India reply to Pakistan: କରାଚୀ ଆକ୍ରମଣକୁ ନେଇ ଭାରତ ଉପରକୁ ବିଷ ଓଗାଳିଲା ପାକିସ୍ତାନ; MEA କହିଲା 'ଅନ୍ୟକୁ ଆଙ୍ଗୁଠି ଦେଖାଇବା ବନ୍ଦ କର'
ନୂଆଦିଲ୍ଲୀ, ୨୯।୬: ପାକିସ୍ତାନର କରାଚୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 'ଭାରତୀୟ ଏଜେଣ୍ଟ' ସାମିଲ ଥିବା ଅଭିଯୋଗକୁ ଭାରତ ସମ୍ପୂର୍ଣ୍ଣ ଭିତ୍ତିହୀନ କହି ପ୍ରତ୍ୟାଖ୍ୟାନ କରିଛି । ଏଥିସହ ପାକିସ୍ତାନକୁ ଅନ୍ୟ ଉପରକୁ ଆଙ୍ଗୁଠି ଉଠାଇବା ପୂର୍ବରୁ ନିଜ ଦେଶରେ ଚାଲିଥିବା ଆତଙ୍କବାଦୀ ମଡ୍ୟୁଲ୍କୁ ଶେଷ କରିବା ପାଇଁ ପରାମର୍ଶ ଦେଇଛି ଭାରତ । ବୈଦେଶିକ ମନ୍ତ୍ରଣାଳୟ (MEA) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ପାକିସ୍ତାନ ଅନ୍ୟ ଉପରେ ଦୋଷ ଲଦିବା ଅପେକ୍ଷା ନିଜ ଭିତରକୁ ଚାହିଁବା ଉଚିତ୍ । ପାକିସ୍ତାନର କରାଚୀସ୍ଥିତ ‘ପାକିସ୍ତାନ ରେଞ୍ଜର୍ସ (ସିନ୍ଧ)’ର ଗୁଲିସ୍ତାନ-ଇ-ଜୋହର କ୍ୟାମ୍ପ ଉପରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୩ ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିବା ବେଳେ ୩ ଜଣ ସଶସ୍ତ୍ର ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ସେହିପରି ଜଣେ ଆହତ ଆତଙ୍କବାଦୀକୁ ଗିରଫ କରାଯାଇଛି । ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକଭି ଏହି ଆକ୍ରମଣ ପଛରେ ଜଣେ 'ଭାରତୀୟ ଏଜେଣ୍ଟ' ସାମିଲ ଥିବା ଦାବି କରିଥିଲେ ସୁଦ୍ଧା ଏହାର କୌଣସି ପ୍ରମାଣ ଦେଇପାରିନାହାନ୍ତି ।
ପାକିସ୍ତାନର ଅଭିଯୋଗକୁ ଖଣ୍ଡନ କଲା ଭାରତ:
ପାକିସ୍ତାନର ଏହି ମିଥ୍ୟା ଦାବି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହାକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, "ଆମେ କରାଚୀ ଘଟଣାକୁ ନେଇ ଭାରତ ବିରୋଧରେ ପାକିସ୍ତାନ ଲଗାଇଥିବା ଅଭିଯୋଗର ରିପୋର୍ଟ ଦେଖିଛୁ । ଆମେ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରୁଛୁ ।" ରଣଧୀର ଜୈସୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟମାନଙ୍କୁ ଦୋଷ ଦେବା ବଦଳରେ ପାକିସ୍ତାନ ନିଜ ଭିତରକୁ ଝାଙ୍କି ଦେଖିବା ଉଚିତ୍ । ନିଜ ମାଟିରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ ଦୃଢ଼ ଓ ବିଶ୍ୱସନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆତଙ୍କବାଦକୁ ନିଜର ସରକାରୀ ନୀତି ଭାବେ ବ୍ୟବହାର କରିବା ବନ୍ଦ କରୁ ।
ଏହା ବି ପଢ଼ନ୍ତୁ... Pakistan Airstrike Afghanistan: ପାକିସ୍ତାନର ବର୍ବରତା, ଅଧରାତିରେ ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍; ଆତଙ୍କବାଦୀ ନାଁରେ ୩୫ ନିରୀହଙ୍କୁ ହତ୍ୟା !
ପାକିସ୍ତାନୀ ସେନାର ମିଡିଆ ୱିଙ୍ଗ 'ଇଣ୍ଟର-ସର୍ଭିସେସ୍ ପବ୍ଲିକ ରିଲେସନ୍ସ' (ISPR) ରବିବାର ଜାରି କରିଥିବା ବ୍ୟାନରେ କହିଛି ଯେ, ଏହି ଆକ୍ରମଣ ପ୍ରତିବନ୍ଧିତ ସଂଗଠନ 'ଜମାତ-ଉଲ-ଅହରାର'ର ଆତଙ୍କବାଦୀମାନେ କରିଛନ୍ତି । ଆତଙ୍କବାଦୀମାନେ ପ୍ରଥମେ କ୍ୟାମ୍ପର ମୁଖ୍ୟ ଫାଟକ ନିକଟରେ ବିସ୍ଫୋରଣ କରି କ୍ୟାମ୍ପସ ମଧ୍ୟକୁ ପଶିବାକୁ ଚେଷ୍ଟା କରୁଥିଲେ, ମାତ୍ର ସେନା ଯବାନମାନେ ସେମାନଙ୍କର ଏହି ମନ୍ଦ ଉଦ୍ଦେଶ୍ୟକୁ ପଣ୍ଡ କରିଦେଇଥିଲେ । ସୂଚନାଯୋଗ୍ୟ, 'ଜମାତ୍-ଉଲ-ଅହରାର' ହେଉଛି ପ୍ରତିବନ୍ଧିତ ସଂଗଠନ 'ତେହରିକ-ଇ-ତାଲିବାନ ପାକିସ୍ତାନ' (ଟିଟିପି) ରୁ ଅଲଗା ହୋଇଥିବା ଏକ ଗୋଷ୍ଠୀ ।