Welcome!

Unlock your personalized experience.
Sign Up

୩୦୦ ତାରକା ହୋଟେଲକୁ ଚୂନ ଲଗାଇଥିଲେ ୬୯ ବର୍ଷୀୟ ବୃଦ୍ଧ, ଏବେ ଜେଲ୍ ରୁଟି ଖାଇବ ଠକ ବିଙ୍ଗସନ୍‌ ଜନ୍‌

Jul 10, 2026 - 12:05
୩୦୦ ତାରକା ହୋଟେଲକୁ ଚୂନ ଲଗାଇଥିଲେ ୬୯ ବର୍ଷୀୟ ବୃଦ୍ଧ, ଏବେ ଜେଲ୍ ରୁଟି ଖାଇବ ଠକ ବିଙ୍ଗସନ୍‌ ଜନ୍‌

ଭୁବନେଶ୍ୱର,୧୦/୦୭:  ଜେଲ୍‌ରୁ ମୁକୁଳିବା ପରେ ସିଧା  ତାରକା ହୋଟେଲକୁ ଯାଉଥିଲା । ଜାଲ  ପରିଚୟପତ୍ର ଦେଖାଇ ଭିଆଇପିଙ୍କ ଭଳି  ମାସ ମାସ ଧରି ରହୁଥିଲା । ମାଗଣା ଖାଇବା ସହ ଚାକଚକ୍ୟ ଭରା ରହଣି  ପରେ ଉଭାନ୍‌ ହୋଇଯାଉଥିଲା । ବିଭିନ୍ନ ରାଜ୍ୟରେ ୩୦୦ ତାରକା ହୋଟେଲକୁ ଏଭଳି ଚୂନ ଲଗାଇଥିବା ଜଣେ ବୃଦ୍ଧ ଠକ ଭୁବନେଶ୍ୱରରୁ ଧରାପଡ଼ିଛି ।

ଠକ ଜଣକ ହେଲେ ୬୯ ବର୍ଷୀୟ  ବିଙ୍ଗସନ୍‌ ଜନ୍‌ । ଘର ତାମିଲନାଡୁରେ । କିଛି ଦିନ ତଳେ ସେ ଭୁବନେଶ୍ୱର  ମୈତ୍ରୀବିହାର ଥାନା ଅଞ୍ଚଳର ଏକ ତାରକା ହୋଟେଲରେ ରହିବାକୁ ଯୋଜନା କରିଥିଲା । ରାୟପୁର ପୁଲିସ ତାକୁ ଭୁବନେଶ୍ୱର ବିମାନବନ୍ଦରରୁଉଠାଇ ନେଇଛି । ଗତ ମାସରେ ଜନ୍‌ ଛତିଶଗଡ଼ ରାୟପୁରର ନାମୀ ତାରକା ହୋଟେଲ ‘ହାୟତ’ରେ ରହିଥିଲା । କିଛି  ଦିନ ରହଣି ପରେ ୬୩,୭୫୫ ଟଙ୍କାର ବକେୟା ବିଲ୍‌ ଭରିନଥିଲା । ହୋଟେଲରୁ  ଦେଢ଼ ଲକ୍ଷ ଟଙ୍କାର ଏକ ଦାମୀ ଲାପଟପ୍‌  ନେଇ ଓଡ଼ିଶା ଚାଲି ଆସିଥିଲା ।

ଅଧିକ ପଢ଼ନ୍ତୁ :-  କାଠଯୋଡ଼ିରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା: ପରିଚୟ ଜାଣିବାକୁ ପୁଲିସର ତନାଘନା, ଆଗକୁ ହୋଇପାରେ DNA ଟେଷ୍ଟ

ବିଂଶ ଶତାବ୍ଦୀର ଚର୍ଚ୍ଚିତ ସିରିଆଲ୍‌ କିଲର ଚାର୍ଲସ୍‌ ଶୋଭରାଜକୁ ଆଦର୍ଶ ମାନିଥିଲା ଜନ୍‌ । ଚାଲିଚଳଣ ସାଙ୍ଗକୁ ଠାଣି ପୂରା ସମ୍ଭ୍ରାନ୍ତ ଶ୍ରେଣୀ ଲୋକଙ୍କ ଭଳି । ଇଂରାଜୀ ଭାଷାରେ ମାର୍ଜିତ  କଥାବାର୍ତ୍ତା ସହ ହାବଭାବକୁ ଦେଖିଲେ,  ଯେ କେହି ବି ଧୋକ୍କା ଖାଇଯିବ । ତାରକା ହୋଟେଲ କର୍ମଚାରୀ ଜନ୍‌ଙ୍କ  ଜାଲରେ ଫସିଯାଉଥିଲେ ।  ଜନ୍‌ ଅବିବାହିତ । ସେ ଇଂରାଜୀ  ମାଧ୍ୟମିକ ସ୍କୁଲରେ ପାଠ ପଢ଼ିଛି ।  ୧୯୮୦ ମସିହାରେ ଦିଲ୍ଲୀରେ ବେଶ୍‌  କିଛି ଦିନ ଟୁରିଷ୍ଟ ଗାଇଡ୍‌ ଥିଲା । ସେତେବେଳେ ଅତିଥିମାନଙ୍କୁ  ଯେଉଁ ହୋଟେଲରେ ରଖୁଥିଲା, ସେଠାରେ ମଧ୍ୟ ମାଗଣାରେ ରହୁଥିଲା । ୧୯୯୦ ମସିହାରୁ ତାରକା  ହୋଟେଲକୁ ଚୂନ ଲଗାଇବା ଆରମ୍ଭ କଲା । ପରେ ହୋଟେଲରେ ମାଗଣା ରହଣି ଅଭ୍ୟାସରେ ପରିଣତ ହେଲା ।

ଅଧିକାଂଶ ସମୟରେ ଜନ୍‌ ନିଜକୁ ଟୁରିଷ୍ଟ ଗାଇଡ୍‌ ବୋଲି  ଦର୍ଶାଉଥିଲା । ନଚେତ୍‌ ଇଂରାଜୀ ଶିକ୍ଷକ କିମ୍ବା ଯୋଗ ଗୁରୁ ବୋଲି  ପରିଚୟ ଦେଉଥିଲା । କଥାବାର୍ତ୍ତା ଛଳରେ ହୋଟେଲ କର୍ତ୍ତୃପକ୍ଷଙ୍କ  ସହ ସହଜରେ ମିଶି ଯାଉଥିଲା । ପରେ ହୋଟେଲରେ ରହଣି  ବାବଦକୁ ଅଗ୍ରୀମ ଦେୟକୁ ଏଡ଼ାଇ ଯାଉଥିଲା । କେରଳ,  ତାମିଲନାଡୁ, ଗୋଆ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି  ୧୦ଟି ରାଜ୍ୟରେ ନାମୀ ଦାମୀ ହୋଟେଲ କର୍ତ୍ତୃପକ୍ଷଙ୍କୁ ଲକ୍ଷ ଲକ୍ଷ  ଟଙ୍କାର ଚୂନ ଲଗାଇଛି ସେ ।

ରାୟପୁର ପୁଲିସ ଦ୍ୱାରା ଗିରଫ  ପୂର୍ବରୁ ଅନେକ ରାଜ୍ୟର ପୁଲିସ ତାକୁ ଜେଲ ପଠାଇ ସାରିଛି ।  ୧୯୯୬ ମସିହାରେ ଜନ୍‌ ପ୍ରଥମ ଥର ପାଇଁ କୌଣସି ମାମଲାରେ  ତିହାର ଜେଲ୍‌ରେ ରହିଥିଲା । ଜନ୍‌ ପ୍ରାୟ ୧୫ ବର୍ଷ ଧରି ଦେଶର  ବିଭିନ୍ନ ଜେଲରେ ରହିଛି । ଜେଲ୍‌ ଚାରି କାନ୍ଥରୁ ମୁକୁଳିବା  ପରେ ସିଧା ପାଞ୍ଚ ତାରକା ହୋଟେଲରେ ଭିଆଇପିଙ୍କ ଭଳି  ରହୁଥିଲା । ୨୦୨୨ ମସିହାରେ କେରଳର ଥିରୁଅନନ୍ତପୁରମ୍‌ର  ଏକ ତାରକା ହୋଟେଲକୁ ଚୂନ ଲଗାଇବାରୁ କୋଲାମ୍‌ ରେଳବାଇ  ଥାନା ପୁଲିସ ତାକୁ ବାନ୍ଧିଥିଲା । ଗତମାସରେ ରାୟପୁରର  ତାରକା ହୋଟେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗକ୍ରମେ ପୁଲିସ ତା’  ମୋବାଇଲ୍‌ ନମ୍ବରକୁ ଟ୍ରାକ୍‌ କରି ଭୁବନେଶ୍ୱରରୁ ବାନ୍ଧିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।