28 JUNE 2026

Welcome!

Unlock your personalized experience.
Sign Up

FIFA 2026: ଇରାନ ଦଳର ମହାନାୟକ ବୈରାନ୍‌ବ; ବାଲ୍ୟାବସ୍ଥାରେ ଛାଡ଼ିଥିଲେ ଘର, ଫୁଟବଲ ପାଇଁ ଫୁଟପାଥରେ ବିତିଛି ଜୀବନ

Jun 28, 2026 - 13:07
FIFA 2026: ଇରାନ ଦଳର ମହାନାୟକ ବୈରାନ୍‌ବ; ବାଲ୍ୟାବସ୍ଥାରେ ଛାଡ଼ିଥିଲେ ଘର, ଫୁଟବଲ ପାଇଁ ଫୁଟପାଥରେ ବିତିଛି ଜୀବନ
  • ୧୨ ବର୍ଷରୁ ଛାଡ଼ିଥିଲେ ଘର
  • ଫୁଟପାଥ୍‌ରେ ବିତିଥିଲା ବାଲ୍ୟ ଜୀବନ
  • ରୋନାଲ୍ଡୋଙ୍କ ପେନାଲ୍ଟି ଅଟକାଇଥିଲେ
  • ୨ଟି ଗିନିଜ ବୁକ୍‌ ବିଶ୍ୱ ରେକର୍ଡ

ସିଆଟଲ,୨୮/୦୬: ଇରାନ ଦଳର ଗୋଲ୍‌ କିପର ଅଲି ରେଜା ବୈରାନ୍‌ବନ୍ଦଙ୍କ କ୍ୟାରିୟର ଯାତ୍ରା ଫୁଟବଲ ଇତିହାସର ସବୁଠୁ ଆକର୍ଷଣୀୟ ଓ ପ୍ରେରଣାଦାୟକ ଘଟଣା ମଧ୍ୟରେ ଅନ୍ୟତମ । ଯେଉଁ ଖେଳାଳି ଦିନେ ରାସ୍ତା କଡ଼ରେ ଜୀବନ ବିତାଉଥିଲେ ଆଜି ସେ ବିଶ୍ୱର ସର୍ବବୃହତ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ଇରାନ ଦଳର ମହାନାୟକ ସାଜିଛନ୍ତି । ଚଳିତ ବିଶ୍ୱକପ୍‌ରେ ସବୁ ପ୍ରତିକୂଳ ପରିସ୍ଥିତି ସର୍ତ୍ତ୍ବେ ଆତ୍ମସମ୍ମାନ ପାଇଁ ଲଢ଼େଇ କରୁଥିବା ଇରାନ ଦଳର ଅଦମ୍ୟ ସାହସକୁ ଯଦି ଏକ ରୂପ ଦିଆଯାଏ, ତେବେ ସେହି ଚେହେରା ହେବେ ବୈରାନ୍‌ବନ୍ଦ । ଗୋଲ ପୋଷ୍ଟ ସମ୍ମୁଖରେ ପ୍ରାଚୀର ସଦୃଶ ଛିଡ଼ା ହୋଇ ସବୁ ଆକ୍ରମଣକୁ ଅଟକାଉଥିବା ବୈରାନ୍‌ବନ୍ଦଙ୍କ ଜୀବନ କୌଣସି ସିନେମାର କାହାଣୀଠୁ ମଧ୍ୟ ଅଧିକ ହୃଦୟସ୍ପର୍ଶୀ ।

ଲରେସ୍ତାନର ଏକ ଗରିବ ପରିବାରରେ ବୈରାନ୍‌ବନ୍ଦଙ୍କ ଜନ୍ମ । ବାପା ମେଣ୍ଢା ଚରାଇ ପରିବାରର ପୋଷନ୍ତି । ମାତ୍ର ୩ ବର୍ଷ ବୟସରୁ ବାପାଙ୍କ ସହ ମେଣ୍ଢା ଚରାଇବା ଆରମ୍ଭ କରନ୍ତି ବୈରାନ୍‌ବନ୍ଦ । ଧିରେ ଧିରେ ଫୁଟବଲ୍‌ ପ୍ରତି ଆଗ୍ରହ ବଢ଼ିଚାଲେ । ପୁଅର ଫୁଟବଲ୍‌ ପ୍ରତି ଦୁର୍ବଳତା ଦେଖି ବାପା ରାଗରେ ଅନେକଥର ଜର୍ସି ଚିରି ଦିଅନ୍ତି, ଗ୍ଲୋଭ ଫିଙ୍ଗି ଦିଅନ୍ତି । ତଥାପି ପୁଅକୁ ଫୁଟବଲ୍‌ ଖେଳିବାରୁ ଅଟକାଇ ପାରନ୍ତି ନାହିଁ । ବୈରାନ୍‌ବନ୍ଦ ମେଣ୍ଢା ଚରାଉଥିବା ସମୟରେ ପାହାଡ଼ିଆ ଅଞ୍ଚଳରେ ଏକୁଟିଆ ଲୁଚି ଛପି ଅଭ୍ୟାସ କରନ୍ତି । କଥାରେ ଅଛି ‘ସ୍ୱପ୍ନରେ ପର ଲାଗିଲେ ତାକୁ ପଞ୍ଜୁରୀରେ ବାନ୍ଧି ରଖିବା ଅସମ୍ଭବ ।’ ବାପାଙ୍କ କଠୋର ନିର୍ଦ୍ଦେଶକୁ ଅମାନ୍ୟ କରି ଚରମ ନିଷ୍ପତ୍ତି ନିଅନ୍ତି ବୈରାନ୍‌ବନ୍ଦ । ଫୁଟବଲ ସ୍ୱପ୍ନକୁ ପୂରଣ କରିବା ପାଇଁ ରାତା ରାତି ଘରୁ ଲୁଚି ରାଜଧାନୀ ତେହରାନ ପଳାଇ ଆସନ୍ତି ।

୬ଘଣ୍ଟାର ବସ୍‌ ଯାତ୍ରା ପରେ ତେହରାନରେ ପହଞ୍ଚିବା ବେଳକୁ ତାଙ୍କ ପାଖରେ ପଇସା ଟିଏ ବି ନଥାଏ । ସାଙ୍ଗଠୁ ଉଧାର ଆଣିଥିବା ଅର୍ଥ ବସ୍‌ ଯାତ୍ରାରେ ଖର୍ଚ୍ଚ ହୋଇ ସାରିଥାଏ । ସେତେବେଳକୁ ତାଙ୍କ ବୟସ ମାତ୍ର ୧୨ ବର୍ଷ । ବିଶାଳ ସହରରେ ଏକୁଟିଆ ଏହି ବାଳକ ହାର୍‌ ମାନେ ନାହିଁ । ଏକ ଫୁଟବଲ୍‌ କ୍ଲବ୍‌ ସମ୍ମୁଖ ଫୁଟ୍‌ପାଥରେ ପଡ଼ି ରହି କେବଳ ସୁଯୋଗକୁ ଅପେକ୍ଷା କରିଥାଏ । ସମୟ ଗଡ଼ି ଚାଲେ । ଆଶା ମରେ ନାହିଁ । ଗେଟ୍‌ ବାହାରେ ଛିଡ଼ା ହୋଇ ଖେଳାଳିମାନଙ୍କ ଅଭ୍ୟାସ ଦେଖିବା ବେଳେ ସବୁ ସ୍ୱପ୍ନ ପୁଣି ଥରେ ଉଜ୍ଜ୍ୱଳ ତାରା ପରି ଭାସି ଉଠେ । ଆଶା ଥାଏ, କେବେ ଖେଳିବାକୁ ସୁଯୋଗ ମିଳିଯିବ । ପାଖରେ ପଇସା ନଥିବାରୁ ବଞ୍ଚି ରହିବା ପାଇଁ ଯାହା କିଛି କାମ ମିଳେ ସେ କରିଚାଲେ । ଦିନ ବେଳା ଲୋକଙ୍କ ଗାଡ଼ି ଧୋଇବା ସହ ରାସ୍ତା ଝାଡ଼ୁ କରି ଯାହା ଆୟ ହୁଏ ସେଥିରେ ଦୁଇ ବେଳା ଖାଇବା ପାଇଁ ହୋଇଯାଏ । ଧିରେ ଧିରେ ଭାଗ୍ୟ ବଦଳେ । କ୍ଲବ୍‌ରେ ପ୍ରଶିକ୍ଷଣ ନେବାକୁ ସୁଯୋଗ ମିଳିଯାଏ । ରହିବା ପାଇଁ ବୈରାନ୍‌ବନ୍ଦ ରାତିରେ ପିଜା ଷ୍ଟୋରରେ କାମ କରିଚାଲେ । ପରେ ଏକ କପଡ଼ା ଫ୍ୟାକ୍ଟ୍ରିରେ ମଜୁରିଆ କାମ ମଧ୍ୟ ମିଳେ । ତେହରାନ ସହରରେ ବଞ୍ଚି ରହି ସ୍ୱପ୍ନକୁ ବାସ୍ତବ କରିବା ପାଇଁ ଏତକ ଯଥେଷ୍ଟ ହୋଇଯାଏ । ସମୟ ବଦଳିଲା । ଶେଷରେ କଠିନ ପରିଶ୍ରମର ମୂଲ୍ୟ ମିଳିଲା । ଚମତ୍କାର ଦକ୍ଷତା ସାଙ୍ଗକୁ ଅଧିକ ଉଚ୍ଚତା ଓ ଉନ୍ନତ ଫିଟ୍‌ନେସ୍‌ ବଳରେ ବୈରାନ୍‌ବନ୍ଦ ଖୁବ୍‌ କମ ସମୟ ମଧ୍ୟରେ ଜାତୀୟ ଦଳକୁ ଧଶେଇ ପଶିଲେ । ଏସବୁ ବାଦ୍‌ ତାଙ୍କ ନିକଟରେ ଥିଲା ଏକ ଅଦ୍ଭୁତ କ୍ଷମତା । ସେ ବଲ୍‌କୁ ବହୁ ଦୂର ପର୍ଯ୍ୟନ୍ତ ଫିଙ୍ଗି ପାରୁଥିଲେ । ଯାହା ଦଳ ପାଇଁ ଏକ ପ୍ରମୁଖ ଅସ୍ତ୍ର ପାଲଟି ଥିଲା ।

୨୦୧୮ ବିଶ୍ୱକପ୍‌ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ ବୈରାନ୍‌ବନ୍ଦ । ଏହାର ମୁଖ୍ୟ କାରଣ ଥିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ । ସେ ଏକ ମ୍ୟାଚରେ ରୋନାଲ୍ଡୋଙ୍କ ପେନାଲ୍ଟିକୁ ଅଟକାଇ ଅଗଣିତ ଦର୍ଶକଙ୍କୁ ସ୍ତବ୍ଧ କରି ଦେଇଥିଲେ । ଆଜି ବୈରାନ୍‌ବନ୍ଦ ପ୍ରେରଣାର ଉତ୍ସ । ସେ କେବଳ ଗୋଲ୍‌ପୋଷ୍ଟ ସମ୍ମୁଖରେ ଛିଡ଼ା ହୋଇ ଗୋଲ ଅଟକାଉ ନାହାନ୍ତି, କୋଟି କୋଟି ଗରିବ ପିଲାଙ୍କ ମନରେ ବିଶ୍ୱାସ ଭରୁଛନ୍ତି । ବିଶ୍ୱକପରେ ତାଙ୍କ ପ୍ରତ୍ୟେକ ପ୍ରଦର୍ଶନ କହୁଛି, ‘ସ୍ୱପ୍ନକୁ ସତ କରିବାର ଆଗ୍ରହ ଥିଲେ ରାସ୍ତା ଆପେ ଆପେ ଖୋଲି ଚାଲିବ ।’ ଗିନିଜ ବୁକ୍‌ ଅଫ୍‌ ବିଶ୍ୱ ରେକର୍ଡ ଫୁଟବଲ୍‌ ଗ୍ରାଉଣ୍ଡରେ ବଲ୍‌କୁ ହାତରେ ସବୁଠୁ ଦୂର ବାଟ୍‌ ଫିଙ୍ଗିବାରେ ଗିନିଜ ବୁକ ଅଫ ବିଶ୍ୱ ରେକର୍ଡ ବୈରାନ୍‌ବନ୍ଦଙ୍କ ନାମରେ ରହିଛି । ୨୦୧୬ରେ ଅନୁଷ୍ଠିତ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚରେ ବୈରାନ୍‌ବନ୍ଦ ଏହି ରେକର୍ଡ ସ୍ଥାପନ କରିଥିଲେ । ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚରେ ସେ ଗୋଲ୍‌ ପୋଷ୍ଟରୁ ସାଥୀ ଖେଳାଳିଙ୍କ ନିକଟକୁ ବଲ୍‌ ଥ୍ରୋ’ କରିଥିଲେ । ଥ୍ରୋ’ର ଦୂରତା ଥିଲା ୬୧ ମିଟର । ଗତ ବେଲଜିୟମ ବିପକ୍ଷ ମ୍ୟାଚରେ ମଧ୍ୟ ତାଙ୍କ ଥ୍ରୋ’ ଗୁଡ଼ିକ ଗ୍ରାଉଣ୍ଡର ସେଣ୍ଟର ଲାଇନ ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା ।

ଅଧିକ ପଢନ୍ତୁ- Ireland vs India: ଆଜି ଅନ୍ତିମ ଟି-ଟ୍ବେଣ୍ଟି ମୁକାବିଲା; ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି, ହାରିଲେ ଲାଗିବ କଳଙ୍କ