30 JUNE 2026

Welcome!

Unlock your personalized experience.
Sign Up

Weather Forecast : ଚାଷ ସ୍ଥିତି ସାଂଘାତିକ, ମେଘ ଖୋଜୁଛି ଚାଷୀ, ରାଜ୍ୟରେ ୫୨% ନିଅଣ୍ଟିଆ ବର୍ଷା

Jun 30, 2026 - 08:16
Weather Forecast : ଚାଷ ସ୍ଥିତି ସାଂଘାତିକ, ମେଘ ଖୋଜୁଛି ଚାଷୀ, ରାଜ୍ୟରେ ୫୨% ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୩୦/୦୬: ବର୍ଷା ନାହିଁ । ବିଲ ଶୁଖିଲା । ପାଣିପାଗ ତତଲା । ଜୁନ୍‌ ସରିବ କାଲି ।  ଧାନ ବୁଣା ହୋଇପାରୁନି । ମେଘ ଖୋଜୁଛି ଚାଷୀ ।  ଚାତକ ଭଳି ଅନେଇ ବସିଛି ଆକାଶକୁ । ବିଶେଷଜ୍ଞଙ୍କ ଆକଳନ, ଏଥର ଚାଷ ସ୍ଥିତି  ସାଂଘାତିକ ହୋଇପାରେ । ଆରମ୍ଭରୁ ବର୍ଷା  ସଙ୍କଟ ହେଲାଣି । ଏଲ୍‌-ନିନୋ ପ୍ରଭାବରେ  ଆଗକୁ ବି ମଝିରେ ମଝିରେ ବର୍ଷା ହଜିଯିବ ।  ବ୍ୟାପକ ଜମି ପଡ଼ିଆ ପଡ଼ିପାରେ । ଫସଲ  ଉତ୍ପାଦନ କମିବ। ଏମିତି ସ୍ଥିତି ରହିଲେ  ମରୁଡ଼ି ସମ୍ଭାବନାକୁ ଟାଳି ହେବନି ।  ଅନ୍ୟପକ୍ଷରେ ଯେଉଁ ଲଘୁଚାପ ସମ୍ଭାବନାକୁ  ନେଇ ବର୍ଷା ବଢ଼ିବା ଆଶା କରାଯାଉଥିଲା, ସେ  ନେଇ ବି ସନ୍ଦେହ ଉପୁଜିଲାଣି । ଏମିତିକି  ଲଘୁଚାପ ହେବ କି ନାହିଁ ତାହା ନେଇ  ବିଶେଷଜ୍ଞ ଦ୍ୱନ୍ଦ୍ୱ ପ୍ରକାଶ କରୁଛନ୍ତି ।

ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଆଷାଢ଼ ।  ବର୍ଷା ଅଜାଡ଼ିବା କଥା । ହେଲେ ଟାଏଁ ଟାଏଁ ଖରାକୁ  ଭୀଷଣ ଗୁଳୁଗୁଳି । ନୟାନ୍ତ ସାରା ଓଡ଼ିଶା । ଏଭଳି  ଅସ୍ୱାଭାବିକ ଗରମରେ ସବୁ ଛଟପଟ ।  ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଧାନ ବୁଣା କାମ  ଜୋରସୋରରେ ଆରମ୍ଭ ହୋଇଯିବା କଥା । ମାତ୍ର  ଏଯାଏଁ ଧାନ ବୁଣା କାମ ଅଟକି ପଡ଼ିଛି । କେବଳ  ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ  ବର୍ଷା ଯୋଗୁ ଠାଏଠାଏ ଧାନ ବୁଣା ହୋଇଛି ।  ପଶ୍ଚିମ ଓଡ଼ିଶାରେ ସ୍ଥିତି ପୂରା ଖରାପ ।

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର  ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ  ଓଡ଼ିଶାରେ ମୌସୁମୀ ଏବେ ବି ଦୁର୍ବଳ  ଅବସ୍ଥାରେ ରହିଛି । ଏ ସ୍ଥିତି ହଠାତ୍‌ ଶେଷ ହେବାର ସମ୍ଭାବନା କମ୍‌ । ଜୁଲାଇ ପ୍ରଥମ ସପ୍ତାହରେ ମୌସୁମୀ ପାଇଁ ପାଗ ଅନୁକୁଳ  ରହିପାରେ । ପ୍ରଥମେ ଉପକୂଳ, ଦକ୍ଷିଣ ଓଡ଼ିଶା  ପରେ କେନ୍ଦ୍ରୀୟ ଏବଂ ଉତ୍ତର ଓଡ଼ିଶାରେ ବର୍ଷା  ବଢ଼ିପାରେ । କିନ୍ତୁ, ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ  ସପ୍ତାହ ପର୍ଯ୍ୟନ୍ତ ଉପଯୋଗୀ ବର୍ଷାରେ ବିଳମ୍ବ  ହୋଇପାରେ । ବର୍ତ୍ତମାନ ସଙ୍କେତ ଅନୁସାରେ  ବଙ୍ଗୋପସାଗରରେ ଲଘୁଚାପ ହେବା ସମ୍ଭାବନା  କମ୍‌ । ଯଦି ବି ହେବ, ତାହା ଦୁର୍ବଳ ରହିପାରେ ।  ତେଣୁ ଯେଉଁ ବର୍ଷା ବଢ଼ିବ, ତାହା ମୌସୁମୀ  ଟ୍ରଫ୍‌ ପ୍ରଭାବରେ ହୋଇପାରେ ।

ଏବେ ସୁଦ୍ଧା ରାଜ୍ୟରେ ୫୨% ନିଅଣ୍ଟିଆ  ବର୍ଷା । ୨୦୧.୪ ମିଲିମିଟର ବର୍ଷା ହେବା କଥା ।  ବର୍ଷିଛି ମାତ୍ର ୯୬.୧ ମିମି । ଗୋଟିଏ ବି ଜିଲ୍ଲାରେ  ବର୍ଷା ଭଲ ନାହିଁ । ୯ ଜିଲ୍ଲାରେ ୬୦%ରୁ ୮୦%  ପର୍ଯ୍ୟନ୍ତ ବର୍ଷା କମ୍‌ ହୋଇଛି ।  ଦେବଗଡ଼ ଜିଲ୍ଲାରେ  ୮୦% ବର୍ଷା ନିଅଣ୍ଟିଆ ଥିବାବେଳେ ସମ୍ବଲପୁରରେ  ୭୫%, କଳାହାଣ୍ଡିରେ ୭୪%,  ସୁନ୍ଦରଗଡ଼ରେ ୭୦%, ଅନୁଗୁଳରେ ୬୮%, ମାଲକାନଗିରିରେ  ୬୮%, ବଲାଙ୍ଗୀରରେ ୬୫%, ବୌଦ୍ଧରେ ୬୩% ଓ ପୁରୀରେ  ମଧ୍ୟ ୬୦% ବର୍ଷା କମ୍‌ ରହିଛି । ପ୍ରତି ଜିଲ୍ଲାରେ ବର୍ଷା କମ୍‌ ରହିଛି ।  କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ  କହିଛନ୍ତି, ଓଡ଼ିଶାରେ ବର୍ଷାର ଅବଧି ୧୩୫ ଦିନ । ଏହି ଅବଧିରେ  ଖରିଫ ଫସଲକୁ ଶେଷ ୧୫ଦିନ ପାଣି ଦରକାର ନାହିଁ । ବର୍ତ୍ତମାନ  ଜୁନ୍‌ ମାସ ସରିବା ଅବସ୍ଥାରେ । ବର୍ଷା ନାହିଁ । ତେଣୁ ଖାଲ ଜମି  ଛଡ଼ା ଆଉ କୌଣସି ଜାଗାରେ ୧୨୦ଦିନ ଅବଧି ଥିବା ଧାନ ଚାଷ  କରାଯାଇପାରିବନି । ଢିପ ବା ଉଚ୍ଚ ଜମିରେ ଅଣଧାନ କରିବା  କଥା । ଯଦି ଧାନ କରିବେ, ତେବେ ୯୦ ଦିନରୁ ଅଧିକ ଅବଧି  କିସମ ବିହନ ବୁଣିବା ଠିକ୍‌ ହେବନି । ଚାଷୀ ପାଖରେ ମଧ୍ୟମ କିମ୍ବା  ସ୍ୱଳ୍ପ କିସମ ଧାନ ବିହନ ପହଞ୍ଚିବା କଥା । ଏବର୍ଷ ଯେଉଁଭଳି ବର୍ଷା  ସଙ୍କଟ ଦେଖା ଦେଇଛି, ୨୦୦୨ରେ ବି ଏମିତି ସ୍ଥିତି ଉପୁଜିଥିଲା ।  ପୁଣି ଆଗକୁ  ଏଲ୍‌-ନିନୋ ପ୍ରଭାବ ତୀବ୍ରତର ହେବ । ବର୍ଷା ଆହୁରି  କମିପାରେ । ତେଣୁ ବ୍ୟାପକ ଜମି ପଡ଼ିଆ ପଡ଼ିବା ଆଶଙ୍କା ରହିଛି ।    

ବର୍ତ୍ତମାନ ଜୁନ୍‌ ମାସରେ ବର୍ଷା ଅଭାବକୁ ପାଣିପାଗଜନିତ  ମରୁଡ଼ି କୁହାଯାଇଥାଏ । ଆଗକୁ ବର୍ଷା ନ ବଢ଼ିଲେ ଜଳଭଣ୍ଡାର  ଶୁଖିବ । ଜଳସେଚନ କ୍ଷମତା କମିବ । ଏମିତି ଅଣଜଳସେଚିତ  ଓ ଜଳସେଚିତ ଜମିକୁ ମରୁଡ଼ି ଆଶଙ୍କାକୁ ଟାଳି ଦିଆଯାଇନପାରେ ।  ଏଭଳି ସ୍ଥିତିରେ ଫସଲ ହେଉଥିବା ଜମି ପରିମାଣ କମିବ । ଅଧିକ  ଶୁଖିଲା ପାଗ ହେଲେ ଚାଷ ବିଳମ୍ବ ହେବା ସହ ଉତ୍ପାଦନ ମଧ୍ୟ  କମିପାରେ । ତେଣୁ ଏ ବର୍ଷ ଚାଷ ସ୍ଥିତି ସାଂଘାତିକ ରହିପାରେ ।  ପଶ୍ଚିମ ଓଡ଼ିଶାରେ ଅଣଜଳସେଚିତ ଜମିରେ ଚାଷ ବେଶି କ୍ଷତିଗ୍ରସ୍ତ  ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆଶଙ୍କା କରିଛନ୍ତି ।    

ଅଧିକ ପଢ଼ନ୍ତୁ :- Maa Majighariani : ମା’ ମଝିଘରିଆଣୀଙ୍କ ୯ ହୁଣ୍ଡିରୁ  ମିଳିଲା ୧ କୋଟି ୨୨ ଲକ୍ଷ ଟଙ୍କା, ୯ ବିଦେଶୀ ନୋଟ୍ ସହ ୩୦ ଗ୍ରାମ ସୁନା

ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ  ଆକଳନ ହେଲା, ୧ ତାରିଖବେଳକୁ ଘୂର୍ଣ୍ଣିବଳୟ ହୋଇ ୨ ସୁଦ୍ଧା  ଲଘୁଚାପ ହୋଇପାରେ । ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହେବା  ଯୋଗୁ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ଅଧିକ ରହିପାରେ ।    ବର୍ତ୍ତମାନ ରାଜ୍ୟରେ ଅସ୍ୱାଭାବିକ ଗରମ ଲାଗି ରହିଛି ।  ଆକାଶରେ ବାଦଲ ଆସୁଛି, ବରଷୁ ନାହିଁ । କେଉଁଠି ଅସରାଏ,  ଆଉ କେଉଁଠି କୁଣ୍ଡା ଝଡ଼ା ଭଳି ଛିଞ୍ଚି ପଳାଉଛି । ଗର୍ଜୁଛି ପ୍ରବଳ,  ହେଲେ ବର୍ଷିଲାବେଳକୁ ମୌସୁମୀ ଦୁର୍ବଳ ।   ଦୁଇଦିନ ହେଲାଣି  ଭୁବନେଶ୍ୱରକୁ ଅପରାହ୍ନରେ କଳାହାଣ୍ଡିଆ ବାଦଲ ଢାଙ୍କୁଛି ।  କିନ୍ତୁ, ବର୍ଷାର ନାଁ ଗନ୍ଧ ନାହିଁ । ସୋମବାର ନୂଆପଡ଼ା ତାପମାତ୍ରା  ୪୦ ଡିଗ୍ରୀ ସେଲସିୟସ୍‌ ଥିଲା ।  ତାଳଚେରରେ ୩୯.୪ ଡିଗ୍ରୀ,  ସମ୍ବଲପୁର ଓ ଭବାନୀପାଟଣାରେ ପାରଦ ୩୯ ଥିବାବେଳେ ଅନେକ  ଜାଗାରେ ତାପମାତ୍ରା ୩୮ ଡେଇଁଥିଲା । ବାଲେଶ୍ୱରରେ ପାରଦ  ୩୮.୬, ଭୁବନେଶ୍ୱର ୩୮.୨, ଝାରସୁଗୁଡ଼ା ୩୮.୪ ଡିଗ୍ରୀ ଥିଲା ।  ବାଲେଶ୍ୱର ତାପମାତ୍ରା ସ୍ୱାଭାବିକଠାରୁ ୫.୭ ଡିଗ୍ରୀ ଅଧିକ ଥିବାବେଳେ  ଝାରସୁଗୁଡ଼ାରେ ୫.୧ ଡିଗ୍ରୀ, ଭୁବନେଶ୍ୱରରେ ୪.୮ ଡିଗ୍ରୀ ଅଧିକ ଥିଲା ।