No Fitness-No Registration: ମହାମାରୀ ଭଳି ଘାତକ ସାଜିଛି ସଡ଼କ ଦୁର୍ଘଟଣା, ଜୀବନ ନେଉଛି ଫିଟନେସ୍ ନଥିବା ଗାଡ଼ି

Jul 05, 2026 - 21:28
No Fitness-No Registration: ମହାମାରୀ ଭଳି ଘାତକ ସାଜିଛି ସଡ଼କ ଦୁର୍ଘଟଣା, ଜୀବନ ନେଉଛି ଫିଟନେସ୍ ନଥିବା ଗାଡ଼ି

ବାରିପଦା ଦୁର୍ଘଟଣାରୁ ଏଭଳି ଚିନ୍ତାଜନକ ତଥ୍ୟ ସାମନାକୁ ଆସିବା ପରେ ଫୁଲ୍ ଆକ୍ସନ ମୁଡରେ ପରିବହନ ବିଭାଗ। ରାଜ୍ୟବ୍ୟାପୀ ବିନା ଫିଟନେସରେ ଚାଲୁଥିବା ଗାଡ଼ିର ଚିହ୍ନଟ ଓ ଧରପଗଡ଼ ଜୋରଦାର ହୋଇଛି। କେବଳ ଫିଟନେସ୍ ନୁହେଁ, ବୀମା, ପରମିଟ୍ ଓ ଅନ୍ୟାନ୍ୟ କାଗଜପତ୍ର ବି ଯାଞ୍ଚ ହେବ କଡ଼ାକଡ଼ି। ରାଜ୍ୟର ସମସ୍ତ RTO ଓ ARTOଙ୍କୁ ସ୍ପେଶାଲ୍ ଡ୍ରାଇଭ୍ ପାଇଁ ନିର୍ଦ୍ଦେଶ ମିଳିଛି। ବାହନ ପୋର୍ଟାଲରୁ ବିନା ଫିଟନେସରେ ଚାଲୁଥିବା ଗାଡ଼ିର ତାଲିକା ବାହାର କରାଯାଇ ସମ୍ପୃକ୍ତ ଅଧିକାରୀଙ୍କୁ ପଠାଯିବ। ପରିବହନ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ପ୍ରାୟ ୩ ଲକ୍ଷ ବାଣିଜ୍ୟିକ ଗାଡ଼ି ପଞ୍ଜିକୃତ ହୋଇଛି। ସେଥିରୁ ୨ରୁ ୩ ପ୍ରତିଶତ ଏବେ ବି ବିନା ଫିଟନେସରେ ଚାଲୁଛି। କିଛି ଗାଡ଼ି ମାଲିକ ଜାଣିଶୁଣି ନିୟମ ଭାଙ୍ଗୁଥିବା ବେଳେ, ଆଉ କିଛି ଅବହେଳାରୁ ଫିଟନେସ୍ ରିନ୍ୟୁ କରୁନାହାନ୍ତି। ଏବେ ବାହନ ପୋର୍ଟାଲରୁ ସିଧାସଳଖ ତଥ୍ୟ ବାହାର କରି ଏଭଳି ଗାଡ଼ିକୁ ଚିହ୍ନଟ କରାଯିବ। ନିୟମ ଭାଙ୍ଗି ଲୁଚି ଲୁଚି ଗାଡ଼ି ଚଳାଉଥିଲେ ଖାଲି ଜରିମାନା ନୁହେଁ, ଏଣିକି ସିଧା ରେଜିଷ୍ଟ୍ରେସନ୍ ବାତିଲ କରାଯିବ ବୋଲି ପରିବହନ ବିଭାଗ ସ୍ପଷ୍ଟ କରିଛି।

ଗାଡି କିଣିବା ପରେ ୮ ବର୍ଷ ଯାଏଁ ପ୍ରତି ଦୁଇ ବର୍ଷରେ ଫିଟନେସ ରିନ୍ୟୁଆଲ୍ ହୁଏ। ଶେଷ ତାରିଖର ଦୁଇ ମାସ ପୂର୍ବରୁ ଏଥିପାଇଁ ଅନଲାଇନରେ ଆବେଦନ କରିବେ। ଫିଟନେସ୍ ଟେଷ୍ଟିଂରେ ଫେଲ୍ ମାରିଲେ ୧୮୦ ଦିନ ଭିତରେ କ୍ଲିଅର କରିବାକୁ ପଡ଼ିବ। ନହେଲେ ସ୍କ୍ରାପ୍ ହେବ ଗାଡି। ସେହିପରି ଅଣ-ପରିବହନ କ୍ଷେତ୍ରରେ ୧୫ ବର୍ଷ ପରେ ୫ ବର୍ଷକୁ ଥରେ ହୁଏ ଫିଟନେସ ରିନ୍ୟୁ। ଅନଫିଟ୍ ଗାଡ଼ି ବିରୋଧରେ ପରିବହନ ବିଭାଗର ଜିରୋ ଟଲେରାନ୍ସ ନିଷ୍ପତ୍ତିଙ୍କୁ ସ୍ୱାଗତ କରିଛିି ରାଜଧାନୀ ବସ ମାଲିକ ସଂଘ ଓ ନିଖିଳ ଓଡ଼ିଶା ମିନି ଟ୍ରକ ମାଲିକ ମହାସଂଘ। ହେଲେ ସେମାନଙ୍କ ଦାବି, କେବଳ ଦୁର୍ଘଟଣା ପରେ ଚେକିଂ କଲେ ହେବନାହିଁ। ଫିନଟେସ୍ ସରିବା ପୂର୍ବରୁ ମୋବାଇଲକୁ SMS ଆଲର୍ଟ ପଠାଇବା ବ୍ୟବସ୍ଥା କରାଯାଉ। 

ବାରିପଦାରେ ବିନା ଫିଟନେସ୍ ଗାଡ଼ି ଦୁର୍ଘଟଣାରେ ଦୁଇଟି ଜୀବନ ଯାଇଥିବା ବେଳେ ୭ ଆହତ ହୋଇଥିଲେ। ଏବେ ପ୍ରଶ୍ନ, କଡ଼ା ଅଭିଯାନ କେବଳ କିଛି ଦିନ ପାଇଁ, ନା ସତରେ ରାଜ୍ୟର ସଡ଼କକୁ ସୁରକ୍ଷିତ କରିବ ?