29 JUNE 2026

Welcome!

Unlock your personalized experience.
Sign Up

Snana Purnima: ରତ୍ନ ସିଂହାସନ ଛାଡ଼ି ସ୍ନାନ ମଣ୍ଡପକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ୧୦୮ଗରା ସୁବାଶିଷ ଜଳରେ ସ୍ନାନ କରି ଗଜାନନ ବେଶରେ ଦେବେ ଦର୍ଶନ

Jun 29, 2026 - 06:56
Snana Purnima: ରତ୍ନ ସିଂହାସନ ଛାଡ଼ି ସ୍ନାନ ମଣ୍ଡପକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ୧୦୮ଗରା ସୁବାଶିଷ ଜଳରେ ସ୍ନାନ କରି ଗଜାନନ ବେଶରେ ଦେବେ ଦର୍ଶନ

ପୁରୀ,୨୯/୦୬: ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଓ ଦୁର୍ଲଭ ଗଜାନନ ବେଶ । ମହାପ୍ରଭୁ ରତ୍ନ ସିଂହାସନ ଛାଡ଼ି ସ୍ନାନ ମଣ୍ଡପକୁ ବିଜେ କରୁଛନ୍ତି। ଅଗଣିତ ଭକ୍ତଙ୍କୁ ମହାପ୍ରଭୁ ଦିବ୍ୟ ସ୍ନାନ ଲୀଳା ଏବଂ ଗଜାନନ ବେଶରେ ଦର୍ଶନ ଦେବେ। 

 ମହାବାହୁଙ୍କ ଦର୍ଶନ ପାଇଁ ବ୍ୟାକୁଳ  ଭକ୍ତ  ।  ଦେବସ୍ନାନ ପୂର୍ଣ୍ଣିମା ଆଣିଦେବ ସେହି  ଦିବ୍ୟ ମୁହୂର୍ତ୍ତ । ଏବେଠାରୁ ବଡ଼ଦାଣ୍ଡରେ ଥାଇ ହଜାର ହଜାର  ଭକ୍ତଙ୍କ ଦୃଷ୍ଟି ସ୍ନାନମଣ୍ଡପ ଉପରେ ।  ସୋମବାର ପହଣ୍ଡି  ସରି ସକାଳ ୯ଟାରେ ସ୍ନାନମଣ୍ଡପରେ ଠାକୁରଙ୍କ ମଙ୍ଗଳାଳତି  ହେବ । ୧୨ଟାରୁ ଅପରାହ୍ଣ ୨ଟା ମଧ୍ୟରେ ଜଳ ବିଜେ ପୂଜା  ଓ ସ୍ନାନ । ଅପରାହ୍ନ ୫ଟା ମଧ୍ୟରେ ବେଶ ବଢି଼ରାତି ୧୦ଟା  ପର୍ଯ୍ୟନ୍ତ ଦାରୁବ୍ରହ୍ମ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।  ରାତି ସାଢ଼େ ୭ଟାରୁ ୯ଟା ୩୦ ସାହାଣମେଲା ଦର୍ଶନ । ୧୧ଟାରୁ  ଠାକୁରଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ । 

ଆଜି ସ୍ନାନ ଯାତ୍ରାରେ ମହାପ୍ରଭୁ ସ୍ନାନ କରିବେ। ବିଶ୍ୱରେ ଏମିତି ଦିଅଁ ଇଏ ଯାହାଙ୍କର ସ୍ନାନ କୁ ନେଇ ଯାତ୍ରା ।  ସବୁଦିନ ସ୍ନାନ କରନ୍ତି ଆଜି ଭି ସ୍ନାନ କରିବେ ।  ହେଲେ ସବୁଦିନ ଯେଉଁ ସ୍ନାନ କରନ୍ତି  ତାଙ୍କ ସମ୍ମୁଖରେ ଦର୍ପଣ ରଖାଯାଏ ଏବଂ ସେଥିରେ ତାଙ୍କ ପ୍ରତିବିମ୍ବ ପଡେ ସେ ଦର୍ପଣ କୁ ସ୍ନାନ କରାଯାଏ ତାକୁ ବିମ୍ବ ସ୍ନାନ କୁହାଯାଏ l କିନ୍ତୁ ଆଜି ଯେଉଁ ସ୍ନାନ କରିବେ ତାକୁ ପ୍ରତ୍ୟେକ୍ଷ ସ୍ନାନ କୁହାଯାଏ ।

  ଏହି ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ  ଭିତ୍ତି ଭୂମିର ଲୀଳା l ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥେମେ ଏହି ସ୍ନାନ ହୋଇଥିବାରୁ ଶ୍ରୀ ଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ l ମହାପ୍ରଭୁ ଦାରୁ ବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମେ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା ଅନୁଷ୍ଠିତ କରିଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ । ସେତେବେଳେ ସ୍ନାନ ମଣ୍ତପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହେଉଥିଲା l ସେଥିପାଇଁ ଶାସ୍ତ୍ରରେ ଏହାକୁ ମଞ୍ଚାସ୍ନାନ ବୋଲି ଉଲେଖ କରାଯାଇଛି l  ଶାସ୍ତ୍ର ମତରେ ୧୦୮ ସ୍ନାନ କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁ ବ୍ରହ୍ମଙ୍କ ଆଦ୍ୟ ସ୍ଥାନ ଲୀଳା ସମାପନ ହୋଇଥିଲା  । ସେଇ ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଅଛି ।

ପୂର୍ଣ୍ଣିମା ପୂର୍ବ ଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି ।ପ୍ରଭୁଙ୍କର ସେନାପଟା ଓ ବାହୁଟି ନାଗି ହୁଏ l ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ l  ସ୍ନାନ ମଣ୍ଡପକୁ ମହାପ୍ରଭୁ ଆସିବେ ବୋଲି ବ୍ୟାକୁଳ ହୁଅନ୍ତି ଯେ ଆଖିଆ ଅପିୟା ଯାତ୍ରା କରିବେ ଭକ୍ତାଧୀନ ଭଗବାନ l ଯେତେବେଳେ ଆସିବେ ତା ନାମ ହେଲା ଧାଡ଼ି ପହଣ୍ଡି l ଧାଡି ଧାଡି କରିକି ଆସିବେ ଚତୁର୍ଦ୍ଧାମୂର୍ତ୍ତି l  ଆଉ ଯେତେବେଳେ ଅଣସର ପିଣ୍ଡି କୁ ଯିବେ ତା ନାମ ହେଲା ଗୋଟି ପହଣ୍ଡି।

               ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମହାପ୍ରଭୁ ମାନଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଥିବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ l ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ଯରେ ଅବସ୍ତିତ l ବର୍ଷସାରା ସିଂହ ହିଁ ଏହି କୂଅକୁ ସୁରକ୍ଷିତ ରଖିଥାନ୍ତି । କୂଅର ବ୍ୟବହର  ବର୍ଷ ସାରା ନଥିବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣ ତୁଠ ପାଣି ବୋଲି ଗ୍ରହଣ କରାଯାଏ l  ପ୍ରତ୍ୟକଦିନ  ସ୍ନାନ ଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥିବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ l ସେଗୁଡିକ ହେଲା - 

   ଅଷ୍ଟବନ୍ଧ , କୃଷ୍ଣ - ଅଗରୁ , ଉଶୀର , ଗୋରଚନା , ଦେବଦାରୁ , ମୁଥା  , ହରିତାଳ , ବାହାଡା , ଆମଳକୀ , ସଞ୍ଚିଷ୍ଠା  , ତାମ୍ରପର୍ଣ୍ଣୀ ,ସୋମପର୍ଣ୍ଣୀ ଓ ଲୋଧା 

        ମିଶ୍ରିତ କରାଯାଏ  l ଏହି ମହୌଷଧୀ ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ l

                        ସେଦିନ ମଧ୍ୟ ରାତ୍ରି ରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତା ମାନେ ଧାଡି ପହଣ୍ଡି କରି ଆଣନ୍ତି l ପହଣ୍ଡି ବିଜେ ସମୟରେ ସାତ ପାହାଚ ପାଖରେ ଦିଅଁ ମାନେ ପହଞ୍ଚିଲା ପରେ ଟାହ୍ୟା ନାଗି ହେବାପରେ ଦ୍ୱତୀୟ ମଙ୍ଗଳାର୍ପଣ କରାଯାଏ । ତାପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା   ନାଗି କରାଯାଏ । ତାପରେ ପନ୍ତି ଖାଇ ଖାଇ ଠାକୁର ମାନେ ସ୍ନାନ ବେଦି ଅଭିମୁଖେ ଅଗ୍ରସର ହୁଅନ୍ତି l  ସୁଆର ବଡୁ ଅମୂଣିଆ ପାଣି ଛିଞ୍ଚନ୍ତି । ପ୍ରଥମେ ସ୍ନାନ ବେଦି କୁ ଆସନ୍ତି ଚକ୍ରରାଜ ସୁଦର୍ଶନ ସେ ଶୂନ୍ୟ ପହଣ୍ଡି  କରି ଆସି  ନିଜ ସ୍ଥାନ ରେ ବିଜେ ହୁଅନ୍ତି । ପଛେ ପଛେ ବଳଭଦ୍ର ଭଗବାନ ରେବତୀ ରମଣ  ହଳାୟୁଧ ସେନାପଟା ଭିଡା ହୋଇ ଟାହ୍ୟା ଲାଗି କରି ସ୍ନାନ ବେଦିରେ ବିଜେ ହୁଅନ୍ତି । ତାଙ୍କପରେ କାମ୍ପିଲ୍ୟ ବାସିନୀ ସୁଭଦ୍ରିକା ଭଗବତୀ କୃପାମୟି ମଧ୍ୟ ସୁଦର୍ଶନ ଙ୍କ ପରି  ଶୂନ୍ୟ ପହଣ୍ଡି ରେ ସ୍ନାନ ବେଦିକୁ ବିଜେ ହୁଅନ୍ତି। 

         ଶେଷରେ କାଳିଆ କଳା ଠାକୁର କୋଟି କୌବଲ୍ୟ ନାଥ ଜଗନ୍ନାଥ ମହାପ୍ରଭୁ ପୂର୍ଣ୍ଣିମା ଚାନ୍ଦ ପରି ରତ୍ନ ସିଂହାସନ ରୁ ସ୍ନାନ ବେଦି ଅଭିମୁଖେ ଉଇଁ ଆସନ୍ତି  । ଆସିଲା ବେଳେ ଆଖିଆ ଅପିୟା ଧାଇଁ ଆସନ୍ତି ଟାହ୍ୟା ଏବଂ  ଘଣ୍ଟ ଛତ୍ର ର ଦୋଳନରେ ଛୁଲିଛୁଲି ହଲିହଲି ଆସି ସ୍ନାନ ମଣ୍ଡପ ରେ ଦଇତା ଙ୍କ ଦ୍ୱାରା ବିଜେ ହୁଅନ୍ତି  l କିନ୍ତୁ ମଦନମୋହନ କେବଳ ମହାଜନ ସେବକମାନଙ୍କ ଦ୍ୱାରା ବିଜେ ହୁଅନ୍ତି l  ଏବଂ ଆଳତି ଅବକାଶ ନୀତି ଆରମ୍ପ ହୁଏ ।                        

          ବିଧି ଅନୁସାରେ ଜଗନ୍ନାଥଙ୍କ ବାଡ଼ରେ ୩୫ ଗରା ।  ବଳଭଦ୍ର ଙ୍କ ବାଡ଼ରେ  ୩୩ ଗରା । ସୁଭଦ୍ରାଙ୍କ ବାଡ଼ରେ  ୨୨ ଗରା ଏବଂ ସୁଦର୍ଶନଙ୍କ  ବାଡ଼ରେ  ୧୮ ଗରା ।  ଏହି କ୍ରମରେ ୧୦୮ ଗରା  ସୁଭାସିତ ଜଳ ରେ ସ୍ନାନ ହୁଅନ୍ତି ଚତୁର୍ଦ୍ଧାମୂର୍ତ୍ତି l  ସ୍ନାନ ନୀତି ପରେ ଛେରା ପହଁରା  ନୀତି ଅନୁଷ୍ଠିତ ହେବ ।  ଏଥରକଭି  ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ ଛେରା ପହଁରା ନୀତି ସମ୍ପାଦନ  କରିବେ l  

ଦକ୍ଷିଣାଭିମୁଖେ  ବିଷ୍ଣୌ ସ୍ନାନକାଳେ ନୃପୋତ୍ତମ l
ବିଷ୍ଣୋର୍ନିରାଜନବିଧିଂ ଯେ ପଶ୍ୟନ୍ତି ଚ ଭକ୍ତିତଃ l
ପଦେ ପଦେଶ୍ବମେଧାନାଂ  ଫଳଂ ତେଷାଂ ଭବେତ୍ ଧୃବମ୍ l
ମନୋରଥସ୍ୟ  ସଂସିଦ୍ଧିସ୍ତେଷାଂ ଭବତି ତତ୍-କ୍ଷଣାତ୍   l
ଅନ୍ତେ ବୈକୁଣ୍ଠଭବନଂ ତେ ଚ ଗଚ୍ଛନ୍ତି ମାନବାଃ  ll 
                  ( ସ୍କନ୍ଦ ପୁରାଣ, ଉତ୍କଳ ଖଣ୍ଡ  )

                    ସ୍ନାନମଣ୍ଡପରେ ଦକ୍ଷିଣାଭିମୁଖି ଶ୍ରୀଜଗନ୍ନାଥାଦିଙ୍କୁ ଯେଉଁମାନେ  ଦର୍ଶନ କରନ୍ତି ।  ଆରତୀକୁ ଭକ୍ତି ସହକାରେ ଦର୍ଶନ କରନ୍ତି ସେମାନେ ଅଶ୍ୱମେଧ ଯଜ୍ଞର ଫଳଲାଭ କରନ୍ତି l ସେମାନଙ୍କର  ସକଳ ମନୋରଥ ପୂରଣ ହୋଇଥାଏ ।  ଅନ୍ତ କାଳରେ ସେମାନେ ବୈକୁଣ୍ଠ ପୁରକୁ ଗମନ କରିଥାନ୍ତି ।  ପ୍ରଭୁଙ୍କ ଏହି ଦିନ ଗଜାନନ ବେଶ ହୁଏ ।  ଏହିଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ  ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଏ l ଏବଂ ଗୋପାଳତୀର୍ଥ ମଠଦ୍ଵାରା ଶ୍ରୀ ବଳଭଦ୍ର ଏବଂ ଶ୍ରୀ ଜଗନ୍ନାଥ ଙ୍କୁ ଗଜାନନ ବେଶ ଓ ସୁଦର୍ଶନ ଙ୍କୁ ଚକ୍ର ଲାଗି କରାଯାଏ । ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ ।

ll ଗଜାନନ ବେଶ କିମ୍ବଦନ୍ତି ll  :-  

          ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ । ଥରେ ଶ୍ରୀକ୍ଷେତ୍ରର ମହିମା ବିଷୟରେ ଶୁଣି ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ।  ସେ ଭଗବାନ ଗଣେଷଙ୍କ ଭକ୍ତ ଥିଲେ। ତେଣୁ ଦାରୁ ବିଗ୍ରହଟି ଦର୍ଶନ କରି ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ବୀକାର କଲେ।  ଏବଂ କ୍ଷବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା  ଥିଲା ।  ମହାପ୍ରଭୁଙ୍କ ଆଦେଶରେ ବଡ଼ ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହେଇଗଲେ । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୁଲ ବୁଝିପାରିଲେ।  ତାଙ୍କ ପାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ। ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି ।

                           ବେଶ ଓଲାଗି ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି। ଭିତର କାଠ ପାଖେ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ। ଓ ପଟିମୂର୍ତ୍ତି ସ୍ଥାପନା କରାଯାଏ । ତାପରେ ଏହି ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମା ଠୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପଡନ୍ତି l  ଏହି ୧୫ ଦିନ କାଳ ଭକ୍ତ ମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ରୁ ବଞ୍ଚିତ ହୁଅନ୍ତି।  ଏହି ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥ ଙ୍କୁ ଦର୍ଶନ କରନ୍ତି ।