ଭୂକମ୍ପ ପୂର୍ବରୁ ଆଲର୍ଟ କଲା ଗୁଗଲ୍, ଭେନେଜୁଏଲାରେ ବଞ୍ଚିଗଲା ଲକ୍ଷ ଲକ୍ଷ ଜୀବନ !
ନୂଆଦିଲ୍ଲୀ, ୨୬।୬: ଭେନେଜୁଏଲାରେ ମୃତ୍ୟୁର ତାଣ୍ଡବ ରଚିଛି ଭୂକମ୍ପ । ତେବେ ଏହି ବିନାଶକାରୀ ପ୍ରାକୃତିକ ଘଟଣାର କିଛି ସେକେଣ୍ଡ ପୂର୍ବରୁ ଆଣ୍ଡ୍ରଏଡ୍ ୟୁଜର୍ଙ୍କୁ ଗୁଗଲ୍ ତରଫରୁ ଚେତାବନୀ ମିଳିଥିଲା । ଏଥିରେ ଭୂକମ୍ପର ତୀବ୍ରତା ଆକଳନ ପ୍ରଦର୍ଶିତ ହୋଇଥିଲା । ୟୁଜର୍ଙ୍କଠୁ ଏହା କେତେ ଦୂରରେ ଅଛି, ତାହା ମଧ୍ୟ ସୂଚନା ଦେଇଥିଲା ଏବଂ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଏକ ଛୋଟ ମଉକା ଦେଇଥିଲା । ତେବେ ଏହାର ୩୯ ସେକେଣ୍ଡ ପରେ ୭.୫ ତୀବ୍ରତାର ଭୂକମ୍ପ ଆସିଲା । ପ୍ରକୃତିର ଏହି ତାଣ୍ଡବରେ ଶତାଧିକ ଲୋକ ପ୍ରାଣ ହରାଇଲେ, ହଜାର ହଜାର ଆହତ ହେଲେ । ଗୁଗଲର୍ ଆଣ୍ଡ୍ରଏଡ୍ ଆର୍ଥକ୍ୱେକ୍ ଆଲର୍ଟ ସିଷ୍ଟମ୍ କିଛି ସେକେଣ୍ଡ ପୂର୍ବରୁ ଭୂକମ୍ପ ଗିତିବିଧି ଚିହ୍ନଟ କରିଥିଲା । ଏହି କମ୍ ସମୟ ଅନେକ ଜୀବନ ବଞ୍ଚାଇଥିବା ବିଶ୍ୱାସ କରାଯାଉଛି । ୟୁଜର୍ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଲେଖିଛନ୍ତି, ସେମାନଙ୍କ ଫୋନ୍ରେ ଏକ ସତର୍କ ଘଣ୍ଟି ବାଜିଲା । ତା’ ପରେ ସେମାନେ ପ୍ରାଣ ବିକଳରେ ବାହାରକୁ ଦୌଡ଼ିଲେ । ତେବେ ଗୁଗଲ୍ର ଏହି ଭୂକମ୍ପ ଚେତାବନୀ ପ୍ରଣାଳୀ କେମିତି କାମ କରେ ?
ଏହା ବି ପଢ଼ନ୍ତୁ... Earthquake: ୨ ଘଣ୍ଟାରେ ଥରିଲା ଜାପାନ-ଭେନେଜୁଏଲା, ୧୦୦୦-୧୨୦୦ ବର୍ଷରେ ଥରେ ହୁଏ ଏମିତି ସଂଯୋଗ
ଗୁଗଲ୍ ଅନୁସାରେ, ଭୂକମ୍ପ ଚିହ୍ନଟରେ ସାହାଯ୍ୟ କରିବା ଲାଗି ଏହି ପ୍ରଣାଳୀ ଆଣ୍ଡ୍ରଏଡ୍ ପ୍ଲାଟ୍ଫର୍ମର ପହଞ୍ଚକୁ ଉପଯୋଗ କରିଥିଲା । ପ୍ରତ୍ୟେକ ଆଣ୍ଡ୍ରଏଡ୍ ଫୋନ୍ ଏକ ଛୋଟ ସିସ୍ମୋମିଟର ଭଳି । ଲକ୍ଷ ଲକ୍ଷ ଅନ୍ୟ ଆଣ୍ଡ୍ରଏଡ୍ ଫୋନ୍ ଯୋଡ଼ିହେଲେ, ବିଶ୍ୱର ସର୍ବବୃହତ ଭୂକମ୍ପ ଚିହ୍ନଟ ନେଟ୍ୱର୍କ ପ୍ରସ୍ତୁତ କରନ୍ତି । ସବୁ ସ୍ମାର୍ଟଫୋ ଛୋଟ ଆକ୍ସେଲେରୋମିଟର ରହିଛି, ଯାହା ଆସନ୍ନ ଭୂକମ୍ପର ସଙ୍କେତ ଚିହ୍ନଟ କରିପାରେ । ଯଦି ଏହା ତାକୁ ଭୂକମ୍ପ ରୂପେ ଦେଖେ, ତେବେ ତୁରନ୍ତ ଗୁଗଲ୍ର ଭୂକମ୍ପ ଚିହ୍ନଟ ସର୍ଭର୍କୁ ସଙ୍କେତ ଦିଏ ଏବଂ ଘଟଣାସ୍ଥଳ ବିଷୟରେ ମଧ୍ୟ ମୋଟାମୋଟି ଅନ୍ଦାଜ୍ କରି ସୂଚନା ଦିଏ । ସମାନ ସଙ୍କେତ ଅନେକ ଫୋନ୍ରୁ ମିଳିଲେ, ସର୍ଭର୍ ସମସ୍ତ ସୂଚନାକୁ ଯୋଡ଼ି ଭୂକମ୍ପ ଆସୁଛି କି ନାହିଁ ଜାଣିବାକୁ ଚେଷ୍ଟା କରେ । ଆଲୋକର ବେଗରେ ଏହି ସଙ୍କେତ ପଠାଯାଏ, ଯାହା ଭୂକମ୍ପର ବେଗଠୁ ଦ୍ରୁତ । ଫଳରେ ଲୋକେ ଭୂକମ୍ପ ପୂର୍ବରୁ ଚେତାବନୀ ପାଇଯାଆନ୍ତି । ସିସ୍ମୋଲୋଜି ଓ ବିପତ୍ତି ବିଶେଷଜ୍ଞ ରିଚାର୍ଡ ଆଲେନ, କିଙ୍ଗକାଇ କଙ୍ଗ ଓ ଲୁସି ଜୋନ୍ସ ମିଳିତ ଭାବେ ଏହି ଭୂକମ୍ପ ଚିହ୍ନଟକାରୀ ଉପାୟ ବିକଶିତ କରିଛନ୍ତି ।