07 JULY 2026

Welcome!

Unlock your personalized experience.
Sign Up

Rayagada Mob Attack : କଲ୍ୟାଣସିଂହପୁର ଭିଡ଼ହିଂସା ମାମଲା, ସରିଲା ୨୪ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌, ବିଚାରପତିଙ୍କ ଆଗରେ ପୀଡ଼ିତାଙ୍କ ବୟାନ ରେକର୍ଡ

Jul 07, 2026 - 11:36
Rayagada Mob Attack : କଲ୍ୟାଣସିଂହପୁର ଭିଡ଼ହିଂସା ମାମଲା, ସରିଲା ୨୪ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌, ବିଚାରପତିଙ୍କ ଆଗରେ ପୀଡ଼ିତାଙ୍କ ବୟାନ ରେକର୍ଡ

ରାୟଗଡ଼ା/ବିଷମକଟକ,୦୭/୦୭: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଇନ୍ତାଲିଗୁଡ଼ା ଭିଡ଼ହିଂସା ମାମଲାରେ ପୁଲିସ୍ ଆଉ ପାଦେ ଆଗେଇଛି । ବିଷମକଟକ କାରାଗାରରେ ସୋମବାର ୨୪ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରାଇଛି । ବିଷମକଟକ ଜେଏମ୍ଏଫ୍‌ସି ବିଚାରପତି ପୂଜା ଜୈନଙ୍କ ଉପସ୍ଥିତିରେ ଏହା କରାଯାଇଛି । ଏଥିସହ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ଭିଡ଼ହିଂସା ମାମଲାରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଥିରେ ସମ୍ପୃକ୍ତ କୌଣସି ଅଭିଯୁକ୍ତକୁ ଛଡ଼ାଯିବ ନାହିଁ ବୋଲି ପୂର୍ବରୁ କହିଥିଲେ ଏସ୍‌ପି ରାଜ୍ ପ୍ରସାଦ ।

ସେହି ଆଧାରରେ ରବିବାର ରାୟଗଡ଼ା କାରାଗାରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୁଲିସ୍ ସମସ୍ତ ଅଭିଯୁକ୍ତଙ୍କୁ ବିଷମକଟକ କାରାଗାରକୁ ନେଇଥିଲା । ସୋମବାର ପୂର୍ବାହ୍ଣରେ ସେଠାରେ ପୀଡ଼ିତାଙ୍କ ଦ୍ୱାରା ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିଲା । ଜେଏମ୍ଏଫ୍‌ସିଙ୍କ ସମ୍ମୁଖରେ ପୀଡ଼ିତା ଘଟଣା ସମ୍ପର୍କରେ କହିଥିଲେ । ଏହି ସମୟରେ ପୀଡ଼ିତାଙ୍କ ସମସ୍ତ ବୟାନ ରେକର୍ଡ କରାଯାଇଥିଲା । ମାମଲାରେ ସମ୍ପୃକ୍ତ କେତେକ ଅଭିଯୁକ୍ତଙ୍କୁ ପୀଡ଼ିତା ଚିହ୍ନଟ କରିଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ :-  କଲ୍ୟାଣସିଂହପୁର ଭିଡ଼ ହିଂସା ଆକ୍ରମଣ ମାମଲାରେ ଆଉ ୩ ଜଣଙ୍କୁ ବାନ୍ଧିଲା ପୁଲିସ, ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ

ସୂଚନାଥାଉ କି, ଦିଲ୍ଲୀର ସୁମନ ଝା’ ଓ ଗୁଜରାଟର ଜଣେ ସାଥୀ ଏକ ସ୍ୱେଚ୍ଛାସେବୀ ସଂସ୍ଥାର ଫେଲୋସିପ୍ କାର୍ଯ୍ୟକ୍ରମରେ ଯୋଗଦେଇ ଆଦିବାସୀ ଅଞ୍ଚଳରେ କାମ କରୁଥିଲେ । ଗତ ଜୁନ୍ ୧୬ ତାରିଖରେ ଦାରିଙ୍ଗବାଡ଼ିରୁ କଳାହାଣ୍ଡିର ଥୁଆମୂଳରାମପୁର ଯାଉଥିଲେ । ଗୁଗୁଲ୍ ମ୍ୟାପ୍ରେ ଭୁଲ୍ ରାସ୍ତା ଦେଖାଇବାରୁ ସେମାନେ କଲ୍ୟାଣସିଂହପୁର ଅଞ୍ଚଳରେ ପହଞ୍ଚିଥିଲେ । ପ୍ରଥମେ ଲାଞ୍ଜିଗଡ଼ ବ୍ଲକ୍ ସିଲେଟ୍ ପଞ୍ଚାୟତର ଦାଣ୍ଡପଦର, କାନ୍ଦୁଲଗୁଡ଼ା ଓ ସାନକୁଆଙ୍ଗରେ ସେମାନେ ଦୁର୍ବ୍ୟବହାରର ଶିକାର ହୋଇଥିଲେ । ପରେ କଲ୍ୟାଣସିଂହପୁର ବ୍ଲକ୍ ଧାମୁଣିପଙ୍ଗା ପଞ୍ଚାୟତର ପେଡ଼ିପଦର, ଧାମୁଣିପଙ୍ଗା, କଟିକିନାଳ ଓ କଦଭଟ୍ଟାରେ ମଧ୍ୟ ହଇରାଣ ହୋଇଥିଲେ । ସେମାନେ ପିଲାଚୋର ବୋଲି ଗୁଜବ ପ୍ରଚାରିତ ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । କଲ୍ୟାଣସିଂହପୁର ସଦର ପଞ୍ଚାୟତର ଇନ୍ତାଲିଗୁଡ଼ା ଓ ସାଇନଗର ଅଞ୍ଚଳରେ ଶତାଧିକ ଲୋକଙ୍କ ଭିଡ଼ ଜମା ହୋଇଥିଲା । ଉଭୟ ସ୍ୱେଚ୍ଛାସେବୀଙ୍କୁ ସେଠାରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ମାମଲାରେ ପୁଲିସ୍ ୨୪ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ମୋଟ ୫୦ ଜଣଙ୍କ ନାଁରେ ପୁଲିସ୍ ମାମଲା ରୁଜୁ ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।