡ଼ିଆ ଗାୟକ ଓ ଗାୟିକାଙ୍କ ସମେତ ବାଣୀ ଜୟରାମ, ଉଷା ମଙ୍ଗେସକର, ପି ସୁଶୀଳା ଓ ଏସ୍‌ ଜାନକୀଙ୍କ ଭଳି କଳାକାରଙ୍କ ସହିତ ମଧ୍ୟ ଗାଇଛନ୍ତି।

କତୀତକୀକତତକୀ

ସମ୍ମାନ ଓ ପୁରସ୍କାର
ଶ୍ରେଷ୍ଠ ଗାୟକ ଭାବେ ‌ପ୍ରଣବ ୭ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି। ଏହା ସହିତ ଚଳଚ୍ଚିତ୍ର କ୍ଷେତ୍ରରେ ରାଜ୍ୟର ଶ୍ରେଷ୍ଠ ସମ୍ମାନ- ଜୟଦେବ ପୁରସ୍କାର, ବାଳକୃଷ୍ଣ ଦାଶ ସ୍ମାରକୀ ପୁରସ୍କାର, ଗଙ୍ଗାଧର ରଥ ପୁରସ୍କାର, ପ୍ରଫୁଲ୍ଲ କର ପୁରସ୍କାର ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଆଦି ଅନେକ ସମ୍ମାନର ସେ ଅଧିକାରୀ।

ପ୍ରଣବଙ୍କ ପ୍ରାଣବନ୍ତ ଗୀତ
ଓଡ଼ିଆ ସଂଗୀତକୁ ସମୃଦ୍ଧ କରିବାରେ ପ୍ରଣବ କିଶୋର ପଟ୍ଟନାୟକଙ୍କ ଅବଦାନ ଅବିସ୍ମରଣୀୟ। ସେ ତାଙ୍କର ସାତ ଦଶକର ସଂଗୀତ ଜୀବନରେ କେବଳ ସିନେମା ନୁହେଁ, ରେକର୍ଡ ଓ ରେଡିଓ ଜରିଆରେ ମଧ୍ୟ ବହୁ ମନଛୁଆଁ ଗୀତ ଶ୍ରୋତାଙ୍କୁ ଉପହାର ଦେଇଯାଇଛନ୍ତି। ଏହି ସମୟରେ ସେ ୫୦ରୁ ଊର୍ଦ୍ଧ୍ବ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ଏବଂ ସେ ଗାଇଥିବା ଅଧିକାଂଶ ଗୀତ ଚିର ସବୁଜ ଶ୍ରେଣୀଭୁକ୍ତ ହୋଇଛି। ସ୍ମୃତିଚାରଣ ଅବସରରେ ପ୍ରଣବ ପଟ୍ଟନାୟକଙ୍କ ୩୦ଟି ସ୍ମରଣୀୟ ଗୀତ।   

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)