CWG 2026 : ଫାଇନାଲରେ ପହଞ୍ଚିଲେ 'ଗୋଲଡେନ୍ ବୟ' ନୀରଜ ଚୋପ୍ରା
ନୂଆଦିଲ୍ଲୀ : ନୀରଜ ଚୋପ୍ରାଙ୍କ ସମେତ ରୋହିତ ଯାଦବ ଓ ୟଶବୀର ସିଂହ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬ର ପୁରୁଷ ଜାଭେଲିନ୍ ଥ୍ରୋ ସ୍ପର୍ଦ୍ଧାର ଫାଇନାଲ୍ ପାଇଁ କ୍ୱାଲିଫାଇ କରିଛନ୍ତି। ପୂର୍ବତନ ଅଲିମ୍ପିକ୍ ଚାମ୍ପିୟନ୍ ନୀରଜ ଚୋପ୍ରା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬ରେ ନିଜର ଅଭିଯାନ ପ୍ରଥମ ରାଉଣ୍ଡରେ ୭୬.୨୮ ମିଟର ଥ୍ରୋ ସହ ଆରମ୍ଭ କରିଥିଲେ। ପରେ ଦ୍ୱିତୀୟ ପ୍ରୟାସରେ ସେ ୭୯.୬୧ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ଥିଲେ। ଏହି ୭୯.୬୧ ମିଟରର ଶ୍ରେଷ୍ଠ ଥ୍ରୋ ସହ ପଞ୍ଚମ ସ୍ଥାନରେ ରହି ନୀରଜ ସହଜରେ ଫାଇନାଲରେ ନିଜ ସ୍ଥାନ ପାଇଛନ୍ତି। ନୀରଜ ଚୋପ୍ରାଙ୍କ ସହ ଭାରତର ରୋହିତ ଯାଦବ (୭୮.୩୭ ମିଟର) ଏବଂ ୟଶବୀର ସିଂହ (୭୮.୩୬ ମିଟର) ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଯଥାକ୍ରମେ ନବମ ଓ ଦଶମ ସ୍ଥାନ ହାସଲ କରି ଫାଇନାଲକୁ କ୍ୱାଲିଫାଏ କରିଛନ୍ତି।
ଅନ୍ୟପଟେ, ପାକିସ୍ତାନର ଅରଶଦ ନଦୀମ ନିଜର ପ୍ରାରମ୍ଭିକ ପ୍ରୟାସ ପରେ ଆଉ ସୁଧାର କରିପାରି ନଥିଲେ ଏବଂ ୭୮.୬୩ ମିଟର ଥ୍ରୋ ସହ ସପ୍ତମ ସ୍ଥାନରେ ରହି ଆଗକୁ ବଢ଼ିଛନ୍ତି। କ୍ୱାଲିଫାଇଂ ରାଉଣ୍ଡରେ ଶ୍ରୀଲଙ୍କାର ରୁମେଶ ପାଥିରାଗେ ୮୨.୮୪ ମିଟର ଥ୍ରୋ ସହ ଶୀର୍ଷରେ ରହିଥିବା ବେଳେ ଗ୍ରେନାଡାର ଆଣ୍ଡରସନ ପିଟର୍ସ (୮୧.୨୯ ମିଟର), ଦକ୍ଷିଣ ଆଫ୍ରିକାର ଡୋଭ ସ୍ମିଟ୍ (୮୦.୬୪ ମିଟର) ଏବଂ ଇଂଲଣ୍ଡର ବେନ୍ ଇଷ୍ଟ (୮୦.୩୮ ମିଟର) ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି।
ଏହା ବ୍ୟତୀତ ଅଷ୍ଟ୍ରେଲିଆର କ୍ୟାମେରୁନ ମ୍ୟାକଏଣ୍ଟାୟାର୍ (୭୮.୯୧ ମିଟର - ଷଷ୍ଠ), ବାହାମାସର କିଶୋନ୍ ଷ୍ଟ୍ରାଚନ୍ (୭୮.୬୦ ମିଟର - ଅଷ୍ଟମ), ତ୍ରିନିଦାଦ୍ ଆଣ୍ଡ ଟୋବାଗୋର କେଶୋର୍ଣ୍ଣ ୱାଲକଟ୍ (୭୮.୨୬ ମିଟର – ୧୧ତମ ) ଏବଂ ନାଇଜେରିଆର ଚିନେଚେରେମ୍ ନାମଦୀ (୭୫.୨୭ ମିଟର – ୧୨ତମ ) ମଧ୍ୟ ଟପ୍- ୧୨ ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇ ଫାଇନାଲ୍ ମୁକାବିଲାରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି।
୮ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡା ଖେଳୁଛନ୍ତି ନୀରଜ : ନୀରଜ ଚୋପ୍ରା ୮ ବର୍ଷର ଦୀର୍ଘ ବ୍ୟବଧାନ ପରେ ରାଜ୍ୟଗୋଷ୍ଠୀ କ୍ରୀଡାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହା ପୂର୍ବରୁ ସେ ଶେଷ ଥର ପାଇଁ ୨୦୧୮ ଗୋଲ୍ଡ କୋଷ୍ଟ କମନୱେଲଥ ଗେମ୍ସରେ ଓହ୍ଲାଇ ଥିଲେ, ଯେଉଁଠାରେ ସେ ୮୬.୪୭ ମିଟରର ଚମତ୍କାର ଥ୍ରୋ ସହ ସ୍ୱର୍ଣ୍ଣ ପଦକ ନିଜ ନାମରେ କରି ଥିଲେ। ଆଘାତ ସମସ୍ୟା ଯୋଗୁଁ ସେ ୨୦୨୨ ବର୍ମିଂହାମ୍ ଖେଳରେ ଭାଗ ନେଇପାରି ନଥିଲେ। ଏଥର ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଅଟୋମେଟିକ୍ କ୍ୱାଲିଫିକେସନ୍ ମାର୍କ ୮୪ ମିଟର ଧାର୍ଯ୍ୟ କରାଯାଇ ଥିଲା। କ୍ୱାଲିଫାଇଂ ରାଉଣ୍ଡରେ ପ୍ରତ୍ୟେକ ଖେଳାଳିଙ୍କୁ ୩ଟି ଲେଖାଏଁ ସୁଯୋଗ ମିଳି ଥିଲା।
୯୦ ମିଟର ଅତିକ୍ରମ କରିଥିବା ଏକମାତ୍ର ଭାରତୀୟ : ନୀରଜ ଚୋପ୍ରାଙ୍କ ନାମରେ ଏକ ଐତିହାସିକ ସଫଳତା ଯୋଡ଼ି ହୋଇ ରହିଛି। ସେ ୯୦ ମିଟରରୁ ଅଧିକ ଦୂରକୁ ଭାଲା ଫିଙ୍ଗି ଥିବା ଭାରତର ଏକମାତ୍ର ଜାଭେଲିନ୍ ଥ୍ରୋଅର୍। ସେ ୨୦୨୫ ଦୋହା ଡାଏମଣ୍ଡ ଲିଗ୍ ସମୟରେ ୯୦.୨୩ ମିଟର ଥ୍ରୋ ସହ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରି ଥିଲେ। ତାଙ୍କର ଏହି ସଫଳତା ତାଙ୍କୁ ବିଶ୍ୱର ଶ୍ରେଷ୍ଠ ଆଥଲେଟଙ୍କ ଲାଇନରେ ଦୃଢ ଭାବେ ଛିଡ଼ା କରାଇଛି।
ଆହୁରି ମଧ୍ୟ ପଢନ୍ତୁ - Boxing Update: ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ବକ୍ସରଙ୍କ ଚମତ୍କାର ପ୍ରଦର୍ଶନ, ସେମିରେ ସାକ୍ଷୀ, ସଚିନ, ଅରୁନ୍ଧତୀ, ଅଙ୍କୁଶ ଓ ନରେନ୍ଦ୍ର
ଅଲିମ୍ପିକ୍ସରୁ ଏସିଆନ୍ ଗେମ୍ସ ଯାଏ ସ୍ୱର୍ଣ୍ଣିମ ଯାତ୍ରା : ଅନ୍ତର୍ଜାତୀୟ ସ୍ତରରେ ନୀରଜ ଚୋପ୍ରାଙ୍କ ପ୍ରଦର୍ଶନ କ୍ରମାଗତ ଭାବେ ଚମତ୍କାର ଓ ଐତିହାସିକ ରହି ଆସିଛି। ସେ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ୮୭.୫୮ ମିଟର ଥ୍ରୋ ସହ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚି ଥିଲେ। ଏହାପରେ ମଧ୍ୟ ତାଙ୍କର ବିଜୟ ରଥ ଅଟକି ନଥିଲା । ସେ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୩ ଏବଂ ଏସିଆନ୍ ଗେମ୍ସ ୨୦୨୩ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଦେଶ ପାଇଁ ରୌପ୍ୟ ପଦକ ହାସଲ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।