06 JULY 2026

Welcome!

Unlock your personalized experience.
Sign Up

Daitapati : ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ

Jul 05, 2026 - 22:34
Daitapati : ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ

ପୁରୀ, ୫/୭ : କୋଟି ବ୍ରହ୍ମାଣ୍ଡର ଠାକୁରଙ୍କ ସେବାରେ ଏବେ ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ ଦାସ ମହାପାତ୍ର l ମହାପ୍ରଭୁ ସ୍ନାନବେଦୀରେ ସ୍ନାନ କରିବା ପରେ ଏବେ ଅସୁସ୍ଥ ହୋଇ ଅଣସରରେ ଅବସ୍ଥାନ କରିଛନ୍ତି l ତାଙ୍କର ସୁସ୍ଥତା ପାଇଁ ଦଇତାପତି ସେବକଙ୍କ ଦ୍ୱାରା ଗୁପ୍ତ ସେବା ଜାରୀ ରହିଛି l ଏହି ସେବା ଅତି ଗୋପନୀୟ l ଏହି ଅବସରରେ ମହାପ୍ରଭୁଙ୍କ ଅଣସର ସେବାରୁ ସେବା ଆରମ୍ଭ କରିଛନ୍ତି ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ l

ଶ୍ରୀଅଂଶ ହେଉଛନ୍ତି ଦୋଳମଣ୍ଡପ ସାହିର ଭବାନୀ ପ୍ରସାଦ ଦାସ ମହାପାତ୍ରଙ୍କ ସାନଭାଇ ଶିବାନୀ ପ୍ରସାଦ ଦାସ ମହାପାତ୍ରଙ୍କ ପୁଅ l ଅଣସର ପିଣ୍ଡିରେ ବିଜେ ଶ୍ରୀଜିଉଙ୍କୁ ପାଉଣା ଭେଟି ଦେବା ସହ ଚକଟା ଭୋଗ ସେବନ କରି ସର୍ବକନିଷ୍ଠ ଦଇତାପତି ସେବକର ମାନ୍ୟତା ପାଇଛନ୍ତି l ଶ୍ରୀଅଂଶ ମକୁଟା ପିନ୍ଧି ଦଇତାପତିଙ୍କ ବେଶରେ ଶ୍ରୀମନ୍ଦିରରେ ପ୍ରବେଶ ପରେ ଅଣସର ତାଟି ଦେଇ ଅଣସର ପିଣ୍ଡିରେ ବିଜେ ଠାକୁରଙ୍କ ନିକଟକୁ ଯାଇଥିଲେ । ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ନିଜ ହାତରେ ପାଉଣା ଭେଟି ଦେଇ ସେବା ସ୍ବୀକାର କରିଥିଲେ l ମହପ୍ରଭୁ ଅଣସର ଘରେ ଜ୍ବରରେ ଅସୁସ୍ଥ ଥିବାରୁ ଗୁପ୍ତ ସେବା କରିବେ ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ l

ଦଇତାକୂଳର ପରମ୍ପରା ଅନୁଯାୟୀ ଜନ୍ମ ହେବାର ୬ମାସ ୨୧ ଦିନ ପରେ ଦଇତା ଭାବେ ଗଣତି ହେବା ସହ ଅଣସର ଘରେ ମହାପ୍ରଭୁଙ୍କ ସେବା କରିଥାନ୍ତି। ଅଣସରର ପଞ୍ଚମୀ ତିଥି ଅର୍ଥାତ୍ ଫୁଲୁରି ତେଲ ଲାଗି ପରଦିନ ଠାରୁ ଏହି କୁନି ଦଇତାପତି ମାନେ ମହାପ୍ରଭୁଙ୍କ ଗୁପ୍ତ ସେବାରେ ଯୋଗ ଦେଇଥାନ୍ତି। ଏତେ କମ୍ ବୟସରେ ମହାପ୍ରଭୁଙ୍କ ସେବା ପୂଜା, ନିତୀକାନ୍ତି ବିଷୟରେ ଶ୍ରୀଅଂଶ ଅଜ୍ଞ ଥିଲେ ମଧ୍ୟ ଭବିଷ୍ୟତରେ ସମର୍ପଣ ମନଭାବ ନେଇ ମହାପ୍ରଭୁଙ୍କ ସେବା କରିବେ ବୋଲି କହିଛନ୍ତି ତାଙ୍କ ବଡବାପା ଭବାନୀ ପ୍ରସାଦ ଦାସ ମହାପାତ୍ର l

ଆହୁରି ପଢନ୍ତୁ : ମହାନଦୀରେ ଭାସିଗଲେ ୩ ଯୁବକ : ୨ ଉଦ୍ଧାର, ଜଣେ ନିଖୋଜ