ପୁଣି ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ ! ଆଗାମୀ ୩-୪ ମାସ ମଧ୍ୟରେ ପ୍ଲାନର ମୂଲ୍ୟ ୧୫% ପର୍ଯ୍ୟନ୍ତ ହୋଇପାରେ ବୃଦ୍ଧି
ନୂଆଦିଲ୍ଲୀ,୬।୭: ଯଦି ଆପଣ ପ୍ରତି ମାସ ମୋବାଇଲ ରିଚାର୍ଜ କରୁଛନ୍ତି, ତେବେ ଆଗାମୀ ମାସରେ ଆପଣଙ୍କ ପକେଟ୍ ଉପରେ ଅଧିକ ବୋଝ ପଡିପାରେ। ଦେଶର କୋଟି କୋଟି ମୋବାଇଲ୍ ବ୍ୟବହାରକାରୀଙ୍କୁ ଖୁବ୍ ଶୀଘ୍ର ଆଉ ଏକ ଝଟକା ଲାଗିପାରେ। ଯଦି ଆପଣ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ କିମ୍ବା ଭୋଡାଫୋନ୍ ଆଇଡିଆ ସିମ୍ ବ୍ୟବହାର କରନ୍ତି, ତେବେ ଆଗାମୀ ମାସଗୁଡ଼ିକରେ ଆପଣଙ୍କୁ ମୋବାଇଲ୍ ରିଚାର୍ଜ ପାଇଁ ଅଧିକ ଦେୟ ଦେବାକୁ ପଡ଼ିପାରେ।
ଏଏନ୍ଆଇ ରିପୋର୍ଟ ଅନୁସାରେ, ନୂଆ ରିସର୍ଚ୍ଚ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଏହା ଅନୁସାରେ, ଭାରତରେ ମୋବାଇଲ ଟାରିଫ ପ୍ଲାନର ଦାମ୍ ପୁଣିଥରେ ବଢିବାର ସମ୍ଭବନା ରହିଛି। ଅନୁମାନ କରାଯାଉଛି ଯେ, ଆଗାମୀ ତିନିରୁ ୪ ମାସ ଯେଉଁ ଟେଲିକମ୍ କମ୍ପାନୀ ନିଜ ରିଚାର୍ଜ ପ୍ଳାନ୍ ୧୨ ରୁ ୧୫ ପ୍ରତିଶତ ମହଙ୍ଗା କରିପାରନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ଟେଲିକମ୍ କମ୍ପାନୀ ଏନେଇ ଔପଚାରିକ ଘୋଷଣା କରିନାହାନ୍ତି।
ସେଟ୍ରାମ୍ ଇନଷ୍ଟିଚ୍ୟୁସନାଲ୍ ରିସର୍ଚ୍ଚର ପ୍ରଥମ ଆର୍ଥିକ ବର୍ଷ ବା Q1FY27 ଟେଲିକମ୍ ଏବଂ ଇଣ୍ଟରନେଟ୍ ସେକ୍ଟର ପ୍ରିଭ୍ୟୁ ରିପୋର୍ଟ ଅନୁଯାୟୀ, ବଜାର ଏକତ୍ରୀକରଣ ପରେ ମୂଲ୍ୟ ନିର୍ଦ୍ଧାରଣ ପରିବେଶ ଅଧିକ ଅନୁକୂଳ ହେବା ସହିତ ଆଗାମୀ ତିନିରୁ ଚାରି ମାସରେ ଭାରତର ଟେଲିକମ୍ କ୍ଷେତ୍ରରେ ଶୁଳ୍କ ଆହୁରି ୧୨-୧୫ ପ୍ରତିଶତ ବୃଦ୍ଧି ପାଇପାରେ।
ଟେଲିକମ୍ ବଜାରରେ ପ୍ରତିଯୋଗିତା ହ୍ରାସ ଏବଂ 4G-5G ସେବାର ଚାହିଦା ବୃଦ୍ଧି ହେତୁ, କମ୍ପାନୀଗୁଡ଼ିକ ପାଇଁ ମୂଲ୍ୟ ବୃଦ୍ଧି କରିବା ସହଜ ହୋଇଯାଇଛି। ରିପୋର୍ଟ ଅନୁଯାୟୀ, ଟେଲିକମ୍ କ୍ଷେତ୍ରରେ ମୂଲ୍ୟ ନିର୍ଦ୍ଧାରଣ ପରିବେଶ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼, ଯାହା କମ୍ପାନୀଗୁଡ଼ିକ ପାଇଁ ଶୁଳ୍କ ବୃଦ୍ଧି କରିବା ସହଜ କରିଛି। ରିପୋର୍ଟରେ କୁହାଯାଇଛି ଯେ ବଜାରରେ ବର୍ତ୍ତମାନ ପ୍ରଭାବଶାଳୀ ଭାବରେ ତିନୋଟି ପ୍ରମୁଖ ଘରୋଇ ଅପରେଟର ଏବଂ ଗୋଟିଏ ସରକାରୀ କମ୍ପାନୀ ରହିଛି। ଫଳସ୍ୱରୂପ, ପୂର୍ବ ତୁଳନାରେ ପ୍ରତିଯୋଗିତା ହ୍ରାସ ପାଇଛି, ଯାହା କମ୍ପାନୀଗୁଡ଼ିକୁ ମୂଲ୍ୟ ବୃଦ୍ଧି କରିବାକୁ ଅନୁମତି ଦେଇଛି। ରିପୋର୍ଟ ଅନୁଯାୟୀ, ଭାରତୀ ଏୟାରଟେଲ୍ ଏବଂ ରିଲାଏନ୍ସ ଜିଓ ବଜାର ଅଂଶ ବୃଦ୍ଧି କରିବା ଜାରି ରଖିବେ, ସେଭଳି ଭୋଡାଫୋନ୍ ଆଇଡିଆ ଚାପରେ ରହିପାରେ। ଜୁନ୍ ତ୍ରୈମାସିକରେ ରିଲାଏନ୍ସ ଜିଓ ପ୍ରାୟ ୭୦ ଲକ୍ଷ ନୂତନ ଗ୍ରାହକ ଯୋଡ଼ିବ ବୋଲି ଆକଳନ କରାଯାଇଛି, ସେଭଳି ଭାରତୀ ଏୟାରଟେଲ୍ ପ୍ରାୟ ୫୦ ନୂତନ ଉପଭୋକ୍ତା ଯୋଡ଼ିପାରେ। ଏହି ସମୟରେ, ଭୋଡାଫୋନ୍ ଆଇଡିଆ ପ୍ରାୟ କେବଳ ମାତ୍ର ୨ ଲକ୍ଷ ନୂତନ ଗ୍ରାହକ ଯୋଡ଼ିବ ବୋଲି ଆଶା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।