ରଘୁନାଥପାଲି ଗ୍ରାମ ପରିଦର୍ଶନ କଲେ ଜିଲ୍ଲାପାଳ, ମହିଳାଙ୍କ ଦକ୍ଷତା ଓ ପରିଶ୍ରମକୁ କଲେ ପ୍ରଶଂସା
ଝାରସୁଗୁଡ଼ା, ୦୫/୦୭: ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାନ ରଘୁନାଥପାଲି ଗ୍ରାମ ପରିଦର୍ଶନ କରି ସେଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହେଉଥିବା ସମ୍ବଲପୁରୀ ଶାଢ଼ୀ ଓ ଉତ୍ତରୀୟ ବୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ପରିଦର୍ଶନ ସମୟରେ ଜିଲ୍ଲାପାଳ ବୟନ ପ୍ରକ୍ରିୟା, ଉତ୍ପାଦର ଗୁଣବତ୍ତା, ବଜାରୀକରଣ ବ୍ୟବସ୍ଥା ଏବଂ ମହିଳାମାନଙ୍କ ଆୟବୃଦ୍ଧି ସମ୍ପର୍କରେ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ଏଥିସହ ପାରମ୍ପରିକ ସମ୍ବଲପୁରୀ ହସ୍ତତନ୍ତ କଳାକୁ ସଂରକ୍ଷଣ କରିବା ସହ ଏହାକୁ ଅଧିକ ବ୍ୟାପକ ବଜାର ସହିତ ଯୋଡ଼ିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ନିଜ ଦକ୍ଷତା ଓ ପରିଶ୍ରମ ବଳରେ ଉତ୍କୃଷ୍ଟ ମାନର ସମ୍ବଲପୁରୀ ଶାଢ଼ୀ ଓ ଉତ୍ତରୀୟ ପ୍ରସ୍ତୁତ କରି ଆତ୍ମନିର୍ଭରଶୀଳତା ଦିଗରେ ସଫଳ ପଦକ୍ଷେପ ନେଇଥିବାରୁ ଜିଲ୍ଲାପାଳ ସେମାନଙ୍କୁ ପ୍ରଶଂସା କରିଥିଲେ । ସରକାରଙ୍କ ବିଭିନ୍ନ ଯୋଜନାର ସହାୟତାରେ ଏପରି ଉଦ୍ୟମକୁ ଆହୁରି ସୁଦୃଢ଼ କରିବା ଓ ବଜାର ସୁବିଧା ବୃଦ୍ଧି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଏଥିସହିତ ବେଦାନ୍ତ ଟିମ୍ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ପ୍ରଦାନ କରୁଥିବାରୁ ଜିଲ୍ଲାପାଳ ଚହ୍ୱାନ ଖୁସିବ୍ୟକ୍ତ କରିଥିଲେ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ଗ୍ରାମୀଣ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ସହ ପାରମ୍ପରିକ ହସ୍ତତନ୍ତ ଶିଳ୍ପର ପ୍ରସାର ଓ ପ୍ରଚାରକୁ ନୂତନ ଆଶା ଦେଖାଇବ ବୋଲି ମତ ପ୍ରକାଶ ପାଇଥିଲା ।
ଅଧିକ ପଢ଼ନ୍ତୁ :- Tamil Nadu Gas Tragedy: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଶ୍ରମିକ, ୧୫କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା