09 JULY 2026

Welcome!

Unlock your personalized experience.
Sign Up

୨୦୨୬ ତ କେବଳ ଟ୍ରେଲର୍, ୨୦୨୭ରେ ଆସୁଛି 'ସୁପର୍ ଏଲନିନୋ' ! ୟୁରୋପର ସ୍ଥିତି ଦେଖି ଭାରତକୁ ସତର୍କ କଲେ ବୈଜ୍ଞାନିକ

Jul 09, 2026 - 09:19
୨୦୨୬ ତ କେବଳ ଟ୍ରେଲର୍, ୨୦୨୭ରେ ଆସୁଛି 'ସୁପର୍ ଏଲନିନୋ' ! ୟୁରୋପର ସ୍ଥିତି ଦେଖି ଭାରତକୁ ସତର୍କ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ, ୯।୭: ଚଳିତ ବର୍ଷ ୟୁରୋପରେ ନିଆଁ ବର୍ଷା ହେଉଛି । ସମଗ୍ର ୟୁରୋପ ମହାଦେଶ ଜଳୁଛି । ଜଣେ ବସ୍ ଡ୍ରାଇଭରଙ୍କୁ ଗାଡ଼ି ଚଳାଇବା ସମୟରେ ହିଟ୍ ଷ୍ଟ୍ରୋକ୍ ଆସିଲା, ଯାହା ଫଳରେ ସେହି ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଥିଲା । ଅତ୍ୟଧିକ ଗରମ ଯୋଗୁଁ ୟୁକେରେ ଏକ ଇଲେକ୍ଟ୍ରିକ୍ ବସ୍ରେ ନିଆଁ ଲାଗିଯାଇଥିଲା । କେବଳ ସେତିକି ନୁହେଁ, ରେଲୱେ ଟ୍ରାକ୍ସ ମଧ୍ୟ ତରଳିବାରେ ଲାଗୁଛି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ୱିଡେନରେ ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଗଲା କାରଣ ଏହାର ଟ୍ରାକ୍ସ ତରଳିଯାଇଥିଲା । ଏଠାକାର ରୋଡ୍ ତରଳୁଛି ଏପରିକି ଡଷ୍ଟବିନ୍ ବି ତରଳିବାରେ ଲାଗୁଛି । ମେଟ୍ରୋରେ ଯାତାୟତ କରୁଥିବା ଲୋକେ ଝାଳରେ ଗାଧୋଉଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ସବୁଠାରୁ ଦୁଃଖଦ ଘଟଣା ହେଉଛି ଏ ପର୍ଯ୍ୟନ୍ତ ଅତ୍ୟଧିକ ହିଟ୍ ଯୋଗୁଁ ୟୁରୋପରେ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁସଂଖ୍ୟା ରେକର୍ଡ ହୋଇଛି । କିନ୍ତୁ, ଏଭଳି କାହିଁକି ଘଟୁଛି ? ଭାରତରେ ତ ଏତିକି ତାପମାତ୍ରାରେ ପିଲା ପଡ଼ିଆରେ କ୍ରିକେଟ୍ ଖେଳନ୍ତି, ଲୋକ ଚା’ ପିଅନ୍ତି । ତାହେଲେ କ’ଣ ୟୁରୋପୀୟ ଲୋକ ଏତେ ଦୁର୍ବଳ ? ଏହା ପଛରେ ପ୍ରକୃତ କାରଣ କ’ଣ ଜାଣନ୍ତୁ ।

ପ୍ରଥମେ ଜାଣିବା ହିଟ୍ ୱେଭ୍ କ’ଣ ? ଗୋଟିଏ ଛୋଟିଆ ଉଦାହରଣରୁ ବୁଝିବାକୁ ଚେଷ୍ଟା କରିବା । ମନେକରନ୍ତୁ ଆପଣଙ୍କ ସହରରେ ଗ୍ରୀଷ୍ମରୁତୁରେ ତାପମାତ୍ରା ହାରାହାରି ୩୫-୪୦ ଡିଗ୍ରୀ, ତେଣୁ ଆପଣଙ୍କ ଶରୀର ସେହି ତାପମାତ୍ରାରେ ଖାପଖୁଆଇ ଚଳିପାରୁଛି । କିନ୍ତୁ, ହଠାତ୍ ଯଦି ସେଠାରେ ତାପମାତ୍ରା ୪୦-୪୫ ଡିଗ୍ରୀ ହୋଇଯାଏ, ତାହାକୁ ହିଟ୍ ୱେଭ୍ ବୋଲି କୁହାଯାଏ । ଏହି ହିଟ୍ ୱେଭ୍ ୟୁରୋପୀୟବାସୀଙ୍କ ପାଇଁ କାହିଁକି ମାରାତ୍ମକ ଆସନ୍ତୁ ଜାଣିବା । ମନେକରନ୍ତୁ ଶୀତଦିନେ ୧୮-୧୫ ଡିଗ୍ରୀ ତାପମାତ୍ରାରେ ଆମେ ଖାପଖାଇ ଚଳିପାରନ୍ତି । କିନ୍ତୁ, ଅଚାନକ ତାପମାତ୍ରା ୩ କିମ୍ୱା ୨ ଡିଗ୍ରୀ ହୋଇଗଲେ, ଆମ ଅବସ୍ଥା ଯାହା ହେବ ହିଟ୍ ୱେବ୍ ରେ ୟୁରୋପୀୟବାସୀଙ୍କର ଅବସ୍ଥା ଠିକ୍ ସେମିତି । ଏହି ହିଟ୍ ୱେବ୍ ଏମାନଙ୍କ ପାଇଁ ଆହୁରି ଭୟାନକ ହେବାରେ ଲାଗୁଛି କାରଣ ସେଠାକାର ସରକାର ଏସି ବ୍ୟବହାର ଉପରେ ଜରିମାନା ଲଗାଉଛନ୍ତି । ଏମିତିକି ସେଠାକାର ଡାକ୍ତରଖାନାରେ ମଧ୍ୟ ଏସି ନାହିଁ । ଥରେ ଭାବନ୍ତୁ, ହିଟ୍ ୱେବ୍ ରେ ଆପଣ ପ୍ରଭାବିତ ହୋଇ ଡାକ୍ତରଖାନାରେ ପଡ଼ିଛନ୍ତି, କିନ୍ତୁ ଡାକ୍ତରଖାନାରେ ବି ଶାନ୍ତି ନାହିଁ । ଯେଉଁମାନଙ୍କ ଘରେ ଏସି ଅଛି, ତାଙ୍କ ଘରୁ ବି ଏସି ବାହାର କରିଦିଆଯାଉଛି । ଗ୍ରୀନ୍ ହାଉସ୍ ଗ୍ୟାସ୍ ଏମିସନକୁ ହ୍ରାସ କରିବାକୁ ସରକାର ଏଭଳି ନିଷ୍ପତ୍ତି ନେଉଛନ୍ତି । ତେଣୁ ଫ୍ୟାନଟିଏ ବି କିଣିବା ପାଇଁ ୟୁରୋପର ଦୋକାନ ଓ ମଲ୍ ମାନଙ୍କରେ ଲୋକଙ୍କ ସୁଅ ଛୁଟୁଛି । ହିଟ୍ ୱେବ୍ ପାଇଁ ଲୋକେ ଏତେ ମାତ୍ରାରେ ଫ୍ୟାନ୍ କିଣୁଛନ୍ତି ଯେ, ଫ୍ୟାନ୍ ବି ଆଉଟ ଅଫ୍ ଷ୍ଟକ୍ ହୋଇଯାଉଛି ।

ଏହା ବି ପଢ଼ନ୍ତୁ... Iran-America war : ମହାଯୁଦ୍ଧ ମୁହାଁ ଇରାନ-ଆମେରିକା, ଟ୍ରମ୍ପ କହିଲେ ଚୁକ୍ତି ଶେଷ, ମୋତେ ହତ୍ୟା କରିବାକୁ ଚାହୁଁଛି ଇରାନ୍…​​​​​​​

ୟୁରୋପରେ ଥିବା ଘର, କୋଠା, ବଙ୍ଗଳା, ଅଫିସ୍ ଓ ମଲଗୁଡ଼ିକ ବିଶେଷ କରି ଶୀତପ୍ରକୋପ ସହିବାକୁ ଡିଜାଇନ୍ କରାଯାଇଛି । କାରଣ ୟୁରୋପରେ ଅଧିକ ଥଣ୍ଡା ଅନୁଭୂତ ହୁଏ । ଏହି ଘରଗୁଡ଼ିକ ଅଧିକ ତାପମାତ୍ରା ସହିବାରେ ସକ୍ଷମ ନୁହେଁ । ତେଣୁ ହିଟ୍ ୱେବ୍ ପରେ ୟୁରୋପରେ ଘରଗୁଡ଼ିକ ହିଟ୍ ଚାମ୍ୱରରେ ପରିଣତ ହୋଇଛି । ଏଠି ସବୁଠୁ ବଡ଼ ପ୍ରଶ୍ନ ହେଉଛି ୟୁରୋପ ଭଳି ଥଣ୍ଡା ଦେଶରେ ଅଚାନକ ଏତେ ଗରମ କାହିଁକି ଅନୁଭୂତ ହେଉଛି ? ଏହା ପଛର ପ୍ରମୁଖ କାରଣ ହେଉଛି ‘ଓମେଗା ବ୍ଲକ୍’ । ଏହାକୁ ସରଳ ଭାବରେ ବୁଝିବାକୁ ଗଲେ ଓମାଗାର ସଙ୍କେତ ଏକ ଓଲଟା କପ୍ ସଦୃଶ । ଏବେ କଳ୍ପନା କରନ୍ତୁ, ଏହି ଓଲଟା କପ୍ ସଦୃଶ ଓମେଗା ବ୍ଲକ୍ ୟୁରୋପ ମହାଦେଶ ଉପରେ ରହିଛି । ଯାହା ଫଳରେ ଏହା ଭିତରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି । ଥଣ୍ଡା ପବନ, ବର୍ଷା ଏସବୁ ଓମେଗା ବ୍ଲକ୍ ବାହାର ଅଞ୍ଚଳ ଦେଇ ଗତି କରୁଛି, କିନ୍ତୁ ଓମେଗା ବ୍ଲକ୍ ଭିତର ପାର୍ଶ୍ୱରେ ଯେଉଁସବୁ ଅଞ୍ଚଳ ରହିଛି ତାହା ଏକ ଉତ୍ତପ୍ତ ପିଣ୍ଡୁଳା ପରି । ଏଠି ଆଉ ଏକ ପ୍ରଶ୍ନ ହେଉଛି, ଏହି ଓମେଗା ବ୍ଲକ୍ କାହିଁକି ସୃଷ୍ଟି ହୋଇଛି ?

ବୈଜ୍ଞାନିକଙ୍କ କହିବାନୁସାରେ, ଏହା ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି । ଯାହା ଏବେ ଭୟଙ୍କର ରୂପ ନେଇଛି । ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଆମେ ୟୁରୋପର ହିଟ୍ ୱେବ୍ ଖବର ଶୁଣୁଛେ, ସେଠାକାର ଲୋକଙ୍କ ପରିସ୍ଥିତି ବି ଦେଖୁଛେ, ୟୁରୋପ ଜାଗାରେ ଯଦି ଆଜି ଭାରତ ଥାନ୍ତା, ଥରେ ଚିନ୍ତା କରନ୍ତୁ । ଅତ୍ୟଧିକ ଗରମ କାରଣରୁ ଭାରତରେ ଦୈନିକ ୩୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ଏ ୨୦୨୬ର ଗରମ ତ କେବଳ ଏକ ଟ୍ରେଲର ଥିଲା । ରିପୋର୍ଟ ଅନୁସାରେ, ସୁପର୍ ଏଲନିନୋ ପ୍ରଭାବରେ ୨୦୨୭ ଅର୍ଥାତ୍ ଆସନ୍ତା ବର୍ଷ ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ରେକର୍ଡ ହେବ । ୟୁରୋପରେ ତ କେବଳ ଗ୍ରୀଷ୍ମରୁତୁରେ ସମସ୍ୟା ଦେଖାଯାଉଛି, ଭାରତରେ ତ ଶୀତଋତୁରେ ବି ତ୍ରାହି ନାହିଁ । AQI ୪୦୦ରୁ ୫୦୦ରେ ପହଞ୍ଚିଯାଉଛି । ତେଣୁ ନିଜର ପ୍ରକୃତି ତାଣ୍ଡବ ଦେଖାଇବା ପୂର୍ବରୁ ଭାରତକୁ ସତର୍କ ହେବାକୁ ପଡ଼ିବ । ଏବେଠୁ ସଚେତନ ନ ହେଲେ ପରିଣାମ ଭୟଙ୍କର ହେବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।