14 JUNE 2026

Welcome!

Unlock your personalized experience.
Sign Up

Occupying government land: ସରକାରୀ ଜାଗାରେ ଘର କରିବାରୁ ୪ ଭାଇଙ୍କୁ ବାସନ୍ଦ: ୪ଦିନ ଗୃହବନ୍ଦୀ, ଘର ସାମନାରେ ବାଉଁଶ ବାଡ଼ ବୁଜିଲେ

Jun 14, 2026 - 08:39
Occupying government land: ସରକାରୀ ଜାଗାରେ ଘର କରିବାରୁ ୪ ଭାଇଙ୍କୁ ବାସନ୍ଦ: ୪ଦିନ ଗୃହବନ୍ଦୀ, ଘର ସାମନାରେ ବାଉଁଶ ବାଡ଼ ବୁଜିଲେ

କବିସୂର୍ଯ୍ୟନଗର: ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ଥାନା କନିଆରୀ ପଞ୍ଚାୟତ ସାମନ୍ତରାପଲ୍ଲୀ ଗ୍ରାମରେ ସରକାରୀ ଜାଗାରେ ଘର କରିବାରୁ ୪ ପରିବାରକୁ ଗ୍ରାମବାସୀ କଙ୍ଗାରୁ କୋର୍ଟରେ ସାମାଜିକ ବାସନ୍ଦ କରିବା ଏବଂ ୪ ଦିନ ଗୃହବନ୍ଦୀ କରି ରଖିବା ଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି। କିଛି ଯୁବକ ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରିବା ପରେ ପୁଲିସ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରିଛି। ବାଲିଛାଇ ଫାଣ୍ଡି ଅଧିକାରୀ ଓ ପୁଲିସ ପହଞ୍ଚି ଚାରି ପରିବାରର ଘର ରାସ୍ତାରେ ଗ୍ରାମବାସୀ ବୁଜିଥିବା ଅସ୍ଥାୟୀ ବାଉଁଶ ବାଡ଼କୁ ହଟାଇଛନ୍ତି। ଅନ୍ୟପଟେ ଗ୍ରାମବାସୀ ବାସନ୍ଦ ଅଭିଯୋଗକୁ ଖଣ୍ଡନ କରିଛନ୍ତି। 

Dharmendra Pradhan: ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷର ଯାତ୍ରା ସେବା, ସୁଶାସନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନ

ସାମନ୍ତରାପଲ୍ଲୀ ଗାଁ ଶେଷ ମୁଣ୍ଡରେ ଚାରି ଭାଇ ସୂର୍ଯ୍ୟମଣି ପ୍ରଧାନ, ପ୍ରମୋଦ ପ୍ରଧାନ, ଭଗବାନ ପ୍ରଧାନ ଓ ପର୍ଶୁରାମ ପ୍ରଧାନ ରହୁଛନ୍ତି। ସେମାନେ କିଛି ସରକାରୀ ଜାଗାକୁ ଜବରଦଖଲ କରି ଘର ନିର୍ମାଣ କରିଥିବା ଗ୍ରାମବାସୀ ଅଭିଯୋଗ ଆଣିଥିଲେ। ପରବର୍ତ୍ତୀ ସମୟ‌ରେ ଗାଁରେ ସଭା ଡକାଯିବା ସହ ଚାରିଭାଇଙ୍କ ଉପରେ ଲକ୍ଷେ ୬୦ ହଜାର ଟଙ୍କା ଜରିମାନା କରାଯାଇଥିଲା। କିନ୍ତୁ ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ଜରିମାନା ଦେଇପାରିବେନି ବୋଲି ଅସା‌ମର୍ଥ୍ୟ ପ୍ରକାଶ କରିଥିଲେ। ଏଭଳି ପରିସ୍ଥିତିରେ ଗତ ୧୦ ତାରିଖରେ ଗାଁ କମିଟି ପୁଣି ସଭା ଡାକି ଜରିମାନା ରାଶି ପୈଠ କରିବାକୁ କହିଥିଲା। ହେଲେ ଚାରିଭାଇ ଅସମର୍ଥ ହେବାରୁ ସେମାନଙ୍କୁ ସମାଜରୁ ବାସନ୍ଦ କରାଯିବା ସହ ଘର ଆଗରେ ବାଉଁଶ ବାଡ଼ ନିର୍ମାଣ କରି ଲୁହାଜାଲି ବେଢ଼ାଇ ଦେଇଥିଲେ। ରାସ୍ତାରେ ଚାଲିବାକୁ ବି ସେମାନଙ୍କୁ ବାରଣ କରାଯାଇଥିଲା। ତେବେ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ଆଜି ପହଞ୍ଚି ଉକ୍ତ ବାଡ଼କୁ ହଟାଇଛି।

Lightning dead: ଭଦ୍ରକରେ ବଜ୍ରପାତ, ୨୫ ବର୍ଷରେ ୧୪୪ ମୃତ

ଅନ୍ୟପଟେ ଗାଁ କମିଟି ସଭାପତି ଓ ସଦସ୍ୟଗଣ ଏହି ଅଭିଯୋଗକୁ ଖଣ଼୍ଡନ କରିଛନ୍ତି। ଚାରି ପରିବାର ସରକାରୀ ଜାଗା ମାଡ଼ି ବସିଥିବାରୁ ଏହା ବଦଳରେ କିଛି ଅର୍ଥଦଣ୍ଡ ଲାଗୁ ହୋଇଥିଲା। କିନ୍ତୁ ସେମାନେ କେହି ମଧ୍ୟ ସହଯୋଗ କରି ନଥିଲେ। ବରଂ ସଭାରେ ସେମାନେ ଅନୁପସ୍ଥିତ ରହିଲେ ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷରେ ଉକ୍ତ ରାସ୍ତାରେ ଏକ କଲ୍ୟାଣମଣ୍ଡପ ରହିଛି। ଉକ୍ତ କଲ୍ୟାଣମଣ୍ଡପର ଝରକାଗୁଡ଼ିକୁ କିଏ ଭାଙ୍ଗି ଦେଉଥିବାରୁ ରାସ୍ତାରେ ବାଉଁଶ ବାଡ଼ କରାଯାଇଥିବା ଗ୍ରାମବାସୀ ସଫେଇ ‌ଦେଇଛନ୍ତି। ପୁଣି ଥରେ ସଭା ଡାକି ବିବାଦର ସମାଧାନ ଦିଗରେ ଉଦ୍ୟମ ଆରମ୍ଭ ହେବ ବୋଲି ଗ୍ରାମବାସୀ ପୁଲିସକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ନେଇ ଏଯାବତ ଥାନାରେ କୌଣସି ଏତଲା ହୋଇ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।