ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼
ପୁରୀ: ଭାଇଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଏବେ ଜନ୍ମବେଦୀରେ ଲୀଳା କରୁଛନ୍ତି। ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ଅଛନ୍ତି ତିନିରଥ। ଆସନ୍ତା ୨୪ ତାରିଖରେ ବାହୁଡ଼ା ଯାତ୍ରା। ଏଥିପାଇଁ ଆଜି ତିନିରଥର ହେବ ଦକ୍ଷିଣ ମୋଡ଼। ଅର୍ଥାତ୍ ତିନିରଥଙ୍କୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ସୋମବାର ତିନିରଥର ଯାଞ୍ଚ କରାଯାଇଛି। ଯାହା ବି କିଛି ମରାମତି ଦରକାର ଥିଲା ତାହା ଶେଷ ହୋଇଛି।
ତେବେ ରଥ ଦକ୍ଷିଣ ମୋଡ଼ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାଲି ବି ପକାଯାଇଛି ବଡ଼ଦାଣ୍ଡରେ। ପ୍ରଥମେ ସୁଭଦ୍ରାଙ୍କ ରଥ ଏବଂ ପରେ ଅନ୍ୟ ଦୁଇରଥ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରହିବ। ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଭୋର୍ ୪ଟାରୁ ଗୁଣ୍ଡିଚା ମନ୍ଦିର ଦ୍ୱାରଫିଟି ୫ଟାରେ ମଙ୍ଗଳ ଆଳତି ହୋଇଛି । ଏହାପରେ ଅନ୍ୟାନ୍ୟ ନୀତି ଚାଲିବ। ସକାଳ ଧୂପ ସରିବା ପରେ ମଧ୍ୟାହ୍ନ ସାଢେ଼ ୧୨ଟାରେ ରଥ ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେବ ବୋଲି ସ୍ଥିର କରାଯାଇଛି।
ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ଦିନଠାରୁ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ରଥର ଦକ୍ଷିଣ ମୋଡ଼ ନୀତି ସମ୍ପନ୍ନ ହେବା ପରେ ଆଡ଼ପ ମଣ୍ଡପରେ ଏକ ସ୍ୱତନ୍ତ୍ର ରାହାସ ନୀତି ଅନୁଷ୍ଠିତ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।