Donald Trump Airforce One: କାହିଁକି ନୂଆ ବିମାନ ଛାଡ଼ି ପୁରୁଣାରେ ଯାତ୍ରା କଲେ ଟ୍ରମ୍ପ, କ’ଣ ଇରାନ ଡର ?
ନୂଆଦିଲ୍ଲୀ, ୯।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ନୂଆ ବିମାନକୁ ନିଜ ଦେଶର ‘ନୂଆ ଗୌରବ’ ବୋଲି କହି ସାରା ବିଶ୍ୱକୁ ଦେଖାଇବାକୁ ଚାହୁଁଥିଲେ, ସେହି ବିମାନଟି ତାଙ୍କ ପ୍ରଥମ ବଡ଼ ବିଦେଶ ଗସ୍ତରେ ହିଁ ଅଧା ବାଟରେ ସାଥ୍ ଛାଡ଼ିଦେଇଛି । ତୁର୍କୀରେ ଆୟୋଜିତ ନାଟୋ ସମିଟ୍ ପରେ ଟ୍ରମ୍ପ କତାର ପକ୍ଷରୁ ମିଳିଥିବା ସେହି ନୂଆ ଆକର୍ଷଣୀୟ 'ଏୟାର ଫୋର୍ସ ୱାନ'ରେ ନୁହେଁ, ବରଂ ନିଜର ପୁରୁଣା ନୀଳ-ଧଳା ରଙ୍ଗର ଏୟାର ଫୋର୍ସ ୱାନ ବିମାନରେ ବସି ପ୍ରାୟ ୩୦୦୦ କିଲୋମିଟର ଦୂର ବ୍ରିଟେନ ଅଭିମୁଖେ ଯାତ୍ରା କରିଥିଲେ । ପରେ ବ୍ରିଟେନର ଏକ ସେନା ଗାଦିରୁ ସେ ପୁଣି ସେହି ନୂଆ ବିମାନରେ ବସି ଆମେରିକା ଫେରିଛନ୍ତି ।
ଇରାନର ସୀମା ତୁର୍କୀକୁ ଲାଗି ରହିଛି ଏବଂ ତୁର୍କୀର ରାଜଧାନୀ ଅଙ୍କାରାରୁ ଇରାନ ସୀମା ମାତ୍ର ୧୩୦୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଘଟଣା ପରେ ଯେତେବେଳେ ଟ୍ରମ୍ପଙ୍କୁ ପଚରାଗଲା ଯେ ହତ୍ୟା ଧମକ ଯୋଗୁଁ ସେ ବିମାନ ବଦଳାଇଲେ କି ? ଏହାର ଉତ୍ତରରେ ଟ୍ରମ୍ପ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଇରାନ ତାଙ୍କୁ ନିଜର ‘ନମ୍ବର ୱାନ ଟାର୍ଗେଟ୍’ରେ ରଖିଛି । ଏଭଳି ସ୍ଥିତିରେ ହଠାତ୍ ବିମାନ ବଦଳାଇବା ନିଷ୍ପତ୍ତି ଅନେକ ରହସ୍ୟ ଓ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିମାନ ବଦଳାଇବାକୁ ନେଇ ଟ୍ରମ୍ପ ନିଜ ପକ୍ଷରୁ ସଫେଇ ଦେଇଛନ୍ତି । ପୂର୍ବରୁ ସେ କହିଥିଲେ ଯେ ନୂଆ ଏୟାର ଫୋର୍ସ ୱାନକୁ ସେ ୟୁରୋପର ୨-୩ଟି ବଡ଼ ସେନା ବେସକୁ ନେଇଯିବେ, ଯାହା ଦ୍ୱାରା ଆମେରିକୀୟ ସୈନିକମାନେ ଏହି ଭବ୍ୟ ବିମାନକୁ ଦେଖିପାରିବେ । କିନ୍ତୁ ପ୍ରକୃତରେ ସେପରି କିଛି ହେଲାନାହିଁ । ବିମାନଟି କେବଳ ବ୍ରିଟେନର RAF ମିଲଡେନହଲ୍ ବେସରେ ପହଞ୍ଚିଲା । ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସେ କେବଳ ‘ପୁରୁଣା ଦିନର ସ୍ମୃତି’ ପାଇଁ ପୁରୁଣା ବିମାନରେ ଯାତ୍ରା କଲେ, ଯେଉଁ ସମୟରେ ନୂଆ ବିମାନଟି ସେଠାରେ ସୈନିକମାନଙ୍କ ଦେଖିବା ପାଇଁ ପହଞ୍ଚିଥିଲା ।
ଏହା ବି ପଢ଼ନ୍ତୁ... Newzealand offers India: ପ୍ରଥମ ଦିନରୁ ଟାରିଫ୍ ଫ୍ରି... ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଭିତରେ ଭାରତକୁ ମିଳିଲା ବଡ଼ ଅଫର
କିନ୍ତୁ, ସୁରକ୍ଷା ବିଶେଷଜ୍ଞଙ୍କ କହିବା କଥା ହେଉଛି ଟାଇମିଂ କିଛି ଅଲଗା କାହାଣୀ ବୟାନ କରୁଛି । ଟ୍ରମ୍ପ ସେତିକି ବେଳେ ବିମାନ ବଦଳାଇଲେ ଯେତେବେଳେ ସେ ନିଜେ ସାର୍ବଜନୀନ ଭାବେ କହିଥିଲେ ଯେ ସେ ଇରାନର କିଲ୍ ଲିଷ୍ଟରେ ସବୁଠାରୁ ଉପରେ ଅଛନ୍ତି । ଯେତେବେଳେ ସାମ୍ବାଦିକମାନେ ସୁରକ୍ଷା ସମ୍ବନ୍ଧୀୟ ପ୍ରଶ୍ନ କଲେ, ସେ ସିଧାସଳଖ ଉତ୍ତର ନଦେଇ କହିଥିଲେ, "ମୁଁ ଇରାନର ହିଟ୍ ଲିଷ୍ଟରେ ନମ୍ବର ୱାନରେ ଅଛି । ମୁଁ ଏହା ଉପରେ କିଛି କହିପାରିବି ନାହିଁ ।" ଗତବର୍ଷ କତାର ପକ୍ଷରୁ ଆମେରିକାକୁ ଏକ ବୋଇଂ ୭୪୭ ବିମାନ ଉପହାରରେ ମିଳିଥିଲା । ଏହାକୁ ପ୍ରତିରକ୍ଷା କମ୍ପାନୀ L-3 ହାରିସ୍ ଟେକ୍ନୋଲୋଜି ରାଷ୍ଟ୍ରପତିଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ କରିଥିଲା । ଏହି ବିମାନକୁ ଟ୍ରମ୍ପଙ୍କ ପସନ୍ଦ ଅନୁସାରେ ନାଲି, ଧଳା, ଗାଢ଼ ନୀଳ ଏବଂ ସୁନେଲି ରଙ୍ଗରେ ସଜାଯାଇଥିଲା । ତେବେ ଆରମ୍ଭରୁ ହିଁ ଏହି ବିମାନକୁ ନେଇ ବିବାଦ ଦେଖାଦେଇଥିଲା । ସୁରକ୍ଷା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହାକୁ ଅତି କମ୍ ସମୟ ମଧ୍ୟରେ ପ୍ରସ୍ତୁତ କରାଯାଇଥିବାରୁ ଏହାର ଆଣ୍ଟି-ସ୍ପାଇଙ୍ଗ୍ ଟେକ୍ନୋଲୋଜି, କମ୍ୟୁନିକେସନ ସିକ୍ୟୁରିଟି ଏବଂ ମିସାଇଲ୍ ଡିଫେନ୍ସ ସିଷ୍ଟମକୁ ନେଇ ସନ୍ଦେହ ରହିଛି । ଡେମୋକ୍ରାଟ୍ ସାଂସଦମାନଙ୍କ ଦାବି ଅନୁସାରେ, ଏହାକୁ ପ୍ରସ୍ତୁତ କରିବାରେ ୧ ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହାର ସୁରକ୍ଷା ବ୍ୟବସ୍ଥା ଶତପ୍ରତିଶତ ଭରସାଯୋଗ୍ୟ ହୋଇପାରିନାହିଁ ।
ପ୍ରକୃତ କଥା ହେଉଛି ଟ୍ରମ୍ପ ଏବେ ଯେଉଁ ନୂଆ ବିମାନ ବ୍ୟବହାର କରୁଛନ୍ତି, ତାହା ସ୍ଥାୟୀ ‘ଏୟାର ଫୋର୍ସ ୱାନ’ ନୁହେଁ । ଏହା ଏକ ଅସ୍ଥାୟୀ ବ୍ୟବସ୍ଥା । କାରଣ ପ୍ରସିଦ୍ଧ ବିମାନ ନିର୍ମାତା କମ୍ପାନୀ ବୋଇଂ ଏପର୍ଯ୍ୟନ୍ତ ଆମେରିକାର ପରବର୍ତ୍ତୀ ପିଢ଼ିର ଅଫିସିଆଲ୍ ଏୟାର ଫୋର୍ସ ୱାନ ବିମାନ ପ୍ରସ୍ତୁତ କରିପାରିନାହିଁ । ୨୦୧୮ ମସିହାରେ ହୋଇଥିବା ୩.୯ ବିଲିୟନ ଡଲାରର ଚୁକ୍ତି ଅନୁସାରେ ବୋଇଂକୁ ଦୁଇଟି ନୂଆ 747-8 ବିମାନ ଦେବାର ଥିଲା । କିନ୍ତୁ ଏହି ପ୍ରୋଜେକ୍ଟ ଏବେ ୪ ବର୍ଷରୁ ଅଧିକ ବିଳମ୍ବରେ ଚାଲିଛି । ରିପୋର୍ଟ ଅନୁଯାୟୀ, ୨୦୨୮ ମଧ୍ୟଭାଗ ପୂର୍ବରୁ ଏହି ସ୍ଥାୟୀ ବିମାନ ମିଳିବା ସମ୍ଭବ ନୁହେଁ । ଯାହାର ଅର୍ଥ ହେଉଛି ଜାନୁଆରୀ ୨୦୨୯ରେ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମଧ୍ୟ ଆମେରିକାକୁ ତାର ଅସଲି ନୂଆ ଏୟାର ଫୋର୍ସ ୱାନ ବୋଧହୁଏ ମିଳିପାରିବ ନାହିଁ । ଅନ୍ୟପଟେ ଏହି ପ୍ରୋଜେକ୍ଟର ଖର୍ଚ୍ଚ ବଢ଼ି ଏବେ ୫ ବିଲିୟନ ଡଲାରରୁ ଅଧିକ ହୋଇସାରିଲାଣି, ଯାହା ବୋଇଂ କମ୍ପାନୀ ପାଇଁ ଏକ ବଡ଼ ଆର୍ଥିକ ବୋଝ ସଦୃଶ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।