Costa Rica Forest Conservation : ଜଙ୍ଗଲ ସଂରକ୍ଷଣର ରୋଲ୍ ମଡେଲ କୋଷ୍ଟାରିକା: ୮୦ ଦଶକରେ ଥିଲା ୨୫%, ଏବେ ୬୦% ଜଙ୍ଗଲ

Jul 04, 2026 - 10:24
Costa Rica Forest Conservation : ଜଙ୍ଗଲ ସଂରକ୍ଷଣର ରୋଲ୍ ମଡେଲ କୋଷ୍ଟାରିକା: ୮୦ ଦଶକରେ ଥିଲା ୨୫%, ଏବେ ୬୦% ଜଙ୍ଗଲ
ନୂଆଦିଲ୍ଲୀ ୦୪/୦୭: କୋଷ୍ଟାରିକା ମଧ୍ୟ ଆମେରିକାର ଏକ ଛୋଟ ଦେଶ । ଏହା ବିଶ୍ୱର ଅନ୍ୟତମ ସର୍ବୋତ୍‌କୃଷ୍ଟ ପରିବେଶ ସଂରକ୍ଷଣ ମଡେଲ ଭାବେ ପରିଚିତ । ଦେଶର ହେନ୍ତାଳ ବନକୁ ରକ୍ଷା କରିବାର କାହାଣୀ ବିଶ୍ୱ ପାଇଁ ପ୍ରେରଣାଦାୟକ । ୧୯୭୦-୧୯୮୦ ଦଶକରେ କୋଷ୍ଟାରିକାରେ ଦ୍ରୁତ ଗତିରେ ଜଙ୍ଗଲ କଟାଯାଉଥିଲା । ଚାଷ ଓ ପଶୁପାଳନ ନମନ୍ତେ ବୃକ୍ଷକୁ ବଳି ପକାଯାଉଥିଲା । ଏହା ଦ୍ୱାରା ଦେଶର ୭୦ ପ୍ରତିଶତରୁ ଅଧିକ ଜଙ୍ଗଲ ଧ୍ୱଂସ ହୋଇସାରିଥିଲା । ସବୁଜିମା ତା’ର ଶ୍ରୀ ହରାଇ ଦେଇଥିଲା । ଏହା ଦ୍ୱାରା ବନ୍ୟପ୍ରାଣୀଙ୍କ ବାସସ୍ଥଳୀ ନଷ୍ଟ ହୋଇଗଲା । ନଦୀ ଶୁଖିବାକୁ ଲାଗିଲା ଏବଂ ମାଟିର ଉର୍ବରତା ନଷ୍ଟ ହେଲା । ଏହି ଦୁଃସ୍ଥିତିକୁ ଦେଖି ସରକାର ବଡ଼ ନିଷ୍ପତି ନେଲେ ଏବଂ ଜଙ୍ଗଲ କଟା ଉପରେ କଟକଣା ଲଗାଇଲେ । ନାଗରିକଙ୍କ ସହ ମିଶି କୋଟି କୋଟି ସଂଖ୍ୟାରେ ବୃକ୍ଷରୋପଣ କଲେ । ଜଙ୍ଗଲକୁ ଜାତୀୟ ପାର୍କ ଘୋଷଣା କରାଗଲା । ଏହି ପ୍ରୟାସ ଯୋଗୁ କୋଷ୍ଟାରିକା ବିଶ୍ୱର ଅନ୍ୟତମ ସବୁଠୁ ବଡ଼ ହେନ୍ତାଳ ବନ ସୃଷ୍ଟି କରିବାରେ ସଫଳତା ହାସଲ କଲା । ୧୯୯୭ରେ ସରକାର ନାଗରିକଙ୍କୁ ବୃକ୍ଷରୋପଣ ଓ ତା’ର ସୁରକ୍ଷା ଲାଗି ପ୍ରୋତ୍ସାହନ ରାଶି ଦେବା ଆରମ୍ଭ କଲେ । କେବଳ ବୃକ୍ଷରୋପଣ କରାଗଲା ତାହା ନୁହେଁ, ଖାଲି ଚାଷ ଜମିକୁ ପ୍ରାକୃତିକ ଜଙ୍ଗଲରେ ରୂପାନ୍ତରିତ କରିବାକୁ ଦିଆଗଲା । ଅବୈଧ କାଠ କଟା ଉପରେ କଟକଣା ଲାଗିଲା । ଏଥିନିମନ୍ତେ କଠୋର ନିୟମ ଲାଗୁ ହେଲା । ଦଣ୍ଡ-ଜରିମାନା ବ୍ୟବସ୍ଥା ହେଲା । ଫଳସ୍ୱରୂପ ଆଜି ଦେଶର ଅଧାରୁ ଅଧିକ କ୍ଷେତ୍ର ପୁଣି ଜଙ୍ଗଲରେ ପରିପୂର୍ଣ୍ଣ ହୋଇଛି । ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ଅଭିଯାନର ସଫଳତା ପଛର ରହସ୍ୟ ହେଉଛି ପେମେଣ୍ଟ ଫର୍ ଇକୋସିଷ୍ଟମ୍ ସର୍ଭିସ୍ ବା ପିଇଏସ୍ । ଏହି ଯୋଜନା ଅଧୀନରେ ସରକାର ଚାଷୀ ଓ ଜମି ମାଲିକଙ୍କୁ ବୃକ୍ଷରୋପଣ ପାଇଁ ଟଙ୍କା ଦେଉଛନ୍ତି । ଏହି ଅର୍ଥ ଜଙ୍ଗଲ କାଟିବା ବଦଳରେ ଏହାର ସଂରକ୍ଷଣ, ନୂଆ ବୃକ୍ଷରୋପଣ ଓ ପ୍ରକୃତିର ରକ୍ଷା ଲାଗି ଖର୍ଚ୍ଚ ହେଉଛି । ଗୋଟିଏ ଗଛ କାଟିବା ଦ୍ୱାରା ମିଳୁଥିବା ଅର୍ଥ ତୁଳନାରେ ଗଛକୁ ସୁରକ୍ଷା ଦେବା ଓ ପ୍ରକୃତିର ରକ୍ଷା କରିବା ପାଇଁ ତା’ଠୁ ଅଧିକ ମିଳୁଛି । ଏହି ଯୋଜନା ବିଶ୍ୱରେ କୋଷ୍ଟାରିକାର ପରିଚୟକୁ ବଦଳାଇ ଦେଇଛି । ୧୯୮୦ ଦଶକରେ ଏଠାରେ ଜଙ୍ଗଲ ମାତ୍ର ୨୫ ପ୍ରତିଶତ ଥିଲା, ଏବେ ତାହା ହାରାହାରି ୬୦ ପ୍ରତିଶତ ହୋଇଛି । ଆହୁରି ପଢ଼ନ୍ତୁ...DEEP Marine Habitat : ସାମୁଦ୍ରିକ ଅନୁସନ୍ଧାନର ନୂଆ ବାସସ୍ଥଳୀ ଭାନ୍‌ଗାର୍ଡ ଜଙ୍ଗଲ ସଂରକ୍ଷଣ କେବଳ ଦେଶର ପ୍ରାକୃତିକ ପରିବେଶକୁ ସୁନ୍ଦର କରିଛି ତାହା ନୁହେଁ, ପର୍ଯ୍ୟଟନ ଦ୍ୱାରା ଦେଶର ଅର୍ଥବ୍ୟବସ୍ଥାକୁ ମଧ୍ୟ ଖୁବ୍ ମଜଭୁତ କରିଛି । ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ଦେଶର ସୁନ୍ଦର ହେନ୍ତାଳ ବନ ଦେଖିବାକୁ ଆସନ୍ତି । ଏହା ବିଶ୍ୱର ପ୍ରଥମ ଏଭଳି ଉଷ୍ଣମଣ୍ଡଳୀୟ ଦେଶ, ଯାହା କେବଳ ଜଙ୍ଗଲ ଧ୍ୱଂସକୁ ରୋକିନାହିଁ, ଜଙ୍ଗଲର କ୍ଷେତ୍ରଫଳକୁ ମଧ୍ୟ ବହୁଗୁଣ କରିଛି । ଜଙ୍ଗଲ ସୁରକ୍ଷା ଲାଗି କୋଷ୍ଟାରିକା ୧୯୪୮ରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲା । ପରିବେଶ ବଞ୍ଚାଇବା ପାଇଁ ଏହା ନିଜର ସାମରିକ ବ୍ୟବସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରିଥିଲା । ଏଥିରେ ଖର୍ଚ୍ଚ ହେଉଥିବା ଅର୍ଥକୁ ପରିବେଶ ସମେତ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଲଗାଇଲା । ପୃଥିବୀର ଭୂଭାଗର ମାତ୍ର ୦.୦୩ ପ୍ରତିଶତ ଦଖଲ ସତ୍ତେ୍ୱ ବିଶ୍ୱର ୫-୬ ପ୍ରତିଶତ ପରିଚିତ ପ୍ରାଣୀଙ୍କର ଏହା ବାସସ୍ଥଳୀ । ଏହି ବିଶେଷତ୍ୱ ଯୋଗୁ କୋଷ୍ଟାରିକା ବିଶ୍ୱର ଅନ୍ୟତମ ଜୈବ ବିବିଧତାସମ୍ପନ୍ନ ଦେଶ ହୋଇଛି । ୯୦୦ରୁ ଅଧିକ ପକ୍ଷୀ ପ୍ରଜାତିଙ୍କର ଏହା ବାସସ୍ଥଳୀ । ଏହି ଅବିଶ୍ୱସନୀୟ ବିଶେଷତ୍ୱ ବୈଜ୍ଞାନିକ ଅଧ୍ୟୟନ ଓ ସଂରକ୍ଷଣ ନିମନ୍ତେ ଦେଶକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପ୍ରଦାନ କରିଛି ।