06 AUGUST 2026

Welcome!

Unlock your personalized experience.
Sign Up

ପ୍ରଜା ଏପାରିରେ, ପ୍ରଶାସନ ସେପାରିରେ; ଫୁଲନଖରାର ୧୧ ପଞ୍ଚାୟତବାସୀଙ୍କ ଦୁଃଖ ବୁଝିବ କିଏ?

Aug 06, 2026 - 15:49
ପ୍ରଜା ଏପାରିରେ, ପ୍ରଶାସନ ସେପାରିରେ; ଫୁଲନଖରାର ୧୧ ପଞ୍ଚାୟତବାସୀଙ୍କ ଦୁଃଖ ବୁଝିବ କିଏ?

କଟକ, ୦୬/୦୮: ବାରଙ୍ଗ ବ୍ଲକ୍‌  କାର୍ଯ୍ୟାଳୟଠାରୁ ଫୁଲନଖରାର ୮ ପଞ୍ଚାୟତର  ଦୂରତା ପ୍ରାୟ ୨୫ କିଲୋମିଟର । ସେହିପରି  କଟକ ସଦର ବ୍ଲକ୍‌ କାର୍ଯ୍ୟାଳୟରୁ ଫୁଲନଖରାର  ୩ ପଞ୍ଚାୟତର ଦୂରତା ୧୫ କିଲୋମିଟରରୁ ଅଧିକ ।  କଟକ ମହାନଗର ନିଗମ(କେଏମ୍‌ସି) ଅଧୀନରେ  ମଧ୍ୟ ଏହି ଅଞ୍ଚଳର ୪ଟି ୱାର୍ଡ ରହିଛି । ଏହାର  ଦୂରତା ମଧ୍ୟ କିଛି କମ୍‌ ନୁହେଁ । ଛୋଟ ବଡ଼  ସମସ୍ୟାର ସମାଧାନ ହେଉ ବା କୌଣସି ସରକାରୀ  ବ୍ୟବସ୍ଥାରେ ସାମିଲ୍‌ ହେବାକୁ ପ୍ରଶାସନ ପାଖରେ ପହଞ୍ଚିବାକୁ ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଦୁଇପଟରେ ଦୁଇ ନଦୀ କାଠଯୋଡ଼ି ଓ କୁଆଖାଇ  ଡେଇଁ ଆସିବାକୁ ପଡୁଛି । କଟକ ଓ ଖୋର୍ଦ୍ଧା  ଜିଲ୍ଲାର ସୀମା ନିର୍ଦ୍ଧାରଣ କରୁଥିବା କଟକ ଜିଲ୍ଲାର  ଫୁଲନଖରା ଅଞ୍ଚଳର ଏଭଳି ସ୍ଥିତାବସ୍ଥାକୁ ନେଇ  ସ୍ଥାନୀୟ ବାସିନ୍ଦା ବିଭିନ୍ନ ସମସ୍ୟାରେ ପଡୁଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ  ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଫୁଲନଖରା ଅଞ୍ଚଳର ୧ଲକ୍ଷ ଲୋକଙ୍କ ସ୍ୱାର୍ଥକୁ  ନଜର ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି।

ବାରଙ୍ଗ ବ୍ଲକ୍‌ର ୮ ପଞ୍ଚାୟତ ଯଥା ଉଷୁମା,  କୋରକରା, କୁରାଙ୍ଗଶାସନ, ହରିଅନ୍ତା, ସାଇଁଶୋ,  ନଗରୀ, କୁରାଙ୍ଗପ୍ରଧାନ ଓ ଖଲର୍ଦ୍ଦା ଫୁଲନଖରା  ଅଞ୍ଚଳରେ ରହିଛି । ବାରଙ୍ଗ ବ୍ଲକ୍‌ କାର୍ଯ୍ୟାଳୟଠାରୁ ଏହି ପଞ୍ଚାୟତର ଦୂରତା ୨୫ କିଲୋମିଟର । ଏହି  ୮ ପଞ୍ଚାୟତବାସୀ ବିଭିନ୍ନ ସରକାରୀ ସୁବିଧା ଓ  ସେବା ପାଇବାରେ ଅହେତୁକ ଅସୁବିଧାର ସମ୍ମୁଖୀନ  ହେଉଛନ୍ତି । ଏହି ସମସ୍ୟା ଦୀର୍ଘ ବର୍ଷ ଧରି ଲାଗି  ରହିଥିବା ବେଳେ ଏହାର ପ୍ରତିକାର ଦିଗରେ କେହି ଦୃଷ୍ଟି ଦେଉନାହାନ୍ତି । ସେହିପରି ସଦର  ବ୍ଲକ୍‌ର ତିନିଟି ପଞ୍ଚାୟତ- ଆମଣ, ଖଣ୍ଡାଏତା ଏବଂ ଉରାଳି  ଫୁଲନଖରା ଅଞ୍ଚଳରେ ରହିଛି । ଏହି ତିନି ପଞ୍ଚାୟତବାସୀ  କଟକ ନୂଆବଜାରଠାରେ ଥିବା ବ୍ଲକ୍‌ କାର୍ଯ୍ୟାଳୟକୁ ଯିବାରେ  ଘୋର ଅସୁବିଧା ଭୋଗୁଛନ୍ତି । ବାରଙ୍ଗ ବ୍ଲକକୁ କୁଆଖାଇ ନଦୀ  ଏବଂ ୧୬ନମ୍ୱର ଜାତୀୟ ରାଜପଥ ବିଭକ୍ତ କରିଥିବାବେଳେ  ସଦର ବ୍ଲକକୁ ସିଢୁଆ ଓ କାଠଯୋଡ଼ି ନଦୀ ବିଚ୍ଛିନ୍ନ କରିଛି । ବିଭିନ୍ନ ଗୁରୁତ୍ୱପୂର୍ଣ କାର୍ଯ୍ୟ ନେଇ ବ୍ଲକ୍‌ ଏବଂ ତହସିଲ କାର୍ଯ୍ୟାଳୟ  ଯିବାକୁ ଏହି ଅଞ୍ଚଳର ଲୋକମାନଙ୍କ ସମୟ ସାପେକ୍ଷ ଓ  ଅଧିକ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି ।  ସେହିପରି କଟକ ମହାନଗର  ନିଗମ(କେଏମ୍‌ସି)ର ୫୬, ୫୭, ୫୮ ଓ ୫୯ ନମ୍ବର ୱାର୍ଡ  ଫୁଲନଖରା ଅଞ୍ଚଳରେ ରହିଥିବା ବେଳେ ଏଠାରେ ଯାବତୀୟ  ସମସ୍ୟା ଲାଗିରହିଛି । କଟକ ସହର ଭିତରେ ୱାର୍ଡଗୁଡିକର  ସମସ୍ୟା ଓ ଏହାର ସମାଧାନ ଦିଗରେ ନିଗମ କର୍ତ୍ତୃପକ୍ଷ ଯେତିକି  ଗୁରୁତ୍ୱ ଦେଇ ବିଚାର କରୁଛନ୍ତି ଏ ୪ୱାର୍ଡକୁ ସେଭଳି ଗୁରୁତ୍ୱ  ମିଳୁନଥିବା ଅଭିଯୋଗ ହୋଇଛି ।    

​​​​​​​ଅଧିକ ପଢ଼ନ୍ତୁ :- Odisha Next DGP :ଓଡ଼ିଶା ପାଇବ ନୂଆ ଡିଜିପି, ଶୁକ୍ରବାର ବସିବ ଚୟନ କମିଟି ବୈଠକ​​​​​​​

ତେଣୁ ଫୁଲନଖରା ସଂଲଗ୍ନ ଏହି ୧୧ଟି ପଞ୍ଚାୟତକୁ  ନେଇ ଏକ ନୂତନ ବ୍ଲକ ଗଠନ ହେଲେ ସମ୍ପୃକ୍ତ ସମ୍ପୃକ୍ତ  ଅଞ୍ଚଳର ୧ ଲକ୍ଷରୁ ଅଧିକ ଲୋକେ ପ୍ରତ୍ୟକ୍ଷଭାବେ ଉପକୃତ  ହୋଇପାରନ୍ତେ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏମିତି  ହେଲେ ସେମାନଙ୍କୁ ପ୍ରଶାସନିକ କଳର ସେବା ଓ ସୁବିଧା  ସହଜରେ ଉପଲବ୍ଧ ହୋଇପାରିବ । ବାରଙ୍ଗ ବ୍ଲକ ୩୩ନମ୍ୱର  ଜିଲ୍ଲାପରିଷଦ ଜୋନ ଅନ୍ତର୍ଗତ ୮ଟି ପଞ୍ଚାୟତ ଏବଂ କଟକ ସଦର  ବ୍ଲକ ୪ନମ୍ୱର ଜିଲ୍ଲାପରିଷଦ ଜୋନ ଅନ୍ତର୍ଗତ ତିନିଟି ପଞ୍ଚାୟତର  ମିଶ୍ରଣରେ ଏହି ନୂତନ ବ୍ଲକ ଗଠନ ହୋଇପାରିବ ବୋଲି  ଆଞ୍ଚଳିକ ଶାନ୍ତି କମିଟିର କାର୍ଯ୍ୟକାରୀ ସଭାପତି ସ୍ୱାଧୀନଚେତା  ମହାନ୍ତି ପ୍ରକାଶ କରିଛନ୍ତି । ପଞ୍ଚାୟତରେ ରହୁଥିବା ବହୁ ଲୋକେ ରେସନକାର୍ଡ, ଆଧାରକାର୍ଡ, ଭତ୍ତା, ଆବାସ ଆଦି ବିଭିନ୍ନ କାର୍ଯ୍ୟ  ପାଇଁ ୨୫ କିଲୋମିଟର ଦୂରକୁ ଯିବା ଆସିବା କରିବାରେ ଅଯଥା  ଖର୍ଚ୍ଚାନ୍ତ ହେଉଛନ୍ତି । ଯଦି ଫୁଲନଖରାକୁ ବ୍ଲକ୍‌ କରାଯାଏ ତେବେ  ଏହାଦ୍ୱାରା ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ଫୁଳନଖରା ଅଞ୍ଚଳର ଯୁବ ଜାଗ୍ରତ ମଞ୍ଚର ସଭାପତି କଳ୍ପତରୁ  ଖୁଣ୍ଟିଆ ମତ ରଖିଛନ୍ତି । ଏ ବାବଦରେ ଜିଲ୍ଲା ପ୍ରଶାସନର ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି, ନୂଆ ବ୍ଲକ୍‌ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ପ୍ରକ୍ରିୟା ଆରମ୍ଭ ହେଲେ ସର୍ଭେ କରାଯାଇ ନୂଆ ବ୍ଲକ୍‌ ଗଠନ ପ୍ରସ୍ତାବକୁ ଗ୍ରହଣ କରାଯାଇ ଜନମତ  ଆଧାରରେ ସରକାରଙ୍କ ପାଖକୁ ପଠାଯିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି PRAMEYA - ପ୍ରମେୟ ଦେଖନ୍ତୁ।