୨୬ ହଜାର ଟଙ୍କା ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରାପଡିଲେ ରାଉରକେଲା ଆରଟିଓର ୨ କର୍ମଚାରୀ
ରାଉରକେଲା,୫।୮: ଭିଜିଲାନ୍ସ ଜାଲରେ ରାଉରକେଲା ଆରଟିଓର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍ଆର୍ସି) ପ୍ରଦାନ କରିବା ପାଇଁ ୨୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ୨ କର୍ମଚାରୀ ଧରାପଡିଛନ୍ତି। ସେମାନେ ହେଲେ ଆରଟିଓ ଅଫିସର ଡିଲିଂ କ୍ଲର୍କ-କମ୍-ନାଇଟ୍ ୱାଚର୍ ନିରଞ୍ଜନ ଷଣ୍ଢ ଏବଂ ଆଇଟି ଏଜ୍ୟୁକିଟିଭି ଧର୍ମେନ୍ଦ୍ର କୁମାର ବେହେରା।
ଅଭିଯୋଗକାରୀ ନିକଟରେ ଏକ ବ୍ୟାଙ୍କ ଦ୍ୱାରା କରାଯାଇଥିବା ନିଲାମ ପ୍ରକ୍ରିୟାରେ ଦୁଇଟି ଟ୍ରକ୍ କିଣିଥିଲେ। ପୂର୍ବତନ ମାଲିକ ବ୍ୟାଙ୍କ ଋଣ ଶୁଝି ନ ପାରିବାରୁ ବ୍ୟାଙ୍କ ପକ୍ଷରୁ ଏହି ଟ୍ରକ୍ ଦୁଇଟିକୁ ନିଲାମ କରାଯାଇଥିଲା। ନୂଆ ମାଲିକ ଜଣକ ଉକ୍ତ ଦୁଇଟି ଟ୍ରକ୍ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍ଆର୍ସି) ପାଇଁ ରାଉରକେଲା ଆରଟିଓ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ମାତ୍ର ଅଭିଯୋଗକାରୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଡିଲିଂ କିରାଣୀ ନିରଞ୍ଜନ ଷଣ୍ଢ ଏହି ଫାଇଲ୍କୁ ଆଗକୁ ନେଇ ନ ଥିଲେ। ନୂଆ ପଞ୍ଜୀକରଣ କରିଦେବା ପାଇଁ ସେ ଗୋଟିଏ ଟ୍ରକ୍ ପିଛା ୧୩,୦୦୦ ଟଙ୍କା ହିସାବରେ ମୋଟ୍ ୨୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଏ ନେଇ ଟ୍ରକ୍ ମାଲିକ ଜଣକ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ ।ବୁଧବାର ଦିନ ଡିଲିଂ କିରାଣୀ ଶ୍ରୀ ଷଣ୍ଢ ଏବଂ ତାଙ୍କ ସହଯୋଗୀ ଆଇଟି ଏଜକ୍ୟୁଟିଭ ଶ୍ରୀ ବେହେରା ଅଭିଯୋଗକାରୀଙ୍କ ଠାରୁ ୨୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ସେମାନଙ୍କୁ କାବୁ କରିଥିଲେ। ସେମାନଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରିଥିଲେ। ଏହା ପରେ ନିରଞ୍ଜନଙ୍କ ସହ ଜଡିତ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି ।
ଆହୁରି ପଢନ୍ତୁ : ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୨ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।