30 JUNE 2026

Welcome!

Unlock your personalized experience.
Sign Up

Illegal opium cultivation: ଝାଡ଼ଖଣ୍ଡ ବେପାରୀଙ୍କ ପାଇଁ ଅଫିମ କ୍ଷେତ ଓଡ଼ିଶା, ଶିମିଳିପାଳ କୋର୍‌ ଏରିଆରେ ଚାଲିଛି ଅବାଧ ଚାଷ, ରାଜନେତାଙ୍କ ଛତ୍ରଛାୟା ତଳେ ମାଫିଆ

Jun 30, 2026 - 08:59
Illegal opium cultivation: ଝାଡ଼ଖଣ୍ଡ ବେପାରୀଙ୍କ ପାଇଁ ଅଫିମ କ୍ଷେତ ଓଡ଼ିଶା, ଶିମିଳିପାଳ କୋର୍‌ ଏରିଆରେ ଚାଲିଛି ଅବାଧ ଚାଷ, ରାଜନେତାଙ୍କ ଛତ୍ରଛାୟା ତଳେ ମାଫିଆ

ଭୁବନେଶ୍ୱର, ୩୦/୦୬: ଶିମିଳିପାଳ ଜାତୀୟ ଉଦ୍ୟାନ । ‘ପ୍ରକୃତି ରାଣୀ’ର ଅପରୂପ ସୌନ୍ଦର୍ଯ୍ୟ ଅବଲୋକନ ନିମନ୍ତେ ଦେଶବିଦେଶରୁ ପର୍ଯ୍ୟଟକ ଧାଡ଼ି ବାନ୍ଧୁଛନ୍ତି । ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ବିକାଶ ଓ ସୁରକ୍ଷା ଦିଗରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏବେ ଏହି ସୁରକ୍ଷିତ ଅଞ୍ଚଳରେ ‘ଅଫିମ’ର ଚେର ବହୁ ଗଭୀରକୁ ଯାଇ ସାରିଲାଣି । ଚେର ବଢ଼ୁଛି ସରକାରୀ କଳର ସୁରକ୍ଷାରେ । ରୋକିବାକୁ କେହି ନାହିଁ । ‘ପ୍ରକୃତି ରାଣୀ’ ଏବେ ଅଫିମ ନିଶାରେ ମସଗୁଲ ହେଲାଣି ।

ଦୁଇ ଦିନ ତଳେ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀ ଏକ ଗଞ୍ଜେଇ ରାକେଟର ପର୍ଦ୍ଦାଫାଶ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଉଥିଲେ । ସେ କହିଥିଲେ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ନିର୍ଦ୍ଦେଶରେ ଓଡ଼ିଶାକୁ ‘ନଶାମୁକ୍ତ ରାଜ୍ୟ’ରେ ପରିଣତ କରାଯାଉଛି । କିନ୍ତୁ ବାସ୍ତବତା ଏହା ଯେ, ଉତ୍ତର ଓଡ଼ିଶାର ଗଳିକନ୍ଦିରେ ବ୍ରାଉନସୁଗର ଡିଲର ବୁଲୁଛନ୍ତି । ଦକ୍ଷିଣ ଓଡ଼ିଶା ଏବେ ‘ଶିଳାବତୀ’ ଗଞ୍ଜେଇର ହବ୍ ଭାବେ ଦେଶ ବିଦେଶରେ ପରିଚିତି ପାଇଛି । ଏ ଦୁଇ ନିଶା ପରେ ଅଫିମର କାରବାର ଏବେ ବିଭିନ୍ନ ଜିଲ୍ଲାକୁ ବ୍ୟାପୁଛି । ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହାର ଚାଷ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ।

ଶିମିଳିପାଳ ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର କୋର୍ ଏରିଆରେ ହେଉଛି ଅଫିମ ଚାଷ । ଯାହାକି ପ୍ରକୃତି ପ୍ରେମୀ ଓ ପରିବେଶବିତ୍‌ଙ୍କ ବିସ୍ମିତ କରିବା ସହ କ୍ଷୋଭ ସୃଷ୍ଟି କରିଛି । ଅଭୟାରଣ୍ୟର କୋର୍ ଏରିଆ ଏବଂ ପାଦଦେଶର ବାକୁଆ, କୁକୁରଭୁକା, ଜେନାବିଲ, ଗୋପୀନାଥପୁର, ବନ୍ଦିରବାସା ଏବଂ ଅସନବଣିରେ ବ୍ୟାପକ ଅଞ୍ଚଳରେ ଅଫିମ ଚାଷ ଭିନ୍ନ ଭିନ୍ନ ବର୍ଷରେ ନଜରକୁ ଆସିଛି । ଯଶିପୁର ଥାନା ଅନ୍ତର୍ଗତ ନହଣା, ଗୁଡ଼ୁଗୁଡ଼ିଆ ଏବଂ ବରେହିପାଣି ପଞ୍ଚାୟତରେ ଅଛି ମୋଟ ୬୪ ଗ୍ରାମ । ଏଗୁଡ଼ିକ ଜାତୀୟ ଉଦ୍ୟାନ ମଧ୍ୟରେ ରହିଛି । ଏଥିରୁ ୪ଟି ଗାଁ ଅଧିବାସୀଙ୍କୁ ଇତି ମଧ୍ୟରେ ସରକାରୀ ନିଷ୍ପତ୍ତିରେ ଅନ୍ୟତ୍ର ଥଇଥାନ କରାଯାଇଛି । ଅବଶିଷ୍ଟ ଯେଉଁମାନେ ରହିଲେ ସେମାନଙ୍କ ମଧ୍ୟରୁ ୬/୭ଟି ଗ୍ରାମର ଲୋକଙ୍କୁ ପ୍ରଭାବିତ କରିଛନ୍ତି ପଡ଼ୋଶୀ ଝାଡ଼ଖଣ୍ଡର ଅଫିମ ମାଫିଆମାନେ । କେତେକଙ୍କୁ ଅଫିମ ଚାଷର ଗୁମାସ୍ତା ବନାଇ ଦେଇଛନ୍ତି।

ଘନ ଜଙ୍ଗଲ ମଧ୍ୟରେ ପଶୁପକ୍ଷୀଙ୍କ ବିଚରଣସ୍ଥଳରେ ସରକାରୀ ଜମିକୁ କରାଯାଉଛି ଦଖଲ । ଅତ୍ୟାଧୁନିକ ପଦ୍ଧତିରେ ହେଉଛି ଚାଷ । ଅଫିମ ଅମଳ ହୋଇ ବିଭିନ୍ନ ମାଧ୍ୟମରେ ଝାଡ଼ଖଣ୍ଡ/ପଶ୍ଚିମବଙ୍ଗ ଚାଲାଣ ହେଉଛି । ଅଫିମ ଫଳର ବଳକା ଅଂଶ ରହିଥାଏ ଗୁମାସ୍ତାଙ୍କ ପାଖରେ । ସେଥିରୁ ‘ପୋସ୍ତ’ ପ୍ରସ୍ତୁତ କରି ସ୍ଥାନୀୟ ବଜାରରେ କମ୍ ଦରରେ ବିକ୍ରି ହୋଇଥାଏ । ଚାଲାଣ ହେଉଥିବା ଅଫିମରୁ ମିଳୁଥିବା ଅର୍ଥର ୮୦ ପ୍ରତିଶତ ମାଫିଆ ନେଉଥିବା ବେଳେ ୨୦ ପ୍ରତିଶତ ଗୁମାସ୍ତାଙ୍କୁ ମିଳେ । ଗୁମାସ୍ତା ସ୍ଥାନୀୟ ଯୁବକ ଓ ଚାଷୀମାନଙ୍କୁ ଏହି ଅର୍ଥ ବଳରେ ନିଜ କବଜାରେ ରଖୁଛନ୍ତି । ୨୦୨୪ ଓ ୨୦୨୫ରେ କେବଳ ଶିମିଳିପାଳ ଜଙ୍ଗଲରେ ୪୦ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କରାଯାଇଥିବା ସରକାରୀ ତଥ୍ୟ କହୁଛି । ସରକାରୀ ଭାବେ ଅଫିମ କିଲୋ ଦର ୧୮ ଶହ ଟଙ୍କାରୁ କିଛି ଅଧିକ ଥିବା ବେଳେ ଚୋରାବଜାରରେ ଏହାର ଦର କିଲୋ ପ୍ରତି ୬୦ ହଜାରରୁ ଲକ୍ଷେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରହୁଛି । ଯଦି ଟିକେ ଉନ୍ନତ ମାନର ହୋଇଥିବ ତାହା ହେଲେ ଦର ଅଧିକ ହେବା ନିଶ୍ଚିତ । ସାଧାରଣତଃ ଅଫିମ ଚାଷରେ ଏକ ଏକର ଜମିରୁ ୧୦ରୁ ୨୦ କିଲୋ ଫସଲ ମିଳୁଥିବା କୁହାଯାଏ । କିନ୍ତୁ ଓଡ଼ିଶାରେ ଶିମିଳିପାଳ ଓ ଅନ୍ୟାନ୍ୟ ଅଞ୍ଚଳରେ ଏକର ପିଛା ଏହାଠାରୁ ଯଥେଷ୍ଟ ଅଧିକ ମିଳୁଛି ।

ଅଧିକ ପଢ଼ନ୍ତୁ :-  Odisha NSAP Pensioners: ଆଧାର ସଂଯୋଗ ବିନା ମିଳିବନି ଭତ୍ତା: ୩.୩୫ ଲକ୍ଷ ହିତାଧିକାରୀଙ୍କ ଆଧାର-ବ୍ୟାଙ୍କ ସଂଯୋଗ ବାକି, ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଅଫିମ ଚାଷ ଅଞ୍ଚଳରେ ପଚରାଉଚୁରା କଲେ ଜଣାପଡ଼େ ଏଥିରେ ଜଡ଼ିତ ଥିବା ଅଧିକାଂଶ ବ୍ୟକ୍ତି ସ୍ଥାନୀୟ ବାସିନ୍ଦା ନୁହନ୍ତି । ଆମ ରାଜ୍ୟରେ ହେଉଥିବା ଏହି ଚାଷ ପ୍ରାୟତଃ ପଡ଼ୋଶୀ ଝାଡ଼ଖଣ୍ଡରୁ ନିୟନ୍ତ୍ରିତ ହେଉଛି । ଝାଡ଼ଖଣ୍ଡର ହଜାରୀବାଗ, ଲାଟେହାର, ସିଂହଭୂମ, ରାଞ୍ଚି, ଚାତରା ଆଦି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ଚାଷ ଚାଲିଛି । ଖୁଣ୍ଟି ଜିଲ୍ଲାରେ ଏହା ପ୍ରବଳ ମାତ୍ରାରେ ଚାଷ ହେଉଛି । କେନ୍ଦ୍ରୀୟ ସଂସ୍ଥା ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଏଥିପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଚେତାବନୀ ଦେଇଛି । ରାଜ୍ୟକୁ ସାଟେଲାଇଟ ଇମେଜ ସେୟାର କରି ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳରେ ଚାଷ ହେଉଛି ସେ ନେଇ ଅବଗତ କରାଯାଇଛି । ବାଧ୍ୟହୋଇ ଚଳିତ ବର୍ଷ ଝାଡ଼ଖଣ୍ଡ ସରକାର ୯ ଶହରୁ ଅଧିକ ପୁଲିସ ଓ ଅର୍ଦ୍ଧସାମରିକ ଯବାନଙ୍କୁ ନେଇ ଅଫିମ ବିରୋଧୀ ଅଭିଯାନ ଚଳାଇଛନ୍ତି । ଝାଡ଼ଖଣ୍ଡରେ କେଇ ବର୍ଷ ଧରି ଅଫିମ ଚାଷୀଙ୍କ ଉପରେ ଚଢ଼ଉ ହେଉଥିବାରୁ ସେମାନେ ଓଡ଼ିଶା ମୁହାଁ ହୋଇଛନ୍ତି । ଓଡ଼ିଶା ହୋଇଛି ସେମାନଙ୍କ ଅଫିମ କ୍ଷେତ । ସେମାନଙ୍କୁ ନେତା, ବନ ବିଭାଗ, ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ଭରପୂର ସମର୍ଥନ ବି ମିଳୁଛି ।

ଏଠାରେ ପ୍ରଶ୍ନ ଉଠୁଛି ଅଭୟାରଣ୍ୟ ଭିତରେ, କୋର୍ ଏରିଆରେ କିପରି ଅଫିମ ଚାଷ ହୋଇପାରୁଛି । ସାଟେଲାଇଟ ମ୍ୟାପିଂ, ଡ୍ରୋନ୍,ଏଆଇ କ୍ୟାମେରା ଇତ୍ୟାଦିର ଯୁଗରେ ଏମାନେ ବନ, ରାଜସ୍ୱ ବିଭାଗ ଏବଂ ପୁଲିସ ଆଖିରେ ଧୂଳି ଦେବାରେ ସମ୍ଭବ ହେବା ବିସ୍ମୟକର । ଶିମିଳିପାଳ ଦାୟିତ୍ୱରେ ଥିବା ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି, ଅଭୟାରଣ୍ୟ ଉପରେ ନଜର ରଖିବାକୁ ଯେତିକି ଅଧିକାରୀ, କର୍ମଚାରୀ ଏବଂ ଗାଡ଼ି ମୋଟର ଆବଶ୍ୟକ ତାହା ଉପଲବ୍ଧ ନାହିଁ । ବିଶେଷ କରି ବନ ବିଭାଗର ଆବଶ୍ୟକ ଥିବା ନିଜସ୍ୱ ଡ୍ରୋନ ସଂଖ୍ୟା ନ କହିବା ଭଲ । ସବୁଠାରୁ ବଡ଼ କଥା, ଅଫିମ ଚାଷରେ ଜଡ଼ିତ ଲୋକମାନଙ୍କୁ ମିଳୁଛି ରାଜନୈତିକ ସୁରକ୍ଷା । କାହାରି ଉପରେ କାର୍ଯ୍ୟାନୁଷ୍ଠାନ ହେଲେ, ରାଜ୍ୟସ୍ତରୀୟ ଜଣେ ନେତା କିମ୍ବା ତାଙ୍କ ଲୋକମାନେ ସେମାନଙ୍କୁ ମୁକ୍ତ କରିବାକୁ ତତ୍ପର ହୋଇ ଉଠୁଛନ୍ତି । ତେଣୁ ବନବିଭାଗର ତଳସ୍ତରର କର୍ମଚାରୀ ନିରବ ରହିବାକୁ ପସନ୍ଦ କରୁଛନ୍ତି । ସମ୍ଭବତଃ ଏଠାକାର ଅଫିମ ଚାଷରୁ କିଛି ଲାଭ କୌଣସି ରାଜନେତାମାନଙ୍କ ପାଖକୁ ଯାଉଛି । ଝାଡ଼ଖଣ୍ଡରୁ ନିୟମିତ ଆସୁଥିବା ମାଫିଆ ମାନେ ମଧ୍ୟ ଏହି ନେତାଙ୍କ ଛତ୍ରଛାୟାରେ ଆତଯାତ କରୁଥିବା କୁହନ୍ତି ଅଞ୍ଚଳର ଜଣେ ସଚେତନ ଆଦିବାସୀ ଯୁବକ ।

ରାଜ୍ୟରେ କେବଳ ଯେ ମୟୂରଭଞ୍ଜ ଜିଲ୍ଲାକୁ ଅଫିମ ନିଶା ଘାରିଛି, ତାହା ନୁହେଁ । ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଓ ଗୁରୁଣ୍ଡିଆ, କେନ୍ଦୁଝର ଜିଲ୍ଲାର ଯୋଡ଼ା ଅଞ୍ଚଳରେ ସୁନା ନଦୀର ଉଭୟ ପାଶ୍ୱର୍ରେ, ନବରଙ୍ଗପୁର ଜିଲ୍ଲାର ରାଇଘର, ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଏବଂ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କିଛି ଅଞ୍ଚଳରେ ଅଫିମ ଚାଷ କାୟା ବିସ୍ତାର କରୁଛି । ତେବେ ବ୍ରାଉନସୁଗର ଓ ହେରୋଇନ ପ୍ରସ୍ତୁତ କରିବାକୁ ଅଫିମ ହିଁ କଞ୍ଚାମାଲ ଭାବେ ଆବଶ୍ୟକ ହୋଇଥାଏ । ଏସିଟିକ୍ ଆନହାଇଡ୍ରାଇଡ ଏବଂ କାଲସିୟମ ହାଇଡ୍ରୋକ୍ସାଇଡ କେମିକାଲ ସହାୟତାରେ ଏକ ନିର୍ଦ୍ଦିଷ୍ଟ ପ୍ରଣାଳୀରେ ଏହା ସମ୍ଭବ ହୋଇଥାଏ । ବ୍ରାଉନସୁଗର ବେପାର ପାଇଁ ପୂର୍ବରୁ ଓଡ଼ିଶା ଦୁର୍ନାମ ମୁଣ୍ଡାଇଛି । ଏବେ ଯଦି ବେପାରୀ ଏଠାରେ ଅଫିମରୁ ବ୍ରାଉନସୁଗର ପ୍ରସ୍ତୁତ କରିବା ଆରମ୍ଭ କରିବେ, ତେବେ କଥା ଶେଷ ।