kalyansinghpur Case : କଲ୍ୟାଣସିଂହପୁର ଭିଡ ହିଂସା ମାମଲା ହେଲା ରେଡ୍ ଫ୍ଲାଗ୍
ରାୟଗଡ଼ା,୨୧।୬ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଠାରେ ପିଲାଚୋରି ସନ୍ଦେହରେ ଘଟିଥିବା ଭିଡ଼ ହିଂସା ଘଟଣାର ଗୁରୁତ୍ୱ ଏବଂ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ଡିଜି ଏହି ମାମଲାକୁ ତୁରନ୍ତ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହାର ମନିଟରିଂ ଦାୟିତ୍ୱ 'କ୍ରାଇମ୍ ଆଗେନ୍ଷ୍ଟ୍ ଉଇମେନ୍' (CAW) ଶାଖାକୁ ପ୍ରଦାନ କରିଛନ୍ତି।
ଏଡିଜି (ADG) ସିଏଡବ୍ଲ୍ୟୁ (CAW) ଏସ୍. ସାଇନିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ରାୟଗଡ଼ା ଗସ୍ତ କରିବେ। ଆବଶ୍ୟକ ପଡ଼ିଲେ ତଦନ୍ତ ପାଇଁ ଏହି ଟିମ୍ ଦିଲ୍ଲୀ ମଧ୍ୟ ଯାଇପାରେ। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ୨୩ ଜଣଙ୍କୁ ଗିରଫ କରାଯାଇଛି। ଭାଇରାଲ୍ ଭିଡିଓ ଆଧାରରେ ଅନ୍ୟ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରାଯାଉଥିବାରୁ ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିବ। ଯେଉଁମାନେ ଘଟଣାର ଭିଡିଓ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଛନ୍ତି, ସେମାନଙ୍କ ବିରୋଧରେ ଆଇଟି ଆକ୍ଟ ବଳରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦକ୍ଷିଣ-ପୂର୍ବାଞ୍ଚଳ ଡିଆଇଜି (DIG) ଅଖିଳେଶ୍ୱର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ଜାରି ରହିଛି।