15 JULY 2026

Welcome!

Unlock your personalized experience.
Sign Up

Skyrocketing Price: ଅଦା କିଲୋ ୨ଶହ, ୨ଶହ ଟଙ୍କା ଛୁଇଁବ ରସୁଣ, ଫାଷ୍ଟଫୁଡ୍‌ ଓ ହୋଟେଲ ପ୍ରଭାବିତ

Jul 15, 2026 - 12:41
Skyrocketing Price: ଅଦା କିଲୋ ୨ଶହ, ୨ଶହ ଟଙ୍କା ଛୁଇଁବ ରସୁଣ, ଫାଷ୍ଟଫୁଡ୍‌ ଓ ହୋଟେଲ ପ୍ରଭାବିତ

ଭୁବନେଶ୍ୱର,୧୫/୦୭: ପିଆଜ ପରେ ଏବେ ଅଦା, ରସୁଣ ଗ୍ରାହକଙ୍କ ନିଦ ହଜାଇଲାଣି । ୧୫ଦିନ ତଳେ ରସୁଣ କିଲୋ ପିଛା ୮୦ଟଙ୍କା ଥିଲା, ଏବେ ଏହା ୧୮୦ଟଙ୍କାରେ ପହଞ୍ଚିଲାଣି । ଅଦା କିଲୋ ବି ୨ଶହ ହେଲାଣି । ସେପଟେ ପିଆଜ ଦର ବି ଖସୁନି । ଗତ ସପ୍ତାହେ ହେଲାଣି ଦର ୪୦ଟଙ୍କାରେ ଅଟକି ରହିଛି । ନା କମୁଛି, ନା କମିବାର ଆଶା ଦେଖାଯାଉଛି । ଦର ବୃଦ୍ଧିରେ ଗ୍ରାହକ ଅଣନିଶ୍ୱାସୀ ହେଉଥିବା ବେଳେ ସରକାର ନା ବେପାରୀ କେହି ଏଥିପ୍ରତି ସମ୍ବେଦନଶୀଳ ହେଉନାହାନ୍ତି । ପିଆଜ, ରସୁଣ, ଅଦାର ହଠାତ୍ ଦର ବୃଦ୍ଧି ଏବେ କେବଳ ଘରର ହାଣ୍ଡିଶାଳକୁ ପ୍ରଭାବିତ କରିନି, ହୋଟେଲ ଓ ଫାଷ୍ଟଫୁଡ୍ ଉପରେ ମଧ୍ୟ ବଡ଼ ପ୍ରଭାବ ପକାଇଛି । ରାସ୍ତା ପାଶ୍ୱର୍ରେ ବିକ୍ରି କରୁଥିବା ଦହିବରା ଆଳୁଦମ୍, ଚାଉମିନ୍, ମୋମୋଜ, ମଞ୍ଚୁରିଆନ୍ ବ୍ୟବସାୟୀମାନେ ଏବେ ଚିନ୍ତାରେ ପଡ଼ିଛନ୍ତି ।

ଅଧିକ ପଢ଼ନ୍ତୁ ;-  NIA Raid: ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲାରେ ୩ଟି ଜାଗାରେ ଏନ୍ଆଇଏର ଛାନ୍ଭିନ୍, ବିସ୍ଫୋରକ ସାମଗ୍ରୀ କେଉଁଠୁ ଆସିଥିଲା ଚାଲିଛି ତଥ୍ୟ ଖୋଜା​​​​​​​

ଓଡ଼ିଶାରେ ଏବେ ଉତ୍ତରପ୍ରଦେଶ କାନପୁର ରସୁଣର ରାଜ୍ ଚାଲିଛି । ଓଡ଼ିଶାରେ ରସୁଣ ଚାଷ ହେଉଥିବା ବେଳେ ତାହା ପର୍ଯ୍ୟାପ୍ତ ହୋଇପାରୁନି । ରସୁଣ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶରେ ସପ୍ତମ ସ୍ଥାନରେ ରହିଥିବା ବେଳେ ବର୍ଷକୁ ପ୍ରାୟ ୪୦ହଜାର ମେଟ୍ରିକ୍ ଟନ୍ ରସୁଣ ଅମଳ ହୋଇଥାଏ । ତଥାପି ଏହା ନିଅଣ୍ଟ ପଡ଼ୁଥିବାରୁ ବାହାରୁ ରସୁଣ ଆସୁଛି । ସେହିପରି କନ୍ଧମାଳ, କୋରାପୁଟ, ମୟୂରଭଞ୍ଜରେ ପ୍ରଚୁର ଅଦା ଚାଷ ହେଉଛି । ଏହାସତ୍ତେ୍ୱ ବେଙ୍ଗାଲୁରୁରୁ ଅଦା ଆସୁଛି । ତେବେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବଢ଼ିବା ଓ କର୍ପୋରେଟ୍ ସଂସ୍ଥାଙ୍କ ଦ୍ୱାରା ବଜାରୀକରଣ ହେବାରୁ ଅଦା, ରସୁଣ ଦର ବଢ଼ୁଥିବା ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି । କେବଳ ସେତିକିନୁହେଁ, ଅମଳ ହେଉଥିଲେ ସୁଦ୍ଧା ଓଡ଼ିଶାରେ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର ବି ନାହିଁ । ଏହାଫଳରେ ଅମଳ ହେଲେ ବି ରସୁଣ, ଅଦାକୁ ମହଜୁଦ ରଖିବାର କୌଣସି ସୁବିଧା ନଥିବା ସେ କହିଛନ୍ତି ।

ସେହିପରି ଆଜିକୁ ୧୫ଦିନ ହେବ ପିଆଜ ଦର ଖସିବାର ନାଁ ଧରୁନି । ପାଇକାରୀ ବଜାରରେ ପିଆଜ କୁଇଣ୍ଟାଲ ପିଛା ୩ହଜାର ଟଙ୍କା ହେଲାଣି । ହାଟରେ ପିଆଜ ୪୦ ଟଙ୍କାରେ ବିକ୍ରି ହେଉଛି । ନାସିକରୁ ପିଆଜ ଆସୁନଥିବାରୁ ଏଭଳି ସ୍ଥିତି ଲାଗିରହିଛି । ପିଆଜ ଚାଷ ବିଶାରଦ ପ୍ରଫେସର ପ୍ରଦ୍ୟୁମ୍ନଙ୍କ କହିବା ଅନୁସାରେ, ଏବେ ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼, କଳାହାଣ୍ଡି ବଲାଙ୍ଗିରରେ ପିଆଜ ଚାଷ ହେଉଛି । ଏହାସହ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଛୋଟ ପିଆଜ ହୁଏ । ଓଡ଼ିଶାରେ ରବି ଋତୁରେ ଚାଷ ହେଉଥିବା ପିଆଜ ମାର୍ଚ୍ଚ, ଏପ୍ରିଲ, ମେରେ ଅମଳ ହୁଏ । ଯାହା ଅକ୍ଟୋବର, ନଭେମ୍ବର ମାସ ଯାଏ ରାଜ୍ୟବାସୀଙ୍କ ଚାହିଦା ମେଣ୍ଟାଏ । ଏହାପରେ ଖରିଫ ଋତୁରେ ପିଆଜ ଚାଷ ହେଉଥିବା ବେଳେ ନଭେମ୍ବର, ଡିସେମ୍ବର, ଜାନୁଆରୀରେ ଅମଳ ହୁଏ । ହେଲେ ଖରିଫରେ ଅଳ୍ପ ପିଆଜ ଚାଷ ହେଉଛି । ଏଦିଗରେ ଦୃଷ୍ଟି ଦେବା ଆବଶ୍ୟକ । ସରକାର ଠିକ୍ ସମୟରେ ପିଆଜ ବିହନ ଯୋଗାଇବାକୁ ପଡ଼ିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।