16 JULY 2026

Welcome!

Unlock your personalized experience.
Sign Up

ଷ୍ଟାରଡମ୍ ଛଡ଼ାଇ ନେଲା AI ! କେବେ ହେଉଥିଲେ ହିରୋ, ଏବେ ପରିବା ବିକିବାକୁ ବାଧ୍ୟ ହେଉଛନ୍ତି ଅଭିନେତା

Jul 15, 2026 - 21:29
ଷ୍ଟାରଡମ୍ ଛଡ଼ାଇ ନେଲା AI ! କେବେ ହେଉଥିଲେ ହିରୋ, ଏବେ ପରିବା ବିକିବାକୁ ବାଧ୍ୟ ହେଉଛନ୍ତି ଅଭିନେତା

ମୁମ୍ବାଇ,୧୫/୭ : ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ(AI)ର ପ୍ରଭାବ ଏବେ କେବଳ ଟେକ୍ନୋଲୋଜି ପର୍ଯ୍ୟନ୍ତ ନୁହେଁ ବରଂ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ବି ସ୍ପଷ୍ଟ ଦେଖା ଦେବାରେ ଲାଗିଛି । ଚୀନର ଲୋକପ୍ରିୟ ଅଭିନେତା ଶୁ ପେଙ୍ଗଙ୍କ କାହାଣୀ ଏହାର ସବୁଠାରୁ ବଡ଼ ଉଦାହରଣ ହୋଇଯାଇଛି । ଯେଉଁ ଅଭିନେତା କେବେ କ୍ୟାମେରା ସାମ୍ନାରେ ହିରୋ ହୋଇ ଲକ୍ଷାଧିକ ଲୋକଙ୍କ ହୃଦୟରେ ରାଜ୍ କରୁଥିଲେ ଆଜି ସିଏ ନିଜ ଗାଁ ବଜାରରେ ଜେଜେବାପାଙ୍କ ସହ ପରିବା ବିକୁଥିବା ନଜର ଆସିଛନ୍ତି ।

୩୦ବର୍ଷୀୟ ଶୁ ପେଙ୍ଗ ଚୀନର ପ୍ରତିଷ୍ଠିତ ସେଣ୍ଟ୍ରାଲ୍ ଏକାଡେମୀ ଅଫ ଡ୍ରାମାରୁ ପାଠ ପଢିଥିଲେ । ଆରମ୍ଭରେ ସେ ଟିଭି ସିରିଏଲରେ କାମ କରିଥିଲେ । କିନ୍ତୁ ପରେ ସେ ସର୍ଟ ଡ୍ରାମା ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। ଏଠାରେ ତାଙ୍କ ଭାଗ୍ୟ ଏଭଳି ଚମକି ଥିଲା କି ଲଗାତର ଭାବେ ତାଙ୍କୁ ଲିଡ ରୋଲ ମିଳିବାକୁ ଲାଗିଥିଲା । ଏଭଳି ଏକ ସମୟ ଥିଲା ଯେତେବେଳେ ଶୁ ପେଙ୍ଗ ଦିନରେ ୧୫-୧୬ଘଣ୍ଟା ପର୍ଯ୍ୟନ୍ତ ସୁଟିଂ କରୁଥିଲେ । ତାଙ୍କ ପାଖରେ କାମର କୌଣସି କମି ନଥିଲା । କିନ୍ତୁ ୨୦୨୬ରେ କାହାଣୀ ପୂରା ବଦଳି ଯାଇଛି ।

ସୂଚନା ମୁତାବକ, ଚୀନରେ ରିଲିଜ ହେଉଥିବା ଅଧିକାଂଶ ନୂଆ ସର୍ଟ ଡ୍ରାମା ଏବେ AIର ସାହାଯ୍ୟରେ ନିର୍ମାଣ କରାଯାଉଛି । ଗତ ୩ମାସ ହେବ ରିଲିଜ ହୋଇଥିବା ପ୍ରାୟ ୧.୨୮ଲକ୍ଷ୍ୟ ସର୍ଟ ଡ୍ରାମାରେ ସେ ୯୫% ରୁ ଅଧିକ AIରେ ପ୍ରସ୍ତୁତ କରାଯାଇଛି । ଏହି ପରିବର୍ତ୍ତନର ସବୁଠାରୁ ବଡ଼ ପ୍ରଭାବ କଳାକାରଙ୍କ ଉପରେ ପଡ଼ିଛି ଏବଂ ଶୁ ପେଙ୍ଗଙ୍କ ନିକଟକୁ କାମ ଆସିବା ବନ୍ଦ ହୋଇଯାଇଛି । ଶେଷ ସର୍ଟ ଡ୍ରାମା ପୂରା କରିବା ପରେ ଶୁ ପେଙ୍ଗ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ସେଣ୍ଟର ହ୍ୟାଂଗଡିୟନଙ୍କୁ ଛାଡ଼ି ନିଜ ଗାଁକୁ ପଳାଇଆସିଥିଲେ । ଏବେ ସେ ପ୍ରତିଦିନ ସକାଳୁ ପରିବାରର ଇଲେକ୍ଟ୍ରିକ ଗାଡ଼ିରେ ବଜାର ଯାଉଛନ୍ତି ଏବଂ ନିଜ ଜେଜେବାପାଙ୍କ ସହ ପରିବା ବିକ୍ରି କରୁଛନ୍ତି । ତାଙ୍କୁ ଏହି ଅବସ୍ଥାରେ ଦେଖି ସମ୍ପର୍କୀୟ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମାତ୍ର କେତେକ ଫ୍ୟାନ୍ସ ଆଜି ବି ତାଙ୍କୁ ଭେଟିବାକୁ ବଜାରରେ ପହଞ୍ଚୁଛନ୍ତି ଏବଂ ତାଙ୍କ ସହ ଫଟୋ ଉଠାଉଛନ୍ତି ।

ଚାଇନିଜ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶୁ ପେଙ୍ଗଙ୍କ କହିବା କଥା କି ଅଭିନୟ କେବଳ ତାଙ୍କର ଏକ ପେଶା ଥିଲା। ଯଦି ଅଭିନୟର କାମ ନାହିଁ ତ ସେ କୌଣସି ଅନ୍ୟ କାମ କରି ସଚୋଟତାର ସହ ନିଜ ଜୀବନ ବିତାଇବେ । ସେ କହିଛନ୍ତି ଯେତେବେଳ ଯାଏ ମୁଁ ନିଜ ପରିଶ୍ରମରେ ସଚୋଟତାର ସହ ଆୟ କରୁଛି ମୋତେ କୌଣସି କଥାର ଅଫସୋସ ନାହିଁ । ଟଙ୍କା ବଦଳିପାରେ, କିନ୍ତୁ ମଣିଷ ସେହିଠାରେ ରହିଥାଏ । ଶୁ ପେଙ୍ଗଙ୍କ କାହାଣୀ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚାରେ ରହିଛି । ତାଙ୍କ ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । କେତେକ ଲୋକ ଏହାକୁ AIର ବଢୁଥିବା ପ୍ରଭାବର ଫଳ ବୋଲି କହୁଛନ୍ତି , ଅନ୍ୟ କେତେଜଣ ତାଙ୍କ ପରିଶ୍ରମର ପ୍ରଶଂସା କରୁଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।