ମରକ୍କୋ ଛାଡି ସ୍ପେନରେ କାହିଁକି ପ୍ରବେଶ କରିବାକୁ ଚେଷ୍ଟା କଲେ ୭୨ ହଜାର ଲୋକ ? ଦଳାଚକଟାରେ ଚାଲିଗଲା ଅନେକ ଜୀବନ
ନୂଆଦିଲ୍ଲୀ,୫।୮: ଗୋଟିଏ ଗୁଜବ କିପରି ହଜାର ହଜାର ଲୋକଙ୍କୁ ସୀମାରେ ଏକାଠି କରିଦେଲା, ସ୍ୟୁଟାର ଏହି ଘଟଣା ତାହାର ଏକ ବଡ଼ ଉଦାହରଣ। ସୋସିଆଲ ମିଡିଆର ସୂଚନାକୁ ଯାଞ୍ଚ ନକରି ବିଶ୍ୱାସ କରିବା କେତେ ବିପଦଜନକ ହୋଇପାରେ, ଏହି ଘଟଣା ତାହା ସ୍ପଷ୍ଟ କରୁଛି। ସ୍ପେନର ଉତ୍ତର ଆଫ୍ରିକାରେ ଥିବା ଛୋଟ ସହର ସ୍ୟୁଟା (Ceuta)ପୁଣିଥରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ମାତ୍ର କିଛି ଘଣ୍ଟାରେ ହଜାର ହଜାର ପ୍ରବାସୀ ସ୍ୟୁଟା ସୀମାକୁ ଆସି ପହଞ୍ଚିବା ପରେ ପରିସ୍ଥିତି ହଠାତ୍ ଉତ୍ତେଜନାପୂର୍ଣ୍ଣ ହୋଇପଡିଥିଲା।
ଏହି ଘଟଣାର ମୂଳ କାରଣ କୌଣସି ସରକାରୀ ଘୋଷଣା ନୁହେଁ, ବରଂ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଗୁଜବ। ଖବର ପ୍ରଚାର ହୋଇଥିଲା ଯେ ସ୍ପେନ ସୀମା ଖୋଲିଦେଇଛି ଏବଂ ପ୍ରବେଶ ଉପରେ କୌଣସି କଡ଼ାକଡ଼ି ନାହିଁ। ଏହି ଖବର ପରେ ମରୋକ୍କୋ ଓ ସବ-ସାହାରା ଆଫ୍ରିକାର ଅନେକ ପ୍ରବାସୀ ସ୍ୟୁଟା ଅଭିମୁଖେ ଯାତ୍ରା କରିଥିଲେ। ସ୍ଥିତି ଏଭଳି ହୋଇଥିଲା ଯେ, ୭୨ ହଜାର ଲୋକ ମରେକ୍କୋରୁ ସ୍ୟୁଟା ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କଲେ। କିଏ ସମୁଦ୍ରରେ ପହଁରିକି ଆସିଥିଲା ତ ଆଉ କିଏ, ଚାଲି ଚାଲି ଆସିଥିଲା। କିନ୍ତୁ ବାସ୍ତବରେ ସୀମା ଖୋଲା ନଥିଲା। ଫଳରେ ସୀମାରେ ବହୁ ସଂଖ୍ୟକ ଲୋକ ଅଟକି ରହିଥିଲେ। ଏତେ ଅଧିକ ସଂଖ୍ୟାକ ଲୋକ ପହଁଞ୍ଚିଥିବାରୁ ସେଠାରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ଯାହାଫଳରେ ୮୮ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ପେନ ପୋଲିସ ଓ ସୁରକ୍ଷା ବଳଙ୍କୁ ମୁତୟନ କରାଯାଇଥିଲା। ଯଦିଓ ଅଧିକାଂଶ ଲୋକ ପରେ ମରକୋ ଫେରିଯାଇଥିଲେ, କିନ୍ତୁ ଘଟଣା ପୁରା ୟୁରୋପ ପ୍ରଶାସନର ମାଇଗ୍ରେସନ୍ ନୀତିକୁ ନେଇ ନୂଆ ବିତର୍କ ସୃଷ୍ଟି କରିଛି।
ଏହାର ମୁଖ୍ୟ କାରଣ ଥିଲା ସୋସିଆଲ ମିଡିଆରେ ଏକ ଗୁଜବ ପ୍ରସାରିତ ହୋଇଥିଲା ଯେ ସ୍ପେନର ସୀମା ଖୋଲିଯାଇଛି, ଏବଂ ସେଠାରେ ପହଞ୍ଚିଥିବା ଲୋକଙ୍କୁ ୟୁରୋପରେ ରହିବାର ସୁଯୋଗ ଦିଆଯିବ। ସ୍ପେନର ଏକ କୋର୍ଟ ଏଭଳି ଏକ ରାୟ ଦେଇଛନ୍ତି ବୋଲି ସୋସିଆଲ ମିଡିଆରେ ଏଭଳି ଗୁଜବ ଭାଇରାଲ ହୋଇଥିଲା। କୋର୍ଟଙ୍କ ରାୟକୁ ଟିକଟକ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ କିଛି ଅସାମାଜିକ ବ୍ୟକ୍ତି ମିଥ୍ୟା ପ୍ରଚାର କରିଥିଲେ। ଯାହା ଫଳରେ ଗୁଜବ ଉଠିଥିଲା ଯେ ସ୍ୟୁଟାରେ ପହଞ୍ଚିଥିବା ଲୋକଙ୍କୁ ସ୍ପେନରେ ରହିବାର ଅନୁମତି ଦିଆଯିବ। ଏହା ବ୍ୟତୀତ, ଆଉ ଏକ କାରଣ ହେଉଛି ମରକ୍କୋରେ ବେକାରୀ ଏବଂ ଆର୍ଥିକ ସଙ୍କଟ ରହିଛି, ତେଣୁ ଏହି ମିଥ୍ୟା ଖବର ପ୍ରସାରିତ ହେବା ମାତ୍ରେ ହଜାର ହଜାର ଲୋକ ଏକ ଉନ୍ନତ ଭବିଷ୍ୟତ ପାଇଁ ଏଭଳି ବିପଦର ସମ୍ମୁଖୀନ ହୋଇଥିଲେ।
ସ୍ୟୁଟା ଭୌଗୋଳିକ ଭାବେ ଆଫ୍ରିକାରେ ଥିଲେ ମଧ୍ୟ ଏହା ସ୍ପେନର ଅଂଶ। ତେଣୁ ଏହା ୟୁରୋପୀୟ ୟୁନିଅନର ବାହ୍ୟ ସୀମା ଭାବେ ଗଣାଯାଏ। ଏଠାରେ ପ୍ରବେଶ କରିବାକୁ ଚାହୁଁଥିବା ପ୍ରବାସୀଙ୍କ ସଂଖ୍ୟା ପୂର୍ବରୁ ମଧ୍ୟ ଅଧିକ ଥିଲା। ଏବେ ଏହି ଗୁଜବ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ସେପରି ସୋସିଆଲ ମିଡିଆରେ ଭୁଲ ସୂଚନା କେତେ ବଡ଼ ସଙ୍କଟ ସୃଷ୍ଟି କରିପାରେ, ଏହି ଘଟଣାର ତା’ର ବଡ଼ ଉଦାହରଣ।
ଆହୁରି ପଢନ୍ତୁ: 7 Explosions : ଇରାନ ଯୁଦ୍ଧ ଭିତରେ ୟୁଏଇର ବଡ଼ ସହରରେ ଭୟଙ୍କର ବିସ୍ଫୋରଣ, ଭିଡିଓ କରୁଥିବା ଦୁଇ ବ୍ୟକ୍ତି ଅଟକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।