Aditi Sharma FIR : ସ୍ୱାମୀଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣିଲେ ଅଭିନେତ୍ରୀ , ଶାଶୂ –ନଣନ୍ଦ ମାରପିଟି କରୁଥିବା ମାମଲା ରୁଜୁ
ନୂଆଦିଲ୍ଲୀ : ଟିଭି ଅଭିନେତ୍ରୀ ଅଦିତି ଶର୍ମା ତାଙ୍କ ସ୍ୱାମୀ ଅଭିନୀତ କୌଶିକ ଓ ତାଙ୍କ ପରିବାରର ଦୁଇ ଜଣ ସଦସ୍ୟଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ରୁଜୁ କରିଛନ୍ତି। ସେ ତାଙ୍କ ଉପରେ ମାରପିଟି , ମୌଖିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମୁମ୍ୱାଇର ଗୋରେଗାଓଁ ପୁଲିସ ଷ୍ଟେସନରେ ରୁଜୁ କରାଯାଇଛି ଏବଂ ତାଙ୍କର ସ୍ୱାମୀ , ଶାଶୂ ଉର୍ମିଳା କୌଶିକ ଓ ନଣଦ କୀର୍ତ୍ତି କୌଶିକଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି।
ବର୍ତ୍ତମାନ ପୁଲିସ ଉକ୍ତ ମାମଲାର ଯାଞ୍ଚ କରୁଛି। ଅଦିତିଙ୍କ ଅଭିଯୋଗ ମୁତାବିକ, କଥିତ ନିର୍ଯାତନା ବିବାହର କିଛିଦିନ ପରେ ହିଁ ଆରମ୍ଭ ହୋଇ ଥିଲା ଏବଂ ଧିରେ ଧିରେ ସମୟ ସହ ବଢି ଥିଲା। ଅଭିନେତ୍ରୀ ତାଙ୍କର ସ୍ୱାମୀ ଓ ତାଙ୍କ ପରିବାର ଉପରେ ଅନେକ ଅଭିଯୋଗ ଲଗେଇଛନ୍ତି। ଯେଉଁଥିରେ ବାରମ୍ୱାର ହଇରାଣ କରିବା, ମାରପିଟି କରିବା ଏବଂ ତାଙ୍କର ଅଳଙ୍କାର ତାଙ୍କ ପାଖରେ ରଖିବା ଆଦି ମଧ୍ୟ ସାମିଲ ଅଛି। ଯେତିକି ଯେତିକି ଏହି ମାମଲା ସାମ୍ନାକୁ ଆସୁଛି, ଏଥିରେ ପୁଣି ଥରେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରେ ଘରୋଇ ହିଂସା ପ୍ରସଙ୍ଗ ଉପରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।
ଅଦିତି ଶର୍ମା ଓ ଅଭିନୀତ କୌଶିକ ୧୨ ନଭେମ୍ୱର , ୨୦୨୪ରେ ଗୋରେଗାଓଁ ସ୍ଥିତି ତାଙ୍କର ଘରେ ବ୍ୟକ୍ତିଗତ ଉତ୍ସବରେ ବିବାହ କରିଥିଲେ। କିନ୍ତୁ ୪ ମାସ ପରେ ହିଁ ସେ ଅଲଗା ହୋଇ ଯାଇଥିଲେ। ଅଦିତି ଶର୍ମା ନିକଟରେ ପୁଲିସରେ ଅଭିଯୋଗ କରିଛନ୍ତି,ଯେଉଁଥିରେ ସେ ଦାବି କରିଛନ୍ତି ଯେ, ନଭେମ୍ୱର ୨୦୨୪ ମସିହାରେ ଅଭିନୀତ କୌଶିକଙ୍କୁ ବିବାହ କରିବା ପରେ ତାଙ୍କୁ ମୌଖିକ , ଶାରୀରିକ , ମାନସିକ ଓ ଭାବନାତ୍ମକ ନିର୍ଯାତନାର ସାମ୍ନା କରିବାକୁ ପଡ଼ି ଥିଲା।
ସେ ଅଭିଯୋଗ କରିଛନ୍ତି ଯେ, ପ୍ରାରମ୍ଭରେ ଝଗଡ଼ା ନିତିଦିନିଆ କଥା, ଯେପରିକି ତାଙ୍କ ପୋଷାକ ପସନ୍ଦକୁ ନେଇ ହେଉଥିଲା, କିନ୍ତୁ ପରେ ଏହି ଘଟଣା ଗୁରୁତର ରୂପ ନେଇଥିଲା। ଅଭିନେତ୍ରୀ ଆହୁରି କହିଥିଲେ ଯେ, ତାଙ୍କ ସ୍ୱାମୀ ଘରର ଖର୍ଚ୍ଚରେ ଯୋଗଦାନ ଦେବା ପରିବର୍ତ୍ତେ ପ୍ରାୟତଃ ତାଙ୍କ ଠାରୁ ଟଙ୍କା ନେଉ ଥିଲେ। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଉପରେ ସନ୍ଦେହ କରୁଥିଲେ , ତାଙ୍କର ମୋବାଇଲ ଫୋନ୍ ଚେକ୍ କରୁଥିଲେ , ତାଙ୍କର ଚରିତ୍ର ଉପରେ ପ୍ରଶ୍ନ ଉଠାଉ ଥିଲେ ଏବଂ ତାଙ୍କୁ ନିଜର ମାତାପିତାଙ୍କ ସଂପର୍କରେ ରହିବାକୁ ଅଟକାଉ ଥିଲେ। ଗୋରେଗାଓଁ ପୁଲିସ ଷ୍ଟେସନରେ ତାଙ୍କର ସ୍ୱାମୀ ଅଭିନୀତ କୌଶିକ , ଶାଶୂ ଉର୍ମିଳା କୌଶିକ ଓ ନଣନ୍ଦ କୀର୍ତ୍ତି କୌଶିକଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ପୁଲିସ ଯାଞ୍ଚ ଚଳାଇଛି।
ସୂଚନା ଯେ, ଅଦିତି ଶର୍ମା ଓ ଅଭିନୀତ କୌଶିକଙ୍କ ପ୍ରଥମ ସାକ୍ଷାତ୍ ଜୁନ୍ ୨୦୨୧ରେ ଏକ ଅନଲାଇନ୍ ଆକ୍ଟିଂ କ୍ଲାସ୍ ବେଳେ ହୋଇଥିଲା। ଧିରେ ଧିରେ ତାଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ସେମାନେ ନଭେମ୍ୱର ୨୦୨୪ ମସିହାରେ ଗୋରେଗାଓଁ ସ୍ଥିତ ତାଙ୍କ ଘରେ ଗୁପ୍ତ ଭାବେ ବିବାହ କରିଥିଲେ।
ଆହୁରି ମଧ୍ୟ ପଢନ୍ତୁ - ଗୁପ୍ତରେ ବିବାହ କରିଥିଲେ କି ରାମ ଗୋପାଳ ବର୍ମା ଓ ଉର୍ମିଳା ମାତୋଣ୍ଡକର ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।