29 JUNE 2026

Welcome!

Unlock your personalized experience.
Sign Up

ରେଲଓ୍ବେ ଟ୍ରାକ୍‌ରେ କାମ କରୁଥିବା ୪ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରେନ୍, ୨ ମୃତ

Jun 29, 2026 - 17:46
ରେଲଓ୍ବେ ଟ୍ରାକ୍‌ରେ କାମ କରୁଥିବା ୪ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରେନ୍, ୨ ମୃତ

ଦିସପୁର,୨୯।୬:  ଆସାମର ଜୋଗିଘୋପା ସ୍ଥିତ ନାରାୟଣପୁର ସେତୁରେ ସୋମବାର ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଏହି ଦୁର୍ଘଟଣାରେ ରେଲଓ୍ବେର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଥିବା ଦୁଇ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେଭଳି ଅନ୍ୟ ଦୁଇ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଖେଳି ଯାଇଥିଲା ଆତଙ୍କ। ସୂଚନା ମିଳିବା ମାତ୍ରେ ରେଲଓ୍ବେ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଚାରି ଜଣ ଶ୍ରମିକ ରେଲଓ୍ବେ ଟ୍ରାକ୍ ଉପରେ ନିର୍ମାଣ ଓ ରକ୍ଷଣାବେକ୍ଷଣ କାମ କରିବା ପାଇଁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଟ୍ରେନ୍‌ର ଶବ୍ଦ ଶୁଣିବାକୁ ମିଳିଥିଲା। ତେବେ ଦ୍ରୁତ ଗତିରେ ମାଡି ଆସୁଥିବା ଏକ ମାଲଗାଡି ମାଡ଼ି ଯିବାରୁ ୪ ଜଣଙ୍କ ଭିତରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏତେ ଜୋରଦାର ଭାବରେ ଧକ୍କା ହୋଇଥିଲା ଯେ, ଘଟଣାସ୍ଥଳରେ ହିଁ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସେଭଳି ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ରେଲଓ୍ବେ ଅଧିକାରୀ ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ଯାଞ୍ଚରେ ଜାଣିବାକୁ ଚେଷ୍ଟା କରାଯାଉଛି ଯେ, ଦୁର୍ଘଟଣା ସମୟରେ ସୁରକ୍ଷା ମାନକର ପାଳନ କରାଯାଇଥିଲା କି ନାହିଁ। ଏହା ସହ ଯାଞ୍ଚ ମଧ୍ୟ କରାଯାଉଛି ଯେ, ଟ୍ରାକ୍‌ରେ କାମ କରୁଥିବା କର୍ମଚାରୀଙ୍କୁ ଟ୍ରେନ୍ ଚଳାଚଳର ପୂର୍ବ ସୂଚନା ଦିଆଯାଇଥିଲା କି ନାହିଁ। ବର୍ତ୍ତମାନ ଏହି ଦୁର୍ଘଟଣା ରେଲଓ୍ବେ ନିର୍ମାଣ କାର୍ଯ୍ୟ ବେଳେ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି। ସ୍ଥାନୀୟ ପ୍ରଶାସନ ଓ ରେଲଓ୍ବେ ବିଭାଗ ପୁରା ମାମଲାର ବିସ୍ତୃତ ଯାଞ୍ଚରେ ଲାଗିଛି, ଫଳରେ ଦୁର୍ଘଟଣାର ବାସ୍ତବିକ କାରଣ ଜଣାପଡିବ ଏବଂ ଭବିଷ୍ୟତରେ ଏଭଳି ଘଟଣା ନଘଟୁ।

ଆହୁରି ପଢନ୍ତୁ : Ram Mandir Donation Dispute : ରାମ ମନ୍ଦିର ଦାନ ଅର୍ଥ ହଡ଼ପ ବିବାଦ , ଭାରତରେ କେଉଁ ମନ୍ଦିରର ଡୋନେସନ ସିଷ୍ଟମ ସବୁଠୁ ଭଲ ?