୨୭୧ ଯାତ୍ରୀଙ୍କୁ ନେଇ ଯାଉଥିବା ଫେରୀରେ ଲାଗିଲା ନିଆଁ: ୫ ମୃତ, ୪୧ ନିଖୋଜ
ନୂଆଦିଲ୍ଲୀ,୨।୮: ଇଣ୍ଡୋନେସିଆର ମଦୁରା ଦ୍ବୀପ ନିକଟରେ ରବିବାର ଘଟିଛି ବଡ଼ ଧରଣର ଅଘଟଣ। ୨୭୧ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଫେରୀ(ବୋଟ୍) KMP ମୁଟିଆରା ସେଣ୍ଟୋସା ୨ରେ ହଠାତ୍ ନିଆଁ ଲାଗିଯାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ୪୧ ଜଣ ନିଖୋଜ ଅଛନ୍ତି। ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।
ସନ୍ଧାନ ଏବଂ ଉଦ୍ଧାର ସଂସ୍ଥା ଅନୁଯାୟୀ, ଫେରୀରେ ମୋଟ ୨୭୧ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ। ଏମାନଙ୍କ ମଧ୍ୟରୁ ୨୨୫ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ନିଖୋଜ ଲୋକଙ୍କ ସନ୍ଧାନ ଅଭିଯାନ ଜାରି ରହିଛି। ଫେରୀଟି ପୂର୍ବ ଜାଭା ପ୍ରଦେଶର ସୁରାବାୟା ସହରରୁ ଦକ୍ଷିଣ ସୁଲାୱେସିର ମାକାସାର ସହର ଅଭିମୁଖେ ଯାତ୍ରା ସମୟରେ ବାହାରିଥିଲା। ମାଦୁରା ଦ୍ୱୀପ ନିକଟ ସମୁଦ୍ର ଅଞ୍ଚଳରେ ଯାତ୍ରା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ଅଧିକାରୀଙ୍କ କହିବା ଅନୁସାରେ, ନିଆଁ ଲାଗିବା ଘଟଣା ରବିବାର ସକାଳେ ହୋଇଥିଲା। କିନ୍ତୁ ଏହା ସ୍ପଷ୍ଟ ହୋଇପାରିନି ଯେ ଫେରୀରେ କିଭଳି ନିଆଁ ଲାଗିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ଯାଞ୍ଚ ଆରମ୍ଭ ହୋଇଛି। ରାଷ୍ଟ୍ରୀୟ ଅନୁସନ୍ଧାନ ଏବଂ ଉଦ୍ଧାକାରୀ ଏଜେନ୍ସି କହିଛି ଯେ, ସମୁଦ୍ରରେ ନିଖୋଜ ଲୋକଙ୍କ ତଲାସୀ ପାଇଁ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଅପରେସନ୍ ଲଗାତାର ଜାରି ରହିଛି। ଉଦ୍ଧାରକାରୀ ଦଳ ସମୁଦ୍ର କ୍ଷେତ୍ରରେ ବ୍ୟାପକ ସ୍ତରରେ ଅଭିଯାନ ଚଳାଇଛନ୍ତି। ଯାହାଫଳରେ ସବୁ ନିଖୋଜ ଲୋକଙ୍କ ତୁରନ୍ତ ପତ୍ତା ଲଗାଇ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।