Text Book Error: ପାଠ୍ୟପୁସ୍ତକ ତ୍ରୁଟିରେ ବଡ଼ ଷଡ଼ଯନ୍ତ୍ର ସନ୍ଦେହ; ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ସରକାର ଫେରାଇ ନେବେ ସବୁ ବହି

Jun 26, 2026 - 10:33
Text Book Error: ପାଠ୍ୟପୁସ୍ତକ ତ୍ରୁଟିରେ ବଡ଼ ଷଡ଼ଯନ୍ତ୍ର ସନ୍ଦେହ; ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ସରକାର ଫେରାଇ ନେବେ ସବୁ ବହି

ଭୁବନେଶ୍ବର, ୨୬/୦୬: ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଡ଼ା ଆଭିମୁଖ୍ୟ । ସମସ୍ତ ତ୍ରୁଟି ବହି ପ୍ରତ୍ୟାହାର ନେଇ ନିର୍ଦ୍ଦେଶ ।ଛାତ୍ରଛାତ୍ରୀଙ୍କୁ ବଣ୍ଟା ଯାଇଥିବା ସମସ୍ତ ପାଠ୍ୟପୁସ୍ତକକୁ ଫେରାଇ ନେବେ ସରକାର । ନୂଆ ବହି ଆସିଲେ ପିଲାଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଗୁରୁବାର ପାଠ୍ୟପୁସ୍ତକ ତ୍ରୁଟିର ତଦନ୍ତ ରିପୋର୍ଟ  ସିଏମଓରେ ପହଞ୍ଚିଥିଲା । ଏହାକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ନେଇ ସନ୍ଦେହ କରାଯାଉଛି । ତେଣୁ ପାଣ୍ଡୁଲିପି ପ୍ରସ୍ତୁତି, ଯାଞ୍ଚ ଓ ମୁଦ୍ରଣ ଯାଏଁ ସମସ୍ତ ପ୍ରକ୍ରିୟା ଯାଞ୍ଚ ହେବ । ଏହି ଷଡ଼ଯନ୍ତ୍ରରେ ଯେଉଁମାନେ ଲିପ୍ତ ଥିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏମିତି କି ଦୋଷୀଙ୍କ ଠାରୁ ତ୍ରୁଟି ବହିର ମୂଲ୍ୟ ଆଦାୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

ଏପଟେ ତ୍ରୁଟିପୂର୍ଣ୍ଣ ବହିକୁ ଧରି ହନ୍ତସନ୍ତ ହେଉଛନ୍ତି ଅଭିଭାବକ ଓ ଶିକ୍ଷକ । ଯେତେ ପୃଷ୍ଠା ଓଲଟାଉଛନ୍ତି ସେତେ ଭୁଲ୍‌ ବାହାରୁଛି । ଏହାକୁ ନେଇ ଏବେ ଟେନସନ୍‌ରେ ଛାତ୍ରଛାତ୍ରୀ । ଏପଟେ ନୂଆ ପାଠ୍ୟପୁସ୍ତକ ଛାପିବା କିମ୍ବା ତ୍ରୁଟିକୁ ସଂଶୋଧନର ବାଟ ବାହାର କରିବା ସପକ୍ଷରେ ନାହିଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଜୁଲାଇ ମାସ ହେବାକୁ ବସିଲାଣି । ଶିକ୍ଷାବର୍ଷ ଆରମ୍ଭର ୩ ମାସ ପୂରିବାକୁ ବସିଲାଣି । ବହିରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଖି ପିଲାଙ୍କ ଅକଲଗୁଡୁମ । ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଚିତ୍ର ମଧ୍ୟ ଦିଆଯାଉନି । କ’ଣ କରାଯିବ ତାର କୌଣସି ସମାଧାନ ଏଯାଏ ବାହାରୁନି ।

ଯେତେବେଳେ କୌଣସି ପୁସ୍ତକ ପ୍ରସ୍ତୁତ କରାଯାଏ ସେଥିରେ କୌଣସି କବି, ଲେଖକଙ୍କ ମୂଳ ଲେଖାକୁ ଯଦି ସ୍ଥାନିତ କରାଯାଏ ତେବେ ତାଙ୍କ ଅନୁମତି ନେବା ସହ ସେମାନଙ୍କ ନାମ ଲେଖିବା ବାଧ୍ୟତାମୂଳକ । ମାତ୍ର ଏସ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ପ୍ରସ୍ତୁତି ସମୟରେ ଏହା କରିନାହିଁ । ଫଳରେ ଏହାକୁ ନେଇ ଅନେକ ଲେଖକ, କବିମାନେ ଅଭିଯୋଗ ଆଣିଛନ୍ତି, ହେଲେ ଏସ୍‌ସିଇଆର୍‌ଟି କୌଣସି ଉତ୍ତର ରଖୁନାହିଁ ।

୧୬ ତାରିଖ ଦିନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ୧୬୭୮ଟି ଭୁଲ୍‌ ଥିବା ଖବର ‘ପ୍ରମେୟ’ ପ୍ରଥମେ ଲୋକଲୋଚନକୁ ଆଣିଲା । ଏହାର ପରଦିନ ଅର୍ଥାତ୍‌ ୧୭ ତାରିଖରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଲୋକସେବା ଭବନରେ ବୈଠକ କରି ତ୍ରୁଟି ବହିକୁ ନେଇ ବିରକ୍ତ ହେଲେ । ଏଥିସହ ତଦନ୍ତ କମିଟି କରି ୭ଦିନରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ । ଏହାର ଦିନକ ପରେ ଅର୍ଥାତ୍‌ ୧୮ ତାରିଖରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୩ଜଣିଆ କମିଟି ଗଠନ ହେଲା । ନିର୍ଦ୍ଦେଶ ଥିଲା ୭ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ । ତେବେ ଗୁରୁବାର ରାତିରେ କମିଟି ତଦନ୍ତ ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛି । ଏଥିରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ସିଏମ୍ ମୋହନ ମାଝୀ କହିଛନ୍ତି ।

ଅଧିକ ପଢନ୍ତୁ-School Bag : ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ବ୍ୟାଗ୍‌