FIFA 2026: ଫିଫା ବିଶ୍ୱକପରେ ୧୦୦ ବର୍ଷୀୟା ପ୍ରଶଂସକ; ମେସିଙ୍କୁ ଚିଡ଼ାଇବାକୁ ଚେଷ୍ଟା କରୁଥିବା ଦର୍ଶକଙ୍କୁ ଦେଲେ ଉଚିତ୍ ଜବାବ

Jun 24, 2026 - 14:02
FIFA 2026: ଫିଫା ବିଶ୍ୱକପରେ ୧୦୦ ବର୍ଷୀୟା ପ୍ରଶଂସକ; ମେସିଙ୍କୁ ଚିଡ଼ାଇବାକୁ ଚେଷ୍ଟା କରୁଥିବା ଦର୍ଶକଙ୍କୁ ଦେଲେ ଉଚିତ୍ ଜବାବ

ନୂଆଦିଲ୍ଲୀ, ୨୪/୦୬: ଫିଫା ବିଶ୍ୱକପ୍‌-୨୦୨୬ରେ ଲିଓନେଲ ମେସି ନିଜ ଖେଳ ପାଇଁ ଖବରର ଶିରୋନାମା ହୋଇଛନ୍ତି । ସେପଟେ ଆର୍ଜେଣ୍ଟିନା ଓ ଅଷ୍ଟ୍ରିଆ ମ୍ୟାଚ୍‌ରେ ଷ୍ଟାଡିୟମ୍‌ରେ ଏକ ନିଆରା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମ୍ୟାଚ୍‌ ସମୟରେ ଜଣେ ପ୍ରଶଂସକ ମେସିଙ୍କୁ ଚିଡ଼ାଇବାକୁ ଚେଷ୍ଟା କଲେ । କିନ୍ତୁ କିଛି ସମୟ ପରେ ଜଣେ ୧୦୦ ବର୍ଷୀୟା ମହିଳା ସମର୍ଥକ ତାଙ୍କୁ ଏମିତି ଜବାବ ଦେଲେ ଯେ ଇଣ୍ଟରନେଟ୍‌ରେ ତାକୁ ନେଇ ଚର୍ଚ୍ଚା ହେଉଛି ।

ମ୍ୟାଚ୍‌ ସମୟରେ ଟିଭି କ୍ୟାମେରା ପ୍ରଥମେ ଅଷ୍ଟ୍ରିଆର ଜଣେ ପ୍ରଶଂସକଙ୍କ ଉପରେ ପଡ଼ିଲା । ସେ ଖାଲି ଦେହରେ ନିଜ ଛାତିରେ ବଡ଼ ବଡ଼ ଅକ୍ଷରରେ ‘ମେସି କିଏ ?’ ବୋଲି ଲେଖିଥିଲେ । କିନ୍ତୁ କିଛି ସେକେଣ୍ଡ ପରେ କ୍ୟାମେରା ଆର୍ଜେଣ୍ଟିନାର ଶତାୟୁ ସମର୍ଥକ ପଲିନ୍‌ କାନାଙ୍କ ପାଖରେ ପହଞ୍ଚିଲା । ତାଙ୍କ ହାତରେ ଏକ ପୋଷ୍ଟର ଥିଲା, ଯେଉଁଥିରେ ଲେଖାଥିଲା ‘ମେସିଙ୍କ ୧୦୦ ବର୍ଷୀୟା ପ୍ରଶଂସକ’ । ଏହା ପରେ ଦୁଇଟିଯାକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ମେସିଙ୍କ ପ୍ରଶଂସକ କହିଲେ, ଅଷ୍ଟ୍ରିଆ ସମର୍ଥକଙ୍କ ଥଟ୍ଟାର ଏହାଠୁ ଭଲ ଉତ୍ତର ଆଉ କିଛି ହୋଇନପାରେ । ଗୋଟିଏ ପଟେ ମେସିଙ୍କ ମହାନତା ଉପରେ ଜଣେ ପ୍ରଶ୍ନ ଉଠାଇଲେ । ଅନ୍ୟପକ୍ଷେ, ଏହି ଶତାୟୁ ଫ୍ୟାନ୍‌ ଦେଖାଇଦେଲେ ଯେ ଫୁଟ୍‌ବଲର ଏହି ସୁପରଷ୍ଟାର୍‌ଙ୍କ ପାଇଁ ଲୋକଙ୍କ ଭଲପାଇବା ବୟସର ସୀମା ମାନେନାହିଁ ।​​​​​​​

୧୦୦ ବର୍ଷୀୟା ପଲିନ୍‌ କାନା ସୋସିଆଲ ମିଡିଆରେ ‘ଗ୍ୟାଙ୍ଗଷ୍ଟର ଗ୍ରାନି’ ନାମରେ ଲୋକପ୍ରିୟ । ନାତି ରସ୍‌ ସ୍ମିଥ୍‌ ସହ ସେ ମଜାଦାର ଭିଡିଓ ଶେୟାର କରନ୍ତି । ଉଭୟଙ୍କ ଲୋକପ୍ରିୟତା ଏତେ ବେଶି ଯେ ଗିନିଜ୍‌ ବିଶ୍ୱ ରେକର୍ଡରେ ବି ଉଭୟଙ୍କୁ ସ୍ଥାନ ମିଳିଛି । ପଲିନ୍‌ କେବଳ ଇଣ୍ଟରନେଟ୍‌ ଷ୍ଟାର୍‌ ନୁହନ୍ତି, ବରଂ ମେସିଙ୍କର ମଧ୍ୟ ବଡ଼ ପ୍ରଶଂସକ । ସେ ଆର୍ଜେଣ୍ଟିନା ଓ ଇଣ୍ଟର ମାୟାମି ମ୍ୟାଚ୍‌ ନିୟମିତ ଦେଖନ୍ତି ଏବଂ ମେସିଙ୍କ ଖେଳ ଭିଡିଓ ସୋସିଆଲ ମିଡିଆରେ ଶେୟାର କରନ୍ତି । ପଲିନ୍‌ଙ୍କ ଟିକ୍‌ଟିକ୍‌ରେ ପ୍ରାୟ ୨.୫ କୋଟି ଫଲୋଅର ଅଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ ଓ ୟୁଟ୍ୟୁବ୍‌ରେ ବି ତାଙ୍କର ଲକ୍ଷାଧିକ ପ୍ରଶଂସକ । ସେ ପ୍ରାୟତଃ ଡବ୍ଲ୍ୟୁଡବ୍ଲ୍ୟୁଇ ଖେଳ, ବଡ଼ ବଡ଼ ଖେଳ ଆୟୋଜନ ଓ ଭାଇରାଲ ଭିଡିଓରେ ଆସନ୍ତି ।

ଅଧିକ ୁପଢ଼ନ୍ତୁ- Messi vs Mbappe: ଭାଙ୍ଗିଯିବ କି ଲିଓନେଲ ମେସିଙ୍କ ସର୍ବାଧିକ ଗୋଲ ରେକର୍ଡ? କେତେ ପଛରେ ଅଛନ୍ତି ଏମବାପ୍ପେ ?​​​​​​​