03 JULY 2026

Welcome!

Unlock your personalized experience.
Sign Up

Women’s T20 World Cup: ଟି-ଟ୍ୱେଣ୍ଟି ବିଶ୍ୱକପକୁ ମିଳିବ ପୁରୁଣା ଚାମ୍ପିଅନ୍, ଏହି ଦୁଇ ଦେଶ ମଧ୍ୟରେ ଫାଇନାଲ ଫାଇଟ୍‌

Jul 03, 2026 - 13:45
Women’s T20 World Cup: ଟି-ଟ୍ୱେଣ୍ଟି ବିଶ୍ୱକପକୁ ମିଳିବ ପୁରୁଣା ଚାମ୍ପିଅନ୍, ଏହି ଦୁଇ ଦେଶ ମଧ୍ୟରେ ଫାଇନାଲ ଫାଇଟ୍‌

ନୂଆଦିଲ୍ଲୀ,୦୩/୦୭; ଚଳିତ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍ ଲାଇନ୍ ଚୂଡ଼ାନ୍ତ ହୋଇଛି । ଆସନ୍ତା ୫ ତାରିଖରେ ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମୁକାବିଲା ଖେଳାଯିବ । ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମି ଫାଇନାଲ୍ରେ ଇଂଲଣ୍ଡ ୪୦ ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୨ କୋଟି ଟଙ୍କାର ମ୍ୟାଚ୍ ଖେଳାଯିବ । ପରାଜିତ ଟିମ୍ ବି ମାଲାମାଲ ହେବ ।

ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୬୯ ରନ୍ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୮ ୱିକେଟ୍ ହରାଇ ୧୨୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ତଜମିନ ବ୍ରିଟ୍ସ ୫୧, ଲୌରା ଉଲଭାର୍ଟ ୧୭, ନାଦିନ ଡି’ କ୍ଲର୍କ ଅପରାଜିତ ୧୪ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ ଲାଉରେନ ବେଲ ଓ ଚାର୍ଲି ଡିନ୍ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକାର ପେସ୍ ବୋଲର ସବ୍ନିମ୍ ଇସମାଇଲ ଇନିଂସ୍‌ର ଦ୍ୱିତୀୟ ଓଭରରେ ଇଂଲଣ୍ଡ ଓପନର ଆମି ଜୋନ୍ସଙ୍କୁ (୨) ଏବଂ ମାରିଜନେ କାପ୍ ତୃତୀୟ ଓଭରରେ ଡାନି ୱାଟ୍-ହଜ୍‌ଙ୍କୁ (୧୨) ପାଭିଲିୟନ ପଠାଇ ଉନ୍ମାଦନା ଖେଳାଇ ଦେଇଥିଲେ । ଇସ୍ମାଇଲ ପୁଣି ଚତୁର୍ଥ ଓଭରରେ ଆଲିସ୍ କ୍ୟାପ୍ସୀଙ୍କୁ (୧) ଆଉଟ୍ କରିବା ଫଳରେ ଇଂଲଣ୍ଡ ୨୩ ରନ୍‌ରେ ୩ଟି ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା ।

ଏହାପରେ ଅଧିନାୟିକା ନାତାଲି ସ୍କିଭରବ୍ରଣ୍ଟ୍ ଓ ହିଦର ନାଇଟ୍ ଦୃଢ଼ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିବା ସହ ଦଳୀୟ ସ୍କୋରକୁ ୧୫୬ରେ ପହଞ୍ଚାଇ ଥିଲେ । ସ୍କିଭର-ବ୍ରଣ୍ଟ ୪୭ଟି ବଲ୍ରେ ଦ୍ରୁତ ୭୫ (୧୧ଚୌକା, ୧ଛକା) ରନ୍ କରି ପାଭିଲିୟନ ଫେରିଥିଲେ । ମାତ୍ର ନାଇଟ୍ ୫୮ (୬ଚୌକା, ୧ଛକା) ରନ୍ ଯୋଗ କରିବା ଫଳରେ ଦଳୀୟ ସ୍କୋର ୫/୧୬୯ରେ ପହଞ୍ଚି ଯାଇଥିଲା ।

ଏହା ବି ପଢନ୍ତୁ...Odisha Fan Meet Pandya: ହାର୍ଦ୍ଦିକଙ୍କୁ ଭେଟିବାକୁ ସାଇକେଲ୍ରେ ଓଡ଼ିଶାରୁ ବେଙ୍ଗାଲୁରୁ...ମହାପ୍ରଭୁଙ୍କ ମୂର୍ତ୍ତୀ ଦେଇ ମନ ଜିଣିଲେ  

ଚାମ୍ପିଅନ୍ ଦଳ ଉପରେ ହେବ ଟଙ୍କା ବର୍ଷା- ମହିଳା କ୍ରିକେଟକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଚଳିତ ବର୍ଷ ପୁରସ୍କାର ରାଶିକୁ ଯଥେଷ୍ଟ ବୃଦ୍ଧି କରିଛି । ବିଜେତା ଦଳକୁ ୨୨ କୋଟି ଟଙ୍କାରୁ ଅଧିକର ଏକ ମୋଟା ପୁରସ୍କାର ସହିତ ଏକ ଚମକଦାର ଟ୍ରଫି ମିଳିବ । ପରାଜିତ ଦଳ ମଧ୍ୟ ଖାଲି ହାତରେ ଫେରିବ ନାହିଁ । ରନର୍ସଅପ ଟିମକୁ ପ୍ରାୟ ୧୧ କୋଟି ଟଙ୍କା ର ନଗଦ ପୁରସ୍କାର ମିଳିବ । ଏହାର ଅର୍ଥ ହେଉଛି ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ନିଶ୍ଚିତ ଭାବରେ ମାଲାମାଲ ହେବେ ।

ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପରେ ସର୍ବାଧିକ ଫାଇନାଲ ଖେଳିଥିବା ଟିମ୍-

ଅଷ୍ଟ୍ରେଲିଆ (୮ଥର)

ଇଂଲଣ୍ଡ (୫ଥର)

ନ୍ୟୁଜିଲାଣ୍ଡ ( ୩ଥର)

ସାଉଥ ଆଫ୍ରିକା (୨)

ୱେଷ୍ଟ ଇଣ୍ଡିଜ (୧)

ଭାରତ (୧ )

ଏହି ୬ ଦଳଙ୍କ ବ୍ୟତୀତ ଅନ୍ୟ କୌଣସି ଦଳ ଥରେ ବି ଫାଇନାଲ ଖେଳିନାହାନ୍ତି । ୧୦ ସଂସ୍କରଣର କେବଳ ଫାଇନାଲ ମୁକାବିଲା ବାକି ରହିଛି । ଜୁଲାଇ ୫ ତାରିଖରେ ଟ୍ରଫି ଟକ୍କରରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ । ଅଷ୍ଟମ ଥର ଫାଇନାଲ ଖେଳୁଥିବା ଅଷ୍ଟ୍ରେଲିଆ ୬ ଥର ଚାମ୍ପିଅନ ହୋଇଛନ୍ତି । କଙ୍ଗାରୁ ଦଳର ପଲ୍ଲା ଭାରି ରହିଛି ।