ପ୍ରକୃତି କୋଳରେ ମଧୁପୁରଗଡ଼ ଜଗନ୍ନାଥ ମନ୍ଦିର, ରଥରେ ଛେରାପହଁରା କରନ୍ତି ରାଣୀ

Jul 03, 2026 - 17:37
ପ୍ରକୃତି କୋଳରେ ମଧୁପୁରଗଡ଼ ଜଗନ୍ନାଥ ମନ୍ଦିର, ରଥରେ ଛେରାପହଁରା କରନ୍ତି ରାଣୀ
ଗଡ଼ମଧୁପୁର,(ସୁବ୍ରତ କୁମାର ମଲିକ) : ମଧୁପୁରଗଡ଼ ଜଗନ୍ନାଥ ମନ୍ଦିର। ପ୍ରକୃତି କୋଳରେ ଅବସ୍ଥାପିତ । ସବୁଜିମାରେ ଘେରି ରହିଛି ଏହି ଜଗନ୍ନାଥ ମନ୍ଦିର । ଏହାର ଐତିହ୍ୟ ବେଶ୍ ପୁରୁଣା । କୁହାଯାଏ ୧୮୦୮ରୁ ୧୮୫୭ ମସିହାରେ ରାଜା ସୁଦର୍ଶନ ଚନ୍ଦ୍ର ଧାର ନରେନ୍ଦ୍ରଙ୍କ ଶାସନ କାଳ ସମୟରେ ଏହାର ନିର୍ମାଣ ହୋଇଥିଲା । ପୁରୀରୁ ଆଜ୍ଞାମାଳ ଆଣି ରାଜା ବଡ଼ ଦେଉଳ ଢାଞ୍ଚାରେ ଏହି ମନ୍ଦିର ନିର୍ମାଣ କରିଥିଲେ। ଏହାପରେ ଗଣଶ ଗ୍ରାମସ୍ଥିତ ଜଗନ୍ନାଥ ମନ୍ଦିରରୁ ଶ୍ରୀ ବଳଭଦ୍ରଙ୍କ ବିଗ୍ରହ ନଦୀରେ ଭାସି ଆସି କୁଶିଆ ଘାଟରେ ଲାଗିଥିଲା । ପରେ ରାଜା ସୁଦର୍ଶନଙ୍କୁ ମହାପ୍ରଭୁଙ୍କ ସ୍ୱପ୍ନାଦେଶ ହେବାରୁ ସେ ହାତୀ, ଘୋଡ଼ା ଏବଂ ସୈନ୍ୟ ସାମନ୍ତ ଧରି ଏହି ଘାଟରେ ପହଞ୍ଚିବାପରେ ମଧୁପୁରଗଡ଼ ଶ୍ରୀ ମନ୍ଦିରକୁ ମହାପ୍ରଭୁଙ୍କୁ ଆଣିଥିଲେ। ଏହି ମନ୍ଦିରକୁ ନିର୍ମାଣ କରିଥିବା ରାଜା ସୁଦର୍ଶନ ଚନ୍ଦ୍ରଙ୍କ ୧୮୫୭ମସିହାରେ ଦେହାନ୍ତ ହୋଇଥିଲା। ମନ୍ଦିରରେ ସବୁ ନୀତିକାନ୍ତି ଓ ପର୍ବପର୍ବାଣୀ ମଧ୍ୟ ଶ୍ରୀମନ୍ଦିର ନୀତିକାନ୍ତି ଅନୁସାରେ ପାଳନ କରାଯାଏ । ଏହି ମନ୍ଦିରର ମୁଖ୍ୟ ପର୍ବ ହେଉଛି ଶ୍ରୀ ଗୁଣ୍ଡିଚା ଓ ବହୁଡ଼ା ଯାତ୍ରା । ପୂର୍ବରୁ ଏଠାରେ ତିନୋଟି ରଥ ନିର୍ମାଣ ହୋଇ ରଥଯାତ୍ରା କରାଯାଉଥିଲା । ସୁନାବେଶରେ ପ୍ରାୟ ୨୦ କେଜି ସୁନା ବ୍ୟବହାର କରାଯାଉଥିଲା। ୧୯୯୦ ମସିହାରେ ମଧୁପୁରଗଡ଼ ରାଜପ୍ରସାଦରୁ ମହାପ୍ରଭୁଙ୍କ ସୁନା ଅଳଙ୍କାର ଚୋରି ହୋଇଯାଇଥିଲା। ସେବେଠାରୁ ଆଉ ଠାକୁର ରଥରେ ସୁନା ପିନ୍ଧୁ ନାହାନ୍ତି । ରାଜପ୍ରସାଦ ନିକଟରେ ଅଧିପନ ବେଶ, ଅଷ୍ଟମ ଦିନ ବହୁଡ଼ା ଯାତ୍ରା ଅନୁଷ୍ଠିତ ହୁଏ । ୬ଦିନ ଧରି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।କାଳକ୍ରମେ ରାଜାଦେଶ ଅଭାବ ଓ ଆର୍ଥିକ ସଂକଟରୁ ଏବେ ଗୋଟିଏ ରଥରେ ରଥଯାତ୍ରା ପାଳନ କରାଯାଉଛି । ଏଠାରେ ରହିଛି ଏକ ଭିନ୍ନ ପରମ୍ପରା । ରଥ ଉପରେ ଛେରା ପହଁରା କରନ୍ତି ରାଣୀ । ଏ ନେଇ ରାଣୀ କୁହନ୍ତି, ଗଡ଼ମଧୁପୁର ରଥଯାତ୍ରା ଏକ ଐତିହାସିକ ରଥଯାତ୍ରା । ଯାହାକୁ ଆମେ ରାଜବଂଶର ପରମ୍ପରା ଭାବେ ମାନି ଆସୁଛୁ । ମୋର କେହି ଭାଇ ନ ଥିବାରୁ ରାଜବଂଶର ଉତ୍ତରାଧିକାରୀ ଦାୟିତ୍ୱ ମୁଁ ନିର୍ବାହ କରୁଛି । ୨୦୦୮ରୁ ମହାପ୍ରଭୁଙ୍କ ରଥରେ ଛେରା ପହଁରା କରିଆସୁଛି । ରଥଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଭକ୍ତଙ୍କ ସମାରୋହ ହୋଇଥାଏ । ସେହିପରି ରାଜବଂଶର ବରିଷ୍ଠ ନାଗରିକ ସାମନ୍ତ ରମେଶ ଚନ୍ଦ୍ର ଧାର କୁହନ୍ତି , ଏହି ରଥଯାତ୍ରା ଜିଲ୍ଲାର ଐତିହାସିକ ଓ ନିଆରା ରଥଯାତ୍ରା। ପୁରୀ ରଥଯାତ୍ରା ସହ ଏହାର ସାମଞ୍ଜସ୍ୟ ରହିଛି । ୧୧୭ବର୍ଷର ପରମ୍ପରା ନେଇ ଆଜି ଯାଏ ରଥଯାତ୍ରା ଶୃଙ୍ଖଳିତ ଭାବେ ଚାଲିଛି ।