NIA Raid: ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲାରେ ୩ଟି ଜାଗାରେ ଏନ୍ଆଇଏର ଛାନ୍ଭିନ୍, ବିସ୍ଫୋରକ ସାମଗ୍ରୀ କେଉଁଠୁ ଆସିଥିଲା ଚାଲିଛି ତଥ୍ୟ ଖୋଜା
ଭୁବନେଶ୍ୱର,: ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ମାମଲାରେ ଏବେ ଅଭିଯୁକ୍ତ ରୋହନ ରଞ୍ଜନ ରାଉତ ଉପରେ ଫୋକସ୍ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) । ତା’ ମୋବାଇଲ୍ରେ କିଛି ବୋମା ପ୍ରସ୍ତୁତିର ଭିଡିଓ ଓ ଫଟୋଚିତ୍ର ଥିବାର ସୁରାକ ମିଳିଛି । ଯାହାକି, ତା’ ବିସ୍ଫୋରଣ ସହ ରୋହନର ସମ୍ପୃକ୍ତି ନେଇ ଏନ୍ଆଇଏ ଅଧିକାରୀଙ୍କ ସନ୍ଦେହ ବଢ଼ାଉଛି । ଏନ୍ଆଇଏ ପକ୍ଷରୁ ଭୁବନେଶ୍ୱରର ୩ଟି ଜାଗାରେ ଛାନ୍ଭିନ୍ କରାଯାଇଛି । ବୋମା ଭିଡ଼ିବା ପାଇଁ ବ୍ୟବହୃତ ବିସ୍ଫୋରକ ଏବଂ ଅନ୍ୟାନ୍ୟ ସାମଗ୍ରୀ କେଉଁଠାରୁ ଅଣାଯାଇଥିଲା ଏବଂ ଏହାକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାନ୍ତା? ସେନେଇ ଖୋଳତାଡ଼ କରିବା ପାଇଁ ଏହି ଚଢ଼ଉ କରାଯାଇଥିଲା । ବିଶେଷକରି, ଆର୍ଡିଏକ୍ସ କିଣିବା ପାଇଁ କେଉଁଠାରୁ ଟଙ୍କା ଆସିଥିଲା, ସେ ନେଇ ମଧ୍ୟ ଏନ୍ଆଇଏ ଯାଞ୍ଚ କରୁଛି । ରୋହନର ସମ୍ପର୍କୀୟ, ସାଙ୍ଗସାଥୀଙ୍କୁ ପଚରାଉଚରା ଚାଲିଛି ।
ଅଧିକ ପଢ଼ନ୍ତ :- Ghost Fear: ଅଧା ରାତିରେ ଡାକୁଛି, ଯିଏ ଯାଉଛି ମାଡ଼ି ବସୁଛି...ଡାହାଣୀ ଗୁଜବ ନେଇ ଆତଙ୍କ, ହ୍ୱାଟସ୍ଆପ୍ ଗ୍ରୁପରେ ଘୂରି ବୁଲୁଛି ଭିଡିଓ
ରୋହନର ପଟିଆରେ ଏକ ବାର ଅଛି । ଗୋଟିଏ ଟିମ୍ ପଟିଆରେ ଥିବା ରୋହନ ଘର ସହ ବାର୍ରେ ଯାଞ୍ଚ କରିଥିଲା । ସେଠାରୁ ରୋହନର ଏକ ଟାବ୍ଲେଟ୍ ସହ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି । ସେହିପରି ସାଲିଆ ସାହିର ଏକ ଭଡ଼ା ଘରେ ଆଉ ଏକ ଟିମ୍ ତନାଘନା କରିଥିଲା । ବିସ୍ଫୋରଣର ମୁଖ୍ୟ କାର୍ପଟଦାର ମୃତକ ସେହେନୱାଜ ମଲ୍ଲିକ ଓରଫ ମଫି ଓ ରୋହନ ସହ ଅନ୍ୟ କିଛି ସହଯୋଗୀ ସେଠାରେ ଅଧିକାଂଶ ସମୟ ବିତାଉଥିଲେ । ଉକ୍ତ ଭଡ଼ା ଘରଟି ଅନ୍ୟ ଜଣେ ସହଯୋଗୀ ରହୁଛନ୍ତି । ଉକ୍ତ ଘରେ ବିସ୍ଫୋରଣ ସାମଗ୍ରୀ ଗଚ୍ଛିତ ରଖାଯାଉଥିବା ଏନ୍ଆଇଏ ସନ୍ଦେହ କରୁଛି ।
ସୁନ୍ଦରପଦା ଆଜାଦ ନଗର କଲୋନୀର ଏକ ୪ ମହଲା କୋଠାରେ ଏନ୍ଆଇଏ ଟିମ୍ ଛାନ୍ଭିନ୍ କରି ଫେରିଛି । ତଦନ୍ତରୁ ଜଣାପଡ଼ିଛି ଯେ ଧରାପଡ଼ିବା ଭୟ ଘାରିବା ପରେ ରୋହନ ତା’ ଫୋନ୍ର ଗ୍ୟାଲେରିରୁ କିଛି ଫଟୋ ଓ ଭିଡିଓକୁ ଡିଲିଟ୍ କରିଦେଇଥିଲା । ଏମିତିକି ହ୍ୱାଟସ୍ଆପ୍ରୁ ଅନେକ ସନ୍ଦିଗ୍ଧ ଚାର୍ଟ ମଧ୍ୟ ହଟାଇ ଦେଇଥିଲା । ବୋମା ପ୍ରସ୍ତୁତି ବେଳର ଭିଡିଓକୁ ନେଇ ଏବେ ଛାନ୍ଭିନ୍ ଚାଲିଛି । ମୃତକ ମଫି ଏସବୁ ଭିଡିଓ ରୋହନକୁ ପଠାଇଥିଲା ନା ଆଉ କିଏ ଏଥିରେ ସମ୍ପୃକ୍ତି ଅଛି । ଉକ୍ତ ଫୋନ୍କୁ ଯାଞ୍ଚ ପାଇଁ ଫୋରେନ୍ସିକ ଲାବୋରେଟୋରୀକୁ ପଠାଯାଇଛି ।
ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦ ନଗରରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ମଫି ଓ ତା' ମା’ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ବିସ୍ଫୋରଣ ଘଟଣାରେ ୧୮ରୁ ଅଧିକରୁ ଲୋକଙ୍କୁ ପଚରାଉଚରା କରିସାରିଛି ଏନ୍ଆଇଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।