Siya Goyal Confession: ‘କେତନକୁ ସବୁ ସତ କହିଥିଲି, ତଥାପି ସେ ବାହାଘର ଭାଙ୍ଗୁନଥିଲା...’, ପୁଣେ ହତ୍ୟାକାଣ୍ଡରେ ସିୟା ଗୋୟଲଙ୍କ ଚାଞ୍ଚଲ୍ୟକର ଖୁଲାସା !
ପୁଣେ, ୨୫।୬: ପୁଣେର ଚର୍ଚ୍ଚିତ ବିଲ୍ଡର ତଥା ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ଟ୍ୱିଷ୍ଟ । ପୁଲିସ ହେପାଜତରେ ଥିବା ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ଏବଂ ତାର ପ୍ରେମିକ ଚେତନ ଚୌଧୁରୀ ପୁଲିସ ଆଗରେ ହତ୍ୟାକାଣ୍ଡର ସମସ୍ତ କଳାକାରନାମାର ସତ ଉଗାଳିଛନ୍ତି । ପୁଲିସର ସୂଚନା ଅନୁଯାୟୀ, କେତନକୁ ହତ୍ୟା କରିବା କୌଣସି ଆକସ୍ମିକ ନିଷ୍ପତ୍ତି ନଥିଲା, ବରଂ ଏଥିପାଇଁ ଚତୁରତାର ସହ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ଏସବୁ ଭିତରେ ସିୟା ଏଭଳି ଏକ ସାଂଘାତିକ ଖୁଲାସା କରିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ସିୟା ଦାବି କରିଛି ଯେ, ସେ କେତନକୁ ନିଜ ପ୍ରେମ ସମ୍ପର୍କ ବିଷୟରେ ସବୁ କିଛି ସତ କହିଦେଇଥିଲା ଏବଂ ସେ ଏହି ବାହାଘର ଚାହୁଁନଥିଲା । ତଥାପି କେତନ ବାହାଘର ଭାଙ୍ଗିବାକୁ ପ୍ରସ୍ତୁତ ନଥିଲା ।
ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ସିୟା:
ପୁଣେ ଗ୍ରାମୀଣ ଏସପି ସନ୍ଦୀପ ସିଂହ ଗିଲ୍ଙ୍କ କହିବା ଅନୁଯାୟୀ, ତଦନ୍ତରୁ ଜଣାପଡ଼ିଛି ଯେ ସିୟା ହିଁ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା । ସେହି ହିଁ ନିଜ ପ୍ରେମିକ ଚେତନକୁ ହତ୍ୟା ପାଇଁ ଉସକାଇବା ସହ କେତନକୁ ଲୋହଗଡ଼ ଦୁର୍ଗକୁ ନେବା ପାଇଁ ଯୋଜନା କରିଥିଲା । ଏହା ପୂର୍ବରୁ ଜୁନ୍ ୧୪ ରେ ମଧ୍ୟ କେତନକୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା । ସେତେବେଳେ ପାହାଡ଼ରୁ ଠେଲିଦେବା ପରେ କେତନ ଏକ ଗଛ ଧରି ନିଜ ଜୀବନ ବଞ୍ଚାଇ ଦେଇଥିଲା । ପରେ ସିୟା "ତୁମକୁ ସାପ କାମୁଡ଼ିବାକୁ ଆସୁଥିଲା, ତେଣୁ ବଞ୍ଚାଇବାକୁ ଯାଇ ଠେଲିଦେଲି" ବୋଲି କହି ମିଛ କହିଥିଲା । ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ କେତନକୁ ରାସ୍ତାରୁ ହଟାଇବା ପାଇଁ ସିୟା ଓ ଚେତନ ୩ଟି ଭିନ୍ନ ଭିନ୍ନ ଯୋଜନା ପ୍ରସ୍ତୁତ କରିଥିଲେ । ସିୟା ପ୍ରଥମ ଯୋଜନାରେ କେତନକୁ ଲୋହଗଡ଼ ଦୁର୍ଗକୁ ବୁଲାଇବାକୁ ନେଇଥିଲା ଏବଂ ସେଠାରେ ଥିବା ଏକ ଗଭୀର ଖାଇକୁ 'ଡେଥ୍ ପଏଣ୍ଟ' ଭାବେ ବାଛିଥିଲା । ପାହାଡ଼ରୁ ଠେଲି ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ କେତନ ବଞ୍ଚି ଯାଇଥିଲା । ୧୮ ଜୁନ୍ରେ ଥିଲା ତାଙ୍କର ଦ୍ୱିତୀୟ ଯୋଜନା । ଏହି ଦିନ ସେମାନେ କେତନକୁ ହତ୍ୟା କରିବାରେ ସଫଳ ହୋଇଥିଲେ । ପୁଲିସ ସୂଚନା ଅନୁଯାୟୀ, ଯଦି ଲୋହଗଡ଼ ଦୁର୍ଗରେ ମଧ୍ୟ କେତନ ବଞ୍ଚି ଯାଇଥାନ୍ତା, ତେବେ ତାକୁ ଏକ ସଡ଼କ ଦୁର୍ଘଟଣାରେ ମାରିବା ପାଇଁ ତୃତୀୟ ପ୍ଲାନ୍ ପ୍ରସ୍ତୁତ ରଖିଥିଲା ସିୟା ।
"ଆମ ପରିବାର ବହୁତ ପଇସାବାଲା, ତୁ ଜୁଆଡ଼େ ଯିବୁ ଆମେ ଖୋଜି ବାହାର କରିବୁ":
ପୁଲିସ ଜେରା ବେଳେ ସିୟା କହିଛି ଯେ, ସେ କେତନକୁ କହିଥିଲା ଯେ ସେ ଚେତନକୁ ଭଲପାଏ ଏବଂ ଘରୁ ପଳାଇବାକୁ ଚାହୁଁଛି । ମାତ୍ର କେତନ କହିଥିଲା ଯେ, ଏବେ ବାହାଘର ଭାଙ୍ଗିବା ସମ୍ଭବ ନୁହେଁ । କେତନ ନିଜ ଆଭିଜାତ୍ୟର ଅହଂକାର ଦେଖାଇ କହିଥିଲା ଯେ, ତାଙ୍କ ପରିବାର ବହୁତ ପଇସାବାଲା, ସେ ସିୟାକୁ ଯେକୌଣସି ସ୍ଥାନରୁ ବି ଖୋଜି ବାହାର କରିପାରିବେ । ସିୟା ପରିବାର ଲୋକେ କେତନର ସମ୍ପତ୍ତି ଦେଖି ଏହି ବାହାଘର ପାଇଁ ତା’ ଉପରେ ଚାପ ପକାଉଥିଲେ । ଅପରପକ୍ଷରେ ଚେତନର ଆର୍ଥିକ ସ୍ଥିତି ଭଲ ନଥିବାରୁ ପରିବାର ଲୋକେ ତାକୁ ପସନ୍ଦ କରୁନଥିଲେ । ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ସିୟା ଓ ଚେତନ ଦୁହେଁ ଅତ୍ୟଧିକ ନିଶାସକ୍ତ ଥିଲେ । ପୁଲିସ ଆଗରେ ଦୁହେଁ ମଦ୍ୟପାନ କରିବା କଥା ସ୍ୱୀକାର କରିଛନ୍ତି । ସିୟା ଯୁକ୍ତ ଦୁଇ ପରେ ପାଠପଢ଼ା ଛାଡ଼ି ଦେଇଥିଲା ଏବଂ ତାର ଖରାପ ଅଭ୍ୟାସ ଯୋଗୁଁ ଘରଲୋକେ ଶୀଘ୍ର ବାହାଘର କରି ତାକୁ ସୁଧାରିବାକୁ ଚାହୁଁଥିଲେ । ହତ୍ୟାକାଣ୍ଡ ଦିନ ଚେତନ ନିଜ ପରିଚୟ ଲୁଚାଇବା ପାଇଁ ମୁହଁରେ ମାସ୍କ ଏବଂ ପୂରା ଶରୀର ଘୋଡ଼ାଇ ଲୋହଗଡ଼ ଦୁର୍ଗରେ ପହଞ୍ଚିଥିଲା । ସେଠାରେ ସେ ନିଜ ମୋବାଇଲ୍ ଫୋନକୁ ନିଜ ଦୋକାନରେ ଛାଡ଼ି ଆସିଥିଲା ଏବଂ ଜଣେ କର୍ମଚାରୀଙ୍କ ଫୋନ୍ ବ୍ୟବହାର କରୁଥିଲା, ଯେମିତିକି ପୁଲିସ ତାକୁ ଟ୍ରାକ୍ ନ କରିପାରେ । ମାତ୍ର ପୁଲିସ ସେହି କର୍ମଚାରୀଙ୍କ ମୋବାଇଲ୍ ଲୋକେସନ ଆଧାରରେ ଚେତନର ଗୁମର ଖୋଲିଛି ।
ଏହା ବି ପଢ଼ନ୍ତୁ... Ketan Agarwal Murder Case: ସତ ମାନିଲେ ସିୟା ଓ ପ୍ରେମୀ ଚେତନ ! ଖୋଲିଲା କେତନ ହତ୍ୟାକାଣ୍ଡର ଭୟଙ୍କର ସତ
କାନ୍ଦି କାନ୍ଦି ନ୍ୟାୟ ମାଗିଲେ ବୃଦ୍ଧ ଜେଜେବାପା:
କେତନର ମୃତ୍ୟୁ ପରେ ସିୟା ଯେତେବେଳେ ଦୁଃଖ ପ୍ରକାଶ କରିବାକୁ କେତନଙ୍କ ଘରକୁ ଯାଇଥିଲା, ସେତେବେଳେ ତାର ସନ୍ଦେହଜନକ ହାବଭାବ ଦେଖି ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା । କେତନର ଜେଜେବାପା ରାମବିଲାସ ଅଗ୍ରୱାଲ କୋହଭରା କଣ୍ଠରେ କହିଛନ୍ତି ଯେ, ଗୋୟଲ ପରିବାର ସହ ସେମାନଙ୍କର ୩୫ ବର୍ଷର ପୁରୁଣା ସମ୍ପର୍କ ଥିଲା । ସେମାନେ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ଯେ ତାଙ୍କର ହେବାକୁ ଥିବା ବୋହୂ ହିଁ ତାଙ୍କ ନାତିର ହତ୍ୟାକାରୀ ସାଜିବ । ପୁଅକୁ ହରାଇବା ପରେ ବାପା ବିଶାନ କହିଛନ୍ତି, "ଆମେ ଆମ ପରିବାରର ଏକମାତ୍ର ପୁଅକୁ ହରାଇଛୁ । ତାର କୌଣସି ଦୋଷ ନଥିଲା । ସରକାର ଏହି ମାମଲାର ଫାଷ୍ଟ ଟ୍ରାକ୍ କୋର୍ଟରେ ଶୁଣାଣି କରନ୍ତୁ ଏବଂ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଅନ୍ତୁ ।" ବର୍ତ୍ତମାନ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା ଜାରି ରଖିଛି ।