29 JULY 2026

Welcome!

Unlock your personalized experience.
Sign Up

Nilachal Abadha: ମିଳିଲା ନୀଳାଚଳ ଅବଢ଼ା: ବିଳମ୍ବ ହେଲା ନୀତି, ରାତିରେ ବାହାରିଲା ଅବଢ଼ା

Jul 29, 2026 - 04:39
Nilachal Abadha: ମିଳିଲା ନୀଳାଚଳ ଅବଢ଼ା: ବିଳମ୍ବ ହେଲା ନୀତି, ରାତିରେ ବାହାରିଲା ଅବଢ଼ା

ପୁରୀ: ସରିଛି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା। ରତ୍ନବେଦିରେ ଅଧିଷ୍ଠିତ ହୋଇ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ବିଗ୍ରହ। ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି। ପହଣ୍ଡି ସରିବା ବେଳକୁ ବିଳମ୍ବିତ ରାତି ୨ଟା ୨୫ ହୋଇ ସାରିଥିଲା। ଗଇଣ୍ଠାଳ ବନ୍ଦାପନା ହୋଇ ସକାଳ ୭ଟା ୨୦ରେ ରୁନ୍ଧା ଶେଷ ହୋଇଥିଲା। ସକାଳ ୮ଟା ୨୦ରେ କୋଠ ସୁଆଁସିଆ ରତ୍ନ ସିଂହାସନରୁ ଚାରମାଳ ଫିଟାଇବାକୁ ପ୍ରବେଶ କରିଥିଲେ। ଚାରମାଳ ଫିଟା ସାରି କୋଠ ସୁଆଁସିଆ ପୂର୍ବାହ୍‌ଣ ୧୦ଟା ୫୦ରେ ବାହାରିଥିଲେ। ଆଜି ଥିଲା ମହାପ୍ରଭୁଙ୍କ ଅଧର ପୋଛା ନୀତି। ଶ୍ରୀମୁଖ ଖଣ୍ଡୁଆ, ଚକାପୋଛା, ସିଂହାସନ ଧୁଆହୋଇ ଶ୍ରୀମାଧବ, ଶ୍ରୀଦେବୀ, ଭୂଦେବୀ ଦିନ ୧୧ଟା ୫୦ରେ ସିଂହାସନକୁ ବିଜେ କରିଥିଲେ। ମହାସ୍ନାନ ଶେଷ ହୋଇ ଦିନ ୧ଟା ୫ରେ ମଙ୍ଗଳ ଆଳତି ହୋଇଥିଲା। ମଇଲମ ଓ ତଡ଼ପ ଲାଗି ହୋଇ ଦିନ ୨ଟା ୫ରେ ଅଧର ପୋଛା ହୋଇଥିଲା। ୨ଟା ୪୫ରେ ରୋଷ ହୋମ ହୋଇ ୩ଟା ୨୫ରେ ସୂର୍ଯ୍ୟପୂଜା ହୋଇଥିଲା। ତେଣୁ ଅବଢ଼ା ବାହାରିବା ବେଳକୁ ରାତି ହୋଇଯାଇଥିଲା।

Vedanta Aluminium: ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କଲା ବେଦାନ୍ତ ଆଲୁମିନିୟମ

ବହୁ ଭକ୍ତ ଚାରିଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ଏଥିସହ ୧୨ ଦିନର ଯାତ୍ରା ପରେ ଆଜି ମିଳିଥିଲା ନୀଳାଚଳ ଅବଢ଼ା। ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ପରେ ନୀଳାଚଳ ଅବଢ଼ା ଖାଇବା ସହ ଘରକୁ ନେଇଥିଲେ। ଆଜି ଅବଢ଼ା ବାହାରିବା ବେଳକୁ ରାତି ହୋଇଯାଇଥିଲା। ତଥାପି ବହୁ ଭକ୍ତ ଅବଢ଼ା ଖାଇବାକୁ ଅପେକ୍ଷା କରି ରହିଥିଲେ। ଭୋଗ ମଣ୍ଡପରୁ ଅବଢ଼ା ବାହାରି ଆନନ୍ଦ ବଜାରକୁ ଆସିବା କ୍ଷଣି ଆନନ୍ଦ ବଜାରରେ ଭିଡ଼ ଜମିଯାଇଥିଲା। ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆରଙ୍କ କହିବା ମୁତାବକ, ଗତକାଲି ମହାପ୍ରଭୁ ପହଣ୍ଡି ହୋଇ ଆସିବା ପରଠୁ ନୀତି ବିଳମ୍ବରେ ଚାଲିଥିବାରୁ ଅବଢ଼ା ବିଳମ୍ବରେ ବାହାରିଛି। ସକାଳ ଧୂପ ବାହାରି ପାଣି ପଡ଼ିବା ବେଳକୁ ବିଳମ୍ବ ହୋଇଥିଲା।

Air India: ଏୟାର ଇଣ୍ଡିଆକୁ ସୁଧାରିବା ପାଇଁ ଏକ ଦଶନ୍ଧି ଲାଗିବ

ନୀଳାଦ୍ରି ବିଜେ ପରେ ନୀଳାଚଳ ଅବଢ଼ା ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଉତ୍କଣ୍ଠା ଥିଲେ ହେଁ ନୀତି ବିଳମ୍ବ ଯୋଗୁଁ କମ୍‌ ଅବଢ଼ା ପ୍ରସ୍ତୁତ ହୋଇଛି। ସକାଳ ଧୂପ ସରିବା ବିଳମ୍ବ ହେବାରୁ ଅବଢ଼ା ବାହାରିବା ଡେରି ହୋଇଥିଲା। ବିଳମ୍ବ ହେବା ସତ୍ତ୍ବେ ବହୁ ଭକ୍ତ ଉପାସରେ ଅବଢ଼ା ଖାଇବାକୁ ଅପେକ୍ଷା କରି ରହିଥିଲେ। ଆଜି ଅବଢ଼ା ଦର ଉଚ୍ଚା ରହିଥିଲେ ବି ଭକ୍ତମାନେ ଅବଢ଼ା ଖାଇବା ଓ ନେବାକୁ ଭିଡ଼ ଜମାଇଥିଲେ। ୧୨ ଦିନ ପରେ ନୀଳକନ୍ଦରରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ଯୋଗୁଁ ଆଜି ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ଗତକାଲି ନୀଳାଦ୍ରି ବିଜେ ବିଳମ୍ବ ଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବିଳମ୍ବରେ ସୁଯୋଗ ମିଳିଥିଲା। ତଥାପି ବହୁ ଭକ୍ତ ଲମ୍ବା ଧାଡ଼ିରେ ବହୁ ସମୟ ଅଟକି ରହିବା ପରେ ଦର୍ଶନ ପାଇଁ ଭିତରକୁ ପ୍ରବେଶ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।