Odisha Next DGP :ଓଡ଼ିଶା ପାଇବ ନୂଆ ଡିଜିପି, ଶୁକ୍ରବାର ବସିବ ଚୟନ କମିଟି ବୈଠକ
ଭୁବନେଶ୍ବର (ପ୍ରମେୟ ଡିଜିଟାଲ): କିଏ ହେବ ଓଡ଼ିଶାର ନୂଆ ପୁଲିସ ଡିଜି? ପାଓ୍ବାର କରିଡରରେ ଏବେ ଏହାକୁ ନେଇ ଲାଗି ରହିଛି ଚର୍ଚ୍ଚା। ଶୁକ୍ରବାର ବସିବ ଚୟନ କମିଟି ବୈଠକ। ଓଡ଼ିଶା ନୂଆ ଡିଜିପିଙ୍କୁ କରାଯିବ ଚୟନ। ତେବେ କାହା ମୁଣ୍ଡରେ ହାତୀ କଳସ ଢ଼ାଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବରିଷ୍ଠତା ଦୃଷ୍ଟିରୁ ୩ଜଣଙ୍କ ନାମ ଚର୍ଚ୍ଚାରେ ରହିଛି। ଏମାନଙ୍କ ମଧ୍ୟରେ ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଫିସର ତଥା ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚ୍ର ଜେଲ ଡିଜି ସୁଶାନ୍ତ ନାଥ ଓ ଗୋଇନ୍ଦା ଡିଜି ଆର୍ପି କୋଚେ। ତେବେ ଅଗଷ୍ଟ ୧୬ରେ ରାଜ୍ୟ ପୁଲିସ ମୁଖ୍ୟ ୧୯୯୦ ବ୍ୟାଚର ଆଇପିଏସ୍ ୱାଇ ବି ଖୁରାନିଆ ଅବସର ନେଉଛନ୍ତି। ଏହାପୂର୍ବରୁ ଚୟନ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ ଅନଯାୟୀ ଡିଜିପି ଚୟନ କରାଯିବ। ସୁପ୍ରିମ କୋର୍ଟ ଆଧାରରେ ୟୁପିଏସ୍ସି ଚେୟାରମ୍ୟାନ୍ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ନୂଆଦିଲ୍ଲୀରେ ଚୟନ କମିଟିର ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବଙ୍କ ସମେତ ରାଜ୍ୟ ମୁଖ୍ୟ ସଚିବ ଅନୁ ଗର୍ଗ ଓ ପୁଲିସ ଡିଜି ଖୁରାନିଆ ମଧ୍ୟ ସଦସ୍ୟ ଭାବେ ଯୋଗଦେବେ। ୟୁପିଏସସି ଗାଇଡ୍ଲାଇନ୍ ଅନୁସାରେ ଡିଜିପି ଚୟନ ପାଇଁ ଗତ ମେ’ ୧୪ ତାରିଖରେ ୧୧ ଜଣ ବରିଷ୍ଠ ଆଇପିଏସ୍ଙ୍କ ନାଁ ୟୁପିଏସସିକୁ ପଠାଇଛନ୍ତି ରାଜ୍ୟ ସରକାର । ସେମାନେ ହେଲେ ୧୯୯୦ ବ୍ୟାଚର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚର ଆଇପିଏସ୍ ସୁଶାନ୍ତ ନାଥ ଓ ୧୯୯୩ ବ୍ୟାଚର ଆଇପିଏସ ଆର୍ ପି କୋଚେ । ୧୯୯୪ ବ୍ୟାଚର ଏଡିଜି ସଞ୍ଜୀବ ପଣ୍ଡା, ୟଶୱନ୍ତ କୁମାର ଜେଠୱା, ୧୯୯୫ ବ୍ୟାଚର ରିତୁ ଅରୋରା, ସୌମେନ୍ଦ୍ର ପ୍ରିୟଦର୍ଶୀ, ସନ୍ତୋଷ ବାଲା, ପି ଏସ୍ ରଣପିସେ, ୧୯୯୬ ବ୍ୟାଚର ଅରୁଣ ବୋଥ୍ରା ଓ ସୁନୀତା କାକରନ । ଏମାନଙ୍କ ମଧ୍ୟରୁ ଆଇପିଏସ୍ ରୀତୁ ଅରୋରା, ପିଏସ୍ ରଣପିସେ ଓ ସୁନୀତା କାକରନ ଏବେ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ୟୁପିଏସ୍ସି କର୍ତ୍ତୃପକ୍ଷ ବରିଷ୍ଠତା ଆଧାରରେ ୩ଜଣ ଆଇପିଏସ୍ ଅଧିକାରୀଙ୍କ ନାମ ରାଜ୍ୟ ସରକାରଙ୍କୁ ସୁପାରିସ କରିବେ। ହେଲେ କିଏ ଓଡ଼ିଶା ପୁଲିସ ଡିଜି ଚୌକିରେ ବସିବେ ତାହାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି।
ଅଧିକ ପଢ଼ନ୍ତୁ :- Shampur Demolition Drive: ଭୁବନେଶ୍ୱର ଶ୍ୟାମପୁରରେ ବଡ଼ ଧରଣର ଉଚ୍ଛେଦ, ପ୍ରାୟ ୩ ଏକର ଜମି ଜବରଦଖଲ ହଟାଇବାକୁ ବୁଲିଲା ବୁଲଡେଜର
ୟୁପିଏସ୍ସି ଗାଇଡ୍ଲା ଇନ୍ ଅନୁସାରେ ଡିଜିପି ପାଇଁ ଚାକିରି କାର୍ଯ୍ୟକାଳ ୨୫ରୁ ୩୦ ବର୍ଷ ହୋଇଥିବ । ଚାକିରିକାଳର ଭଲ ରେକର୍ଡ ଏବଂ ଅଭିଜ୍ଞତା ଥିବା ଆବଶ୍ୟକ । ଅବସର ପୂର୍ବରୁ ଅଧିକାରୀଙ୍କର ସେବାର ଅବଶିଷ୍ଟତା ଅତି କମରେ ୬ ମାସ ରହିବା ଆବଶ୍ୟକ । ୟୁପିଏସ୍ସି ବୈଠକରେ ତିନି ଜଣ ଅଧିକାରୀଙ୍କୁ ଚୟନ କରାଯିବ। ଏ ସବୁ ନିଶ୍ଚିତ ହେବ ପରେ ଜଣକ ନାଁରେ ଚୂଡ଼ାନ୍ତ ମୋହର ମାରିବେ ସରକାର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି PRAMEYA - ପ୍ରମେୟ ଦେଖନ୍ତୁ।