Nirav Modi: ଲଣ୍ଡନ ହାଇକୋର୍ଟରେ ନୀରବ ମୋଦିଙ୍କୁ ଶକ୍ତ ଝଟକା, ୧୦୦ କୋଟିର ମାମଲା ଜିତିଲା ବ୍ୟାଙ୍କ ଅଫ୍ ଇଣ୍ଡିଆ
ନୂଆଦିଲ୍ଲୀ, ୨୪।୬: ଫେରାର ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ବ୍ରିଟେନ ଅଦାଲତରୁ ଲାଗିଛି ଏକ ବଡ଼ ଝଟ୍କା । ଲଣ୍ଡନ ହାଇକୋର୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସପକ୍ଷରେ ରାୟ ଶୁଣାଇବା ସହ ବ୍ୟାଙ୍କର ୧୦.୭ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କାର ଋଣ ପରିଶୋଧ କରିବା ପାଇଁ ନୀରବଙ୍କୁ ଦାୟୀ କରିଛନ୍ତି । ଲଣ୍ଡନ କମର୍ସିଆଲ କୋର୍ଟର ବିଚାରପତି ସାଇମନ ଟିଙ୍କଲର ମଙ୍ଗଳବାର ଏହି ଗୁରୁତ୍ୱପୂର୍ଣ୍ଣ ସେକ୍ଟର ଉପରେ ଶୁଣାଣି କରି କହିଛନ୍ତି ଯେ, ନୀରବ ମୋଦୀ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ନିଆଯାଇଥିବା ଋଣ ପାଇଁ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ । ତେଣୁ ସେ ଆଇନଗତ ଭାବେ ଏହି ବକେୟା ଅର୍ଥ ଫେରସ୍ତ କରିବାକୁ ବାଧ୍ୟ ।
ଅଦାଲତଙ୍କ ସୂଚନା ଅନୁଯାୟୀ, ନୀରବ ମୋଦୀଙ୍କ ଉପରେ ମୂଳ ଧନ ବାବଦକୁ ପ୍ରାୟ ୪.୧ ମିଲିୟନ ଡଲାର ଯାହା ପ୍ରାୟ ୩୮.୯ କୋଟି ଟଙ୍କାର ଦେୟ ରହିଛି । ଏହା ବ୍ୟତୀତ ବ୍ୟାଙ୍କର ନିୟମ ଅନୁସାରେ ସୁଧ ମଧ୍ୟ ଏଥିରେ ଯୋଡ଼ାଯିବ । ଅପରପକ୍ଷରେ ନୀରବ ମୋଦୀ ବ୍ୟାଙ୍କର ଏହି ଦାବିକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ବ୍ୟକ୍ତିଗତ ଗ୍ୟାରେଣ୍ଟି କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ନୀରବଙ୍କ ଓକିଲମାନେ ଯୁକ୍ତି ବାଢ଼ିଥିଲେ । ନୀରବ ଏହା ମଧ୍ୟ ଦାବି କରିଥିଲେ ଯେ, ୨୦୧୮ ଏପ୍ରିଲ୍ ଏବଂ ୨୦୨୫ ଅକ୍ଟୋବରରେ ବ୍ୟାଙ୍କ ପକ୍ଷରୁ ପଠାଯାଇଥିବା ନୋଟିସ୍ ତାଙ୍କୁ ମିଳିନଥିଲା, କାରଣ ସେହି ସମୟରେ ସେ ଭାରତରେ ନଥିଲେ । ମାତ୍ର ବିଚାରପତି ସାଇମନ ଟିଙ୍କଲର ନୀରବଙ୍କ ସମସ୍ତ ଆବେଦନକୁ ଖାରଜ କରି କହିଛନ୍ତି ଯେ, ବ୍ୟାଙ୍କର ନୋଟିସ୍ ସଠିକ୍ ଠିକଣାରେ ପହଞ୍ଚାଯାଇଥିଲା । ଏପରିକି ଅକ୍ଟୋବର ୨୦୨୫ର ନୋଟିସ୍ ନୀରବ ରହୁଥିବା ଜେଲ୍ ଠିକଣାକୁ ମଧ୍ୟ ପଠାଯାଇଥିଲା ।
ଏହା ବି ପଢ଼ନ୍ତୁ... Heatwave: ଫ୍ରାନ୍ସରେ ୪୩ ଡିଗ୍ରୀ ଡେଇଁବ ପାରଦ ! ୨୦୦୩ର ସେହି ଭୟଙ୍କର 'ହିଟ୍ ୱେଭ୍', ମନେପଡ଼ିଲେ ଥରି ଉଠୁଛି ଛାତି
କ'ଣ ଥିଲା ପୂରା ମାମଲା ?
ଘଟଣାଟି ୨୦୧୨ ମସିହାର, ଯେତେବେଳେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦୁବାଇସ୍ଥିତ ନୀରବ ମୋଦୀଙ୍କ କମ୍ପାନୀ 'ଫାୟାରଷ୍ଟାର ଡାଇମଣ୍ଡ FZE' କୁ ଋଣ ପ୍ରଦାନ କରିଥିଲା । ଏହି ଋଣ ପାଇଁ ନୀରବ ମୋଦୀ ୩ ଅଗଷ୍ଟ ୨୦୧୩ ରେ ବ୍ୟାଙ୍କ ସହ ଏକ ବ୍ୟକ୍ତିଗତ ଗ୍ୟାରେଣ୍ଟି ଚୁକ୍ତି ସ୍ୱାକ୍ଷର କରିଥିଲେ । ୨୦୧୮ ମସିହାରେ ଯେତେବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ର ହଜାର ହଜାର କୋଟି ଟଙ୍କାର ମହାଘୋଟାଲା ସାମ୍ନାକୁ ଆସିଲା, ସେତେବେଳେ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର ଋଣ ଟଙ୍କା ଫେରସ୍ତ ମାଗିବା ପ୍ରକ୍ରିୟା ଆରମ୍ଭ କରିଥିଲା । ବର୍ତ୍ତମାନ ନୀରବ ମୋଦୀ ଲଣ୍ଡନର ଏକ ଜେଲରେ ବନ୍ଦୀ ଅଛନ୍ତି ଏବଂ ଭାରତ ପ୍ରତ୍ୟାର୍ପଣ ବିରୋଧରେ ଆଇନଗତ ଲଢ଼େଇ ଲଢ଼ୁଛନ୍ତି । ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ବଡ଼ ବିଜୟ ବିଦେଶରେ ଫସି ରହିଥିବା ଭାରତୀୟ ବ୍ୟାଙ୍କଗୁଡ଼ିକର ଋଣ ଆଦାୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି ।