Welcome!

Unlock your personalized experience.
Sign Up

ସୁସ୍ଥ ବାର୍ଦ୍ଧକ୍ୟ ଅର୍ଥନୀତି

Jul 10, 2026 - 14:51
ସୁସ୍ଥ ବାର୍ଦ୍ଧକ୍ୟ ଅର୍ଥନୀତି

ଦଶନ୍ଧି ଧରି, ବାର୍ଦ୍ଧକ୍ୟକୁ ଏକ ଆସନ୍ନ ଆର୍ଥିକ ସଙ୍କଟ ଭାବରେ ଚିତ୍ରଣ କରାଯାଇଛି । ଆୟୁଷ ବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ବୃଦ୍ଧି, ପେନସନ ବାବଦ ଦେୟ ବୃଦ୍ଧିପାଇବା ସହିତ ବୟସ୍କ ଲୋକଙ୍କ ଅନ୍ୟ ଉପରେ ନିର୍ଭରଶୀଳତା ଅନୁପାତ ବୃଦ୍ଧିପାଉଛି । ସାରା ବିଶ୍ୱରେ ସରକାରମାନେ ପ୍ରାୟତଃ ବୟସ୍କ ଜନସଂଖ୍ୟାକୁ ଏକ ଆର୍ଥିକ ବୋଝ ଭାବରେ ଦେଖିଛନ୍ତି, ଯାହା ଦୀର୍ଘକାଳୀନ ଆର୍ଥିକ ସ୍ଥିରତାକୁ ବିପଦରେ ପକାଇଥାଏ । ଏପରିକି ଆଜିର ଉପଭୋକ୍ତାବାଦ ଯୁଗରେ ମାନବିକତା ଓ ମୂଲ୍ୟବୋଧ ହ୍ରାସ ଯୋଗୁଁ ବାର୍ଦ୍ଧକ୍ୟ ଅବସ୍ଥାରେ ଲୋକମାନେ ପରିବାରରେ ଅବହେଳିତ ହେଉଛନ୍ତି । ବିଶ୍ୱ ଅର୍ଥନୈତିକ ଫୋରମ ରିପୋର୍ଟ ‘ଦି ଲଗ୍ନେଭିଟି ଡିଭିଡେଣ୍ଡ: ଦି ବିଜନେସ୍ କେସ୍ ଫର୍ ଲିଙ୍କିଂ ହେଲ୍ଥ ଆଣ୍ଡ ୱେଲ୍ଥ' ବାର୍ଦ୍ଧକ୍ୟ ଅବସ୍ଥା ଏକ ବୋଝ ବୋଲି ଯେଉଁ ପାରମ୍ପରିକ ଚିନ୍ତାଧାରା ରହିଆସିଛି ତାକୁ ଚ୍ୟାଲେଞ୍ଜ କରେ ।

ଅପରପକ୍ଷରେ ଏହା ଏକ ଶକ୍ତିଶାଳୀ ଏବଂ ଆଶାବାଦୀ ଯୁକ୍ତି ଉପସ୍ଥାପନ କରେ । ବେଶି ଦିନ ବଞ୍ଚିବା ବା ଦୀର୍ଘାୟୁ ସମସ୍ୟା ନୁହେଁ, ବରଂ ଅସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ହେଉଛି ବଡ଼ ସମସ୍ୟା । ଯଦି ଲୋକମାନେ ସୁସ୍ଥ, ଉତ୍ପାଦନକ୍ଷମ, ଆର୍ଥିକ ଭାବରେ ସୁରକ୍ଷିତ ଏବଂ ସାମାଜିକ ଭାବରେ ନିୟୋଜିତ ରହି ଅଧିକ ଦିନ ବଞ୍ଚନ୍ତି, ତେବେ ବର୍ଦ୍ଧିତ ଆୟୁଷ ଏକବିଂଶ ଶତାବ୍ଦୀର ସର୍ବୋତ୍ତମ ଆର୍ଥିକ ସମ୍ପଦ ମଧ୍ୟରୁ ଗୋଟିଏ ହୋଇପାରେ । ରିପୋର୍ଟ ନୀତି ନିର୍ଦ୍ଧାରକ, ସରକାର, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏବଂ ନାଗରିକମାନଙ୍କୁ ବାର୍ଦ୍ଧକ୍ୟ ଅବସ୍ଥାକୁ ପୁନର୍ବିଚାର କରିବାକୁ ଆମନ୍ତ୍ରଣ କରେ । ବାର୍ଦ୍ଧକ୍ୟ ଏକ ଚିନ୍ତା ଉଦ୍ରେକ କାହାଣୀ ଭାବରେ ନୁହେଁ, ବରଂ ସୁସ୍ଥ ସମାଜ ଏବଂ ଶକ୍ତିଶାଳୀ ଅର୍ଥନୀତି ଗଠନ କରିବାର ଏକ ସୁଯୋଗ ଭାବରେ । ରିପୋର୍ଟର ମୂଳରେ ଆୟୁଷ ଏବଂ ସ୍ୱାସ୍ଥ୍ୟ ସମୟସୀମା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି ବୋଲି ଦର୍ଶାଯାଇଛି । ଜୀବନକାଳ କେବଳ ଲୋକଙ୍କ ଜୀବନର ବର୍ଷ ସଂଖ୍ୟାକୁ ମାପେ । ସ୍ୱାସ୍ଥ୍ୟ ସମୟସୀମା ଭଲ ଶାରୀରିକ, ମାନସିକ ଏବଂ ଜ୍ଞାନାତ୍ମକ ସ୍ୱାସ୍ଥ୍ୟରେ ସେମାନେ କେତେ ବର୍ଷ ବଞ୍ଚନ୍ତି ତାହା ମାପ କରେ । ସ୍ୱାସ୍ଥ୍ୟ ବୃଦ୍ଧି ନକରି ଜୀବନର ଆୟୁ ବୃଦ୍ଧି କରିବା କେବଳ ଅସୁସ୍ଥତା, ଅକ୍ଷମତା, ନିର୍ଭରଶୀଳତା ଏବଂ ଆର୍ଥିକ ଅସୁରକ୍ଷାକୁ ଦୀର୍ଘ କରିଥାଏ । ପ୍ରକୃତ ପ୍ରଗତି କେବଳ ଜୀବନରେ ବର୍ଷ ଯୋଡ଼ିବାରେ ନୁହେଁ, ବରଂ ସେହି ଜୀବନରେ ସୁସ୍ଥ, ଉତ୍ପାଦନକ୍ଷମ ବର୍ଷ ଯୋଡ଼ିବାରେ ନିହିତ ରହିଥାଏ ।

ଏହି ପାର୍ଥକ୍ୟରେ ଗଭୀର ଆର୍ଥିକ ପ୍ରଭାବ ରହିଛି । ସୁସ୍ଥ ବ୍ୟକ୍ତିମାନେ ନିଯୁକ୍ତି, ଉଦ୍ୟୋଗିକତା, ଯତ୍ନ, ସ୍ୱେଚ୍ଛାସେବା, ପରାମର୍ଶ, ନବସୃଜନ ଏବଂ ବିଭିନ୍ନ ଖର୍ଚ୍ଚ ମାଧ୍ୟମରେ ଅବଦାନ ଜାରି ରଖନ୍ତି । ପ୍ରତ୍ୟେକ ଅତିରିକ୍ତ ସୁସ୍ଥ ବର୍ଷ କେବଳ ବ୍ୟକ୍ତି ପାଇଁ ନୁହେଁ ବରଂ ପରିବାର, ବ୍ୟବସାୟ ଏବଂ ଜାତୀୟ ଅର୍ଥନୀତି ପାଇଁ ମଧ୍ୟ ମୂଲ୍ୟ ସୃଷ୍ଟିକରେ । ତେଣୁ, ଦୀର୍ଘାୟୁକୁ ଏକ ନିବେଶ ଭାବରେ ବିବେଚନା କରାଯିବା ଉଚିତ ଯାହା ଯଥେଷ୍ଟ ସାମାଜିକ ଏବଂ ଆର୍ଥିକ ଲାଭ ପ୍ରଦାନ କରିପାରିବ ।

ରିପୋର୍ଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ମଧ୍ୟରୁ ଗୋଟିଏ ହେଉଛି ଏହାର ସ୍ୱୀକୃତି ଯେ, ସ୍ୱାସ୍ଥ୍ୟ ଏବଂ ସମ୍ପଦ ଭିନ୍ନ ନୁହେଁ । ଭଲ ସ୍ୱାସ୍ଥ୍ୟ ଲୋକଙ୍କୁ ଅଧିକ ସମୟ ପାଇଁ ନିଯୁକ୍ତିରେ ରହିବା, ଅଧିକ ଆୟ ଅର୍ଜନ କରିବା, ସଞ୍ଚୟ କରିବା ଏବଂ ବିପର୍ଯ୍ୟୟ ଚିକିତ୍ସା ଖର୍ଚ୍ଚ ଏଡାଇବା ପାଇଁ ସକ୍ଷମ କରିଥାଏ । ଅପରପକ୍ଷରେ ଆର୍ଥିକ ସୁରକ୍ଷା, ଚାପ ହ୍ରାସ କରେ, ମାନସିକ ସ୍ୱାସ୍ଥ୍ୟକୁ ଉନ୍ନତ କରେ ଏବଂ ବ୍ୟକ୍ତିମାନଙ୍କୁ ସୁସ୍ଥ ଜୀବନଶୈଳୀରେ ବିନିଯୋଗ କରିବାକୁ ସକ୍ଷମ କରେ । ତଥାପି ସାର୍ବଜନୀନ ନୀତି ପ୍ରାୟତଃ ସ୍ୱାସ୍ଥ୍ୟସେବା, ପେନସନ, ନିଯୁକ୍ତି ଏବଂ ଆର୍ଥିକ ଯୋଜନାକୁ ଭିନ୍ନ କ୍ଷେତ୍ର ଭାବରେ ବ୍ୟବହାର କରେ । ରିପୋର୍ଟ ଯୁକ୍ତି କରେ ଯେ ଏପରି ଚିନ୍ତାଧାରା ଆଉ ଯଥେଷ୍ଟ ନୁହେଁ । ସ୍ୱାସ୍ଥ୍ୟ ନୀତି ହେଉଛି ଅର୍ଥନୈତିକ ନୀତି ଏବଂ ଅର୍ଥନୈତିକ ନୀତି ହେଉଛି ସ୍ୱାସ୍ଥ୍ୟ ନୀତି । ଯେତେବେଳେ ଏହି ବ୍ୟବସ୍ଥାଗୁଡ଼ିକ ପରସ୍ପରକୁ ସୁଦୃଢ଼ କରେ, ସମାଜଗୁଡ଼ିକ ଏକ ଚକ୍ର ସୃଷ୍ଟିକରେ ଯେଉଁଥିରେ ସୁସ୍ଥ ନାଗରିକମାନେ ଆର୍ଥିକ ଭାବରେ ଶକ୍ତିଶାଳୀ ହୁଅନ୍ତି, ଯେତେବେଳେ ଆର୍ଥିକ ଭାବରେ ସୁରକ୍ଷିତ ନାଗରିକମାନେ ଉତ୍ତମ ସ୍ୱାସ୍ଥ୍ୟ ଫଳାଫଳ ଉପଭୋଗ କରନ୍ତି । ହୁଏତ ରିପୋର୍ଟର ସବୁଠାରୁ ଆକର୍ଷଣୀୟ ଅନ୍ତର୍ଦୃଷ୍ଟି ହେଉଛି ଯେ ବିପୁଳ ଆର୍ଥିକ ଲାଭ ବୈପ୍ଳବିକ ଚିକିତ୍ସା ସଫଳତା ଉପରେ ନିର୍ଭର କରିବା ଆବଶ୍ୟକ ନୁହେଁ, ବରଂ ତିନିଟି ଅପେକ୍ଷାକୃତ ସରଳ ଏବଂ ଶସ୍ତା ହସ୍ତକ୍ଷେପ ୨୦୪୦ ସୁଦ୍ଧା ଅସାଧାରଣ ଲାଭ ସୃଷ୍ଟି କରିପାରିବ ।

ପ୍ରଥମଟି ହେଉଛି ବୟସ୍କମାନଙ୍କ ପାଇଁ ଘରଗୁଡ଼ିକୁ ସୁରକ୍ଷିତ କରିବା । କାରଣ ବୟସ୍କମାନେ ପଡ଼ିଯିବା ଏବଂ ହସ୍ପିଟାଲରେ ଭର୍ତ୍ତି ହେବାର ସଙ୍କଟ ଅଧିକ ଥାଏ । ଘର ବିଶେଷକରି ଗାଧୁଆଘର ଚଟାଣ ଏପରି କରିବା ଯେପରି ପଡ଼ିବାର ସମ୍ଭାବନା କମ୍ ରହିବ । ଆଲୋକ ଉନ୍ନତ କରିବା, ଠିକ୍ କାର୍ପେଟ୍ ବିଛେଇବା, ହ୍ୟାଣ୍ଡରେଲ୍ ସୁଦୃଢ଼ କରିବା ଏବଂ ବାଥରୁମକୁ ପୁନଃନିର୍ମାଣ କରିବା ଦ୍ୱାରା ଲକ୍ଷ ଲକ୍ଷ ଗୁରୁତର ଆଘାତକୁ ରୋକିପାରିବା । ରିପୋର୍ଟ ଅନୁଯାୟୀ, ୨୧ଟି ଦେଶରେ ଏପରି ପଦକ୍ଷେପ ୨୦୪୦ ସୁଦ୍ଧା ପ୍ରାୟ ୪୦କୋଟି ବୟସ୍କ ବ୍ୟକ୍ତିଙ୍କୁ ପଡ଼ିଯିବାରୁ ରୋକିପାରିବ, ଯାହା ସ୍ୱାସ୍ଥ୍ୟସେବା ଖର୍ଚ୍ଚକୁ ନାଟକୀୟ ଭାବରେ ହ୍ରାସକରିବ ଏବଂ ବୟସ୍କମାନଙ୍କୁ ଅଧିକ ସମୟ ପାଇଁ ସ୍ୱାଧୀନ ରହିବାକୁ ସମ୍ଭବ କରିବ । ଦ୍ୱିତୀୟ ପଦକ୍ଷେପ ହେଉଛି ନିୟମିତ ଶାରୀରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା । ବ୍ୟାୟାମ ପ୍ରତିରୋଧକ ଔଷଧର ସବୁଠାରୁ ଶକ୍ତିଶାଳୀ ବିକଳ୍ପ, କିନ୍ତୁ ଅବ୍ୟବହୃତ ରୂପ ମଧ୍ୟରୁ ଗୋଟିଏ ଅଟେ । ଏହା ଟାଇପ୍-୨ ମଧୁମେହ, ହୃଦ୍ରୋଗ, ସ୍ଥୂଳତା, ଡିପ୍ରେସନ୍, ସ୍ମରଣଶକ୍ତି ହ୍ରାସ ଏବଂ ମସ୍କୁଲୋକେଲେକାଲ୍ ମାଂସପେଶୀ ସମସ୍ୟା ବା ଡିସ୍ଅର୍ଡର ବିପଦକୁ ହ୍ରାସକରେ । ରିପୋର୍ଟରେ ଆକଳନ କରାଯାଇଛି ଯେ, କେବଳ ଅଧିକ ଶାରୀରିକ କାର୍ଯ୍ୟକଳାପ ୨୦୪୦ ସୁଦ୍ଧା ଟାଇପ୍-୨ ମଧୁମେହର ପ୍ରାୟ ୮୫ଲକ୍ଷ ନୂତନ ମାମଲାକୁ ରୋକିପାରିବ ଏବଂ ଏକକାଳୀନ ଶ୍ରମ ଉତ୍ପାଦକତା ବୃଦ୍ଧି କରିବ ଏବଂ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ହ୍ରାସକରିବ ।

ତୃତୀୟ ପଦକ୍ଷେପ ଶ୍ରବଣ ଯତ୍ନ ଉପରେ ଧ୍ୟାନକେନ୍ଦ୍ରିତ କରେ । ସହଜରେ ବା ଅଳ୍ପମୂଲ୍ୟରେ ଉପଲବ୍ଧ ହେବା ସତ୍ତେ୍ୱ ଶ୍ରବଣଶକ୍ତି ହ୍ରାସ ସମସ୍ୟା ଅନେକଙ୍କ କ୍ଷେତ୍ରରେ ପ୍ରାୟତଃ ଚିକିତ୍ସା କରାଯାଏନାହିଁ । ଚିକିତ୍ସା ହୋଇନଥିବା ଯୋଗୁଁ କ୍ଷତି କେବଳ ସାମାଜିକ ବିଚ୍ଛିନ୍ନତାରେ ନୁହେଁ, ବରଂ ଡିପ୍ରେସନ୍, ଜ୍ଞାନାତ୍ମକ ହ୍ରାସ, ଡିମେନ୍ସିଆ ଏବଂ କର୍ମକ୍ଷେତ୍ରରେ ଉତ୍ପାଦକତା ହ୍ରାସ କରିଥାଏ । ଶ୍ରବଣ ଯନ୍ତ୍ରର ବ୍ୟାପକ ବ୍ୟବହାର ଜୀବନର ଗୁଣବତ୍ତା ଏବଂ ଆର୍ଥିକ ଅଂଶଗ୍ରହଣକୁ ଉନ୍ନତ କରିବା ସହିତ ପ୍ରାୟ ୨୪ଲକ୍ଷ ଡିମେନ୍ସିଆ ମାମଲାକୁ ରୋକିପାରିବ । ସାମୂହିକ ଭାବରେ ଏହି ତିନିଟି ପଦକ୍ଷେପ ଅପେକ୍ଷାକୃତ କମ୍ ବ୍ୟୟରେ, ସ୍ୱାସ୍ଥ୍ୟ ବ୍ୟୟ ବାବଦରେ ୨୦୪୦ ସୁଦ୍ଧା ୫.୮ ଟ୍ରିଲିୟନ ଆମେରିକୀୟ ଡଲାରରୁ ଅଧିକ ବ୍ୟୟ ରୋକିପାରିବ । ସ୍ୱାସ୍ଥ୍ୟସେବା ବାବଦ ବ୍ୟୟ ହ୍ରାସ ସାଙ୍ଗକୁ ପ୍ରାୟ ୬୪୫ ବିଲିୟନ ଆମେରିକୀୟ ଡଲାର ଅତିରିକ୍ତ ଉତ୍ପାଦକତା ଲାଭ ସୃଷ୍ଟି କରିପାରିବ । ଏହି ସଂଖ୍ୟାଗୁଡ଼ିକ ଏକ ଗଭୀର ଅର୍ଥନୈତିକ ସତ୍ୟକୁ ପ୍ରଦର୍ଶନ କରେ: ରୋଗପ୍ରତିରୋଧ ପ୍ରାୟତଃ ଚିକିତ୍ସା ଅପେକ୍ଷା ବହୁତ ଅଧିକ ଲାଭ ପ୍ରଦାନ କରେ । ଏହି ସନ୍ଧାନ ଏକ ପୁରୁଣା, କିନ୍ତୁ ପ୍ରାୟତଃ ଅବହେଳିତ ନୀତିକୁ ଦୃଢ଼ କରେ- ରୋଗ ଜଣାପଡ଼ିବା ଅପେକ୍ଷା ପ୍ରତିରୋଧମୂଳକ ପଦକ୍ଷେପ ନେବା ଭଲ । ସାରା ବିଶ୍ୱରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମୁଖ୍ୟତଃ ଚିକିତ୍ସାକୈନ୍ଦ୍ରିକ ରହିଥାଏ, ରୋଗ ଜଣାପଡ଼ିବା ପରେ ଚିକିତ୍ସା କରାଯାଇଥାଏ । ରିପୋର୍ଟ ନିୟମିତ ସ୍ୱାସ୍ଥ୍ୟ ସ୍କ୍ରିନିଂ, ପୁଷ୍ଟିକର ଖାଦ୍ୟ, ଶାରୀରିକ କାର୍ଯ୍ୟକଳାପ, ମାନସିକ ସ୍ୱାସ୍ଥ୍ୟ ସହାୟତା, ଟୀକାକରଣ, ଶ୍ରବଣ ଯତ୍ନ, ସୁସ୍ଥ ବାସସ୍ଥାନ ଏବଂ ଦୀର୍ଘକାଳୀନ ରୋଗର ପ୍ରାରମ୍ଭିକ ପରିଚାଳନା ମାଧ୍ୟମରେ ପ୍ରତିରୋଧ ଉପରେ କେନ୍ଦ୍ରିତ ଏକ ଜୀବନ-ପାଠ୍ୟକ୍ରମ ପଦ୍ଧତିକୁ ସମର୍ଥନ କରେ । ପ୍ରତିରୋଧରେ ବିନିଯୋଗ କେବଳ ଜୀବନର ଗୁଣବତ୍ତା ଉନ୍ନତ କରେନାହିଁ, ବରଂ ଜାତୀୟ ଉତ୍ପାଦକତାକୁ ମଧ୍ୟ ସୁଦୃଢ଼ କରେ ଏବଂ ଦୀର୍ଘକାଳୀନ ସାର୍ବଜନୀନ ଖର୍ଚ୍ଚକୁ ହ୍ରାସ କରେ । ଦୀର୍ଘଜୀବନ କାର୍ଯ୍ୟ ଏବଂ ଅବସରର ଏକ ସନ୍ତୁଳନର ମୌଳିକପୁନର୍ବିଚାର ମଧ୍ୟ ଦାବି କରେ ।

ଅନେକ ଦେଶରେ ଅବସର ବ୍ୟବସ୍ଥା ଡିଜାଇନ୍ କରାଯାଇଥିଲା ଯେତେବେଳେ ହାରାହାରି ଆୟୁ ଯଥେଷ୍ଟ କମ୍ ଥିଲା । ଆଜି, ଲକ୍ଷ ଲକ୍ଷ ବୟସ୍କ ବ୍ୟକ୍ତି ଶାରୀରିକ ଭାବରେ ସକ୍ଷମ, ବୌଦ୍ଧିକ ଭାବରେ ସକ୍ରିୟ ଏବଂ ପାରମ୍ପରିକ ଅବସର ବୟସ ଅନୁସାରେ ଅଧିକ ବୃତ୍ତିଗତ ଭାବରେ ଅଭିଜ୍ଞ ରହିଛନ୍ତି । ରିପୋର୍ଟ ଯୁକ୍ତି କରେନାହିଁ ଯେ, ଲୋକମାନଙ୍କୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରାଯିବା ଊଚିତ । ଏହା ନମନୀୟ ନିଯୁକ୍ତି, ଜୀବନବ୍ୟାପୀ ଶିକ୍ଷା, ନିରନ୍ତର ଦକ୍ଷତା ବିକାଶ ଏବଂ ବୟସ ଅନୁକୂଳ କର୍ମକ୍ଷେତ୍ର ମାଧ୍ୟମରେ ଆର୍ଥିକ ଭାବରେ ସକ୍ରିୟ ରହିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାକୁ ଗୁରୁତ୍ୱାରୋପ କରେ । ବୃଦ୍ଧ କର୍ମଚାରୀମାନଙ୍କର ଅମୂଲ୍ୟ ସାଂଗଠନିକ ସ୍ମୃତି, ନେତୃତ୍ୱ ଦକ୍ଷତା ଏବଂ ପରାମର୍ଶ ଦେବାର କ୍ଷମତା ଅଛି, ଯାହା ସାଙ୍ଗଠନିକ କାର୍ଯ୍ୟଦକ୍ଷତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିପାରିବ । ତେଣୁ ବୟସଜନିତ ବୈଷମ୍ୟ ଦୂର କରିବା ଏବଂ ଜୀବନବ୍ୟାପୀ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ରଣନୀତି ହୋଇଯାଏ ।

ଦୀର୍ଘଜୀବନ ପାଇଁ ମଧ୍ୟ ଅଧିକ ଆର୍ଥିକ ସ୍ଥିରତା ଆବଶ୍ୟକ । ବ୍ୟକ୍ତିମାନେ ଅବସର ସମୟରେ ଦୁଇ କିମ୍ବା ତିନି ଦଶନ୍ଧି ବିତାଇପାରନ୍ତି, ଯାହା ଆର୍ଥିକ ସାକ୍ଷରତାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଥାଏ । ଅବସର ଯୋଜନା ଦୀର୍ଘ ସଞ୍ଚୟ ବ୍ୟବସ୍ଥା, ଦୃଢ଼ ପେନସନ ବ୍ୟବସ୍ଥା, ବିବିଧ ଅବସରଜନିତ ଆୟ ଏବଂ ଦୀର୍ଘକାଳୀନ ଯତ୍ନ ଖର୍ଚ୍ଚ ବିରୁଦ୍ଧରେ ବୀମା ମାଧ୍ୟମରେ ବିକଶିତ ହେବା ଆବଶ୍ୟକ । ଆର୍ଥିକ ପ୍ରସ୍ତୁତି ଆଉ କେବଳ ଏକ ବ୍ୟକ୍ତିଗତ ଦାୟିତ୍ୱ ନୁହେଁ, ଏହା ଏକ ଜାତୀୟ ଅର୍ଥନୈତିକ ଜରୁରି ହୋଇଗଲାଣି । ରିପୋର୍ଟଟି ଅବୈତନିକ ଯତ୍ନର ଲୁକ୍କାୟିତ ଆର୍ଥିକ ଖର୍ଚ୍ଚ ପ୍ରସଙ୍ଗ ପ୍ରତି ମଧ୍ୟ ଧ୍ୟାନ ଆକର୍ଷଣ କରେ । ଲକ୍ଷ ଲକ୍ଷ ବୟସ୍କ, ବିଶେଷକରି ମହିଳା, ବୃଦ୍ଧ ପିତାମାତା କିମ୍ବା ସମ୍ପର୍କୀୟଙ୍କ ଯତ୍ନ ନେବାପାଇଁ ସେମାନଙ୍କ କ୍ୟାରିଅରରେ ବାଧା ସୃଷ୍ଟି କରନ୍ତି କିମ୍ବା ଛାଡ଼ିଦିଅନ୍ତି । ଏପରି ଯତ୍ନ ଦାୟିତ୍ୱ ପ୍ରାୟତଃ ଜୀବନକାଳର ରୋଜଗାର ଏବଂ ଅବସର ସଞ୍ଚୟକୁ ହ୍ରାସ କରେ, ଦୀର୍ଘକାଳୀନ ଆର୍ଥିକ ଅସମାନତାକୁ ସୁଦୃଢ଼ କରେ । ତେଣୁ ସରକାର ଏବଂ ନିଯୁକ୍ତିଦାତାମାନଙ୍କୁ ଏହି ଲୁକ୍କାୟିତ ଖର୍ଚ୍ଚକୁ ଚିହ୍ନିବା ଏବଂ ହ୍ରାସ କରିବାପାଇଁ ଦେୟଯୁକ୍ତ ଯତ୍ନ ଛୁଟି, ନମନୀୟ କାର୍ଯ୍ୟବ୍ୟବସ୍ଥା, ପେନସନ କ୍ରେଡିଟ୍, ଯତ୍ନଶୀଳ ସହାୟତା କାର୍ଯ୍ୟକ୍ରମ ଏବଂ ସୁଲଭ ଦୀର୍ଘକାଳୀନ ଯତ୍ନସେବା ଭଳି ନୀତି ଆବଶ୍ୟକ । ଆୟୁଷ ବୃଦ୍ଧି ମଧ୍ୟ ବିପୁଳ ବ୍ୟାବସାୟିକ ସୁଯୋଗ ସୃଷ୍ଟି କରେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।